21 – ପୂଜା କରନ୍ତୁ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ପୂଜା କରନ୍ତୁ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ । ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର । ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।

ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଆବାସ କିପରି ପ୍ରିୟତମ! ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ। ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା]

କ୍ରମରେ ପ୍ରତ୍ୟେକ ପଦ - 536 ବାଇବଲ ପଦ

ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।

ପୁଣି, ଶାଲେମ୍‍ର ରାଜା ମଲ୍‍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ; ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦପାତ୍ର ହେଉନ୍ତୁ; ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।

ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,

ତହିଁରେ ଅବ୍ରାମ ମୁହଁ ମାଡ଼ି ପଡ଼ନ୍ତେ, ପରମେଶ୍ୱର ତାଙ୍କ ସହିତ ଆଳାପ କରି କହିଲେ,

ସେତେବେଳେ ସେହି ମନୁଷ୍ୟ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା,

ଆଉ ମୁଁ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି, ପୁଣି, ଯେ ମୋ’ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭ୍ରାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋ’ କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି।

ସେତେବେଳେ ଅବ୍ରହାମଙ୍କର ଦାସ ସେମାନଙ୍କଠାରୁ ଏହି କଥା ଶୁଣିବାମାତ୍ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିଷ୍ଠ ପ୍ରଣାମ କଲା।

ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନି ଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ।

ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।”

ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।”

ମାତ୍ର ତୁମ୍ଭକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତିତ ହେବ, ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମ୍ଭକୁ ସ୍ଥାପନ କରି ରଖିଅଛୁ।

ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରିପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ; ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ।

ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା।

ସେତେବେଳେ ମୋଶା ଓ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା-ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି। ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।

ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ, ତୁମ୍ଭେ ଆପଣା ଉତ୍କୃଷ୍ଟ ମହିମାରେ ଆପଣା ପ୍ରତିକୂଳାଚାରୀମାନଙ୍କୁ ନିପାତ କରିଥାଅ; ତୁମ୍ଭେ ଆପଣା କ୍ରୋଧାଗ୍ନି ପଠାଅ, ତାହା ସେମାନଙ୍କୁ ନଡ଼ା ପରି ଗ୍ରାସ କରେ।

ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ?

ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତ କାଳ ରାଜତ୍ୱ କରିବେ।

ତହିଁରେ ହାରୋଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏହା କହିବା ସମୟରେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା।

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିବା ସମୟରେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ବିଶ୍ୱାସ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ।” ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।

ଏଥିଉତ୍ତାରେ ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚ ସ୍ୱରରେ ତୂରୀଧ୍ୱନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ୱିତ ହେଲେ। ତହୁଁ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଠିଆ ହେଲେ। ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟୀର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି, ସମୁଦାୟ ପର୍ବତ ଅତିଶୟ କମ୍ପିଲା।

ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା। ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା। ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।

ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍‍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।

ଏଉତ୍ତାରେ ମୋଶା ତମ୍ବୁରେ ପ୍ରବେଶ କରନ୍ତେ, ମେଘ ସ୍ତମ୍ଭ ଓହ୍ଲାଇ ତମ୍ବୁ ଦ୍ୱାରରେ ଅବସ୍ଥିତ ହେଲା; ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ। ତମ୍ବୁ ଦ୍ୱାରରେ ଅବସ୍ଥିତ ମେଘ ସ୍ତମ୍ଭ ଦେଖନ୍ତେ, ସମସ୍ତ ଲୋକ ଉଠି ପ୍ରତ୍ୟେକେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ। ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ।

ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।”

ପୁଣି, ସେ କହିଲେ, “ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।” ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।” ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।” ସଦାପ୍ରଭୁ କହିଲେ, “ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଠିଆ ହେବ; ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା। ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।”

ତେବେ ସଦାପ୍ରଭୁ ମେଘରେ ଅବରୋହଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁଙ୍କ ନାମ ଘୋଷଣା କଲେ। ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞା-ଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।” ତହୁଁ ମୋଶା ଶୀଘ୍ର ଭୂମିରେ ନତ ମସ୍ତକ ହୋଇ ପ୍ରଣାମ କରି କହିଲେ,

ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ, ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।

ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା। ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।

କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।

ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା। ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ୱନି କରି ମୁହଁ ମାଡ଼ି ହୋଇ ପଡ଼ିଲେ।

ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।

ଆଉ ଯେଉଁ ଦିନ ଆବାସ ସ୍ଥାପିତ ହେଲା, ସେହିଦିନ ମେଘ ଆବାସକୁ, ଅର୍ଥାତ୍‍, ସାକ୍ଷ୍ୟତମ୍ବୁକୁ ଆଚ୍ଛାଦନ କଲା; ପୁଣି, ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନି ତୁଲ୍ୟ ଦେଖାଗଲା ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନିତୁଲ୍ୟ ଦେଖାଗଲା।

ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,

ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।

ତହୁଁ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେବା ସମୟରେ ସେମାନେ ସମାଗମ-ତମ୍ବୁ ଆଡ଼େ ଅନାଇଲେ; ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି।

ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁ ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ; ତହୁଁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା।

ଏଥିରେ ସଦାପ୍ରଭୁ ବିଲୀୟମ୍‍ର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା।

ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;

ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କ ତୁଲ୍ୟ ଆଉ କେହି ନାହିଁ। ସେ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ।

ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଉର୍ଦ୍ଧ୍ୱସ୍ଥ ସ୍ୱର୍ଗରେ ଓ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି, ଅନ୍ୟ କେହି ନାହାନ୍ତି।

ପୁଣି, ତୁମ୍ଭେମାନେ କହିଲ, “ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଅଛୁ ଯେ, ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ସୁଦ୍ଧା ସେ ବଞ୍ଚିପାରେ।”

ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।

କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।

ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।

ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯଦି ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ;

କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର। ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।

ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।

ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି। ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ି ଦେଲେ, ଆଉ ବିନାଶ କର ବୋଲି କହିଲେ।

ତହୁଁ ସେ କହିଲେ, ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ; ତହିଁରେ ଯିହୋଶୂୟ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉ ଅଛନ୍ତି? ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର। ଆଉ ଯିହୋଶୂୟ ସେପରି କଲେ।

ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ; ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।

ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।

ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।

ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।

ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ, ତାହା ତ ଆଶ୍ଚର୍ଯ୍ୟ? ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଉର୍ଦ୍ଧ୍ୱଗମନ କଲେ। ସେ ସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁମାଡ଼ି ପଡ଼ିଲେ।

ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।

ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।

ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ। ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।

ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି।

ସଦାପ୍ରଭୁ ଆକାଶରୁ ଗର୍ଜ୍ଜନ କଲେ ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ।

ଏହେତୁ ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସାଗାନ କରିବି।

ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା; ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।

ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ; “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;

ମାତ୍ର, ପରମେଶ୍ୱର କ’ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋ’ ନିର୍ମିତ ଏହି ଗୃହ କ’ଣ ପାରିବ?

ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”

ପୁଣି, ମୀଖାୟ କହିଲା, “ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି।”

ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

ପୁଣି, ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।

ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚୈଃ-ସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର।”

ଆଉ ଦାଉଦ, ସିନ୍ଦୁକବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା। ଏହିରୂପେ ଉଚ୍ଚୈଃସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।

ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କର୍ମ ବିଷୟରେ କଥୋପକଥନ କର। ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।

ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର। ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର। କାରଣ ସଦାପ୍ରଭୁ ମହାନ୍ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି; ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ। କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ। ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ। ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, ସଦାପ୍ରଭୁ ରାଜ୍ୟ କରନ୍ତି। ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସକଳ ଜୟଧ୍ୱନି କରନ୍ତୁ; ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। ଆଉ, ତୁମ୍ଭେମାନେ କୁହ, ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।” ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।

ପୁଣି, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର;

ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଆଉ ଦାଉଦ କହିଲେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପିତା ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ସଦାକାଳ ଧନ୍ୟ। ହେ ସଦାପ୍ରଭୁ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ। ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ୍ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ। ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ ଓ ତୁମ୍ଭ ଗୌରବାନ୍ୱିତ ନାମରେ ପ୍ରଶଂସା କରୁଅଛୁ।

ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ। ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍‍, ଆସଫ, ହେମନ, ଯିଦୂଥୂନ୍‍ ଓ ସେମାନଙ୍କ ପୁତ୍ର ଓ ଭାତ୍ରୁଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ, ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ, ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚୈଃସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।

ଏଥିଉତ୍ତାରେ ସେ ଇସ୍ରାଏଲର ସମସ୍ତ ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଆପଣା ହସ୍ତ ବିସ୍ତାର କରି ଠିଆ ହେଲେ; କାରଣ ଶଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚ ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ; ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁ ପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;

ମାତ୍ର ପରମେଶ୍ୱର କ’ଣ ପୃଥିବୀରେ ମନୁଷ୍ୟମାନଙ୍କ ସଙ୍ଗରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭଙ୍କୁ ଧାରଣ କରି ନ ପାରେ; ତେବେ ଆମ୍ଭ ନିର୍ମିତ ଏହି ଗୃହ କ’ଣ ପାରିବ?

ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।”

ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସାଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହିସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ।

ପୁଣି ମୀଖାୟ କହିଲା, “ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି।”

ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।

ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ ତହୁଁ ସେମାନେ ଆନନ୍ଦରେ ପ୍ରଶଂସାଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ।

ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତି ଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ।

ଆଉ, ନିର୍ମାଣକାରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିରୂପଣାନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ରପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। ପୁଣି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକଆରେକ ପ୍ରତି ଗାନ କରି କହିଲେ, “ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।” ଆଉ, ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚୈଃସ୍ୱରରେ ଜୟଧ୍ୱନି କଲେ।

ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋ’ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁ ପାତି ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,

ତହୁଁ ଏଜ୍ରା ମହାନ୍ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ “ଆମେନ୍‍,” “ଆମେନ୍‍” ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍‍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ। ଯେଶୂୟ ଓ କଦ୍‍ମୀୟେଲ, ବାନି, ହଶବନୀୟ, ଶେରେବୀୟ, ହୋଦୀୟ, ଶବନୀୟ ଓ ପଥାହୀୟ, ଓ ଲେବୀୟମାନେ କହିଲେ, “ଉଠ, ଅନାଦି କାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର; ପୁଣି, ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।

ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ; ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ।

ଏଥିଉତ୍ତାରେ ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।

କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।

ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା; ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”

ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି। ପରମେଶ୍ୱର ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି;

ତୁମ୍ଭେ କ’ଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇପାର? ତୁମ୍ଭେ କ’ଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇପାର?

ଯଦି ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର;

ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି; ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ। କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ।

ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି? କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ, ତୁମ୍ଭେ ଅଧର୍ମ କରିଅଛ? ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି।

ଏଥିରେ ମଧ୍ୟ ମୋହର ହୃଦୟ କମ୍ପମାନ ହେଉଅଛି ଓ ସ୍ୱସ୍ଥାନରୁ ଅନ୍ତରିତ ହେଉଅଛି। ତୁମ୍ଭେମାନେ ପରମେଶ୍ଵରଙ୍କ ରବର ଶବ୍ଦ ଓ ତାହାଙ୍କ ମୁଖନିର୍ଗତ ସ୍ୱର ଶୁଣ। ସେ ତାହା ସମୁଦାୟ ଆକାଶର ଅଧଃସ୍ଥାନକୁ ଓ ଆପଣା ବିଜୁଳିକୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରେରଣ କରନ୍ତି। ତହିଁ ପଛେ ଏକ ରବ ଗର୍ଜ୍ଜନ କରଇ, ସେ ଆପଣା ମହତ୍ତ୍ୱର ରବରେ ବଜ୍ରନାଦ କରନ୍ତି ଓ ତାହାଙ୍କ ରବ ଶୁଣାଗଲା ବେଳେ ସେ ତାହାସବୁ ନିବୃତ୍ତ କରନ୍ତି ନାହିଁ। ପରମେଶ୍ୱର ଆପଣା ରବରେ ଆଶ୍ଚର୍ଯ୍ୟ ରୂପେ ଗର୍ଜ୍ଜନ କରନ୍ତି; ସେ ଆମ୍ଭମାନଙ୍କ ବୋଧର ଅଗମ୍ୟ ମହତ କାର୍ଯ୍ୟ କରନ୍ତି।

ତୁମ୍ଭେ କି ମେଘମାଳର ସମତୌଲ, ପରମ ଜ୍ଞାନୀଙ୍କର ଆଶ୍ଚର୍ଯ୍ୟକ୍ରିୟାସବୁ ଜାଣ?

ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ; ପରମେଶ୍ୱରଙ୍କଠାରେ ଭୟାନକ ମହତ୍ତ୍ୱ ଥାଏ। ସର୍ବଶକ୍ତିମାନ ପରମେଶ୍ଵର! ଆମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇ ନ ପାରୁ; ସେ ପରାକ୍ରମରେ ଶ୍ରେଷ୍ଠ; ପୁଣି, ସେ ବିଚାର ଓ ପ୍ରଚୁର ନ୍ୟାୟଗୁଣ ହେତୁ କ୍ଳେଶ ଦେବେ ନାହିଁ।

ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।

ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।

ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ।

ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ।

ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ। ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୁଁ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି। ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି; ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

ସିୟୋନ-ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର; ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର।

ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି। ସିୟୋନ-କନ୍ୟାର ନଗର-ଦ୍ୱାରରେ ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।

ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।

ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ-ସନ୍ତାନମାନଙ୍କୁ ପରୀକ୍ଷା କରେ।

ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।

ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,

ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ, ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ। ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ। ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି।

ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।

ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ। କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ?

ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।

ହେ ସଦାପ୍ରଭୁ, ନିଜ ବଳରେ ଉନ୍ନତ ହୁଅ; ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।

ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍, ତୁମ୍ଭେ ପବିତ୍ର ଅଟ।

ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି। ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ। କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି। କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ। ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି; ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି। ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ। ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ। କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି। ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ; ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ।

ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। [ସେଲା]

ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି।

ଏଣୁ ଏବେ ମୋ’ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ହେ ସଦାପ୍ରଭୁ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; ମୋ’ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ। ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,” ମୋ’ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୁ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।”

ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋ’ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।

ଦାଉଦଙ୍କର ଗୀତ। ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର। ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର। ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ। ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।

ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି। ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି।

ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।

ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।

ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ୱନିରେ ମନୋହର ବାଦ୍ୟ କର।

ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୋ’ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ। ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ; ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ। ଆହେ, ମୋ’ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର, ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।

ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।

ଯେଉଁମାନେ ମୋ’ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ। ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ।

ପୁଣି, ସେ ମୋ’ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।

ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।

ତୁମ୍ଭେ ମୋ’ ସରଳତାରେ ମୋତେ ଧରି ରଖୁଅଛ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍‍, ଆମେନ୍‍।

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ୍‍ (ପ୍ରବୋଧନ)। ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋ’ ପ୍ରାଣ ତୁମ୍ଭ ପାଇଁ ଧକାଏ। ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋ’ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି?

ତଥାପି ସଦାପ୍ରଭୁ ଦିନବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ।

ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।

ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ, ଆପଣା ମହିମା ଓ ପ୍ରଭାବ ବାନ୍ଧ। ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।

ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।

ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି; ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।

କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା।

ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର। କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର। ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି।

ଗୀତ: କୋରହ-ସନ୍ତାନମାନଙ୍କର ଗୀତ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।

କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।

ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ ବଳି ଉତ୍ସର୍ଗ କର ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର; ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।”

ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ; ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”

ହେ ପରମେଶ୍ୱର, ମୋ’ ତ୍ରାଣର ପରମେଶ୍ୱର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ। ହେ ପ୍ରଭୁ, ମୋ’ ଓଷ୍ଠାଧର ଫିଟାଅ, ତହିଁରେ ମୋ’ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।

ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।

ହେ ପରମେଶ୍ୱର, ମୋ’ ଚିତ୍ତ ସୁସ୍ଥିର ଅଛି, ମୋ’ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।

ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।

ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି।

ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ’ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ’ ଶରୀର ତୁମ୍ଭ ପାଇଁ ଲାଳସା କରେ। ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି। କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ। ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି; ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ ଓ ମୋ’ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ। ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ।

ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ। ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ। ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର। ତାହାଙ୍କ ନାମର ମହିମା କୀର୍ତ୍ତନ କର; ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର। ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।” ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ; ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।

ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି; ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ; ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। [ସେଲା] ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;

ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।

ପୃଥିବୀ କମ୍ପିଲା, ପରମେଶ୍ୱରଙ୍କ ସାକ୍ଷାତରେ ଆକାଶମଣ୍ଡଳ ମଧ୍ୟ ବୃଷ୍ଟିପାତ କଲା; ସେହି ସୀନୟ ପରମେଶ୍ୱରଙ୍କର, ଇସ୍ରାଏଲର ପରମେଶ୍ୱରଙ୍କ ସାକ୍ଷାତରେ କମ୍ପିଲା।

ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର; ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; [ସେଲା] ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି। ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ କର; ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ ଆକାଶମଣ୍ଡଳରେ ରହିଅଛି। ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ; ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି। ପରମେଶ୍ୱର ଧନ୍ୟ ହେଉନ୍ତୁ।

ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି।

ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ।

ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, “ସେମାନେ ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ,

ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ। ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ। ମୋହର ମୁଖ ତୁମ୍ଭ ପ୍ରଶଂସାରେ ଓ ସାରାଦିନ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ।

ମାତ୍ର ମୁଁ ନିରନ୍ତର ଭରସା କରିବି, ପୁଣି, ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି।

ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, ମଧ୍ୟ ତୁମ୍ଭର, ଅର୍ଥାତ୍‍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି; ହେ ଇସ୍ରାଏଲର ଧର୍ମସ୍ୱରୂପ, ମୁଁ ବୀଣା ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ ମୋହର ଓଷ୍ଠାଧର ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ ଅତିଶୟ ଆହ୍ଲାଦ କରିବ।

ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ।

ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।

ତାହାଙ୍କ ନାମ ଅନନ୍ତକାଳ ରହିବ; ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ। ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି; ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। ଆମେନ୍‍, ଆମେନ୍‍।

ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି। ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି। ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ; ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ? ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।

ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।

ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ। ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର; ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।

ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଆବାସ କିପରି ପ୍ରିୟତମ! ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ। ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା]

ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ। କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ। ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର। ହେ ପ୍ରଭୁ, ମୋ’ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି।

ଗାୟକ ଓ ନର୍ତ୍ତକମାନେ କହିବେ, “ମୋହର ସବୁ ଝର ତୁମ୍ଭଠାରେ ଅଛି।”

କ୍ଳେଶ ସକାଶୁ ମୋ’ ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।

ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍। ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି; ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି।

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ, ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ। କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇ ପାରେ? ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ କିଏ ଅଛି?

ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।

କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ। କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା। ହେ ପ୍ରଭୁ, ତୁମ୍ଭେ ପୁରୁଷାନୁକ୍ରମରେ ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ। ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।

ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।

ଗୀତ: ବିଶ୍ରାମବାର ନିମିତ୍ତକ ଗୀତ। ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ, ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର,

ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ। ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦି କାଳରୁ ବିଦ୍ୟମାନ। ହେ ସଦାପ୍ରଭୁ, ନଦୀସକଳ ବଢ଼ି ଉଠିଅଛନ୍ତି, ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇ ଅଛନ୍ତି; ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି। ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ। ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।

ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।

ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;

ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର; ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର। ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର। କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ। କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ; ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ। ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ। ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର; ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ। “ସଦାପ୍ରଭୁ ରାଜ୍ୟ କରନ୍ତି,” ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ; ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ। ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର; ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ; ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ; ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି; ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।

ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ; ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ। ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ।

ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ, ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ। ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି।

କାରଣ ହେ ସଦାପ୍ରଭୁ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ; ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।

ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି।

ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; ଉଚ୍ଚ ଧ୍ୱନି କର, ଆନନ୍ଦ ଗାନ କର ଓ ପ୍ରଶଂସା ଗାନ କର। ବୀଣାଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର। ସମୁଦ୍ର ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ; ନଦ-ନଦୀଗଣ କରତାଳି ଦେଉନ୍ତୁ; ପର୍ବତଗଣ ଏକସଙ୍ଗେ ଆନନ୍ଦଗାନ କରନ୍ତୁ;

ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ। ସଦାପ୍ରଭୁ ସିୟୋନରେ ମହାନ ଓ ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ। ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; ସେ ପବିତ୍ର ଅଟନ୍ତି। ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ। ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; ସେ ପବିତ୍ର ଅଟନ୍ତି।

ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।

ଧନ୍ୟବାଦାର୍ଥକ ଗୀତ। ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର। ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ; ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ; ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର; ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ।

ଦାଉଦଙ୍କର ଗୀତ। ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁ ସିୟୋନକୁ ପୁନଃର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ। ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ। ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।

ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;

ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।

ହେ ସଦାପ୍ରଭୁଙ୍କ ବାକ୍ୟସାଧକ ଓ ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ, ବଳରେ ପରାକ୍ରାନ୍ତ ଦୂତଗଣ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁଙ୍କର ପରିଚାରକ ଓ ତାହାଙ୍କ ଅଭିମତସାଧକ ସୈନ୍ୟ ସକଳ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ, ତୁମ୍ଭେମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର; ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।

ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।

ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ। ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।

ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ। ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍‍ଗାର କରନ୍ତି। ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ତାହାଙ୍କ ପ୍ରତି ମୋ’ ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର। ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର। ହେ ତାହାଙ୍କ ଦାସ ଅବ୍ରହାମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ,

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ। ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ। ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା କରିପାରେ? ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ?

ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମକୁ ଧନ୍ୟବାଦ ଦେବା ପାଇଁ, ତୁମ୍ଭ ପ୍ରଶଂସାରେ ଦର୍ପ କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କର ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କୁ ସଂଗ୍ରହ କର। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ। ପୁଣି, ସମୁଦାୟ ଲୋକ ଆମେନ୍‍ କୁହନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ।

ଦାଉଦଙ୍କର ଗାନାର୍ଥକ ଗୀତ। ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି। ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି ପ୍ରଭାତରେ ଜାଗିବି। ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ; ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।

ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି। ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ।

ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି; ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ।

ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। ଯାହାଙ୍କର ଆସନ ଊର୍ଦ୍ଧ୍ୱରେ, ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ ନତ କରନ୍ତି, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ?

ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା ନାମକୁ ଗୌରବାନ୍ୱିତ କର।

ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଧନ୍ୟବାଦ କରିବା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ, ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ହେ ସର୍ବଦେଶୀୟମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର। କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, “ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।”

ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।

ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି। ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି। ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।

ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।

ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।

ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।

ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।

ଆମ୍ଭେମାନେ ସଦାପ୍ରଭୁଙ୍କ ଆବାସକୁ ଯିବା; ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା।

ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; କାରଣ ତାହା ମନୋହର।

ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି; ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବି। ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ। ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, ତୁମ୍ଭେ ମୋ’ ପ୍ରାଣକୁ ବଳ ଦେଇ ସାହସିକ କଲ। ହେ ସଦାପ୍ରଭୁ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ, କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି। ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ; କାରଣ ସଦାପ୍ରଭୁଙ୍କ ଗୌରବ ମହତ୍‍।

ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ।

ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁ ଅଛି; ଶୁଷ୍କ ଭୂମି ତୁଲ୍ୟ ମୋ’ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। [ସେଲା]

ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।

ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି, ପ୍ରତି ଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ। ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି। ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି। ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।

ହେ ସଦାପ୍ରଭୁ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ; ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି, ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ। ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।

ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର। ମୁଁ ବଞ୍ଚିଥିବାଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସାଗାନ କରିବି।

ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ; ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।

ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ। ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି। ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର; ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର। ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ। ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି; ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।

ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ତିମିଙ୍ଗିଳ ଓ ସକଳ ବାରିଧି; ଅଗ୍ନି ଓ ଶିଳା, ହିମ ଓ ବାଷ୍ପ; ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ; ପର୍ବତ ଓ ସକଳ ଉପପର୍ବତ; ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ; ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ; ଉରୋଗାମୀ ଓ ଉଡ୍‍ଡୀୟମାନ ପକ୍ଷୀଗଣ; ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ; ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା। ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ; ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ; ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର। ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ। ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ। କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ; ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର। ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା କର। ତୂରୀ ଧ୍ୱନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର। ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର। ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର; ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।

କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି? କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି? କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି? ତାହାଙ୍କର ନାମ କଅଣ? ତାହାଙ୍କ ପୁତ୍ରର ନାମ କଅଣ? ଏହା ଯେବେ ଜାଣ, ତେବେ କୁହ।

ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି। ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।

ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ?

ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ; ମୋ’ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ। ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।

ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ।

ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।

ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।

ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ।

ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ଵର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି।

ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।” ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା। ତେବେ ମୁଁ କହିଲି, “ହାୟ ହାୟ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି!”

କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।

ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;

ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”

ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ।

ଏମାନେ ଉଚ୍ଚ ରବ କରିବେ, ଏମାନେ ଆନନ୍ଦଧ୍ୱନି କରିବେ; ସଦାପ୍ରଭୁଙ୍କର ମହିମା ସକାଶୁ ସେମାନେ ସମୁଦ୍ରରୁ ଉଚ୍ଚ ଧ୍ୱନି କରିବେ। ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍‍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର।

ହେ ସଦାପ୍ରଭୁ, ତୁମ୍ଭେ ମୋହର ପରମେଶ୍ୱର; ମୁଁ ତୁମ୍ଭର ଗୌରବ କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି; କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍‍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ୱସ୍ତତାରେ ଓ ସତ୍ୟରେ ସାଧନ କରିଅଛ। ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀରବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ। ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ।

ତୁମ୍ଭେମାନେ ସଦାକାଳ ସଦାପ୍ରଭୁଙ୍କଠାରେ ନିର୍ଭର ରଖ; କାରଣ ସଦାପ୍ରଭୁ ଯିହୋବାଃଙ୍କଠାରେ ଅନନ୍ତକାଳସ୍ଥାୟୀ ଶୈଳ ଅଛି।

ସେହି ଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ୱରୂପ ହେବେ;

ପବିତ୍ର ଉତ୍ସବ ପାଳନର ରାତ୍ରିରେ ଯେପରି, ସେହିପରି ତୁମ୍ଭେମାନେ ଗାନ କରିବ; ପୁଣି, ଲୋକେ ଯେପରି ସଦାପ୍ରଭୁଙ୍କ ପର୍ବତକୁ, ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେହିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ। ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ଡତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ, ଝଡ଼ ଓ ଶିଳାବୃଷ୍ଟି ଦ୍ୱାରା ଆପଣାର ପ୍ରତାପାନ୍ୱିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ।

ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ; ଏକ ଦୂରବ୍ୟାପୀ ଦେଶ ଦେଖିବ।

କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।

ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ।

ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ; ଏହେତୁ ଆମ୍ଭେମାନେ ଜୀବନ ଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବୁ।”

ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।

କିଏ ଆପଣା ହସ୍ତର ପୋଷରେ ଜଳରାଶି ମାପିଅଛନ୍ତି, ଚାଖଣ୍ଡ ଦ୍ୱାରା ଆକାଶମଣ୍ଡଳର ପରିମାଣ କରିଅଛନ୍ତି ଓ ଗୌଣୀରେ ପୃଥିବୀର ଧୂଳିସବୁ ଭରିଅଛନ୍ତି, ପର୍ବତଗଣକୁ ନିକ୍ତିରେ ଓ ଉପପର୍ବତଗଣକୁ ତରାଜୁରେ ତୌଲି ଅଛନ୍ତି?

ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ? ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି; ସେ ଭୂପତିମାନଙ୍କୁ ଅକିଞ୍ଚିତ କରନ୍ତି; ସେ ପୃଥିବୀର ବିଚାରକର୍ତ୍ତାମାନଙ୍କୁ ମୂଲ୍ୟହୀନ କରନ୍ତି।

ଉର୍ଦ୍ଧ୍ୱ ଦୃଷ୍ଟି କରି ଦେଖ, ଏହି ସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ।

ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ।

ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇ ଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।

ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ। ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେହି ସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍‍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ।” ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ୱୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର। ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ। ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ୱୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।

ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।

ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ,” ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ।

ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”

ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।

ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।

ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଅଛନ୍ତି; ହେ ପୃଥିବୀର ଅଧଃସ୍ଥାନସକଳ, ଆନନ୍ଦଧ୍ୱନି କର; ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବୃକ୍ଷ, ତୁମ୍ଭେମାନେ ଉଚ୍ଚସ୍ୱରରେ ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଅଛନ୍ତି ଓ ଇସ୍ରାଏଲ ମଧ୍ୟରେ ଆପଣାକୁ ଗୌରବାନ୍ୱିତ କରିବେ।

ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା; ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ। ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।

କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।

ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ। ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।

ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ ନାହିଁ; ଆମ୍ଭେ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ; ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, “ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,”

ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ।

ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର; ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅନ୍ତ। ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଡାହାଣ ହସ୍ତ ଗଗନମଣ୍ଡଳ ବିସ୍ତାର କରିଅଛି; ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।

ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”

ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।

ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ। ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦ ଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।

କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।

ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।

କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।

ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନନ୍ତ କାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ଗୌରବସ୍ୱରୂପ ହେବେ। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ହେବ ନାହିଁ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତକାଳସ୍ଥାୟୀ ଜ୍ୟୋତିଃସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି।

ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।

ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତ କାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,

ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର “ମୁକ୍ତିଦାତା” ବୋଲି ତୁମ୍ଭର ନାମ ଅଛି।

ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।

ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ?

“କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ,” ଏହା ସଦାପ୍ରଭୁ କହନ୍ତି। “ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ,” ଏହା ସଦାପ୍ରଭୁ କହନ୍ତି।

ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ? ସମୁଦ୍ର ଯେପରି ଉଲ୍ଲଙ୍ଘନ କରି ନ ପାରିବ, ଏଥିପାଇଁ ନିତ୍ୟସ୍ଥାୟୀ ବିଧିକ୍ରମେ ତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ, ଆମ୍ଭ ସାକ୍ଷାତରେ ତୁମ୍ଭେମାନେ କି କମ୍ପବାନ ହେବ ନାହିଁ? ତହିଁର ତରଙ୍ଗମାଳା ଉଚ୍ଚକୁ ଉଠେ, ତଥାପି କୃତାର୍ଥ ହୋଇପାରେ ନାହିଁ, କଲ୍ଲୋଳଧ୍ୱନି କରେ, ତଥାପି ସୀମା ଅତିକ୍ରମ କରି ପାରେ ନାହିଁ।

ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।

ସଦାପ୍ରଭୁ କହନ୍ତି, “ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ?” ସଦାପ୍ରଭୁ କହନ୍ତି, “ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?

ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ?”

ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।”

“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ; ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;

“ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି?”

ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ,ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।’”

ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।

ଆମ୍ଭେମାନେ ସ୍ୱର୍ଗ ନିବାସୀ ପରମେଶ୍ୱରଙ୍କ ଆଡ଼େ କୃତାଞ୍ଜଳିପୂର୍ବକ ଆପଣା ଆପଣା ହୃଦୟ ଉଠାଉ।

ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ ତୁମ୍ଭ ସିଂହାସନ ପୁରୁଷାନୁକ୍ରମେ ଥାଏ।

ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ। ପୁଣି, ସେମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟର ଉପରେ ଏକ ରବ ହେଲା; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ। ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଉର୍ଦ୍ଧ୍ୱରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଉର୍ଦ୍ଧ୍ୱ ଭାଗରେ ଥିଲା। ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଉର୍ଦ୍ଧ୍ୱରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା। ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।

ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇଲେ, ତହିଁରେ ମୁଁ ଆପଣା ପଶ୍ଚାତରେ, “ଧନ୍ୟ ସଦାପ୍ରଭୁଙ୍କର ମହିମା,” ଏହି କଥା ମହା ଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି।

ତହିଁରେ ମୁଁ ଉଠି ପଦାଭୂମିକୁ ବାହାରି ଗଲି; ଆଉ ଦେଖ, କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ତାହାର ତୁଲ୍ୟ ସଦାପ୍ରଭୁଙ୍କର ମହିମା ସେହି ସ୍ଥାନରେ ଉପସ୍ଥିତ ହେଲା; ତହୁଁ ମୁଁ ଉବୁଡ଼ ହେଲି।

ଆଉ ଦେଖ, ପଦାଭୂମିରେ ମୁଁ ଦେଖିଥିବା ଦୃଶ୍ୟ ପ୍ରମାଣେ ସେହି ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ବିଦ୍ୟମାନ ଥିଲା।

ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା। ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା। ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋ’ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ-ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।

ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଉର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଉର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

ପୁଣି, ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା। ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍‍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି। ପୁଣି, ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା। ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋ’ ପାଖରେ ଠିଆ ହେଲେ। ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍‍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।

ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି।

ଏଥିଉତ୍ତାରେ ରାତ୍ରିକାଳୀନ ଦର୍ଶନରେ ସେହି ନିଗୂଢ଼ ବିଷୟ ଦାନିୟେଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ। ଦାନିୟେଲ ଉତ୍ତର କରି କହିଲେ, ପରମେଶ୍ୱରଙ୍କର ନାମ ସଦା ସର୍ବଦା ଧନ୍ୟ ହେଉ; କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର; ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି; ସେ ଗଭୀର ଓ ଗୁପ୍ତ ବିଷୟସବୁ ପ୍ରକାଶ କରନ୍ତି; ଅନ୍ଧକାରରେ ଯାହା ଅଛି, ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତିଃ ବାସ କରଇ। ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି, ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ ଓ ତୁମ୍ଭ ନିକଟରେ ଆମ୍ଭମାନଙ୍କର ନିବେଦନର ବିଷୟ ଏବେ ମୋତେ ଜଣାଇଅଛ; କାରଣ ତୁମ୍ଭେ ରାଜାର କଥା ଆମ୍ଭମାନଙ୍କୁ ଜଣାଇଅଛ।

ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।

ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ବ ଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋ’ କତିକୁ ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।

ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।

ମୁଁ ଦେଖୁ ଦେଖୁ, କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନିଶିଖାମୟ ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି। ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା; ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ ଓ ଅୟୁତ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାରସଭା ବସିଲା ଓ ପୁସ୍ତକମାନ ଫିଟାଗଲା।

ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ; ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।

ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍‍, ଅନନ୍ତ କାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’

ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।

ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ୍ ହେବେ।

ତାହାଙ୍କ ଆଗରେ ପର୍ବତଗଣ କମ୍ପିତ ହୁଅନ୍ତି ଓ ଉପପର୍ବତସବୁ ତରଳି ଯା’ନ୍ତି; ଆଉ, ତାହାଙ୍କ ସାକ୍ଷାତରେ ପୃଥିବୀ କମ୍ପିତ ହୁଏ, ହଁ ଜଗତ ଓ ତନ୍ନିବାସୀ ସମସ୍ତେ କମ୍ପିତ ହୁଅନ୍ତି।

କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।

ପରମେଶ୍ୱର ତୈମନ୍‍ରୁ ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ। ସେଲା ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା। ପୁଣି, ତାହାଙ୍କର ତେଜ ଦୀପ୍ତି ତୁଲ୍ୟ ହେଲା; ତାହାଙ୍କ ହସ୍ତରୁ କିରଣ ନିର୍ଗତ ହେଲା; ଆଉ, ସେ ସ୍ଥାନ ତାହାଙ୍କ ପରାକ୍ରମର ଅନ୍ତରାଳ।

ପର୍ବତଗଣ ତୁମ୍ଭଙ୍କୁ ଦେଖି ଭୀତ ହେଲେ; ପ୍ରଚଣ୍ଡ ଜଳରାଶି ବହିଗଲା; ବାରିଧି ଆପଣା ରବ ଶୁଣାଇଲା ଓ ଆପଣା ହସ୍ତ ଉଚ୍ଚକୁ ଉଠାଇଲା।

ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀରସ୍ୱରୂପ ହେବା ଓ ଆମ୍ଭେ ସେମାନଙ୍କ ମଧ୍ୟରେ ମହିମାସ୍ୱରୂପ ହେବା।”

ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍‍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”

ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ବୁଝାବଣା ହେବ।

ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍‍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।

ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟ ଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ୍ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ।

ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।

ସେହି ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକ ଆରେକର ସଙ୍ଗେ କଥାବାର୍ତ୍ତା କଲେ; ଆଉ, ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ନଳାକାର ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା।

"ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ", ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର" ।

"ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।"

ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ।

ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ । ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।"

ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।

ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।

ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]

ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି ।

ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି ।

ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ।

ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।

ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ ।

ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା ।

ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ" ଏହାଙ୍କ ବାକ୍ୟ ଶୁଣ । ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ ।

ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।

ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ।

ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ ।

ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା ।

କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦ ସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ, ପୁଣି, ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?

ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା ।

ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,

ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ ।

ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।

ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କ ରାଜା? ଯୀଶୁ କହିଲେ, ଆପଣ କହୁଅଛନ୍ତି ।

ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୂଦୀମାନଙ୍କର ରାଜା ଯୀଶୁ ।

ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ ।

ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ । ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି ।

ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି?

ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।

ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର ।

ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।

ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଆମ୍ଭମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!

ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି; ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।

ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ ।

ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।

ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି ।

ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୂଦୀମାନଙ୍କର ରାଜା ।

ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ ।

ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ମହାନ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ । କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ । ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।

କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।

ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି;

କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,

ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।

ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ, ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।

ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ ।

ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।

କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ ।

ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ? କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।

ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ ।

ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,

ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥି ନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।

ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।

ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ ।

କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ ।

କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।

ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ ।

ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ, ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ । ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା । ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ । ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ ।

ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ । ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି ।

ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି ।

ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।"

ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।

ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ, ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ ।

ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ।

ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ।

ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା ।

ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ । ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ ।

ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି । ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ । କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି । ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।

ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ ।

ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।

ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି ।

ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା ।

ମୁଁ ଓ ପିତା ଏକ ।

ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ ।

ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା । ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା । ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ ।

ପିତଃ, ଆପଣା ନାମ ମହିମାନ୍ୱିତ କର । ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ ।

ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ୱର ମହିମାନ୍ୱିତ ହେଲେ । ଯଦି ଈଶ୍ୱର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ୱର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ ।

ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି ।

ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ ।

ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ । ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ । ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି । ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ବାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର ।

ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ । ସେ ସେମାନଙ୍କୁ କହିଲେ, ମୁଁ ସେହି । ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା । ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ ।

ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ । ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କ'ଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା । ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି । ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ ।

କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୂଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କ'ଣ ତୁମ୍ଭମାନଙ୍କର ଇଚ୍ଛା?

ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ । ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା । ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା । ତେଣୁ ଯିହୂଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୂଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ । ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ ।

ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର ।

ଅତଏବ, ଈଶ୍ୱର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।

ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ।

ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ୱରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା ।

ପୁଣି, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂୂପେ ଉନ୍ନତ କରିଅଛନ୍ତି ।

ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି ।

କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି ।

ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ।

କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ । ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା ।

ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ,

କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ

ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ ।

ପିତୃପୁରୁଷମାନେ ସେମାନଙ୍କର, ଆଉ ଶାରୀରିକଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ, ଆମେନ୍‍ ।

ଆହା! ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ! କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି?

ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।

ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା ।

ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ୱରଙ୍କ ପ୍ରଶଂସା କରିବ ।"

ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ୱରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର । ଅତଏବ ଈଶ୍ୱରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର । କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ୱରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି, ପୁଣି, ଯେପରି ଅଣଯିହୂଦୀମାନେ ଈଶ୍ୱରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖା ଅଛି, "ଏଥିପାଇଁ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି ।" ପୁନଶ୍ଚ ସେ କହନ୍ତି, ହେ ଅଣଯିହୂଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର । ପୁନଶ୍ଚ, "ହେ ଅଣଯିହୂଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ ।"

ଯେଉଁ ଈଶ୍ୱର ମୋହର ସୁସମାଚାର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ପ୍ରାଚୀନ କାଳରୁ ଗୁପ୍ତ ଥିଲା, ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ୱରଙ୍କ ଗୌରବ ହେଉ । ଆମେନ୍‍ ।

କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।

ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ୱର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ ।

ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।

ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ ।

ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି ।

ସେ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ । ଆମେନ୍‍ ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,

ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି।

ଯେପରି ଖ୍ରୀଷ୍ଟଙ୍କଠାରେ ପୁର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହେଉ। ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।

ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କ'ଣ, ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହି ସବୁ ଜାଣି ପାର; ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା ।

ଏଥି ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ, ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି, ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି, ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈୖର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ, ଆଉ ସେହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ । ଯେଉଁ ଈଶ୍ୱର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି, ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ । ଆମେନ୍।

ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି ।

ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ।)

ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର; ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ,

ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ ।

ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ ।

ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ । ଆମେନ୍‍ ।

ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି । ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି । କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ, ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି ।

ଅଣଯିହୂଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କ'ଣ, ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ;

କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ, ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ ।

ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର । ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ ।

ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର । ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ।

ସେଥିପାଇଁ ମଧ୍ୟ ସେ ଆମ୍ଭମାନଙ୍କ ସୁସମାଚାର ଦ୍ୱାରା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ଡାକିଅଛନ୍ତି ।

ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ ।

ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ ।

ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।

ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଶିକ୍ଷା ଦେଉଅଛି ।

ଏହି ଶେଷକାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରିଅଛନ୍ତି,

ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ । ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, "ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି;'' ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।''

କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି।

ଯେପରି ସେ କହନ୍ତି, "ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,''

ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ । କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ । ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।

କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ ।

ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି;

ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି ।

ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶ ନ କଲେ;

ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,

ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି ।

ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ । କାରଣ ଆମ୍ଭମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ।

ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି ।

ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ ।

ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ । ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।

ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ । କେହି କ'ଣ ଆନନ୍ଦିତ ଅଟେ? ସେ ଗୀତ ଗାନ କରୁ ।

ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି ।

କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ୱରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତଲୋକ ପରି ସେବା କରୁ, ଯେପରି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର । ଆମେନ୍‍ ।

କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ ।

ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ । ପରାକ୍ରମ ଯୁଗେ ଯୁଗେ ତାହାଙ୍କର । ଆମେନ୍‍ ।

କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ । ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;

ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ । ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର ।

ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର । ଆମେନ୍‍ ।

ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ । ଆମେନ୍ । ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ ।

ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ ।

କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି । ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ; ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଲବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ, ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ । ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା । ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ, ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି ।

ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ । ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ ।

ସିଂହାସନ ମଧ୍ୟରୁ ବିଜୁଳୀ, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା । ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ ।

ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ । ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର । ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।

ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି । ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୂଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା । ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ । ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା । ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ, ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ ।

ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ । ସେମାନେ ଉଚ୍ଚସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି । ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର । ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ ।

ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ ।

ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ । ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ ।

ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି ।

ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି । ସେମାନେ ସିହାଂସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ । ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି । ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ସେମାନେ ଈଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି; ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ ।

ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର ।

ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ ।

ସେମାନେ ଈଶ୍ୱରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ । ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।

ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ ।

ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ ।

ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର,

ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ଆମେନ୍ ହାଲ୍ଲିଲୂୟା । ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର । ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି । ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି ।

ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ । ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ । ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ ।

ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ।

ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ । ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।

ପରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା । ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି । ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,

ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ ।

ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି । ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ । କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ । ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ । ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ ।

ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net