02 – ଭଗବାନ
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଭଗବାନ.
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଭଗବାନ.
ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ ।
”ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ,
”ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।
”ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ।
”ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।
”ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି, ସେମାନେ ପଚାରିବେ, ତାହାଙ୍କର ନାମ କଅଣ? ସେତେବେଳେ ମୁଁ କି ଉତ୍ତର ଦେବି?” ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।” ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।
”ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା। ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ।
”ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ,
”ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞା-ଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।”
”ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ (ସ୍ୱଗୌରବ ରକ୍ଷଣରେ) ଉଦ୍ଯୋଗୀ, ସେ (ସ୍ୱଗୌରବ ରକ୍ଷଣରେ) ଉଦ୍ଯୋଗୀ ପରମେଶ୍ୱର ଅଟନ୍ତି।
”ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,
”ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
”କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସ୍ୱଗୌରବ-ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟନ୍ତି।
”ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କ ତୁଲ୍ୟ ଆଉ କେହି ନାହିଁ। ସେ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ।
”ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।
”ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି। ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
”କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
”ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।
”ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ି ଦେଲେ, ଆଉ ବିନାଶ କର ବୋଲି କହିଲେ।
”ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
”ମାତ୍ର, ପରମେଶ୍ୱର କ’ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋ’ ନିର୍ମିତ ଏହି ଗୃହ କ’ଣ ପାରିବ?
”ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ।
”ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
”ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।
”ହେ ସଦାପ୍ରଭୁ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ। ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ୍ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ।
”ଆଉ ସେ କହିଲେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ତୁମ୍ଭେ କ’ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କ’ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
”ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ; କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ; ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ; କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇ ପାରେ ନାହିଁ।”
”କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।
”ତୁମ୍ଭେ କ’ଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇପାର? ତୁମ୍ଭେ କ’ଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇପାର?
”“ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ।
”ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
”ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।
”ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।” ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସୁକର୍ମକାରୀ କେହି ନାହିଁ। ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି। ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।
”ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।
”ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।
”ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ।
”ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।
”ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି; ସେ ଆପଣା ନିବାସ-ସ୍ଥାନରୁ ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;
”ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ। ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।
”କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର। ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।
”ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋ’ଠାରୁ ନିଅ ନାହିଁ।
”ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ’ ପ୍ରତି ଫେର।
”ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। ଆମେନ୍, ଆମେନ୍।
”ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
”ହେ ପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ। ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ। କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ।
”ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
”ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।
”ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।
”କାରଣ ହେ ସଦାପ୍ରଭୁ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ; ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।
”ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।
”ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।
”କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ।
”ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ। ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ। ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।
”ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।
”କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ। ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।
”ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି, ପୁଣି, ପାଳନାର୍ଥେ ତାହାଙ୍କ ନିୟମସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ ଥାଏ। ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।
”ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
”ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
”ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। ଯାହାଙ୍କର ଆସନ ଊର୍ଦ୍ଧ୍ୱରେ,
”ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି; ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି।
”ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।
”ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
”ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
”ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ; ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।
”ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
”ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି? ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି? ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ
”ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।
”ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।
”ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।
”ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି, ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।
”ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି; ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।
”ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ।
”ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।
”ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ।
”କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି? କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି? କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି? ତାହାଙ୍କର ନାମ କଅଣ? ତାହାଙ୍କ ପୁତ୍ରର ନାମ କଅଣ? ଏହା ଯେବେ ଜାଣ, ତେବେ କୁହ।
”ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ।
”ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”
”ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ।
”କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
”ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;
”ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।
”କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।
”ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର; ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି। ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଅବା କେଉଁ ମୂର୍ତ୍ତିକୁ ତାହାଙ୍କ ସଦୃଶ କରିବ?
”ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି;
”ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ।
”ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।
”ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ,” ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ।
”ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।
”ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି; “ଆମ୍ଭେ ସଦାପ୍ରଭୁ, ଆମ୍ଭେ ସବୁ କାର୍ଯ୍ୟ ସାଧନ କରୁ ଆମ୍ଭେ ଏକାକୀ ଆକାଶମଣ୍ଡଳ ବିସ୍ତାର କରୁ; ଆମ୍ଭେ ପୃଥିବୀକୁ ପ୍ରସାର କରୁ; ଆମ୍ଭର ସଙ୍ଗୀ କିଏ?
”ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ। ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
”କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
”ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବ କାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ୱର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ। ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ।
”ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ ନାହିଁ; ଆମ୍ଭେ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ; ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, “ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,”
”କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।
”ଯେହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।” “କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।
”କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।
”ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ?
”ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।
”ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;
”ଏନିମନ୍ତେ ଦେଖ, ଆମ୍ଭେ ସେମାନଙ୍କୁ ଜ୍ଞାତ କରାଇବା, ଆମେ ଏହି ଏକ ଥର ସେମାନଙ୍କୁ ଆମ୍ଭର ହସ୍ତ ଓ ଆମ୍ଭର ପରାକ୍ରମ ଜ୍ଞାତ କରାଇବା; ତହିଁରେ ଆମ୍ଭର ନାମ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ।
”ସଦାପ୍ରଭୁ କହନ୍ତି, “ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ?” ସଦାପ୍ରଭୁ କହନ୍ତି, “ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?
”ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, “ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ।
”ପୁଣି, ‘ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ’ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ;” କାରଣ ସଦାପ୍ରଭୁ କହନ୍ତି, “ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
”“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ; ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;
”“ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି?”
”ଦାନିୟେଲ ଉତ୍ତର କରି କହିଲେ, ପରମେଶ୍ୱରଙ୍କର ନାମ ସଦା ସର୍ବଦା ଧନ୍ୟ ହେଉ; କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର; ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି; ସେ ଗଭୀର ଓ ଗୁପ୍ତ ବିଷୟସବୁ ପ୍ରକାଶ କରନ୍ତି; ଅନ୍ଧକାରରେ ଯାହା ଅଛି, ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତିଃ ବାସ କରଇ।
”ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍ଦାନ କରିବା।
”ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।
”କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି, ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି।” ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
”ସଦାପ୍ରଭୁ (ସ୍ୱଗୌରବ ରକ୍ଷଣେ) ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି; ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି; ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନ୍ ଓ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ; ଘୂର୍ଣ୍ଣିବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦଧୂଳି।
”କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।
”ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
”କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ; କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;
”ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।
”ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।
”ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]
”ସେହି ସମୟରେ ଯୀଶୁ ଉତ୍ତର ଦେଲେ, ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
”ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।
”ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର ।
”ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,
”ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି । ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
”ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।
”ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି;
”ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
”ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ ।
”ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ ।
”ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥି ନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।
”ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ ।
”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ । ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ । ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ।
”କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।
”ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି ।
”ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।
”ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ ।
”ମୁଁ ଜୀବନଦାୟକ ଆହାର ।
”ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।
”ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।
”ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ।
”ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ; ତୁମ୍ଭେମାନେ ଜଗତରୁ ଉତ୍ପନ, ମୁଁ ଜଗତରୁ ଉତ୍ପନ ନୁହେଁ ।
”ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି ।
”ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ।
”ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
”ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ । ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ ।
”କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ' ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ ।
”ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ ।
”ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ ।
”"ହେ ପ୍ରତ୍ୟେକ ହୃଦୟକୁ ଜାଣିବାର ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,
”ତଥାପି ଯେ ମହାନ ଈଶ୍ୱର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି, ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?
”ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ,
”କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି । ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ ।
”କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି ।
”କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।
”ଆହା! ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ! କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି? ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ? ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍ ।
”ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।
”କାରଣ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ ।
”ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ୱର, ଅର୍ଥାତ୍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ ।
”ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା ।
”ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ,
”କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ ।
”ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି ।
”ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ ।
”ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
”ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି । ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି । କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ,
”କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ, ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ ।
”ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ ।
”ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ ।
”ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷକାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରିଅଛନ୍ତି,
”ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।''
”ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।
”କାରଣ ଆମ୍ଭମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ।
”ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି ।
”ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ ।
”ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି ।
”ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି ।
”ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
”ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ୱର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ ।
”ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ ।
”ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି ।
”ଆତ୍ମା, ଜଳ ଓ ବାକ୍ୟ, ଏହି ତିନି ସ୍ୱର୍ଗରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତିନି ଏକ ଅଟନ୍ତି । ଏହି ପୃଥିବୀରେ ଆତ୍ମା, ଜଳ ଏବଂ ରକ୍ତ ସାକ୍ଷ୍ୟ ଦିଅନ୍ତି ଏବଂ ସେମାନେ ଏକ ।
”ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି ।
”ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର । ଆମେନ୍ ।
”ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ ।
”ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ ।
”ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ । ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ । ସିଂହାସନ ମଧ୍ୟରୁ ବିଜୁଳୀ, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା । ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ । ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡନ୍ତା ଉତ୍କ୍ରୋଶ ପକ୍ଷୀ ସଦୃଶ । ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ । ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର । ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।
”ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୂଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା ।
”ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର ।
”ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର ।
”ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି ।
”ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ।
”ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ ।
”ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ ।
”