05 – ସ୍ୱର୍ଗ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ସ୍ୱର୍ଗ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

କିନ୍ତୁ ଯେପରି ଲେଖା ଅଛି, "ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି" ।

କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ । ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ । ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ । ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ ।

ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।

କ୍ରମରେ ପ୍ରତ୍ୟେକ ପଦ - 183 ବାଇବଲ ପଦ

ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ।

ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି, ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍‍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ।

ତହିଁରେ ସେ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ; ପୁଣି, ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି।

ପୁଣି, ସେ ଭୀତ ହୋଇ ଆହୁରି କହିଲା, “ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର।”

ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ।

ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର, ପୁଣି ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆଶୀର୍ବାଦ କର।

ମାତ୍ର, ପରମେଶ୍ୱର କ’ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋ’ ନିର୍ମିତ ଏହି ଗୃହ କ’ଣ ପାରିବ?

ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।

ହେ ସଦାପ୍ରଭୁ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ।

କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।

ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ-ସନ୍ତାନମାନଙ୍କୁ ପରୀକ୍ଷା କରେ।

ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।”

ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।

ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାଙ୍କୁ ଦେଲ; ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ।

କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ ଅନନ୍ତକାଳ ଅସାଧ୍ୟ।

ପରମେଶ୍ୱରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ; ଯେପରି ପ୍ରଭୁ ଆପଣା ପବିତ୍ର ସ୍ଥାନ ସୀନୟରେ, ସେପରି ସେସବୁର ମଧ୍ୟରେ ଅଛନ୍ତି।

ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।

କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ।

ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।

ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ ଜୀବନ ଆଜ୍ଞା କଲେ।

ଧାର୍ମିକତାରୂପ ପଥରେ ଜୀବନ ଥାଏ; ପୁଣି, ତହିଁର ଗମନ-ମାର୍ଗରେ ମୃତ୍ୟୁୁ ନ ଥାଏ।

ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ।

ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”

ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।

ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ।

ସେ ମୃତ୍ୟୁୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।

କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।

ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନନ୍ତ କାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ଗୌରବସ୍ୱରୂପ ହେବେ। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ହେବ ନାହିଁ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତକାଳସ୍ଥାୟୀ ଜ୍ୟୋତିଃସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି।

କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।

ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ?

“କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ,” ଏହା ସଦାପ୍ରଭୁ କହନ୍ତି।

ସଦାପ୍ରଭୁ ଏହି କଥା କହନ୍ତି: “ଯଦି ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ ପରିମିତ ହୋଇ ପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇ ପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରି ଦେବା,” ଏହା ସଦାପ୍ରଭୁ କହନ୍ତି।

ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଉର୍ଦ୍ଧ୍ୱରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଉର୍ଦ୍ଧ୍ୱ ଭାଗରେ ଥିଲା। ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଉର୍ଦ୍ଧ୍ୱରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା। ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।

ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।

ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।

ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ; ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।

ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍‍, ଅନନ୍ତ କାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’

ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।

ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।

"ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।"

ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।

ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ । କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।

ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]

ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।

ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।

ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାଁନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ ।

ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି? ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।

ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା । ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।

ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।

ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା ।

ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ । ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ । ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ,

ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ ।

ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।

ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହି ସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହି ସବୁ ମୁକ୍ତ ରହିବ ।

କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର ।

ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ସେ ତାହାଙ୍କୁ କହିଲେ, ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର । ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏହି ସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର । ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କ'ଣ ଉଣା ଅଛି? ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା ।

ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ । ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ ।

ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ । ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ ।

ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ ।

କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ? ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର ।

ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ ।

ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।

ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ;

ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି ।

ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।

ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ଉତ୍ତମ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ,। ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର । ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି । ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା ।

ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର?

ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର । ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ । ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ ।

ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।

ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ କ'ଣ ଲେଖା ଅଛି? ତୁମ୍ଭେ କିପରି ପାଠ କରୁଅଛ? ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ ।

ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ । ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ ।

ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।

କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ । ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ ।

କିନ୍ତୁ ସେ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।

ଜଣେ ଯିହୂଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ । ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର । ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି । ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ । ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି! କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚୀର କଣା ଦେଇ ଓଟର ପ୍ରବେଶ କରିବା ସହଜ । ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।

ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ସ୍ତ୍ରୀକୁ ଭାଇ କି ବାପା ମା କି ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ ।

ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ । ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।

ପୁଣି, ସେ ତାହାଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ ।

ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ । ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା ।

ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ? ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ । ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ । କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।

ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।

କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ।

ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।

ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।

କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ ।

କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ।

ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।

ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।

ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି;

ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ ।

ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ ।

ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ ।

ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି ।

ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ । ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।

ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ ।

ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?

ଅଣଯିହୂଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ୱରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ,

ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।

ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ୱରଙ୍କ ରାଜ୍ୟରେ କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ ।

ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,

ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ ।

କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ । କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।

କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।

କିନ୍ତୁ ଯେପରି ଲେଖା ଅଛି, "ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି" ।

ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର । କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ; ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ବାରା ଉତ୍ଥିତ ହୁଏ; ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ । ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି । ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ । ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ । ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ । ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ । ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା ।

ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ । ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ, କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା । କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ । କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ, "ଜୟ ମୃତ୍ୟୁକୁ ଗ୍ରାସ କରିଅଛି। "ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?" ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା;

କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।

କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ । ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;

ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ ।

ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) । ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) । ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା ।

ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,

ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ;

କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ । କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ । ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;

ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।

ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି;

ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ ।

ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇ ପାର ।

ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ;

ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥି ନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି । ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ ।

କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଏହିକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ ।

କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;

ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ।

ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି ।

କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;

ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।

ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି;

ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ ।

ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।''

ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।

ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;

ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହି ସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ । କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି ।

କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି ।

କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଈଶ୍ୱରଙ୍କ ନଗର, ଅର୍ଥାତ୍‍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ, ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,

କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ ।

ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି ।

ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି ।

ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ, ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ ।

ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।

ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ । ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ ।

ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।

ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ ।

ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ । ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା ।

ସେହି ସାକ୍ଷ୍ୟ ଏହି ଯେ, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ । ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି ।

ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି ।

ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ ।

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ।

ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ ।

ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ । ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ । ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ ।

ସିଂହାସନ ମଧ୍ୟରୁ ବିଜୁଳୀ, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା । ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ । ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡନ୍ତା ଉତ୍କ୍ରୋଶ ପକ୍ଷୀ ସଦୃଶ । ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ । ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର ।

ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।

ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ । ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ ।

ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

ସେତେବେଳେ ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା ।

ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ | ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ, ପୁଣି, ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ ।

ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ । ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ ।

ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ ।

ପରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା । ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି । ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।

ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ । କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ । ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।

ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ୱରଙ୍କ ଗୌରବ ବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି । ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି । ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର । ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି ।

ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା । ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା । ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ । ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୂର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର, ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର । ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ।

ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ । ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଏୗଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ । ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ । ଲୋକେ ଜାତିସମୂହର ଏୗଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ । କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।

ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି । ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ । କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ । ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ । ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ । ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ ।

ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ ।

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net