09 – କ୍ଷମା

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: କ୍ଷମା.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।

ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।]

ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।

କ୍ରମରେ ପ୍ରତ୍ୟେକ ପଦ - 517 ବାଇବଲ ପଦ

ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରି ପାର, ମାତ୍ର, ସଦସତ୍‍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”

ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।

ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଅଛନ୍ତି।”

ଏଥିରେ ମୋଶା ଛାଉଣି ଦ୍ୱାରରେ ଠିଆ ହୋଇ କହିଲେ, “ସଦାପ୍ରଭୁଙ୍କ ପକ୍ଷରେ କିଏ ଅଛି? ସେ ମୋ’ ନିକଟକୁ ଆସୁ,” ତହିଁରେ ଲେବୀର ସନ୍ତାନଗଣ ତାଙ୍କ ନିକଟରେ ଏକତ୍ର ହେଲେ।

ପୁଣି, ସେ ହୋମ ବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ।

ପୁଣି ଉକ୍ତ କୌଣସି ଏକ ବିଷୟରେ ସେ ଦୋଷୀ ହେଲେ, ଆପଣାର ସେହି କୃତ ପାପ ସ୍ୱୀକାର କରିବା ତାହାର କର୍ତ୍ତବ୍ୟ।

ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”

ପୁଣି, ଇସ୍ରାଏଲ ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍‍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।

କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ।

କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରେ।

ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ। ସେହି ଦିନରେ ଯେକେହି ଆପଣା ପ୍ରାଣକୁ କ୍ଲେଶ ଦେବ ନାହିଁ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ;

“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ଵା ସ୍ତ୍ରୀ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ,

ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।

ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନ୍ୱେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ। ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବ ଶୁଣିବ। ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ପାସୋରିବେ ନାହିଁ।

ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।

ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।

କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହା ହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ। ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ। କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।

ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।

ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।

ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।

ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି।

ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହା ପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୁ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”

“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;

ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ; ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ; କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ-ସନ୍ତାନର ଅନ୍ତଃକରଣ ଜାଣୁଅଛ;

ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର।

ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।

ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି (କାରଣ ଏପରି କୌଣସି ମନୁଷ୍ୟ ନାହିଁ ଯେ ପାପ କରେ ନାହିଁ), ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁର ହସ୍ତରେ ସମର୍ପଣ କଲେ, ଯେବେ ସେମାନେ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ କିମ୍ବା ନିକଟସ୍ଥ ଦେଶକୁ ନେଇଯା’ନ୍ତି; ତଥାପି ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ପୁନର୍ବାର ଫେରନ୍ତି ଓ ଆପଣାମାନଙ୍କ ବନ୍ଦୀତ୍ୱ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ଆମ୍ଭେମାନେ ପାପ କରିଅଛୁ ଓ ବିପଥଗାମୀ ଓ ଦୁଷ୍ଟପଣ କରିଅଛୁ; ଶତ୍ରୁଗଣ ସେମାନଙ୍କୁ ଯେଉଁ ଦେଶକୁ ବନ୍ଦୀ କରି ନେଇ ଯାଇଅଛନ୍ତି, ଆପଣାମାନଙ୍କର ସେହି ବନ୍ଦୀତ୍ୱ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ, ପୁଣି ତୁମ୍ଭ ମନୋନୀତ ନଗର ଓ ତୁମ୍ଭ ନାମ ନିମନ୍ତେ ଆମ୍ଭର ନିର୍ମିତ ଗୃହ ଆଡ଼େ ମୁଖ କରି ପ୍ରାର୍ଥନା କରନ୍ତି; ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର; ଆଉ ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ କ୍ଷମା କର।

ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ। ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।

ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ,

ତହିଁରେ ମୁଁ ଏହି କଥା ଶୁଣନ୍ତେ, ଆପଣା ବସ୍ତ୍ର ଓ ଚୋଗା ଚିରି ଆପଣା ମସ୍ତକ ଓ ଦାଢ଼ିର କେଶ ଛିଣ୍ଡାଇ ବିସ୍ମିତ ହୋଇ ବସିଲି। ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି। ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋ’ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁ ପାତି ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,

ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।

ତହୁଁ ମୁଁ ଏହି କଥା ଶୁଣିବା ମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି, “ହେ ସଦାପ୍ରଭୁ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ୍ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ; ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହାସବୁ ଆମ୍ଭେମାନେ ପାଳନ କରି ନାହୁଁ।

ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍‍ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ; ସେମାନେ ଆପଣାମାନଙ୍କ ଭ୍ରାତୃଗଣ, ଆପଣାମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ୱରଙ୍କ ଦାସ ମୋଶାଙ୍କ ଦ୍ୱାରା ଦତ୍ତ ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ;

ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ। ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ?

ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;

ତେବେ ମୁଁ ଧର୍ମ ନିକ୍ତିରେ ତୌଲା ଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣି ପାରିବେ।

ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ। ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ।

ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି, ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି।

ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ ପୃଥକ୍‍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ।

ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ; ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି। ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ, ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ।

ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।

ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି; ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;

ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।

ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋ’ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।

ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।

ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର।

ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର।

ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।

ଦାଉଦଙ୍କ ଗୀତ। ଯାହାର ଅପରାଧ କ୍ଷମା, ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ।

ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। [ସେଲା]

ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।

ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି। ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ। ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ। ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।

ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି; ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।

ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି।

ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର; ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି।”

ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ’ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର। ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ’ ପାପରୁ ମୋତେ ଶୁଚି କର। କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ’ ପାପ ସର୍ବଦା ମୋ’ ସମ୍ମୁଖରେ ଅଛି। ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ।

ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।

ମୋ’ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋ’ ଅପରାଧସବୁ ମାର୍ଜନା କର। ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋ’ଠାରୁ ନିଅ ନାହିଁ।

ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।

ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି।

ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;

ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ; ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ। କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ। ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର।

ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।

ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି। କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ। ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।

ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି, ପୁଣି, ପାଳନାର୍ଥେ ତାହାଙ୍କ ନିୟମସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ ଥାଏ। ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।

ଆମ୍ଭେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣ ତୁଲ୍ୟ ପାପ କରିଅଛୁ, ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ଭେମାନେ ଅଧର୍ମ କରିଅଛୁ।

ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।

ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା ନାମକୁ ଗୌରବାନ୍ୱିତ କର।

ଆଲେଫ୍‍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ। ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ। ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; ସେମାନେ ତାହାଙ୍କ ପଥରେ ଗମନ କରନ୍ତି।

ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।

ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋ’ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ।

ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।

ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।

ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ। ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।

କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ ଏବଂ ଦୁଷ୍ଟଲୋକମାନଙ୍କ ବାଟରେ ଚାଲ ନାହିଁ। ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; ତହିଁରୁ ବିମୁଖ ହୋଇ ଚାଲିଯାଅ।

ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ।

ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।

ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ। ଯେଉଁ ଲୋକ ସବୁବେଳେ କୁକର୍ମ କରିବାକୁ ଭୟ ରଖେ, ସେ ଧନ୍ୟ; ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।

ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।

ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।

ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;

ସଦାପ୍ରଭୁ କହନ୍ତି, ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେହିସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।

ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର! ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!

ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।”

“ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ୱାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ,

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ। ଆମ୍ଭଙ୍କୁ ସ୍ମରଣ କରାଅ; ଆମ୍ଭେମାନେ ପରସ୍ପରର ବିଚାର କରୁ; ତୁମ୍ଭେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା କଥା କୁହ।

ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁ; ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଅଛନ୍ତି; ହେ ପୃଥିବୀର ଅଧଃସ୍ଥାନସକଳ, ଆନନ୍ଦଧ୍ୱନି କର; ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବୃକ୍ଷ, ତୁମ୍ଭେମାନେ ଉଚ୍ଚସ୍ୱରରେ ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଅଛନ୍ତି ଓ ଇସ୍ରାଏଲ ମଧ୍ୟରେ ଆପଣାକୁ ଗୌରବାନ୍ୱିତ କରିବେ।

ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବ କାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ୱର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ। ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ।

ପୁଣି, ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଆନନ୍ଦ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ; ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।

ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର। ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ଯେହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।” “କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।

କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।

ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।

କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।

କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା,” ଏହା ସଦାପ୍ରଭୁ କହନ୍ତି; “ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।

ସଦାପ୍ରଭୁ କହନ୍ତି, “ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।”

ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟ କାଳରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କରି ନାହୁଁ।

ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ?

ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା, କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।

ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ’ଣ କରିଅଛି! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।

ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି; ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କର ବିପଥଗମନ ଅପାର; ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

ହେ ସଦାପ୍ରଭୁ, ଆମ୍ଭେମାନେ ଆପଣାମାନଙ୍କ ଦୁଷ୍ଟତା ଓ ଆମ୍ଭମାନଙ୍କ ପିତୃଲୋକମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ; କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି, ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି; କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।

ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।’

ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।

ଆମ୍ଭମାନଙ୍କ ଚିତ୍ତର ଆନନ୍ଦ ନିବୃତ୍ତ ହୋଇଅଛି; ଆମ୍ଭମାନଙ୍କର ନୃତ୍ୟ ଶୋକରେ ପରିଣତ ହୋଇଅଛି। ଆମ୍ଭମାନଙ୍କ ମସ୍ତକରୁ ମୁକୁଟ ଖସି ପଡ଼ିଅଛି; ଧିକ୍‍ ଆମ୍ଭମାନଙ୍କୁ! କାରଣ ଆମ୍ଭେମାନେ ପାପ କରିଅଛୁ। ଏଥିପାଇଁ ଆମ୍ଭମାନଙ୍କ ଅନ୍ତଃକରଣ କ୍ଷୀଣ ହୋଇଅଛି; ଏହିସବୁ କାରଣରୁ ଆମ୍ଭମାନଙ୍କର ଚକ୍ଷୁ ଧନ୍ଦଳା ହୋଇଅଛି।

ଦେଖ, ଯାବତୀୟ ପ୍ରାଣ ଆମ୍ଭର; ପିତାର ପ୍ରାଣ ଯେପରି, ପୁତ୍ରର ପ୍ରାଣ ହିଁ ସେହିପରି ଆମ୍ଭର; ଯେଉଁ ପ୍ରାଣୀ ପାପ କରେ, ସେହି ମରିବ।

ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।

ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। ତାହାର କୃତ କୌଣସି ଅପରାଧ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ଯେଉଁ ଧର୍ମାଚରଣ କରିଅଛି, ତଦ୍ଦ୍ୱାରା ବଞ୍ଚିବ। ପ୍ରଭୁ, ସଦାପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ?

ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।

ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?

ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ତହିଁରେ ମରେ, ସେତେବେଳେ ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ମରିବ।

ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ। ସେ ବିବେଚନା କରେ ଓ ଆପଣା କୃତ ସମସ୍ତ ଅପରାଧରୁ ଫେରେ, ଏଥିପାଇଁ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।

ତଥାପି ଇସ୍ରାଏଲ ବଂଶ କହନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ? ହେ ଇସ୍ରାଏଲ ବଂଶ, ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?

ଏଥିପାଇଁ ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। “ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ। ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରି ଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?” ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; “ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ।”

ଆଉ, ଯହିଁରେ ତୁମ୍ଭେମାନେ ଆପଣାମାନଙ୍କୁ ଅଶୁଚି କରିଅଛ, ଆପଣାମାନଙ୍କର ସେହି ଆଚାର ବ୍ୟବହାର ଓ କ୍ରିୟାସକଳ ତୁମ୍ଭେମାନେ ସେଠାରେ ସ୍ମରଣ କରିବ ଓ ଆପଣାମାନଙ୍କର କୃତ ସମସ୍ତ କୁକ୍ରିୟା ସକାଶୁ ଆପଣାମାନଙ୍କୁ ଘୃଣା କରିବ।

ଧାର୍ମିକ ଲୋକ ଆପଣା ଧାର୍ମିକତାରୁ ଫେରି ଅଧର୍ମ କଲେ, ସେ ତହିଁରେ ହିଁ ମରିବ। ପୁଣି, ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କଲେ, ସେ ତହିଁରେ ବଞ୍ଚିବ।

ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା। ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।

ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ଵେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି। ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ। ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ। ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭମାନଙ୍କର ରାଜାଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ।

ହେ ସଦାପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜାଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ୱରଙ୍କର ଅଟେ; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ ଓ ସେ ଆପଣା ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥା ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରି ନାହୁଁ।

ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋ’ର ପାପ ଓ ମୋ’ର ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି, ଆଉ ମୋ’ ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି;

ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ।

ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ।

ତଥାପି ସଦାପ୍ରଭୁ କହନ୍ତି, “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।” ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ସେ କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।

ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ! କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି।

ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। ଏଥିଉତ୍ତାରେ ଏହି ସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ। ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ; ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ। କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।” ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।

ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, ଏଥିପାଇଁ ଯେପର୍ଯ୍ୟନ୍ତ ସେ ମୋ’ ବିବାଦର ସପକ୍ଷବାଦୀ ହୋଇ ମୋର ବିଚାର ନିଷ୍ପତ୍ତି ନ କରନ୍ତି, ସେପର୍ଯ୍ୟନ୍ତ ମୁଁ ତାହାଙ୍କ କ୍ରୋଧରୂପ ଭାର ବହନ କରିବି; ସେ ମୋତେ ବାହାର କରି ଆଲୁଅକୁ ଆଣିବେ ଓ ମୁଁ ତାହାଙ୍କର ଧାର୍ମିକତା ଦେଖିବି।

ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି। ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ।

ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।"

"ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦା ପ୍ରଦେଶ ପୁଣି, ଯର୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦନ ନଦୀରେ ବାପ୍ତିଜିତ ହେଲେ ।

କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, "ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,

ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ । ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ । ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।"

ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦନକୁ ଆସିଲେ । କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି? ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ ।" ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ ।

ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା । ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ । ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ । ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ । ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ । ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ । ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ । ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।

କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ । କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ । ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ ।

ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।

ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ । ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]

କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।

ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!

କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।

ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।

ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।

ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର ।

ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି । ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି ।

ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ । ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।

ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ ।

କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;

ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ?

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

କିନ୍ତୁ ଯେ କେହି ମୋଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।

ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।

ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,

ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।

ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ ।

ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।

କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ ।

କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମ୍ଭେ ବିବାହବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା । ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ ।

ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ ।

ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ । ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । କିନ୍ତୁ ଅର୍ଦ୍ଧରାତ୍ରରେ 'ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର', ଏପରି କୋଳାହଳ ହେଲା । ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ । କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ।

ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ । ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ । ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ । ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।

ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।

କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ । ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,

ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,

ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । ସେଥିରେ ସମଗ୍ର ଯିହୂଦା ପ୍ରଦେଶ ଓ ସମସ୍ତ ଯିରୂଶାଲମ ନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ ।

କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ; ମନପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର ।

ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ । ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,

ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ । କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା; ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ।

ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?

ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।

ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।]

ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ,ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । [କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।]

ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।

କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ।

ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ ।

[କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।]

ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

ଆଉ, ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ ।

ଆଉ ଯୀଶୁ କହିଲେ, ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।

ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।

ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ ।

ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।

ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।

କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,

ସେଥିରେ ସେ ଯର୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,

ଅତଏବ, ଯୋହନ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି । ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ ।

କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା?

ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,

ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,

କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ ।

ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ । ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;

କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ୱରଙ୍କ ଯୋଜନା ଅଗ୍ରାହ୍ୟ କଲେ ।

ତୁମ୍ଭେ ମୋହର ମସ୍ତକରେ ତେଲ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା । ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ । ଆଉ ସେ ସେହି ସ୍ତ୍ରୀକୁ କହିଲେ, ତୋହର ପାପସବୁ କ୍ଷମା ହୋଇଅଛି ।

ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?

ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ ।

କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ ।

ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧିକୁ କ୍ଷମା କରୁ । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ ।

ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ; କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ ।

ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ । କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।

ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।

ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।

ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ । ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ । ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା । ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ । ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି । ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ । ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ । କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ । ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହି ସବୁ କ'ଣ ବୋଲି ପଚାରିବାକୁ ଲାଗିଲା । ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ବାଛୁରିଟିଏ ମାରିଅଛନ୍ତି । ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ । ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ; କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ମୋଟା ବାଛୁରିଟି ମାରିଲ । ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହି ସବୁ ତୋହର; କିନ୍ତୁ ଏହି ଯେ ତୋହର ଭାଇଟି ମରିଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ ଥିଲା ।

ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।

ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ । ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।

କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ ମୋତେ ଦୟା କରନ୍ତୁ ।

କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।

ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର । ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ,ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।

ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର ।

ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।

ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର । କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ? ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି । ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ । ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।

ଆଉ ସେମାନଙ୍କୁ କହିଲେ, ଏହି ପ୍ରକାରେ ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, ପୁଣି, ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ ।

ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ ।

ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି ।

ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ ।

ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା । ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ ।

ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ । କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ । ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ । ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ । କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ । କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।

ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦା ପ୍ରଦେଶକୁ ଗଲେ, ଆଉ ସେ ସେ ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ ।

ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।

ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।

ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ।

ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।

ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;

କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି ।

ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ । ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ।

ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।

ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ । ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ । ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ । ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ । ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ ।

ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।

ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ ।

ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ, ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।

ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତା'ର କଥା ଶୁଣନ୍ତି ।

ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ ।

କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ । ମୋ' ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ ।

ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ ।

ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ ।

ତଥାପି ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, କାରଣ ସେମାନେ ଈଶ୍ୱରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ ।

ଯେ କେହି ମୋ'ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି ।

ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ ।

ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।

ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ ।

ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା । ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ ।

ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; ପାପ ବିଷୟରେ - କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ; ଧାର୍ମିକତା ବିଷୟରେ- କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; ବିଚାର ବିଷୟରେ- କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି ।

ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ ।

ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ । ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏସମସ୍ତ ଲେଖାଯାଇଅଛି ।

ଆଉ,ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ ।

ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ ।

ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ । ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ ।

ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇ ପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ,

ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।

ପୁଣି, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂୂପେ ଉନ୍ନତ କରିଅଛନ୍ତି ।

କିନ୍ତୁ ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ । ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା ।

ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;

ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ,ଏଠାରେ ତ ଜଳ ଅଛି,ମୋହର ବାପ୍ତିଜିତ ହେବା ନିମନ୍ତେ କ'ଣ ବାଧା ଅଛି? [ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇ ପାରେ । ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର,ଏହା ମୁଁ ବିଶ୍ୱାସ କରୁଅଛି ।]

ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କ'ଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,

ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।

ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ । ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ।

ପୁଣି, ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ । ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ ।

ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।

ତାହାଙ୍କ ବଂଶରୁ ଈଶ୍ୱର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି । ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;

ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି, ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇ ପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି ।

ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।

ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ । ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ । ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ ।

ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି; କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି ।

କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ ।

ସେଥିରେ ପାଉଲ କହିଲେ, ଯୋହନ ମନପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ । ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,

ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,

ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୂଦୀ ଓ ଗ୍ରୀକ୍‌ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି,ତାହା ତୁମ୍ଭେମାନେ ଜାଣ ।

ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।

ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ ।

ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ ।

ଅତଏବ ଈଶ୍ୱରଙ୍କ ଏହି ପରିତ୍ରାଣ ଅଣଯିହୂଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ ।

କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।

ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ । ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ; ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ୱରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଂକାରୀ, ଦୁଷ୍ଟକର୍ମର ଉତ୍ପାଦକ, ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି । ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି ।

ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ । ଆଉ, ହେ ମନୁଷ୍ୟ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ୱରଙ୍କ ବିଚାରରୁ ପଳାୟନ କରି ପାର ବୋଲି କ'ଣ ମନେ କରୁଅଛ? କିମ୍ବା ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନ ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ? କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ୱରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ; ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ; ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ । ପ୍ରଥମରେ ଯିହୂଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ, ମାତ୍ର ପ୍ରଥମରେ ଯିହୂଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ । କାରଣ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ ।

ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ ।

ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ, ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ;

ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ । ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ;

କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ ।

ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି, ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି । ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,

ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ।

"ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ ।

ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ ।

ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ; ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ । କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ । ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପ୍ରବାହିତ ହୋଇଅଛି ।

କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି । ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା । କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା । ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ |

ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା, ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ ।

ତେବେ, ଆମ୍ଭେମାନେ କ'ଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା? ତାହା କେବେ ହେଁ ନ ହେଉ । ପାପ ପ୍ରତି ମୃତ୍ୟୁ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମ୍ଭେମାନେ ଜୀବନ କାଟିବା? ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ?

ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା । ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।

ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି । କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ । ଖ୍ରୀଷ୍ଟ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ । କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ୍ୟୁ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି । ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର ।

ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର । ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ- ଗୁଡ଼ାକର ବଶବର୍ତ୍ତୀ ହେବ; କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର । କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ ।

କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ, ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ । ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର ।

କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ । କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।

କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା, କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ ।

କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋ'ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ମୋଶାଙ୍କ ବ୍ୟବସ୍ଥା ବିନା ପାପ ମୃତ ।

ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ । କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ। କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୋଶାଙ୍କ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ । ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋ'ଠାରେ ବାସ କରୁଥିବା ପାପ ତାହା କରୁଅଛି । କାରଣ ମୋ'ଠାରେ, ଅର୍ଥାତ୍‍, ମୋ' ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ । କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ । କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ'ଠାରେ ବାସ କରୁଥିବା ପାପ ତାହା କରେ ।

ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ' ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ମୋଶାଙ୍କ ବ୍ୟବସ୍ଥା ମୁଁ ଦେଖୁଅଛି । କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାରେ ଆନନ୍ଦ କରେ, କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ମୋଶାଙ୍କ ବ୍ୟବସ୍ଥା ଦେଖେ, ତାହା ମୋହର ମନର ମୋଶାଙ୍କ ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ମୋଶାଙ୍କ ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ । ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ । ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ମୋଶାଙ୍କ ବ୍ୟବସ୍ଥାର ଦାସ ଅଟେ ।

ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ । କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି । ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ । କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି । କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ; ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ; ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ ।

କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ । କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ । ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ ।

ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ; କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ । ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ । କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ । ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି, ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ ।

କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ । ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି ।

ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି । କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି । ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ? ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।'' ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ ।

କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା । ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ୱରଙ୍କଠାରୁ ହୁଏ ।

ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି । କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ମୋଶାଙ୍କ ବ୍ୟବସ୍ଥାର ଶେଷ ଅଟନ୍ତି ।

ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ; କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ । ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ । କାରଣ ଯିହୂଦୀ ଓ ଗ୍ରୀକ୍‍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ । କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।

ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ ।

କିନ୍ତୁ ତାଙ୍କୁ ଈଶ୍ୱର କ'ଣ ଉତ୍ତର ଦିଅନ୍ତି? "ଯେଉଁମାନେ ବାଆଲ୍‍ ସମ୍ମୁଖରେ ଆଣ୍ଠୁ ପକାଇ ନାହାଁନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ ।' ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି ।

କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ । ଅତଏବ, ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ ।

ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ ।

ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା । ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।

କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।

ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ ।

ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ ।

କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା । ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ୱରଙ୍କ ପ୍ରଶଂସା କରିବ ।" ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ।

ସେହି ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ ।

କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ ।

ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ହଁ, ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ । କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍‍, ଧାର୍ମିକତା, ପବିତ୍ରତା ଓ ମୁକ୍ତିସ୍ୱରୂପ ହୋଇଅଛନ୍ତି ।

ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି; ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ ।

କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରିଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ । କାରଣ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କ'ଣ ଅଛି? ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ? କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ୱର କରିବେ । ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ ।

ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ । ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।

ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ । ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।

ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର ।

ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ ।

ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ । ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ । ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ । ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି । ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସେ ସାବଧାନ ହେଉ ।

ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।

ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛ ।

କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ;

ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ । ଯଥାର୍ଥରୂପେ ଜାଗ୍ରତ ହୁଅ, ପାପ ନ କର; କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ; ମୁଁ ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି ।

ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା;

କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି ।

ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ ।

କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।

କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ ।

ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି ।

ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।

ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ । ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା,ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତାସ୍ୱରୂପ ହେଉ ।

କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।'' ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ ।

ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?

ଏଣୁ ପ୍ରଭୁ ଏହା କହନ୍ତି, "ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍‍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,'' ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି,ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।

ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।

ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ । କାରଣ ଈଶ୍ୱରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହାସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ । ଯେଣୁ ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି । ଏବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣଦେଇଅଛ ।

ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତିବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,

କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ; କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାଁନ୍ତି, ଏପରି ଅନେକ ଲୋକଙ୍କ ନିିମନ୍ତେ ମୁଁ ଶୋକ କରେ ।

ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ ।

ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ ।

ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ'ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ' ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି ।

ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,

ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକସ୍ୱରୂପ ହୋଇଥିଲା ।

ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ ।

କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାଧୀନ ହେଲେ, ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ ।

ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ । କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରି ପାର ନାହିଁ । କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ ।

ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟରୂପେ ଜଣା: ବ୍ୟଭିଚାର, ଅଶୁଚିତା କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ ।

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି । ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ ।

ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; ପୁଣି, ସେ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୁର୍ବରୁ ନିରୂପଣ କଲେ; ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ତାହାଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି।

ତାହାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୁର୍ବରୁ ନିରୁପିତ ହେଲୁ, ଯେପରି ଖ୍ରୀଷ୍ଟଙ୍କଠାରେ ପୁର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହେଉ। ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।

ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି, ଅର୍ଥାତ୍ ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୁର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ; ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ । କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।

ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ, ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ, ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ ।

ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ ।

ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।

କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହି ସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ; ପୁଣି, ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଉ, ବରଂ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦିଅ । କାରଣ ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ -ଏମାନଙ୍କର, ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ । କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।

ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି ।

କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;

ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି । କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ ।

କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;

ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,

କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ ।

କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ; ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି । ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।

ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।

ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି; ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍‍, ପାପ କ୍ଷମା ପାଇଅଛୁ ।

ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍‍ ଓ ମନରେ ତାହାଙ୍କର ଶତ୍ରୁ ଥିଲ, କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;

ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ; ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ । ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ଜୀବିତ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି,

ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ ।

ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ; ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ପୂର୍ବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ। କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର । ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ

ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର। ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର । ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।

କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ ।

ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ ।

କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ, ଆଉ, ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୂଦୀମାନଙ୍କ ପରି କାମାଭିଳାଷୀ ନ ହୋଇ,

କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି ।

ବରଂ ସମସ୍ତ ବିଷୟ ପରୀକ୍ଷା କର; ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ । ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ ।

କିନ୍ତୁ, ହେ ପ୍ରଭୁଙ୍କ ପ୍ରିୟପାତ୍ର ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ଈଶ୍ୱର, ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ପ୍ରଥମ ଫଳଭାବେ ବାଛି ଅଛନ୍ତି;

ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ । ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥି ନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି ।

ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି ।

କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି ।

ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;

ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ ।

ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି କଳଙ୍କ ଶୂନ୍ୟ ଓ ଅନିନ୍ଦନୀୟ ହୋଇ ରୁହ ।

ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାଁନ୍ତି, ମାତ୍ର ତାହାଙ୍କ ନିଜ ଯୋଜନା ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;

ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;

ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ ।

ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ, ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।

କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ |

ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।

ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।

ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।

ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି;

କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି, ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ, ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଶିକ୍ଷା ଦେଉଅଛି । ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ ।

ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;

ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ ।

ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା, ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;

କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।

ହେ ଭାଇମାନେ, ସାବଧାନ,ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ ।

କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;

ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର ।

ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ । ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ । କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ । ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।

କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି ।

ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ ।

କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହି ସବୁ ଲେଖିବା,

କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ ।

ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି ।

ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ୱରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି ।

ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ ।

ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।

ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ ।

ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶ ନ କଲେ;

କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି । ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି; କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହି ସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି, ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ । ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ ।

ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ ପୁଣି, ଈଶ୍ୱରଙ୍କ ମନ୍ଦିର ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ;

କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ । କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; ତେବେ ଭାବି ଦେଖ, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ! କାରଣ 'ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା,'ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, 'ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ' । ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ।

ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ।

ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ ।

ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।

ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,

ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,

ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ ।

ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।

ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ ।

ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;

କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।

ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ । କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ ।

କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ ।

ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର । କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ ।

କାରଣ ଯେ କେହି ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ ।

ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କ'ଣ ତାହାର ପରିତ୍ରାଣ କରି ପାରେ? ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ ।

କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ ।

କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ।

ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ । ନା ତୁମ୍ଭେମାନେ କ'ଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି? କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' । ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ । ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର । ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ । ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ ।

ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ ।

ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ । ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।

ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ, ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି । ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ ।

ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ । ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,

ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ । ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର ।

ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର; ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ ।

ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର; ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ । କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ । ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି ।

ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ । କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ ।

ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;

ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି; ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି ।

ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, (କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି), ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କର । ଯେଣୁ ଅଣଯିହୂଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;

ମାତ୍ର ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ । ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ, ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।

ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ ।

କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କ'ଣ ନ ହେବ! ପୁଣି, ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?

ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍‍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।

ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।

ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ, ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ ।

ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି ।

ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।

ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର;

ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ । କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ । ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ । ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି । ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ ।

ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ । ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି। ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ । ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ; କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି । ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ । ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ ।

ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି ।

ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ; କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।

ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି । ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ । ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି ।

ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ । ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।

ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା । ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ |

ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ ।

ଯେ କେହି ପାପ କରେ, ସେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରେ, କାରଣ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ହିଁ ପାପ । ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ । ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ । ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ; ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ । ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ । ଏଥିରେ କିଏ ଈଶ୍ୱରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କଠାରୁ ଜାତ ନୁହେଁ ।

ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହି ସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ ।

ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା । ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ ।

ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ । ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ ।

ଯେ କେହି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ୱର ତାହାଠାରେ ଅଛନ୍ତି ଓ ସେ ଈଶ୍ୱରଙ୍କଠାରେ ଅଛି ।

ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ । ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ ।

ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ । ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ । କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ । ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ । ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?

ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ । ସେହି ସାକ୍ଷ୍ୟ ଏହି ଯେ, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ ।

ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି ।

ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି ।

ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ୱରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ ।

ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ । ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର । ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର । ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ,

ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,

ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ । ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ ।

ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ ।

ଆମ୍ଭେ ତାହାକୁ ମନପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ ।

ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ ।

ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା । ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ ।

ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ; ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ । ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର ।

ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ ।

ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି ।

ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି ।

ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ ।

ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ ।

ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।

ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।

ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ । ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।

ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ । କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ ।

ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ ।

ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ ।

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।

ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ; ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net