17 – ମିଥ୍ୟା ଧର୍ମ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ମିଥ୍ୟା ଧର୍ମ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ। ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ; ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ। ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ; ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ; ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ; କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ। ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।

ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;

ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”

କ୍ରମରେ ପ୍ରତ୍ୟେକ ପଦ - 176 ବାଇବଲ ପଦ

ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?”

ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ।” ଏଥିଉତ୍ତାରେ ମନୁଷ୍ୟ-ସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। ପୁଣି, ସଦାପ୍ରଭୁ କହିଲେ, “ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ। ଏଥିପାଇଁ ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେହି ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ।” ଏହିରୂପେ ସଦାପ୍ରଭୁ ସେହି ସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ। ସେଥିପାଇଁ ସେହି ନଗରର ନାମ ବାବିଲ (ଭେଦ) ହେଲା; ଯେହେତୁ ସଦାପ୍ରଭୁ ସେହି ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି, ସେହି ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ।

ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ। ପୁଣି, ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି, ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ।”

ତହିଁରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ଇଶ୍ମାୟେଲ ତୁମ୍ଭ ଛାମୁରେ ବଞ୍ଚି ଥାଉ।” ସେତେବେଳେ ପରମେଶ୍ୱର କହିଲେ, “ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି, ତୁମ୍ଭେ ତାହାର ନାମ ଇସ୍‍ହାକ ରଖିବ, ପୁଣି, ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ। ପୁଣି, ଇଶ୍ମାୟେଲ ବିଷୟରେ ତୁମ୍ଭର ପ୍ରାର୍ଥନା ଶୁଣିଲୁ; ଦେଖ, ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ପୁଣି, ବହୁ ପ୍ରଜାବନ୍ତ କରି; ତାହାର ବଂଶ ଅତିଶୟ ବୃଦ୍ଧି କରିବା। ତାହାଠାରୁ ଦ୍ୱାଦଶ ରାଜା ଜାତ ହେବେ ଓ ଆମ୍ଭେ ତାହାକୁ ବଡ଼ ଗୋଷ୍ଠୀ କରିବା। ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍‍ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା।”

ଏଥିଉତ୍ତାରେ ଅବ୍ରହାମ ଆପଣା ପୁତ୍ର ଇଶ୍ମାୟେଲକୁ ଓ ଆପଣା ଗୃହଜାତ ଓ ମୂଲ୍ୟକ୍ରୀତ ସମସ୍ତ ଲୋକଙ୍କୁ, ଅର୍ଥାତ୍‍ ଅବ୍ରହାମଙ୍କର ଗୃହସ୍ଥିତ ପ୍ରତ୍ୟେକ ପୁରୁଷକୁ ଘେନି ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେହି ଦିନ ସମସ୍ତଙ୍କ ଲିଙ୍ଗାଗ୍ର ଚର୍ମ ଛେଦନ କଲେ।

ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍‍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।

ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।

ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।

ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।

ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସ୍ରୀୟମାନଙ୍କ ଶରୀରରେ ବଥ ଜାତ ହେଲା।

ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;

ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ, ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ; ଆପଣାମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ।

ତୁମ୍ଭେ ମାୟାବିନୀକୁ ଜୀବିତା ରଖିବ ନାହିଁ।

ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।

ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା କହିଅଛୁ, ସେସମସ୍ତ ବିଷୟରେ ସାବଧାନ ହୁଅ; ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ।

ଏଥିଉତ୍ତାରେ ମୋଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରୋଣଙ୍କ ନିକଟରେ ଏକତ୍ର ହୋଇ ତାଙ୍କୁ କହିଲେ, “ଉଠ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର, ଯେହେତୁ ଯେଉଁ ବ୍ୟକ୍ତି ମିସର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୋଶାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।” ତହୁଁ ହାରୋଣ ସେମାନଙ୍କୁ କହିଲେ, “ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ରକନ୍ୟାଗଣର କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳ କାଢ଼ି ମୋ’ ପାଖକୁ ଆଣ।” ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳସବୁ କାଢ଼ି ହାରୋଣଙ୍କ ନିକଟକୁ ଆଣିଲେ। ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରି ନିର୍ମାଣ କଲେ; ତହୁଁ ଲୋକମାନେ କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।”

ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି, ତାହା ନିକଟରେ ବଳିଦାନ କରି କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।” ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।” ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ି ଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।

ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, “ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କରିଅଛନ୍ତି।

ମାତ୍ର ତୁମ୍ଭେମାନେ ସେମାନଙ୍କ ବେଦିସବୁ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି କାଟି ପକାଇବ। ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ, ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି। କେଜାଣି ଅବା ତୁମ୍ଭେ ସେହି ଦେଶ ନିବାସୀ ଲୋକମାନଙ୍କ ସହିତ ନିୟମ କରିବ; କଲେ ଯେଉଁ ସମୟରେ ସେମାନେ ନିଜେ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କରନ୍ତି ଓ ନିଜ ଦେବଗଣ ନିକଟରେ ବଳିଦାନ କରନ୍ତି, ସେ ସମୟରେ କେହି ତୁମ୍ଭକୁ ଡାକିଲେ, ତୁମ୍ଭେ ତାହାର ବଳିଦ୍ରବ୍ୟ ଖାଇବ; କିଅବା ତୁମ୍ଭେ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ, ସେମାନଙ୍କ କନ୍ୟାଗଣ ନିଜ ଦେବଗଣର ଅନୁଗାମିନୀ ହୋଇ ତୁମ୍ଭ ପୁତ୍ରଗଣକୁ ଆପଣାମାନଙ୍କ ଦେବଗଣର ଅନୁଗାମୀ କରି ବ୍ୟଭିଚାର କରାଇବେ। ତୁମ୍ଭେ ଆପଣା ନିମନ୍ତେ ଛାଞ୍ଚରେ ଢଳା କୌଣସି ଦେବତା କର ନାହିଁ।

ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।

ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।

ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।

ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।

“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ। ପୁଣି, ଆମ୍ଭେ ମଧ୍ୟ ସେହି ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; କାରଣ ସେ ଆମ୍ଭର ପବିତ୍ର ସ୍ଥାନ ଅପବିତ୍ର କରିବାକୁ ଓ ଆମ୍ଭର ପବିତ୍ର ନାମ ଅପବିତ୍ର କରିବାକୁ ମୋଲକ୍‍ ଦେବତା ଉଦ୍ଦେଶ୍ୟରେ ଆପଣା ସନ୍ତାନକୁ ଦେଇଅଛି।

ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍‍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା।

ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”

“ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ, କିଅବା ଆପଣାମାନଙ୍କ ନିମନ୍ତେ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ ଓ ତାହା ନିକଟରେ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶରେ କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।

ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।

ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ। (ସାବଧାନ), ନୋହିଲେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି, କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି, କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ। କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଉର୍ଦ୍ଧ୍ବ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ।

କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।

ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ)। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;

ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚାଦ୍‍ଗାମୀ ହେବ ନାହିଁ; ହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଭୂମଣ୍ଡଳରୁ ତୁମ୍ଭକୁ ବିନାଶ କରିବେ; କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।

ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ। କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହା ହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ। ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।

ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପ-ପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ। ଆଉ, ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ, ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ଅଗ୍ନିରେ ଦଗ୍ଧ କରିବ; ପୁଣି ତୁମ୍ଭେମାନେ ସେମାନଙ୍କ ଖୋଦିତ ଦେବ ପ୍ରତିମାମାନଙ୍କୁ ହାଣି ପକାଇବ; ଆଉ ତୁମ୍ଭେମାନେ ସେହି ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ। ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେରୂପ କରିବ ନାହିଁ।

ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି ‘ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି? ଆମ୍ଭେ ମଧ୍ୟ ସେହିପରି କରିବା, ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ତଦ୍ରୂପ କରିବ ନାହିଁ; କାରଣ ସଦାପ୍ରଭୁ ଯାହା ଘୃଣା କରନ୍ତି; ଏପରି ସମଗ୍ର ଘୃଣ୍ୟ କର୍ମ ସେମାନେ ଆପଣା ଆପଣା ଦେବତାଗଣର ଉଦ୍ଦେଶ୍ୟରେ କରିଅଛନ୍ତି; ମଧ୍ୟ ସେମାନେ ଆପଣା ଆପଣା ଦେବତାଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର ଓ ଆପଣା ଆପଣା କନ୍ୟାଗଣକୁ ମଧ୍ୟ ଅଗ୍ନିରେ ଦଗ୍ଧ କରନ୍ତି।

ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା; ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।

ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍‍, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ମଧ୍ୟରେ ଯେ କୌଣସି ଗୋଷ୍ଠୀର ଯେ କୌଣସି ଦେବତା ହେଉ, ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ; ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁ ଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ।

ଓ ମୋହର ଆଜ୍ଞା ବିରୁଦ୍ଧରେ ସେ ଯାଇ ଅନ୍ୟ ଦେବତାଗଣର ସେବା କରିଥାଏ ଓ ସେମାନଙ୍କ, କି ସୂର୍ଯ୍ୟ, କି ଚନ୍ଦ୍ର, କି କୌଣସି ଆକାଶୀୟ ବାହିନୀକୁୁ ପୂଜା କରିଥାଏ; ତେବେ, ତାହା ତୁମ୍ଭକୁ କୁହାଗଲେ ଓ ତୁମ୍ଭେ ତାହା ଶୁଣିଲେ, ତାହା ଭଲ ରୂପେ ବୁଝିବ; ଆଉ ଦେଖ, ଯଦି ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ଇସ୍ରାଏଲ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି; ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗରଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।

ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ, କି ମୋହକ, କି ଭୂତୁଡ଼ିଆ, କି ଗୁଣିଆ, କି ପ୍ରେତପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ ଦେଖାଯିବ ନାହିଁ। ଯେହେତୁ ଯେକେହି ଏପରି କର୍ମ କରେ, ସେ ସଦାପ୍ରଭୁଙ୍କର ଘୃଣାପାତ୍ର ଅଟନ୍ତି; ପୁଣି ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉ ଅଛନ୍ତି।

ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍‍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍‍ବକ୍ତା ମରିବ।

“ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍‍’ (ଏହିପରି ହେଉ)।

ସେମାନେ ଅନ୍ୟ ଦେବତାମାନଙ୍କ ଦ୍ୱାରା ତାହାଙ୍କର ଦ୍ୱେଷ ଜନ୍ମାଇଲେ, ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ସେମାନେ ତାହାଙ୍କୁ ବିରକ୍ତ କଲେ। ଯେଉଁମାନେ ଭୂତ, ପରମେଶ୍ୱର ନୁହନ୍ତି, ଯେଉଁ ଦେବତାମାନଙ୍କୁ ସେମାନେ ଜାଣିଲେ ନାହିଁ, ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁମାନଙ୍କୁ ଡରିଲେ ନାହିଁ, ଏପରି ସଦ୍ୟ ଉତ୍ପନ୍ନ ନୂତନ ଦେବତାମାନଙ୍କ ଉଦ୍ଦେଶ୍ୟରେ ସେମାନେ ବଳିଦାନ କଲେ।

ଯେ ପରମେଶ୍ୱର ନୁହନ୍ତି, ତାହା ଦ୍ୱାରା ସେମାନେ ଆମ୍ଭର ଅନ୍ତର୍ଜ୍ୱାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ୱାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ୱାରା ସେମାନଙ୍କୁ ବିରକ୍ତ କରିବା।

ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।

ମାତ୍ର ସେହି ବିଚାରକର୍ତ୍ତାର ମୃତ୍ୟୁୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷାନ୍ତ ହେଲେ ନାହିଁ।

ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍‍ ଦେବତାଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ। ଏ ନିମନ୍ତେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ଅମ୍ମୋନ-ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ।

ତେଣୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍‍ ଦେବତାଗଣର ସେବା କରିଅଛୁ।

ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛ; ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ। ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ। ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର। ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବଗଣକୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ; ତହିଁରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା।

ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଦାଗୋନ୍‍ ମନ୍ଦିରକୁ ଆଣି ଦାଗୋନ୍‍ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅସ୍‍ଦୋଦୀୟମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗୋନ୍‍କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ। ପୁଣି, ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି; ପୁଣି, ଦାଗୋନ୍‍ର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି; କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି। ଏହେତୁ ଦାଗୋନ୍‍ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍‍ ମନ୍ଦିରକୁ ଆସନ୍ତି, ସେମାନଙ୍କ ମଧ୍ୟରୁ କେହି ଆଜି ପର୍ଯ୍ୟନ୍ତ ଅସ୍‍ଦୋଦସ୍ଥିତ ଦାଗୋନ୍‍ର ଦ୍ୱାରବନ୍ଧ ମାଡ଼ନ୍ତି ନାହିଁ। ମାତ୍ର ଅସ୍‍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍‍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ। ତହୁଁ ଅସ୍‍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।

ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।

ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।

ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, ମୋ’ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ଐନ୍‍-ଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି। ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ’ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋ’ କତିକି ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?

କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା। ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍‍ର ଓ ଅମ୍ମୋନୀୟମାନଙ୍କ ମିଲ୍‍କମ୍‍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍‍ଗାମୀ ହେଲେ। ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍‍ଗାମୀ ନୋହିଲେ। ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ ସନ୍ତାନଗଣର ମୋଲକ୍‍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ଏହିରୂପେ ତାଙ୍କର ଯେଉଁ ବିଦେଶୀୟା ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ବଳିଦାନ କଲେ, ସେହି ସମସ୍ତଙ୍କ ପାଇଁ ସେ ସେହିପରି କଲେ।

ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍‍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍‍କମ୍‍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି।

ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ; ପୁଣି, ସେ ଲୋକମାନଙ୍କୁ କହିଲେ, “ଯିରୂଶାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି; ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ।”

କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷମୂଳେ ଆପଣାମାନଙ୍କ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରାମୂର୍ତ୍ତିମାନ ନିର୍ମାଣ କଲେ; ପୁଣି, ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ।

ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, “ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍‍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍‍ର ଭବିଷ୍ୟଦ୍‍ବକ୍ତା ଚାରିଶହ ପଚାଶ ଜଣ ଅଛନ୍ତି। ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ। ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ।” ଏଥିରେ ସମସ୍ତ ଲୋକ ଉତ୍ତର କଲେ, “ଏ କଥା ଉତ୍ତମ।”

ଏଥିଉତ୍ତାରେ ଏଲୀୟ ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ।” ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍‍ ନାମରେ ଡାକି ପ୍ରାର୍ଥନା କରି କହିଲେ, “ହେ ବାଲ୍‍, ଆମ୍ଭମାନଙ୍କ କଥା ଶୁଣ।” ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ। ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, “ଉଚ୍ଚ ସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ।” ପୁଣି, ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ। ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।

ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋ’ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ। ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ। ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।” ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ। ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ।

ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୁ, ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।” ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋ’ କଥା ଶୁଣ, ହେ ସଦାପ୍ରଭୁ, ମୋ’ କଥା ଶୁଣ। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।” ତହୁଁ ଏଲିୟ ସେମାନଙ୍କୁ କହିଲେ, “ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍‍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।

ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ।

ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”

ପୁଣି ସେମାନେ ବାଲ୍‍ ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ। ଆଉ ବାଲ୍‍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।

ପୁଣି ସେଠାସ୍ଥିତ ସକଳ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କ ସମ୍ମୁଖରୁ ଦୂରୀକୃତ ଅନ୍ୟ ଦେଶୀୟମାନଙ୍କ ତୁଲ୍ୟ ସେମାନେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ପୁଣି “ତୁମ୍ଭେମାନେ ଏହି କର୍ମ କରିବ ନାହିଁ।” ବୋଲି ସଦାପ୍ରଭୁ ଯେଉଁ ଦେବତାମାନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ସେବା କଲେ।

ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ। ପୁଣି ସେମାନେ ତାହାଙ୍କର ବିଧି ଓ ସେମାନଙ୍କ ପିତୃଗଣ ସହିତ କୃତ ତାହାଙ୍କର ନିୟମ ଓ ସେମାନଙ୍କ ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ଆଉ ସେମାନେ ଅସାରତାର ଅନୁଗାମୀ ହୋଇ ଅସାର ହେଲେ ଓ ସଦାପ୍ରଭୁ ଯେଉଁମାନଙ୍କ ତୁଲ୍ୟ କର୍ମ ନ କରିବାକୁ ସେମାନଙ୍କୁ ଆଜ୍ଞା ଦେଇଥିଲେ; ଆପଣାମାନଙ୍କ ଚତୁର୍ଦ୍ଦିଗସ୍ଥ ସେହି ଅନ୍ୟ ଦେଶୀୟମାନଙ୍କର ପଶ୍ଚାଦ୍‍ଗାମୀ ହେଲେ। ପୁଣି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ସକଳ ଆଜ୍ଞା ତ୍ୟାଗ କଲେ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ପ୍ରତିମା, ଅର୍ଥାତ୍‍, ଦୁଇ ଗୋବତ୍ସ ଓ ଆଶେରାମୂର୍ତ୍ତି ନିର୍ମାଣ କଲେ, ଆଉ ଆକାଶସ୍ଥ ବାହିନୀ ସକଳକୁ ପ୍ରଣାମ କଲେ ଓ ବାଲ୍‍ର ସେବା କଲେ। ପୁଣି ସେମାନେ ଆପଣାମାନଙ୍କ ପୁତ୍ରକନ୍ୟାଗଣକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ, ପୁଣି ମନ୍ତ୍ର ଓ ଗଣକତା ବ୍ୟବହାର କଲେ, ଆଉ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ଆପଣାମାନଙ୍କୁ ବିକ୍ରୟ କଲେ। ଏହେତୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତିଶୟ କ୍ରୁଦ୍ଧ ହେଲେ ଓ ସେମାନଙ୍କୁ ଆପଣା ଦୃଷ୍ଟିରୁ ଦୂର କଲେ। କେବଳ ଯିହୁଦା ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲା ନାହିଁ।

ତଥାପି ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣାର ଦେବତା ନିର୍ମାଣ କଲେ ଓ ଶମରୀୟ ଲୋକମାନେ ଉଚ୍ଚସ୍ଥଳୀମାନରେ ଯେସବୁ ଗୃହ ନିର୍ମାଣ କରିଥିଲେ; ତହିଁ ମଧ୍ୟରେ ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ନିବାସ ନଗରରେ ଆପଣା ଆପଣାର ଦେବତା ସ୍ଥାପନ କଲେ।

ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଭୟ କଲେ, ପୁଣି ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନେ ନୀତ ହୋଇଥିଲେ, ସେମାନଙ୍କ ରୀତି ଅନୁସାରେ ଆପଣା ଆପଣା ଦେବତାମାନଙ୍କର ମଧ୍ୟ ସେବା କଲେ। ସେମାନେ ଆଜି ପର୍ଯ୍ୟନ୍ତ ପୂର୍ବ ରୀତି ଅନୁସାରେ କରୁଅଛନ୍ତି; ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି, କିଅବା ସଦାପ୍ରଭୁ ଯେଉଁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ, ତାଙ୍କ ସନ୍ତାନଗଣର ସେମାନଙ୍କର ବିଧି ଅନୁସାରେ ଓ ସେମାନଙ୍କ ଶାସନାନୁସାରେ ଓ ସେମାନଙ୍କୁ ଦତ୍ତ ତାହାଙ୍କର ବ୍ୟବସ୍ଥା ଓ ଆଜ୍ଞାନୁସାରେ କରୁ ନାହାନ୍ତି। ସେହି ଯାକୁବ ସନ୍ତାନଗଣ ସଙ୍ଗେ ସଦାପ୍ରଭୁ ଏକ ନିୟମ କରି ସେମାନଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ ଅନ୍ୟ ଦେବଗଣକୁ ଭୟ କରିବ ନାହିଁ କି ସେମାନଙ୍କୁ ପ୍ରଣାମ କରିବ ନାହିଁ, କିଅବା ସେମାନଙ୍କର ସେବା କରି ସେମାନଙ୍କ ନିକଟରେ ବଳିଦାନ କରିବ ନାହିଁ;

ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ।

ହେ ସଦାପ୍ରଭୁ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି, ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତରମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ।

ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।

“ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ୱାରା ପାପ କରାଇଅଛି।” ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୁଦା ଉପରେ ଏପରି ଅମଙ୍ଗଳ ଆଣିବା ଯେ, କେହି ତାହା ଶୁଣିଲେ ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।

ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ, ସେ ସେହି ସମସ୍ତ ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ, ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ।

ପୁଣି ଯିହୁଦାର ରାଜାମାନେ ଯେଉଁ ପୌତ୍ତଳିକ ପୁରୋହିତମାନଙ୍କୁ ଯିହୁଦା ଦେଶସ୍ଥ ନଗରସବୁର ଉଚ୍ଚସ୍ଥଳୀମାନରେ ଓ ଯିରୂଶାଲମର ଚତୁର୍ଦ୍ଦିଗର ସ୍ଥାନସବୁରେ ଧୂପ ଜ୍ୱଳାଇବା ପାଇଁ ନିଯୁକ୍ତ କରିଥଲେ, ସେମାନଙ୍କୁ, ମଧ୍ୟ ଯେଉଁମାନେ ବାଲ୍‍ର, ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଗଣର ଓ ଆକାଶସ୍ଥ ବାହିନୀ ସକଳ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ, ସେସବୁକୁ ସେ ରହିତ କଲେ। ଆଉ ଯୋଶୀୟ ସଦାପ୍ରଭୁଙ୍କ ଗୃହରୁ ଆଶେରା ମୂର୍ତ୍ତି ବାହାର କରି ଯିରୂଶାଲମର ବାହାରେ କିଦ୍ରୋଣ ନଦୀକୁ ଆଣିଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ ଓ ସେହି ଚୂର୍ଣ୍ଣ ସାଧାରଣ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ। ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହସବୁ ଭାଙ୍ଗି ପକାଇଲେ। ପୁଣି ଯୋଶୀୟ ଯିହୁଦାର ନାନା ନଗରରୁ ସମସ୍ତ ଯାଜକଙ୍କୁ ଆଣିଲେ ଓ ଗେବା ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯେ ଯେ ସ୍ଥାନରେ ଯାଜକମାନେ ଧୂପ ଜ୍ୱଳାଇଥିଲେ, ସେସବୁ ଉଚ୍ଚସ୍ଥଳୀ ଅଶୁଚି କଲେ। ପୁଣି ସେ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ, ନଗରଅଧ୍ୟକ୍ଷ ଯିହୋଶୂୟର ଦ୍ୱାର ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ନଗର ଦ୍ୱାରର ଉଚ୍ଚସ୍ଥଳୀସକଳ ଭାଙ୍ଗି ପକାଇଲେ।

ଆହୁରି ଯୋଶୀୟ ଯେପରି ସଦାପ୍ରଭୁଙ୍କ ଗୃହରେ ହିଲ୍‍କୀୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ଏଥିପାଇଁ ଯିହୁଦା ଦେଶରେ ଓ ଯିରୂଶାଲମରେ ଯେସବୁ ଭୂତୁଡ଼ିଆ, ଗୁଣିଆ, ଠାକୁର, ପୁତ୍ତଳି ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା, ସେ ତାହାସବୁ ଦୂର କଲେ।

ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ବସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ।

କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।

ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।

କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;

ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।

କାରଣ ଯେଉଁ ଦମ୍ମେଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ; ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ। ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ। ଏଉତ୍ତାରେ ଆହସ୍‌ ପରମେଶ୍ୱରଙ୍କ ଗୃହର ପାତ୍ରସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ରସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟସବୁ ବନ୍ଦ କଲେ; ପୁଣି ସେ ଯିରୂଶାଲମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦି ନିର୍ମାଣ କଲେ। ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।

ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତ ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।

ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ। ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ-ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;

ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିଅବା ମୁଁ ସେମାନଙ୍କ ଦେବତାଗଣର ନାମ ଆପଣା ଓଷ୍ଠାଧରରେ ନେବି ନାହିଁ।

କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ। ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ। ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ;

କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।

ଖୋଦିତ ପ୍ରତିମାଗଣର ସେବକ ସମସ୍ତେ ଓ ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହେଉନ୍ତୁ; ହେ ସମସ୍ତ ଦେବତାଗଣ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର।

ଆଉ, ସେମାନଙ୍କ ଦେବତାଗଣର ସେବା କଲେ; ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା। ହଁ, ସେମାନେ ଭୂତଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ ବଳିଦାନ କଲେ। ପୁଣି, ସେମାନେ କିଣାନ ଦେଶର ଦେବତାଗଣ ଉଦ୍ଦେଶ୍ୟରେ ବଳିଦାନ କରି ନିର୍ଦ୍ଦୋଷ ରକ୍ତ, ଅର୍ଥାତ୍‍, ଆପଣା ଆପଣା ପୁତ୍ରକନ୍ୟାଗଣର ରକ୍ତପାତ କଲେ; ତହିଁରେ ଦେଶ ରକ୍ତରେ ଅଶୁଚି ହେଲା।

ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ। ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ; ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ। ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ; ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ; ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ; କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ। ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।

ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ। ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ, ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ; ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ। ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ ଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।

କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି।

ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳିନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।

ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;

ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି, ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) ଲୋକମାନେ କ’ଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କ’ଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ? ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।

ହେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ! ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଉର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା। ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ।

ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।

ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମାଗଣର ମଣ୍ଡନ ଓ ଛାଞ୍ଚରେ ଢଳା ସ୍ୱର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେହି ସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ, “ଏଠାରୁ ବାହାରି ଯାଅ।”

କାରଣ ସେହି ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ହସ୍ତନିର୍ମିତ ରୌପ୍ୟପ୍ରତିମା ଓ ସ୍ୱର୍ଣ୍ଣ- ପ୍ରତିମାରୂପ ପାପବସ୍ତୁ ପକାଇ ଦେବ।

ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।

ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ।

ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ,” ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।

ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।

ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେମାନେ ସମସ୍ତେ ଅସାର ଓ ସେମାନଙ୍କର ମନୋହର ବିଷୟମାନ ଉପକାରକ ହେବ ନାହିଁ; ସେମାନେ ଯେପରି ଲଜ୍ଜିତ ହେବେ, ଏଥିପାଇଁ ସେମାନଙ୍କର ନିଜ ସାକ୍ଷୀଗଣ ଦେଖନ୍ତି ନାହିଁ, କିଅବା ଜାଣନ୍ତି ନାହିଁ। ଯାହା କୌଣସି ବିଷୟରେ ଉପକାରକ ନୁହେଁ, ଏପରି ଦେବତା କିଏ ନିର୍ମାଣ କରିଅଛି, ଅବା ଖୋଦିତ ପ୍ରତିମା କିଏ ଛାଞ୍ଚରେ ଢାଳିଅଛି? ଦେଖ, ତାହାର ସହାୟ ସମସ୍ତେ ଲଜ୍ଜିତ ହେବେ; ପୁଣି, ଶିଳ୍ପକାରୀମାନେ ମନୁଷ୍ୟ ମାତ୍ର; ସେସମସ୍ତେ ଏକତ୍ର ହେଉନ୍ତୁ, ସେମାନେ ଛିଡ଼ା ହେଉନ୍ତୁ; ସେମାନେ କମ୍ପିତ ହେବେ, ସେମାନେ ଏକା ବେଳେ ଲଜ୍ଜିତ ହେବେ। କର୍ମକାର ଲୌହ ଅସ୍ତ୍ର ନିର୍ମାଣ କରି ତପ୍ତ ଅଙ୍ଗାରରେ କର୍ମ କରେ ଓ ହାତୁଡ଼ିରେ ତାହା ଗଢ଼ି ନିଜର ବଳିଷ୍ଠ ବାହୁରେ ତାହା ପ୍ରସ୍ତୁତ କରେ; ହଁ, ସେ କ୍ଷୁଧିତ ହୁଏ ଓ ତାହାର ବଳ ଊଣା ପଡ଼ିଯାଏ, ସେ ଜଳପାନ ନ କରି କ୍ଳାନ୍ତ ହୁଏ। ସୂତ୍ରଧର ସୂତା ଟାଣେ; ସେ ସିନ୍ଦୁର ଦ୍ୱାରା ଚିହ୍ନ ଦିଏ, ସେ ରନ୍ଦା ବୁଲାଇ ଆକୃତି କରି କମ୍ପାସ ଦ୍ୱାରା ଚିହ୍ନ ଦିଏ ଓ ଗୃହରେ ବାସ କରାଇବା ନିମନ୍ତେ ମନୁଷ୍ୟର ଆକୃତି ଓ ସୌନ୍ଦର୍ଯ୍ୟ ଅନୁସାରେ ତାହା ନିର୍ମାଣ କରେ। ସେ ଆପଣା ନିମନ୍ତେ ଏରସ ବୃକ୍ଷ କାଟେ, ତର୍ସା ଓ ଅଲୋନ ବୃକ୍ଷ ନିଏ, ସେ ବନବୃକ୍ଷ ମଧ୍ୟରୁ ଗୋଟିଏ ବୃକ୍ଷ ଆପଣା ପାଇଁ ଦୃଢ଼ କରେ; ସେ ଦେବଦାରୁ ବୃକ୍ଷ ରୋପଣ କରେ ଓ ବୃଷ୍ଟି ତାହା ବଢ଼ାଏ। ଏଉତ୍ତାରେ ତାହା ମନୁଷ୍ୟର ଜାଳେଣି କାଷ୍ଠ ହୁଏ; ସେ ତହିଁରୁ କିଛି ନେଇ ଅଗ୍ନି ତାପ ନିଏ; ଆଉ, ସେ ତାହା ଜାଳି ରୁଟି ପାକ କରେ; ଆହୁରି, ଗୋଟିଏ ଦେବତା କରି ତାହା ପୂଜା କରେ; ସେ ଗୋଟିଏ ଖୋଦିତ ପ୍ରତିମା କରି ତାହା ଆଗରେ ଦଣ୍ଡବତ କରେ।

ପୁଣି, ସେ ତହିଁର ଅବଶିଷ୍ଟାଂଶ ଦ୍ୱାରା ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ; ସେ ତାହା ଆଗରେ ଦଣ୍ଡବତ କରି ପୂଜା କରେ ଓ ତାହା ନିକଟରେ ପ୍ରାର୍ଥନା କରି କହେ, “ଆମ୍ଭକୁ ଉଦ୍ଧାର କର, ତୁମ୍ଭେ ଆମ୍ଭର ଦେବତା।” ସେମାନେ ଜାଣନ୍ତି ନାହିଁ, କିଅବା ବିବେଚନା କରନ୍ତି ନାହିଁ, କାରଣ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି।

ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;

ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।

ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରୀକୁ ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ଡବତ କରି ପୂଜା କରନ୍ତି। ସେମାନେ ତାହାକୁ ସ୍କନ୍ଧରେ ବହନ କରନ୍ତି ଓ ତାହାକୁ ବୋହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇ ପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରି ପାରିବ ନାହିଁ।

ତୁମ୍ଭେ ବାଲ୍ୟ କାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ। ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଠିଆ ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ। ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ୱଳନ୍ତ ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ୱରୂପ ହେବ ନାହିଁ। ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।

ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରିବ, ତହୁଁ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ ଠିଆ ହେବ, ଆଉ କହିବ, ‘ଆମ୍ଭେମାନେ ଉଦ୍ଧାର ପାଇଲୁ; ଯେପରି ଏହିସବୁ ଘୃଣାଯୋଗ୍ୟ କର୍ମ କରିପାରୁ?’ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ତୁମ୍ଭମାନଙ୍କ ଦୃଷ୍ଟିରେ କି ଚୋରମାନଙ୍କର ଗହ୍ୱର ହୋଇଅଛି? ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ, ଆମ୍ଭେ ହିଁ ତାହା ଦେଖିଅଛୁ।’

ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।’

ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ।”

ଅନ୍ୟ ଦେଶୀୟମାନଙ୍କର ବିଧିସକଳ ଅସାର; ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ। ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି। ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ; ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ। ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରି ପାରନ୍ତି ନାହିଁ କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।

ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।

ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ଓ ଜ୍ଞାନହୀନ ହୋଇଅଛି; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ। ସେସବୁ ଅସାର ଓ ଭ୍ରାନ୍ତିର କର୍ମ; ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।

ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍‍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।”

ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ? ସେ ତ ଈଶ୍ୱର ନୁହେଁ।

କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍‍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।’” ଏଥି ନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି।

ତହିଁରେ ଅଶୁଚିକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜାଗଣର ଗୃହ, ଅର୍ଥାତ୍‍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ଡଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍‍ ସ୍ଥାନ ତୁଲ୍ୟ ହେବ।”

ଆଉ, ଅନ୍ୟ ଦେବଗଣର ସେବା ଓ ସେମାନଙ୍କୁ ପ୍ରଣାମ କରିବା ନିମନ୍ତେ ସେମାନଙ୍କ ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ମୋତେ ବିରକ୍ତ କର ନାହିଁ ଓ ତହିଁରେ ମୁଁ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବି ନାହିଁ।”

ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ; କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।

ମାତ୍ର ଆମ୍ଭ ନାମରେ ଖ୍ୟାତ ଗୃହକୁ ଅଶୁଚି କରିବା ପାଇଁ ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରନ୍ତି। ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।

ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ହୋଇଅଛି ଓ ଜ୍ଞାନବିହୀନ ଅଟେ; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଛାଞ୍ଚରେ ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ଶ୍ୱାସବାୟୁ ନାହିଁ। ସେସବୁ ଅସାର ଓ ମାୟାର କର୍ମ; ପୁଣି, ପ୍ରତିଫଳ ପାଇବା ସମୟରେ ସେମାନେ ବିନଷ୍ଟ ହେବେ।

ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁ ସ୍ତ୍ରୀମାନେ ପ୍ରାଣ ମୃଗୟାର୍ଥେ ସବୁ କହୁଣୀ ଉପରେ ମୁଚୁଳା ସିଲାଇ କରନ୍ତି ଓ ସର୍ବଆକୃତିର ଲୋକଙ୍କ ମସ୍ତକ ନିମନ୍ତେ ଆବରଣୀ ପ୍ରସ୍ତୁତ କରନ୍ତି, ସେମାନେ ସନ୍ତାପର ପାତ୍ରୀ! ତୁମ୍ଭେମାନେ କି ଆମ୍ଭ ଲୋକମାନଙ୍କ ପ୍ରାଣକୁ ମୃଗୟା କରି ଆପଣାମାନଙ୍କ ନିମନ୍ତେ ପ୍ରାଣ ଜୀଅନ୍ତା ରଖିବ?

ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭେମାନେ ଆପଣାମାନଙ୍କର ଯେଉଁ ମୁଚୁଳା ଦ୍ୱାରା ପ୍ରାଣୀମାନଙ୍କୁ ଉଡ଼ାଇ ଶିକାର କରୁଅଛ, ଆମ୍ଭେ ତହିଁର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭମାନଙ୍କ ଭୁଜରୁ ସେହିସବୁ ମୁଚୁଳା ଚିରି ପକାଇବା; ଆଉ, ଆମ୍ଭେ ପ୍ରାଣୀମାନଙ୍କୁ, ଅର୍ଥାତ୍‍, ତୁମ୍ଭେମାନେ ଯେଉଁ ପ୍ରାଣୀମାନଙ୍କୁ ଉଡ଼ାଇ ମୃଗୟା କରୁଅଛ, ଆମ୍ଭେ ସେମାନଙ୍କୁ ମୁକ୍ତ କରି ଦେବା।

“ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା? ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍‍ବିଷୟରେ ଉତ୍ତର ଦେବା; ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।

ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ। କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ୍ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।

କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍‍, ଦୁଇ ପଥର ମୁଣ୍ଡରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ ନିରୀକ୍ଷଣ କଲା।

ଦାନିୟେଲ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ୱାନ୍‍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ; ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍‍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଆପଣଙ୍କ ସ୍ୱପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି;

ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।

ମାତ୍ର ପାରସ୍ୟ ରାଜ୍ୟର ଅଧିପତି ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା; ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମୀଖାୟେଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ; ଆଉ, ଆମ୍ଭେ ସେହି ସ୍ଥାନରେ ପାରସ୍ୟର ରାଜାଗଣର ସଙ୍ଗରେ ରହିଲୁ।

ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।

ପୁଣି, ଆମ୍ଭେ ତୁମ୍ଭ ହସ୍ତରୁ ମାୟାବୀତ୍ୱ ଉଚ୍ଛିନ୍ନ କରିବା ଓ ଗଣକମାନେ ତୁମ୍ଭ ମଧ୍ୟରେ ଆଉ ନ ଥିବେ; ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା; ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ। ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା।

ଖୋଦିତ ପ୍ରତିମାରେ କି ଲାଭ ଯେ, ତହିଁର ନିର୍ମାଣକର୍ତ୍ତା ତାହା ଖୋଦନ କରେ? ଛାଞ୍ଚରେ ଢଳା ପ୍ରତିମାରେ ଓ ମିଥ୍ୟା ଶିକ୍ଷକରେ କି ଲାଭ ଯେ, ଆପଣାର ନିର୍ମିତ ବସ୍ତୁର ନିର୍ମାଣକାରୀ ତହିଁରେ ବିଶ୍ୱାସ କରି ମୂକ ଦେବତା ନିର୍ମାଣ କରେ? ଯେଉଁ ଜନ କାଷ୍ଠକୁ କହେ, ଜାଗ୍ରତ ହୁଅ; ମୂକ ପ୍ରସ୍ତରକୁ କହେ ଉଠ, ସେ ସନ୍ତାପର ପାତ୍ର! ସେ କି ଶିକ୍ଷା ଦେବ? ଦେଖ, ତାହା ସୁନା ଓ ରୂପାରେ ମଣ୍ଡିତ, ତହିଁ ମଧ୍ୟରେ କିଛି ହିଁ ଶ୍ୱାସବାୟୁ ନାହିଁ।

ପୁଣି, ଆମ୍ଭେ ଯିହୁଦାର ବିରୁଦ୍ଧରେ ଓ ଯିରୂଶାଲମର ନିବସୀସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା; ଆମ୍ଭେ ଏହି ସ୍ଥାନରୁ ବାଲ୍‍ର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ; ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍‍କମ୍‍ ନାମରେ ଶପଥ କରି ପ୍ରଣାମ କରନ୍ତି;

କାରଣ ଦେବାଦେବୀଗଣ ଅସାର କଥା କହିଅଛନ୍ତି ଓ ମନ୍ତ୍ରପାଠକମାନେ ମିଥ୍ୟା ଦର୍ଶନ ପାଇଅଛନ୍ତି ଓ ସେମାନେ ମିଥ୍ୟା ସ୍ୱପ୍ନର କଥା କହିଅଛନ୍ତି, ସେମାନେ ବୃଥାରେ ସାନ୍ତ୍ୱନା ଦିଅନ୍ତି; ଏଥିପାଇଁ ଲୋକମାନେ ମେଷଗଣ ପରି ଆପଣା ଆପଣା ପଥରେ ଗମନ କରନ୍ତି, ସେମାନେ କ୍ଳେଶଯୁକ୍ତ ଅଟନ୍ତି, କାରଣ ସେମାନଙ୍କର ପାଳକ କେହି ନାହାନ୍ତି।

ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟକ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି। ଯେଉଁ ଜନ ଏହି କର୍ମ କରେ, ସଦାପ୍ରଭୁ ଯାକୁବର ତମ୍ବୁସକଳରୁ ତାହାର ସମ୍ପର୍କୀୟ, ଯେକେହି ହୁଅନ୍ତୁ ଓ ଏପରିକି ଯେକେହି ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ଉତ୍ସର୍ଗ କରୁ, ତାହାକୁ ମଧ୍ୟ ଉଚ୍ଛିନ୍ନ କରିବେ।

ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି ।

ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ । ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା । ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ । ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ।

କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ । ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;

ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।

କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହି ସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ ।

ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।

କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜାତି କି ଆଚମ୍ବିତ କରୁଥିଲା; ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ । ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା । କିନ୍ତୁ ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ । ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା ।

ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀକୁ ଦେଖିଲେ; ସେ ଜଣେ ଯିହୂଦୀ, ଆଉ ତାହାର ନାମ ବର୍ଯୀଶୁ । ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି । ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ । କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା । ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ, ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ? ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ । ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା । ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ ।

ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ । ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାରା ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ । କିନ୍ତୁ ପ୍ରେରିତମାନେ, ଅର୍ଥାତ୍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହି ସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଫେରନ୍ତି । ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;

ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ମନ୍ଦ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା । ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ୱରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି । ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୁର୍ତ୍ତରେ ବାହାରିଗଲା ।

ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି । କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, 'ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ।' ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି । ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ, କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି । ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାଁନ୍ତି । କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, "କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।" ତେବେ, ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ ନୁହେଁ । ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;

ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ଟଙ୍କା ବୋଲି ଦେଖିଲେ ।

ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ, ପୁଣି, ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ ।

କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ । ଆମେନ୍‍ ।

ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ । କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କହନ୍ତି, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),

ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର ।

ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି? ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୂଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହି ସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି । ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ । ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରି ପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ । ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ?

ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୂଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ । ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ "ଯୀଶୁ ଅଭିଶପ୍ତ' ବୋଲି କୁହେ ନାହିଁ, ପୁଣି, କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ "ଯୀଶୁ ପ୍ରଭୁ' ବୋଲି କହିପାରେ ନାହିଁ ।

ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ? ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ ।

କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି । ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ ।

ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି । କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ ।

କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;

ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ

ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ,

ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି ।

ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ । ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି ।

ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି । ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ, ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି ।

କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।

ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର । ଆମେନ୍ ।

ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ, ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନପରିବର୍ତ୍ତନ କଲେ ନାହିଁ ।

ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା ।

ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରି ପାରେ?

ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା । ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ । ଏଠାରେ ଜ୍ଞାନ ଆବଶ୍ୟକ । ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ୬୬୬ (ଛ ଶହ ଛଷଠି) ।

ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ଵରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ୱରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ । ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ ।

ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ; ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା । ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି |

ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,

କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net