26 – ସରକାର
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ସରକାର.
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ସରକାର.
ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।
”ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡଯନ୍ତ୍ର କରନ୍ତି? ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
”ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ । ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ । ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।
”ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
”ଯେକେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି।
”ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
”ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା। ଆଉ ଘଟଣା କ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। ଏଥିଉତ୍ତାରେ ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା। ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ।” ଏଥିଉତ୍ତାରେ ମନୁଷ୍ୟ-ସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। ପୁଣି, ସଦାପ୍ରଭୁ କହିଲେ, “ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ। ଏଥିପାଇଁ ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେହି ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ।” ଏହିରୂପେ ସଦାପ୍ରଭୁ ସେହି ସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ। ସେଥିପାଇଁ ସେହି ନଗରର ନାମ ବାବିଲ (ଭେଦ) ହେଲା; ଯେହେତୁ ସଦାପ୍ରଭୁ ସେହି ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି, ସେହି ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ।
”ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।
”ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।
”ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ; ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରୋଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା।” ଫାରୋ ଯୋଷେଫଙ୍କୁ ଆହୁରି କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲୁ।” ଏଥିଉତ୍ତାରେ ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ। ପୁଣି, ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ; ଆଉ ଲୋକମାନେ ତାଙ୍କର ଆଗେ ଆଗେ ଆଣ୍ଠୁ ପାତ ଆଣ୍ଠୁ ପାତ ବୋଲି ଘୋଷଣା କଲେ। ଏହି ପ୍ରକାରେ ସେ ତାଙ୍କୁ ସମସ୍ତ ମିସର ଦେଶ ଉପରେ ନିଯୁକ୍ତ କଲେ। ଏଥିଉତ୍ତାରେ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଫାରୋ ଅଟୁ, ଏହେତୁ ତୁମ୍ଭ ଆଜ୍ଞା ବିନୁ ସମସ୍ତ ମିସର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ।”
”ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
”ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟ ଦେଇ ଗମନ କରିବା।” ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ। ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ। ମାତ୍ର ସଦାପ୍ରଭୁ ମିସ୍ରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ପ୍ରଭେଦ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ। ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋ’ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି। ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ।
”ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ। ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିସ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ; ପୁଣି, ମିସର ଦେଶରେ ମହା ରୋଦନ ହେଲା; କାରଣ ଏପରି ଗୃହ ନ ଥିଲା ଯେଉଁ ଗୃହରେ କେହି ମରି ନ ଥିଲେ।
”ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତ କାଳ ରାଜତ୍ୱ କରିବେ।
”ଏହେତୁ ମୋ’ କଥାରେ ମନୋଯୋଗ କର, ମୁଁ ତୁମ୍ଭଙ୍କୁ ପରାମର୍ଶ ଦେବି, ପୁଣି, ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। ପୁଣି, ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର। ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ, ପୁଣି, କୌଣସି ବଡ଼ କଥା ହେଲେ ତୁମ୍ଭ ନିକଟକୁ ଆଣିବେ, ମାତ୍ର କ୍ଷୁଦ୍ର କଥା ସବୁ ସେମାନେ ଆପେ ବିଚାର କରିବେ, ତାହାହେଲେ ତୁମ୍ଭ ନିଜ କର୍ମ ଉଶ୍ୱାସ ହେବ, ପୁଣି, ସେମାନେ ତୁମ୍ଭ ସହିତ ଭାର ବହିବେ।
”ପୁଣି, ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍, ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କଲେ। ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ; କଠିନ ବିଚାରସବୁ ମୋଶାଙ୍କ ପାଖକୁ ଆଣିଲେ; ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥାସବୁ ଆପେ ଆପେ ବିଚାର କଲେ।
”ପୁଣି, ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ; ଏହିସବୁ କଥା ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ। ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ୱାରା ଆଦେଶପ୍ରାପ୍ତ ଏହି ସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ।
”ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି, ଆପଣା ଲୋକମାନଙ୍କର ଅଧ୍ୟକ୍ଷକୁ ଅଭିଶାପ ଦେବ ନାହିଁ।
”ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। ପୁଣି, ଦେଶ ହିଁ ଅଶୁଚି ହୋଇଅଛି; ଏହେତୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି। ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ, ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। କାରଣ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଦେଶ ନିବାସୀମାନେ ଏହିସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି ଓ ଦେଶ ଅଶୁଚି ହୋଇଅଛି। ତୁମ୍ଭେମାନେ ତାହା ଅଶୁଚି କଲେ, ସେହି ଦେଶ ଯେପରି ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ନିବାସୀ ଲୋକମାନଙ୍କୁ ଉଦ୍ଗାର କଲା, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଗାର କରିବ।
”ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଆଜ୍ଞା ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ। ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କରିବ; ଆଉ, ଆମ୍ଭେ ଅଧିକାର ନିମନ୍ତେ ତୁମ୍ଭମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା; ଯେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ୍ କରିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
”ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ଦ୍ୱାରା ଆପଣାର ଓ ଇସ୍ରାଏଲ ସନ୍ତାନଗଣର ମଧ୍ୟରେ ଏହି ସକଳ ବିଧି, ଶାସନ ଓ ବ୍ୟବସ୍ଥା ସ୍ଥାପନ କଲେ।
”ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ; ଆଉ ଆମ୍ଭର ଚତୁର୍ଦ୍ଦିଗସ୍ଥିତ ସକଳ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆପଣା ଉପରେ ଏକ ରାଜା ନିଯୁକ୍ତ କରିବା, ଯେବେ ଏହି କଥା କହିବ; ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାହାକୁ ହିଁ ତୁମ୍ଭେ ଆପଣା ଉପରେ ରାଜା କରିବ; ତୁମ୍ଭେ ଆପଣା ଭ୍ରାତୃଗଣ ମଧ୍ୟରୁ ଜଣକୁ ଆପଣା ଉପରେ ରାଜା କରି ନିଯୁକ୍ତ କରିବ; ଯେ ତୁମ୍ଭର ଭ୍ରାତା ନୁହେଁ, ଏପରି ବିଦେଶୀୟ ବ୍ୟକ୍ତିକୁୁ ରାଜା କରି ପାରିବ ନାହିଁ। ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ ପୁନର୍ବାର ମିସରକୁ ଗମନ କରାଇବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରି ଯିବ ନାହିଁ। କିଅବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ; ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢ଼ାଇବ ନାହିଁ।
”ପୁଣି ସେ ଆପଣା ରାଜ୍ୟର ସିଂହାସନରେ ଉପବିଷ୍ଟ ହେଲେ, ଆପଣା ପାଇଁ ଏକ ନଳାକାର ପୁସ୍ତକରେ ଲେବୀୟ ଯାଜକମାନଙ୍କ ସମ୍ମୁଖସ୍ଥିତ ଏହି ବ୍ୟବସ୍ଥାରୁ ଉତ୍ତାରି ଏକ ପ୍ରତିଲିପି ଲେଖି ରଖିବ। ଆଉ ତାହା ତାହାର ନିକଟରେ ରହିବ ଓ ସେ ଯାବଜ୍ଜୀବନ ତାହା ପାଠ କରିବ; ତହିଁରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିଖିବ; ଆପଣା ଭ୍ରାତୃଗଣ ଉପରେ ତାହାର ହୃଦୟ ଅହଙ୍କାରୀ ହେବ ନାହିଁ, ପୁଣି ସେ ଆଜ୍ଞାର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ; ତହିଁରେ ସେ ଇସ୍ରାଏଲ ମଧ୍ୟରେ ତାହାର ଓ ତାହାର ସନ୍ତାନମାନଙ୍କ ରାଜତ୍ୱର ଦିନ ବଢ଼ାଇ ପାରିବ।
”ସର୍ବୋପରିସ୍ଥ ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ; ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ୍ କଲେ, ସେତେବେଳେ ଇସ୍ରାଏଲ ସନ୍ତାନଗଣର ସଂଖ୍ୟାନୁସାରେ ସେ ଲୋକମାନଙ୍କର ସୀମା ସ୍ଥାପନ କଲେ।
”ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ। ତହିଁରେ ଗିଦିୟୋନ୍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋ’ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।
”ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା।
”ଏଥିଉତ୍ତାରେ ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ। ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ୱିତୀୟର ନାମ ଅବୀୟ; ଏମାନେ ବେର୍ଶେବାରେ ବିଚାରକର୍ତ୍ତା ଥିଲେ। ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ।
”ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।
”ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ। ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ। ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ। ପୁଣି, ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶତ୍ପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ। ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ। ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ। ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ। ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ। ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ। ପୁଣି, ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।
”ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ; ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।
”ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକି ଦେଖ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।
”ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି?
”ମାତ୍ର ତୁମ୍ଭମାନଙ୍କର ଯେଉଁ ପରମେଶ୍ୱର ଆପେ, ତୁମ୍ଭମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଳେଶରୁ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତି, ତୁମ୍ଭେମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହା ହେଉ, ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର, ଏହେତୁ ତୁମ୍ଭେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ।
”ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ? ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, ରାଜା ଚିରଜୀବୀ ହେଉନ୍ତୁ। ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ, ତହୁଁ ଶାମୁୟେଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣା ଆପଣା ଗୃହକୁ ବିଦାୟ କଲେ।
”ପୁଣି, ଶାଉଲ ମଧ୍ୟ ଆପଣା ଗୃହ ଗିବୀୟାକୁ ଗଲେ; ଆଉ ପରମେଶ୍ୱର ଯେଉଁମାନଙ୍କର ହୃଦୟ ସ୍ପର୍ଶ କଲେ, ଏପରି ବିକ୍ରମଶାଳୀ ଲୋକମାନେ ତାଙ୍କ ସହିତ ଗମନ କଲେ। ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ? ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ।
”ସେହି କଥା ଶୁଣିବାମାତ୍ରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ। ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।
”ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, କିଏ କହୁଥିଲା କି, ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ? ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା।
”ତହିଁରେ ସମସ୍ତ ଲୋକ ଗିଲ୍ଗଲ୍କୁ ଗଲେ ଓ ସେହି ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି, ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ।
”ଏଥିଉତ୍ତାରେ ଯେତେବେଳେ ତୁମ୍ଭେମାନେ ଦେଖିଲ ଯେ, ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ତୁମ୍ଭମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ ହେଁ ତୁମ୍ଭେମାନେ ମୋତେ କହିଲ; ନାହିଁ, ମାତ୍ର ଜଣେ ରାଜା ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବ। ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ। ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ; ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।
”ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ। ଏଥିରେ ଶାମୁୟେଲ ଲୋକମାନଙ୍କୁ କହିଲେ, ଭୟ ନ କର; ତୁମ୍ଭେମାନେ ଏହି ସମସ୍ତ ମନ୍ଦତା କରିଅଛ, ପ୍ରମାଣ; ତଥାପି ସଦାପ୍ରଭୁଙ୍କ ପଶ୍ଚାଦ୍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର;
”ମାତ୍ର ଯେବେ ତୁମ୍ଭେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଉଭୟ ବିନଷ୍ଟ ହେବ।
”ଏଉତ୍ତାରେ ଶାମୁୟେଲଙ୍କର ନିରୂପିତ ସମୟାନୁସାରେ ଶାଉଲ ସାତ ଦିନ ବିଳମ୍ବ କଲେ; ମାତ୍ର ଶାମୁୟେଲ ଗିଲ୍ଗଲ୍କୁ ଆସିଲେ ନାହିଁ; ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ। ଏଥିରେ ଶାଉଲ କହିଲେ, ଏଠାରେ ମୋ’ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ। ଆଉ ସେ ହୋମବଳି ଉତ୍ସର୍ଗ କଲେ। ପୁଣି, ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବାମାତ୍ରେ ଦେଖ, ଶାମୁୟେଲ ଉପସ୍ଥିତ ହେଲେ; ତହିଁରେ ଶାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। ଏଥିରେ ଶାମୁୟେଲ କହିଲେ, ତୁମ୍ଭେ କଅଣ କଲ? ଶାଉଲ ଉତ୍ତର କଲେ, ମୁଁ ଦେଖିଲି, ଯେ ଲୋକମାନେ ମୋ’ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକତ୍ର ହୋଇଅଛନ୍ତି; ଏଥିପାଇଁ ମୁଁ କହିଲି, ପଲେଷ୍ଟୀୟମାନେ ଏହିକ୍ଷଣି ମୋ’ ବିରୁଦ୍ଧରେ ଗିଲ୍ଗଲ୍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି। ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାଆନ୍ତେ। ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ।
”ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ। ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।
”ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି। ଏହେତୁ ବିନୟ କରୁଅଛି, ଏବେ ମୋ’ ପାପ କ୍ଷମା କର ଓ ମୁଁ ଯେପରି ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋ’ ସଙ୍ଗେ ଫେରି ଆସ। ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।
”ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।
”ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା। ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ। ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ। ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, ହେ ମୋହର ପ୍ରଭୁ, ମହାରାଜ। ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
”ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ। ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ, ତୁମ୍ଭେ ମୋ’ ଉତ୍ତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋହର ପିତୃଗୃହରୁ ମୋ’ ନାମ ଲୋପ କରିବ ନାହିଁ। ତହିଁରେ ଦାଉଦ ଶାଉଲଙ୍କ ନିକଟରେ ଶପଥ କଲେ। ଏଉତ୍ତାରେ ଶାଉଲ ଗୃହକୁ ଗଲେ; ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ।
”ଏଥିରେ ଦାଉଦ ଅବୀଶୟକୁ କହିଲେ, ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ? ଆହୁରି ଦାଉଦ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ। ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋ’ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ଆମ୍ଭେମାନେ ଯିବା। ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
”ତହୁଁ ଦାଉଦ ତାହାକୁ କହିଲେ, “ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି?” ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ପାଖକୁ ଯାଇ ତାକୁ ଆକ୍ରମଣ କର।” ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ଅମାଲେକୀୟ ମଲା। ପୁଣି ଦାଉଦ ମୃତ ଅମାଲେକୀୟକୁ କହିଲେ, “ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି।”
”ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଗିଲୀୟଦ ଅଞ୍ଚଳର ଯାବେଶ୍ ନଗରର ଲୋକମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।
”ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା। ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ। ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତ କାଳ ସ୍ଥିରୀକୃତ ହେବ; ତୁମ୍ଭର ସିଂହାସନ ଅନନ୍ତ କାଳସ୍ଥାୟୀ ହେବ।” ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ସମ୍ୱନ୍ଧରେ କଥା କହିଲେ।
”ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ।
”ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ‘ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ।
”ଏଣୁ, ସେମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍ବକ୍ତା। ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ।”
”ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।” ଆଉ, ସମସ୍ତ ଲୋକ ତାହାଙ୍କ ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା।
”ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ; କେବଳ ସେ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ପୁଣି, ରାଜା ବଳିଦାନ କରିବା ନିମନ୍ତେ ଗିବୀୟୋନ୍ ନଗରକୁ ଗଲେ; କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା; ଶଲୋମନ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
”ଗିବୀୟୋନ୍ରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ଶଲୋମନଙ୍କୁ ଦର୍ଶନ ଦେଲେ; ଆଉ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ।” ତହିଁରେ ଶଲୋମନ କହିଲେ, “ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ; ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ, ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ। ଏବେ ହେ ସଦାପ୍ରଭୁ, ମୋହର ପରମେଶ୍ୱର, ତୁମ୍ଭେ ମୋ’ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ; ମାତ୍ର, ମୁଁ ତ କ୍ଷୁଦ୍ର ବାଳକ; କିପରି ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ, ତାହା ମୁଁ ଜାଣେ ନାହିଁ। ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ସକାଶୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି। ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?” ଶଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ। ଏଥିରେ ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି, ଆପଣା ନିମନ୍ତେ ଦୀର୍ଘାୟୁ ମାଗି ନାହଁ; କିଅବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗି ନାହଁ; ଅଥବା ଆପଣା ଶତ୍ରୁମାନଙ୍କର ପ୍ରାଣ ମାଗି ନାହଁ; ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ; ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ। ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗି ନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ, ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ। ପୁଣି, ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯଦି ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା।”
”ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ; “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
”ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ।
”ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ; ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ; ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ। ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା। ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍ର ଓ ଅମ୍ମୋନୀୟମାନଙ୍କ ମିଲ୍କମ୍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍ଗାମୀ ହେଲେ। ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ନୋହିଲେ। ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ ସନ୍ତାନଗଣର ମୋଲକ୍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ଏହିରୂପେ ତାଙ୍କର ଯେଉଁ ବିଦେଶୀୟା ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ବଳିଦାନ କଲେ, ସେହି ସମସ୍ତଙ୍କ ପାଇଁ ସେ ସେହିପରି କଲେ।
”ଏହେତୁ ସଦାପ୍ରଭୁ ଶଲୋମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା; ସଦାପ୍ରଭୁ ତାଙ୍କୁ ଦୁଇ ଥର ଦର୍ଶନ ଦେଇଥିଲେ ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତ୍ଗାମୀ ହେବାକୁ ନିଷେଧ କରିଥିଲେ; ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ, ତାହା ସେ ପ୍ରତିପାଳନ କଲେ ନାହିଁ। ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା।
”ତୃତୀୟ ଦିନରେ ମୋ’ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ। ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ; ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋ’ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋ’ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
”ଏଉତ୍ତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଯେଉଁମାନେ ଲେବୀ-ସନ୍ତାନ ନୁହଁନ୍ତି, ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ। ପୁଣି, ଯାରବୀୟାମ ଅଷ୍ଟମ ମାସରେ, ମାସର ପଞ୍ଚଦଶ ଦିନରେ ଯିହୁଦାର ପର୍ବ ତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦିକୁ ଗଲେ; ଏହିରୂପେ ସେ ସ୍ୱନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବେଥେଲ୍ରେ ବଳିଦାନ କଲେ; ପୁଣି, ସେ ଆପଣାର କୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବେଥେଲ୍ରେ ସ୍ଥାପନ କଲେ।
”ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚ ସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ। ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡି ହୋଇ ପଡ଼ିଲା।
”ଏ ଘଟଣା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ। ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।
”ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି, ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ; ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।
”ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହିସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।
”ନବାଟର ପୁତ୍ର ଯାରବୀୟାମ ରାଜାଙ୍କର ରାଜତ୍ଵର ଅଠର ବର୍ଷରେ ଅବୀୟାମ ଯିହୁଦା ଉପରେ ରାଜତ୍ଵ କରିବାକୁ ଲାଗିଲେ। ସେ ଯିରୂଶାଲମରେ ତିନି ବର୍ଷ ରାଜତ୍ଵ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା। ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା।
”ପୁଣି, ଆସା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ। ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ି ଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ। ମଧ୍ୟ ଆପଣା ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ଦେଲେ। ମାତ୍ର ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଅନ୍ତଃକରଣ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା।
”ଯିହୁଦାର ଆସା ରାଜାଙ୍କର ରାଜତ୍ଵର ଦ୍ୱିତୀୟ ବର୍ଷରେ ଯାରବୀୟାମଙ୍କର ପୁତ୍ର ନାଦବ୍ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ସେହି ପାପରେ ଚାଲିଲେ।
”କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ।
”ଯିହୁଦାର ଆସା ରାଜାଙ୍କର ରାଜତ୍ଵର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜତ୍ଵ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଯାରବୀୟାମଙ୍କର ପଥରେ ଓ ଯଦ୍ଦ୍ୱାରା ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ଚାଲିଲେ।
”ବାଶାର କେହି ନଗରରେ ମଲେ, କୁକ୍କୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାହାକୁ ଖାଇବେ।
”ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।
”ଏହି ପ୍ରକାରେ ସଦାପ୍ରଭୁ ଯେହୂ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାଶାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାଶାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ; ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ।
”ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ; ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।
”ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ। କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ।
”ପୁଣି, ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ। ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍ବାଲ ରାଜାର କନ୍ୟା ଈଷେବଲ୍କୁ ବିବାହ କଲେ ଓ ଯାଇ ବାଲ୍ର ସେବା କରି ତାହାକୁ ପ୍ରଣାମ କଲେ। ଆଉ ସେ ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍ର ଗୃହରେ ବାଲ୍ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ। ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ।
”ପୁଣି, ଯେଉଁ ସମୟରେ ଈଷେବଲ୍ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା )।
”ପୁଣି, ଆହାବ ଏଲୀୟଙ୍କୁ ଦେଖିବାମାତ୍ର ଆହାବ ତାଙ୍କୁ କହିଲେ, “ହେ ଇସ୍ରାଏଲର ଦୁଃଖଦାୟକ, ଏ କ’ଣ ତୁମ୍ଭେ?” ତହୁଁ ସେ ଉତ୍ତର କଲେ, “ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍ ଦେବଗଣର ଅନୁଗାମୀ ହୋଇଅଛ। ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍ର ମେଜରେ ଭୋଜନକାରୀ ବାଲ୍ର ଚାରିଶହ ପଚାଶ ଭବିଷ୍ୟଦ୍ବକ୍ତାଙ୍କୁ ଓ ଆଶେରାର ଚାରିଶହ ଭବିଷ୍ୟଦ୍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ’ ନିକଟରେ ଏକତ୍ର କର।”
”ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍କୁ ଜଣାଇଲେ। ତହିଁରେ ଈଷେବଲ୍ ଏଲୀୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, “ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
”ଏଥିଉତ୍ତାରେ ତିଶ୍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା, ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି। ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।” ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କ’ଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରିି କରିଅଛ। ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି। ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି। ଆଉ ଈଷେବଲ୍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍କୁ ଖାଇବେ।” ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ।
”ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ। ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ। ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ। ତହୁଁ ତିଶ୍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, “ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ; ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।”
”ଆଉ ସେମାନେ ଶମରୀୟାର ପୁଷ୍କରିଣୀ ନିକଟରେ ରଥ ଧୋଇଲେ; ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକ୍କୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ଏହି ସ୍ଥାନରେ ବେଶ୍ୟାମାନେ ସ୍ନାନ କରନ୍ତି। ଏହି ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ନିର୍ମିତ ହସ୍ତୀଦନ୍ତମୟ ଗୃହ ଓ ଯେ ଯେ ନଗର ସେ ନିର୍ମାଣ କରିଥିଲେ, ତାହାସବୁ କ’ଣ ଇସ୍ରାଏଲ ରାଜାଗଣଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
”ଯିହୋଶାଫଟ୍ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ; ସେ ତହିଁରୁ ବିମୁଖ ନୋହି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ; ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନୋହିଲା; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ପୁଣି, ଯିହୋଶାଫଟ୍ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ।
”ଯିହୁଦାର ରାଜା ଯିହୋଶାଫଟ୍ଙ୍କ ରାଜତ୍ଵର ସତର ବର୍ଷରେ ଆହାବଙ୍କର ପୁତ୍ର ଅହସୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ସେ ଆପଣା ପିତାଙ୍କର ପଥରେ ଓ ଆପଣା ମାତାର ପଥରେ ଓ ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପଥରେ ଚାଲିଲେ। ପୁଣି, ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍ର ସେବା ଓ ପୂଜା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ।
”ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’” ଏଥିଉତ୍ତାରେ ଏଲୀୟଙ୍କ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ। ପୁଣି ତାଙ୍କର ପୁତ୍ର ନ ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଯିହୋରାମ୍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।
”ଯିହୁଦାର ରାଜା ଯିହୋଶାଫଟ୍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ବାର ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍ର ସ୍ତମ୍ଭ ଦୂର କରି ଦେଲେ। ତଥାପି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ।
”ଆହାବଙ୍କର ପୁତ୍ର ଇସ୍ରାଏଲର ରାଜା ଯୋରାମ୍ଙ୍କ ରାଜତ୍ଵର ପଞ୍ଚମ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଯିହୋରାମ୍ ରାଜତ୍ଵ କରିବାକୁ ଆରମ୍ଭ କଲେ, ସେହି ସମୟରେ ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ସେ ରାଜତ୍ଵ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ। ପୁଣି ସେ ଆହାବଙ୍କର ବଂଶାନୁସାରେ ଇସ୍ରାଏଲ ରାଜାମାନଙ୍କ ପଥରେ ଚାଲିଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ ଓ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ବାଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଅଥଲୀୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ। ପୁଣି ଅହସୀୟ ଆହାବ ବଂଶର ପଥରେ ଚାଲି ଆହାବ ବଂଶର କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ସେ ଆହାବ ବଂଶର ଜାମାତା ଥିଲେ।
”ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।” ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ। କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
”ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା। ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?” ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ। ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ। ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଶାପଗ୍ରସ୍ତା ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।” ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ ଏହେତୁ ସେମାନେ ଫେରି ଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍ର ମାଂସ ଖାଇବେ; ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ।’”
”ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ। ଏହେତୁ ଏବେ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋ’ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ। ଆଉ ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ନିରୂପଣ କର।” ତହୁଁ ସେମାନେ ତାହା ଘୋଷଣା କଲେ। ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଆଉ ଲୋକମାନେ ବାଲ୍ର ମନ୍ଦିରକୁ ଆସନ୍ତେ, ବାଲ୍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା। ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷକୁ କହିଲେ, “ବାଲ୍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା। ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍ ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।” ଏଥିଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ। ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ି ଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣର ବଦଳ ହେବ।”
”ଆଉ ବାଲ୍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।
”ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ।
”ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା।
”ଯିହୋୟାଦା ଯାଜକ ଯୋୟାଶ୍ଙ୍କୁ ଯେତେ ଦିନ ଶିକ୍ଷା ଦେଲା, ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
”ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍ଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍ ତହିଁରୁ ବିମୁଖ ହେଲେ ନାହିଁ।
”ଯିହୁଦାର ଯୋୟାଶ୍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ଵ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ।
”ଇସ୍ରାଏଲର ରାଜା ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶ୍ଙ୍କ ପୁତ୍ର ଅମତ୍ସୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ। ସେ ରାଜତ୍ଵ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିହୋୟଦ୍ଦନ୍, ସେ ଯିରୂଶାଲମ ନିବାସିନୀ ଥିଲେ। ପୁଣି ଅମତ୍ସୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ନୁହେଁ; ସେ ଆପଣା ପିତା ଯୋୟାଶ୍ଙ୍କର କୃତ ସମସ୍ତ କର୍ମାନୁସାରେ କର୍ମ କଲେ। ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
”ଯିହୁଦାର ରାଜା ଯୋୟାଶ୍ଙ୍କର ପୁତ୍ର ଅମତ୍ସୀୟଙ୍କ ରାଜତ୍ଵର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶ୍ଙ୍କର ପୁତ୍ର ଯାରବୀୟାମ୍ ଶମରୀୟାରେ ରାଜତ୍ଵ କରିବାକୁ ଆରମ୍ଭ କରି ଏକଚାଳିଶ ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
”ଇସ୍ରାଏଲର ରାଜା ଯାରବୀୟାମ୍ଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ। ପୁଣି ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ୍ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
”ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଠତିରିଶ ବର୍ଷରେ ଯାରବୀୟାମ୍ଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ। ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
”ଯିହୁଦାର ରାଜା ଉଷୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ରାଜତ୍ଵ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ। ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ।
”ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ।
”ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
”ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହିସବୁ ପାପରୁ ସେ ବିମୁଖ ହେଲେ ନାହିଁ।
”ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜତ୍ଵ କରିବାକୁ ଆରମ୍ଭ କଲେ। ସେ ରାଜତ୍ଵ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ। ଯୋଥମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ। ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ।
”ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ସତର ବର୍ଷରେ ଯିହୁଦାର ରାଜା ଯୋଥମ୍ଙ୍କର ପୁତ୍ର ଆହସ୍ ରାଜତ୍ଵ କରିବାକୁ ଆରମ୍ଭ କଲେ। ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ। ପୁଣି ସେ ଉଚ୍ଚସ୍ଥଳୀମାନରେ ଓ ପର୍ବତଗଣ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
”ଯିହୁଦାର ରାଜା ଆହସ୍ଙ୍କ ରାଜତ୍ଵର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ନଅ ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ମାତ୍ର ଆପଣା ପୂର୍ବବର୍ତ୍ତୀ ଇସ୍ରାଏଲ ରାଜାମାନଙ୍କ ତୁଲ୍ୟ ନୁହେଁ।
”ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋଶେୟଙ୍କ ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ରାଜା ଆହସ୍ଙ୍କର ପୁତ୍ର ହିଜକୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ। ସେ ରାଜତ୍ଵ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅବୀ, ସେ ଜିଖରୀୟଙ୍କ କନ୍ୟା ଥିଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ। ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ, ତାଙ୍କର ପରବର୍ତ୍ତୀ ଯିହୁଦାର ସମସ୍ତ ରାଜାଙ୍କ ମଧ୍ୟରେ କେହି ତାଙ୍କ ପରି ନ ଥିଲେ, କିଅବା ତାଙ୍କର ପୂର୍ବବର୍ତ୍ତୀମାନଙ୍କ ମଧ୍ୟରେ କେହି ନ ଥିଲେ। କାରଣ ସେ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେଲେ, ସେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ, ଆଉ ସଦାପ୍ରଭୁ ମୋଶାଙ୍କୁ ଯାହା ଆଜ୍ଞା କରିଥିଲେ, ତାହାଙ୍କର ସେସବୁ ଆଜ୍ଞା ସେ ପାଳନ କଲେ।
”ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋ’ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋ’ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନିଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା। ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ। ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।
”ତହିଁରେ ହିଜକୀୟ ସେମାନଙ୍କ କଥା ଶୁଣିଲେ ଓ ଆପଣା ବହୁମୂଲ୍ୟ ପଦାର୍ଥର ସମୁଦାୟ ଗୃହ, ରୂପା ଓ ସୁନା ଓ ସୁଗନ୍ଧି ଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲେ, ଏପରି କୌଣସି ଦ୍ରବ୍ୟ ତାଙ୍କ ଗୃହରେ କି ତାଙ୍କର ସମୁଦାୟ ରାଜ୍ୟରେ ନ ଥିଲା। ସେତେବେଳେ ଯିଶାଇୟ ଭବିଷ୍ୟଦ୍ବକ୍ତା ହିଜକୀୟ ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ?” ତହିଁରେ ହିଜକୀୟ କହିଲେ, “ସେମାନେ ଦୂର ଦେଶ ବାବିଲରୁ ଆସିଅଛନ୍ତି।” ଏଥିରେ ଯିଶାଇୟ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କି କି ବିଷୟ ଦେଖିଅଛନ୍ତି?” ତହୁଁ ହିଜକୀୟ ଉତ୍ତର କଲେ, “ମୋ’ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ନ ଦେଖାଇଲି, ଏପରି କୌଣସି ପଦାର୍ଥ ମୋ’ ଭଣ୍ଡାର ସମୂହରେ ନାହିଁ।” ଏଥିରେ ଯିଶାଇୟ ହିଜକୀୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ: ‘ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି।’ ସଦାପ୍ରଭୁ କହନ୍ତି, ‘କିଛି ଛଡ଼ା ଯିବ ନାହିଁ।
”ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ ଆଉ ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ। ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ। ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ। ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ। ଆହୁରି ସେ ମନ୍ଦିରରେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ। ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ଚିରକାଳ ସ୍ଥାପନ କରିବା।
”ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।
”ଆମୋନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ ତାଙ୍କର ମାତାର ନାମ ମଶୁଲ୍ଲେମତ୍, ସେ ଯଟ୍ବା ନିବାସୀ ହାରୁଷଙ୍କର କନ୍ୟା ଥିଲେ। ପୁଣି ଆମୋନ୍ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ, ସେ ସେହି ସମସ୍ତ ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ, ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ। ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ।
”ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ, ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିଦୀଦା, ସେ ବସ୍କତୀୟ ଅଦାୟାଙ୍କର କନ୍ୟା ଥିଲେ। ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ, ପୁଣି ସେ ଡାହାଣ କିମ୍ବା ବାମ ପାର୍ଶ୍ୱକୁ ଫେରିଲେ ନାହିଁ।
”ସେତେବେଳେ ହିଲ୍କୀୟ ମହାଯାଜକ ଶାଫନ୍ ଲେଖକଙ୍କୁ କହିଲା, “ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ଆଉ ହିଲ୍କିୟ ଶାଫନ୍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା। ଏଥିଉତ୍ତାରେ ଶାଫନ୍ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ବାଦ ଦେଇ କହିଲା, “ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ଆହୁରି ଶାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, “ହିଲ୍କିୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ଶାଫନ୍ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା।” ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକରୁ ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ। ପୁଣି ରାଜା ଯୋଶୀୟ ହିଲ୍କିୟ ଯାଜକକୁ ଓ ଶାଫନ୍ର ପୁତ୍ର ଅହୀକାମ୍କୁ ଓ ମୀଖାୟର ପୁତ୍ର ଅକ୍ବୋରକୁ ଓ ଶାଫନ୍ ଲେଖକଙ୍କୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନ ହେବାରୁ, ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି।”
”ଆଉ ଯିହୁଦାର ରାଜାମାନେ ଆହସ୍ର ଉପରିସ୍ଥ କୋଠରି ଛାତ ଉପରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ, ରାଜା ସେସବୁକୁ ସେସ୍ଥାନରୁ ଭାଙ୍ଗି ପକାଇ ଚୂର୍ଣ୍ଣ କଲେ ଓ ତହିଁର ଧୂଳି କିଦ୍ରୋଣ ନଦୀରେ ଫୋପାଡି ଦେଲେ। ପୁଣି ବିନାଶ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଯିରୂଶାଲମ ସମ୍ମୁଖରେ ଇସ୍ରାଏଲର ରାଜା ଶଲୋମନ ସୀଦୋନୀୟମାନଙ୍କ ଘୃଣାଯୋଗ୍ୟ ଅଷ୍ଟାରୋତ୍ ନିମନ୍ତେ ଓ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ ସନ୍ତାନଗଣର ଘୃଣାଯୋଗ୍ୟ ମିଲ୍କମ୍ ନିମନ୍ତେ ଯେ ଯେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ସେସବୁକୁ ରାଜା ଅଶୁଚି କଲେ। ଆଉ ସେ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ।
”ଆହୁରି ଯୋଶୀୟ ଯେପରି ସଦାପ୍ରଭୁଙ୍କ ଗୃହରେ ହିଲ୍କୀୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ଏଥିପାଇଁ ଯିହୁଦା ଦେଶରେ ଓ ଯିରୂଶାଲମରେ ଯେସବୁ ଭୂତୁଡ଼ିଆ, ଗୁଣିଆ, ଠାକୁର, ପୁତ୍ତଳି ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା, ସେ ତାହାସବୁ ଦୂର କଲେ। ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ। ତଥାପି ମନଃଶି ଯେସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ, ତହିଁ ସକାଶୁ ଯିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ।
”ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା ଥିଲେ। ସେ ଆପଣା ପୂର୍ବପୁରୁଷଗଣର ସକଳ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ସବୀଦା, ସେ ରୁମା ନିବାସୀ ପଦାୟର କନ୍ୟା ଥିଲେ। ଏହି ଯିହୋୟାକୀମ୍ ଆପଣା ପୂର୍ବପୁରୁଷଗଣର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଯିରୂଶାଲମ ନିବାସୀ ଇଲ୍ନାଥନର କନ୍ୟା। ଯିହୋୟାଖୀନ୍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ। ଆହୁରି ନବୂଖଦ୍ନିତ୍ସର ଯିହୋୟାଖୀନ୍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା। ଆଉ ସମସ୍ତ ବଳବାନ ଲୋକଙ୍କୁ, ଅର୍ଥାତ୍, ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲ ରାଜା ବନ୍ଦୀ କରି ବାବିଲକୁ ନେଇଗଲା, ଏସମସ୍ତେ ବଳବାନ ଓ ଯୁଦ୍ଧଯୋଗ୍ୟ ଥିଲେ।
”ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ୍; ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା। ଆଉ ସେ ଯିହୋୟାକୀମ୍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍ନିତ୍ସରର ବିଦ୍ରୋହୀ ହେଲେ।
”ତହୁଁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲେ; ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ଡାଜ୍ଞା କଲେ। ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲେ।
”ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ବସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।
”ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କର ଅଗ୍ରଣୀ ହେବ।
”ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା-ବଂଶ ମଧ୍ୟରୁ ମୋ’ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋ’ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋ’ଠାରେ ସନ୍ତୁଷ୍ଟ ହେଲେ; ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋ’ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି।
”ଆଉ, ସେ ମୋତେ କହିଅଛନ୍ତି, ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। ଆଉ, ଆଜିର ନ୍ୟାୟ ଯଦି ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା। ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ୱେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ।
”ଯିଶୀର ପୁତ୍ର ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ। ଇସ୍ରାଏଲ ଉପରେ ତାଙ୍କର ରାଜତ୍ୱର ସମୟ ଚାଳିଶ ବର୍ଷ; ସେ ସାତ ବର୍ଷ ହିବ୍ରୋଣରେ ଓ ତେତ୍ରିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ। ତହିଁ ଉତ୍ତାରେ ସେ ଆୟୁଷ, ଧନ ଓ ସମ୍ଭ୍ରମରେ ପରିପୂର୍ଣ୍ଣ ହୋଇ ଉତ୍ତମ ବୃଦ୍ଧାବସ୍ଥାରେ ମଲେ; ପୁଣି, ତାଙ୍କ ପୁତ୍ର ଶଲୋମନ ତାଙ୍କ ପଦରେ ରାଜ୍ୟ କଲେ।
”ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ୍ କଲେ। ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ। ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍ସ୍ଥିତ ଉଚ୍ଚସ୍ଥଳୀକୁ ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। ମାତ୍ର ଦାଉଦ କିରୀୟଥ୍-ଯିୟାରୀମ୍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।
”ଏଥିଉତ୍ତାରେ ସେ ଇସ୍ରାଏଲର ସମସ୍ତ ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଆପଣା ହସ୍ତ ବିସ୍ତାର କରି ଠିଆ ହେଲେ; କାରଣ ଶଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚ ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ; ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁ ପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
”ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।” ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ। ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ।
”ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ। ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।
”ଏହିରୂପେ ରିହବୀୟାମ ଯିରୂଶାଲମରେ ଆପଣାକୁ ବଳବାନ କରି ରାଜତ୍ୱ କଲେ; ରିହବୀୟାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକଚାଳିଶ ବର୍ଷ ବୟସ୍କ ହୋଇଥିଲେ, ଆଉ ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମ ନଗରରେ ସେ ସତର ବର୍ଷ ରାଜତ୍ୱ କଲେ; ତାଙ୍କ ମାତାର ନାମ ନୟମା, ସେ ଅମ୍ମୋନ ଦେଶୀୟା ଥିଲା। ପୁଣି ସେ ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବିଷ୍ଟ ନ କରିବାରୁ କୁକର୍ମ କଲା।
”ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଚ୍ଛା ଲୋକ ହତ ହୋଇ ପଡ଼ିଲେ।
”ପୁଣି ଅବୀୟର ଜୀବନ କାଳଯାଏ ଯାରବୀୟାମ୍ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ।
”ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ; କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ; ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ। ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
”ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା।
”ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।
”ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ।
”ଆଉ, ଯିହୋଶାଫଟ୍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡିକୁ ପାଳନ କଲେ, ଓ ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ। ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ। ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ।
”ପୁଣି ମୀଖାୟ କହିଲା, “ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି।” ତହିଁରେ ସଦାପ୍ରଭୁ କହିଲେ, “ଇସ୍ରାଏଲର ରାଜା ଆହାବ ଯେପରି ରାମୋତ୍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ? ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ। ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ମୁଁ ତାହାକୁ ଫୁସୁଲାଇବି।” ତହୁଁ ସଦାପ୍ରଭୁ ତାହାକୁ କହିଲେ, “କାହିଁରେ?” ସେ କହିଲା, “ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି” ତେବେ ସେ କହିଲେ, “ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
”ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋ’ଠାରୁ କେଉଁ ବାଟେ ଗଲେ?” ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକୁ ଯିବ, ସେହି ଦିନ ତାହା ଜାଣିବ।” ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍ ଓ ରାଜପୁତ୍ର ଯୋୟାଶ୍ ନିକଟକୁ ନେଇ ଯାଅ;” ପୁଣି କୁହ, ରାଜା ଏହି କଥା କହନ୍ତି, “ଏହାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ।” ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ଦ୍ୱାରା କହି ନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
”ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।” ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।
”ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ; ଯିହୋଶାଫଟ୍ ତର୍ଶୀଶ୍କୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ। ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି। ତହିଁରେ ସେହିସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶ୍କୁ ଯାଇ ପାରିଲା ନାହିଁ।
”ଯିହୋରାମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ। ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଏଥିଉତ୍ତାରେ ସଦାପ୍ରଭୁ ଯିହୋରାମ୍ଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟସ୍ଥ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ। ତହିଁରେ ସେମାନେ ଯିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି, ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ; ତହିଁରେ ତାଙ୍କର କନିଷ୍ଠ ପୁତ୍ର ଯିହୋୟାହସ୍ ବ୍ୟତୀତ ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ। ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତ୍ରବ୍ୟାଧିରେ ଆଘାତ କଲେ। ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
”ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ। ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ। ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ।
”ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, ଯେଉଁ ଯିହୋଶାଫଟ୍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ। ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
”ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ; ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉ ଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସାଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।
”ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା। ଏଉତ୍ତାରେ ସମଗ୍ର ଲୋକ ବାଲ୍-ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍ର ଯାଜକ ମତ୍ତନକୁ ବଧ କଲେ। ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।
”ଯୋୟାଶ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ଯେ ବେର୍ଶେବା ନିବାସିନୀ ଥିଲେ। ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
”ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ। ଏହିରୂପେ, ତାହାର ପିତା ଯିହୋୟାଦା ଯୋୟାଶ୍ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ ନ କରି ସେ ତାହାର ପୁତ୍ରକୁ ବଧ କଲେ। ପୁଣି, ସେ ମରଣ କାଳରେ କହିଲା, ସଦାପ୍ରଭୁ ଏଥି ପ୍ରତି ଦୃଷ୍ଟିପାତ କରନ୍ତୁ ଓ ତହିଁର ପରିଶୋଧ ନେଉନ୍ତୁ।
”ଅମତ୍ସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିହୋୟଦ୍ଦନ୍, ସେ ଯିରୂଶାଲମ ନିବାସିନୀ ଥିଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ।
”ଅମତ୍ସୀୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଯିରୂଶାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ତହିଁରେ ସେ ଲାଖୀଶ୍କୁ ପଳାଇଲେ; ମାତ୍ର ସେମାନେ ତାଙ୍କ ପଛେ ଲାଖୀଶ୍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ।
”ଉଷୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ। ପୁଣି, ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ଆଉ, ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରୀୟର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ ଓ ସେ ଯେତେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ସେତେ ସମୟ ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ।
”ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ; ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ। ସେତେବେଳେ ଉଷୀୟ କୋପାନ୍ୱିତ ହେଲେ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା। ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ି ଦେଲେ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ। ତହିଁରେ ଉଷୀୟ ରାଜା ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ୍ ଗୃହରେ ବାସ କଲେ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
”ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ। ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ।
”ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ମଧ୍ୟ ବାଲ୍ ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ। ଆହୁରି, ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।
”ପୁଣି, ସେହି ଆହସ୍ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ-ଲଙ୍ଘନ କଲେ। କାରଣ ଯେଉଁ ଦମ୍ମେଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ; ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ। ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ। ଏଉତ୍ତାରେ ଆହସ୍ ପରମେଶ୍ୱରଙ୍କ ଗୃହର ପାତ୍ରସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ରସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟସବୁ ବନ୍ଦ କଲେ; ପୁଣି ସେ ଯିରୂଶାଲମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦି ନିର୍ମାଣ କଲେ। ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।
”ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବୀୟ, ଯେ ଜିଖରୀୟର କନ୍ୟା ଥିଲେ। ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଆପଣା ରାଜତ୍ଵର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ମରାମତି କଲେ।
”ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ। ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ-ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ। ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ। ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।
”ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ି ଦେଲେ।
”ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ। ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତ ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ। ପୁଣି, ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ। ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ। ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ। ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ-ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା; ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ। ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
”ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ। ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲ୍କୁ ନେଇଗଲେ। ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ। ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
”ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇ ଦେଲେ। ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ। ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
”ଆମୋନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ। ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ-ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ। ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍ ଅଧିକ ଅଧିକ ଅପରାଧ କଲେ।
”ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ। ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ। ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ। ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
”ତହିଁରେ ହିଲ୍କୀୟ ଶାଫନ୍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍କୀୟ ଶାଫନ୍କୁ ସେହି ପୁସ୍ତକ ଦେଲା। ଆଉ, ଶାଫନ୍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି। ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ି ନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଆହୁରି, ଶାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା। ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ। ପୁଣି, ରାଜା ହିଲ୍କୀୟକୁ ଓ ଶାଫନ୍ର ପୁତ୍ର ଅହୀକାମ୍କୁ ଓ ମୀଖାର ପୁତ୍ର ଅବ୍ଦୋନ୍କୁ ଓ ଶାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ, ତୁମ୍ଭେମାନେ ଯାଇ ମୋ’ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।
”ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା। କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ। ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
”ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ। ଆଉ, ଯିରୂଶାଲମର ଓ ବିନ୍ୟାମୀନ୍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ। ପୁଣି, ଯୋଶୀୟ ଇସ୍ରାଏଲ ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନ ଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।
”ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ।
”ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ।
”ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
”ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
”ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ୍ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖ ନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ। ମଧ୍ୟ ଯେଉଁ ନବୂଖଦ୍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ। ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
”ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା। ଏନିମନ୍ତେ ସେ କଲ୍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ। ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା। ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ। ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ; ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
”ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ପାରସ୍ୟର ରାଜା କୋରସ୍ ଏହା କହନ୍ତି, “ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।
”ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା, “ପାରସ୍ୟର ରାଜା କୋରସ୍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।
”ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
”ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ। ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ। ଏଣୁ ରାଜଦ୍ୱାରବର୍ତ୍ତୀ ରାଜାଙ୍କ ଦାସଗଣ ମର୍ଦ୍ଦଖୟଙ୍କୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ”? ଏହିରୂପେ ସେମାନେ ପ୍ରତିଦିନ ତାହାଙ୍କୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ; ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ।
”ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ପୁଣି, ଏକ ଦିନରେ, ଅର୍ଥାତ୍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାଙ୍କ ସବୁ ପ୍ରଦେଶକୁ ପ୍ରେରିତ ହେଲେ। ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉଦ୍ବିଗ୍ନ ହେଲା।
”ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ। ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ। ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।”
”ପୃଥିବୀ ଦୁଷ୍ଟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି; ସେ ତହିଁର ବିଚାରକର୍ତ୍ତୃଗଣର ମୁଖ ଆଚ୍ଛାଦନ କରନ୍ତି; ଯଦି ସେ ନ କରନ୍ତି, ତେବେ ଆଉ କିଏ?
”ଯେ ନ୍ୟାୟ ଘୃଣା କରେ, ସେ କି ଶାସନ କରିବ? ଓ ଯେ ଧାର୍ମିକ ଓ ପରାକ୍ରମୀ, ତାହାଙ୍କୁ କି ତୁମ୍ଭେ ଦୋଷୀ କରିବ?
”ରାଜାକୁ, ତୁମ୍ଭେ ଅଧମ; ଅବା ଅଧିପତିମାନଙ୍କୁ, ତୁମ୍ଭେମାନେ ଦୁଷ୍ଟ ବୋଲି କହିବାର କି ଉପଯୁକ୍ତ?
”ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡଯନ୍ତ୍ର କରନ୍ତି? ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
”ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି। ମୁଁ ସେହି ବିଧାନ ପ୍ରଚାର କରିବି; ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର; ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା। ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।” ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର। ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର।
”ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେମାନେ ସମସ୍ତେ ପାତାଳକୁ ଚାଲିଯିବେ। କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ। ହେ ସଦାପ୍ରଭୁ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ; ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ। ହେ ସଦାପ୍ରଭୁ, ସେମାନଙ୍କୁ ଭୟଗ୍ରସ୍ତ କର; ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। [ସେଲା]
”ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।
”ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
”ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ। କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି।
”ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। [ସେଲା]
”ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି। ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ। ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।
”କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ। [ସେଲା] ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର। କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର। ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।
”କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।
”ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।
”ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।
”ମୋ’ ଦ୍ୱାରା ରାଜାମାନେ ରାଜତ୍ୱ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି। ମୋ’ ଦ୍ୱାରା ଅଧିପତିମାନେ, କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି।
”ଧାର୍ମିକତା ରାଜ୍ୟର ଉନ୍ନତି ଜନ୍ମାଏ; ମାତ୍ର ପାପ ନରଗଣର ଅପମାନ। ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହପାତ୍ର; ପୁଣି, ଯେ ଲଜ୍ଜା ଜନ୍ମାଏ, ତାହା ପ୍ରତି ସେ କ୍ରୋଧ କରନ୍ତି।
”ରାଜାର ଓଷ୍ଠରେ ଦିବ୍ୟ-ବାକ୍ୟ ଥାଏ, ତାହାର ମୁଖ ବିଚାରରେ ସତ୍ୟ-ଲଙ୍ଘନ କରିବ ନାହିଁ। ଯଥାର୍ଥ ବିଶା ଓ ଦଣ୍ଡି ସଦାପ୍ରଭୁଙ୍କର ଓ ଥଳୀରେ ଥିବା ବଟଖରାସବୁ ତାହାଙ୍କର କର୍ମ। କୁକର୍ମ କରିବାର ରାଜାମାନଙ୍କର ଘୃଣା ବିଷୟ; ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ। ଧର୍ମଯୁକ୍ତ ଓଷ୍ଠ ରାଜାମାନଙ୍କର ତୁଷ୍ଟିକର, ପୁଣି, ଯଥାର୍ଥବାଦୀକୁ ସେମାନେ ପ୍ରେମ କରନ୍ତି। ରାଜାର କ୍ରୋଧ ମୃତ୍ୟୁୁର ଦୂତ ପରି; ମାତ୍ର ଜ୍ଞାନୀ ଲୋକ ତାହା ଶାନ୍ତ କରେ। ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ, ପୁଣି ତାହାର ଅନୁଗ୍ରହ ଶେଷ ବର୍ଷାର ମେଘ ସ୍ୱରୂପ
”ମୂର୍ଖର ସୁଖଭୋଗ ଅନୁପଯୁକ୍ତ; ଅଧିପତିମାନଙ୍କ ଉପରେ ଦାସର କର୍ତ୍ତୃତ୍ୱ ତତୋଧିକ ଅନୁପଯୁକ୍ତ। ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ। ରାଜାର କୋପ ସିଂହ ଗର୍ଜ୍ଜନ ପରି; ମାତ୍ର ତାହାର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।
”ରାଜାର ଭୟଙ୍କରତା ସିଂହ ଗର୍ଜ୍ଜନ ପରି; ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ଆପଣା ପ୍ରାଣ ବିରୁଦ୍ଧରେ ପାପ କରେ।
”ଯେଉଁ ରାଜା ବିଚାରାସନରେ ବସେ, ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟସବୁ ଉଡ଼ାଇ ଦିଏ।
”ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁ ଆଡ଼େ ଇଚ୍ଛା, ସେ ଆଡ଼େ ତାହା ଫେରାନ୍ତି।
”ହେ ମୋହର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର, ପୁଣି, ଚଞ୍ଚଳମତିମାନଙ୍କ ସଙ୍ଗରେ ଲିପ୍ତ ହୁଅ ନାହିଁ। କାରଣ ହଠାତ୍ ସେମାନଙ୍କର ବିପଦ ଘଟିବ; ପୁଣି, ସେହି ଉଭୟର ସଂହାର କିଏ ଜାଣେ?
”ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ। ଉଚ୍ଚତା ହେତୁ ସ୍ୱର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ। ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରୀ ପାଇଁ ଏକ ପାତ୍ର ବାହାର ହେବ। ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ। ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି, ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ। କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ।
”ଯେପରି ଗର୍ଜ୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ; ସେପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା। ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
”ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି; ମାତ୍ର ଦୁଷ୍ଟ ଲୋକ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି। ଯେଉଁ ଲୋକ ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଆନନ୍ଦିତ କରେ; ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ। ରାଜା ସୁବିଚାର ଦ୍ୱାରା ଦେଶ ସୁସ୍ଥିର କରେ; ମାତ୍ର ଯେ ଉପହାରପ୍ରିୟ, ସେ ତାହା ଉଜାଡ଼ି ପକାଏ।
”ଶାସନକର୍ତ୍ତା ଯେବେ ମିଥ୍ୟା କଥାରେ କାନ ଡେରେ, ତେବେ ତାହାର ସେବକ ସବୁ ଦୁଷ୍ଟ ହୁଅନ୍ତି। ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି। ଯେଉଁ ରାଜା ବିଶ୍ୱସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ, ତାହାର ସିଂହାସନ ସଦାକାଳ ସୁସ୍ଥିର ହେବ।
”ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ। ସେମାନେ ପାନ କଲେ, ବ୍ୟବସ୍ଥା ପାସୋରି ଦୁଃଖୀସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ।
”ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ୱରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର। ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ; କୌଣସି ମନ୍ଦ ବିଷୟର ସପକ୍ଷରେ ଠିଆ ହୁଅ ନାହିଁ; କାରଣ ଯାହା ତାଙ୍କର ଇଚ୍ଛା, ସେ ତାହା କରନ୍ତି। ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହି ପାରେ?
”ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ; ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ; କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନି ଯିବ ଓ ପକ୍ଷଧାରୀ ସେ କଥା ଜଣାଇ ଦେବ।
”ତୁମ୍ଭମାନଙ୍କର ଦେଶ ଧ୍ୱଂସସ୍ଥାନ; ତୁମ୍ଭମାନଙ୍କର ନଗରସବୁ ଅଗ୍ନିରେ ଦଗ୍ଧ; ତୁମ୍ଭମାନଙ୍କର ଭୂମି ବିଦେଶୀମାନେ ତୁମ୍ଭମାନଙ୍କର ସାକ୍ଷାତରେ ଗ୍ରାସ କରନ୍ତି, ତାହା ବିଦେଶୀମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସସ୍ଥାନ ହୋଇଅଛି। ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର, କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି। ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ଅତି ଅଳ୍ପ ଲୋକ ଅବଶିଷ୍ଟ ରଖି ନ ଥିଲେ, ଆମ୍ଭେମାନେ ସଦୋମର ତୁଲ୍ୟ ହୋଇଥା’ନ୍ତୁ, ଆମ୍ଭେମାନେ ହମୋରାର ତୁଲ୍ୟ ହୋଇଥା’ନ୍ତୁ। ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।
”ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ତୁମ୍ଭର ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ। ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ; ସେହିସବୁ ଆମ୍ଭ ପ୍ରତି କ୍ଲେଶକର; ଆମ୍ଭେ ସେହିସବୁ ବହିବାକୁ କ୍ଳାନ୍ତ ହୋଇଅଛୁ।
”ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
”ଏହି ଲୋକମାନେ ଯେଉଁ ସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ; କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ।
”କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ।
”ପୁଣି, ରାଜ୍ୟସମୂହର ଗୌରବ ସ୍ୱରୂପ ଓ କଲ୍ଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ, ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ। ତାହା କଦାଚ ବସତି ସ୍ଥାନ ହେବ ନାହିଁ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ।
”ସେହି ଦିନ ତୁମ୍ଭେ ବାବିଲ ରାଜ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, ଉପଦ୍ରବକାରୀ କିପରି ଶେଷ ହୋଇଅଛି! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି! ଯେଉଁମାନେ କୋପରେ ନାନା ଗୋଷ୍ଠୀକୁ ଅନବରତ ଆଘାତ କଲେ ଓ ନାନା ଦେଶୀୟ ଲୋକଙ୍କୁ କ୍ରୋଧରେ ଶାସନ କରି ଅନିବାରିତ ରୂପେ ତାଡ଼ନା କଲେ,
”ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି।
”ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ।
”କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।
”ଆମ୍ଭେ କୋରସ୍ ବିଷୟରେ କହୁ, ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ; ସେ ଯିରୂଶାଲମ ବିଷୟରେ କହିବ, ତାହା ପୁନଃର୍ନିର୍ମିତ ହେବ ଓ ମନ୍ଦିରକୁ କହିବ, ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ।”
”ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍, କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଡାହାଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାରସବୁ ବନ୍ଦ ହେବ ନାହିଁ;
”କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ।
”ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”
”ସଦାପ୍ରଭୁ କହନ୍ତି, “ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।”
”ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା; ସେ ବଳବାନ ଗୋଷ୍ଠୀ, ପ୍ରାଚୀନ ଗୋଷ୍ଠୀ, ସେହି ଗୋଷ୍ଠୀର ଭାଷା ତୁମ୍ଭେ ଜାଣ ନାହିଁ, କିଅବା ସେମାନଙ୍କର କଥା ତୁମ୍ଭେ ବୁଝ ନାହିଁ।”
”ଯେହେତୁ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ; ପୁଣି ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି।
”ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।
”ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକି ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା,” ଏହା ସଦାପ୍ରଭୁ କହନ୍ତି।
”ତହୁଁ ମୋ’ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ। ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା; ସେତେବେଳେ ଯେଉଁ ଗୋଷ୍ଠୀ ବିଷୟରେ ଆମ୍ଭେ କହିଅଛୁ, ସେମାନେ ଯଦି ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି, ତେବେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ଆମ୍ଭେ ମନରେ କଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା। ପୁଣି, ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀକି ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା; ସେତେବେଳେ ସେ ଯଦି ଆମ୍ଭର ରବ ନ ମାନି ଆମ୍ଭ ଦୃଷ୍ଟିରେ ଦୁଷ୍କର୍ମ କରେ, ତେବେ ଆମ୍ଭେ ତାହା ପ୍ରତି ଯେଉଁ ମଙ୍ଗଳ କରିବାର କଥା କହିଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।”
”ପୁଣି, ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ଯାବତୀୟ ରାଜାଙ୍କୁ, ପରସ୍ପରର ସହିତ ଓ ଭୂମଣ୍ଡଳର ଉପରିସ୍ଥ ଜଗତର ସମୁଦାୟ ରାଜ୍ୟକୁ ପାନ କରାଇଲି; ଆଉ, ସେମାନଙ୍କ ଉତ୍ତାରେ ଶେଶକର ରାଜା ପାନ କରିବ। ଆଉ, ତୁମ୍ଭେ ସେମାନଙ୍କୁ କହିବ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ହେତୁ ପତିତ ହୋଇ ଆଉ ଉଠ ନାହିଁ।’
”ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ ଓ ପୃଥିବୀର ପ୍ରାନ୍ତ ସୀମାରୁ ଏକ ମହା ତୋଫାନ ଉଠିବ। ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।” ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ହେ ମେଷଗଣର ଅଗ୍ରଗଣ୍ୟମାନେ, ତୁମ୍ଭେମାନେ ଭସ୍ମରେ ଗଡ଼; କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହେଲା, ଆଉ ଆମ୍ଭେ ତୁମ୍ଭମାନଙ୍କୁ ଖଣ୍ଡ ଖଣ୍ଡ କରି ଭାଙ୍ଗିବା ଓ ତୁମ୍ଭେମାନେ ମନୋହର ପାତ୍ର ତୁଲ୍ୟ ପଡ଼ିଯିବ। ପୁଣି, ମେଷପାଳକମାନେ ପଳାଇବାର ବାଟ ପାଇବେ ନାହିଁ ଓ ପଲର ଅଗ୍ରଗଣ୍ୟମାନେ ରକ୍ଷା ପାଇବେ ନାହିଁ। ମେଷପାଳକମାନଙ୍କର କ୍ରନ୍ଦନର ଶବ୍ଦ ଓ ମେଷର ଅଗ୍ରଗଣ୍ୟମାନଙ୍କର ହାହାକାର ଶବ୍ଦ ଶୁଣାଯାଏ। କାରଣ ସଦାପ୍ରଭୁ ସେମାନଙ୍କର ଚରାସ୍ଥାନ ଉଜାଡ଼ କରୁଅଛନ୍ତି।
”ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।’”
”ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
”ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ। ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।
”ସଦାପ୍ରଭୁ କହନ୍ତି, “ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
”ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା; ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ” ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ; ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ; ଆଉ ସେମାନେ କ୍ଳାନ୍ତ ହେବେ।”
”ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି;
”ସ୍ୱପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ। ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟ-ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୁନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ। ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ। ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ। ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥିଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇ ଅଛନ୍ତି; ପୁଣି, ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।
”ସେତେବେଳେ ରାଜା ନବୂଖଦ୍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା। ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ୱର ଈଶ୍ୱରଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି। ତହୁଁ ରାଜା ଦାନିୟେଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲା, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ୱାନ୍ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲା। ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।
”ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅ ହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା; ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସେ ତାହା ସ୍ଥାପନ କଲା। ତହିଁରେ ରାଜା ନବୂଖଦ୍ନିତ୍ସର ସେହି ଯେଉଁ ପ୍ରତିମା ସ୍ଥାପନ କରିଥିଲା, ତାହାର ପ୍ରତିଷ୍ଠା କରିବାକୁ ଆସିବା ପାଇଁ କ୍ଷିତିପାଳମାନଙ୍କୁ, ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷଗଣଙ୍କୁ, ବିଚାରକର୍ତ୍ତାଗଣଙ୍କୁ, କୋଷାଧ୍ୟକ୍ଷଗଣଙ୍କୁ, ବ୍ୟବସ୍ଥାପକଗଣଙ୍କୁ, ବେବର୍ତ୍ତାଗଣଙ୍କୁ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣଙ୍କୁ ଏକତ୍ର କରିବା ପାଇଁ ରାଜା ନବୂଖଦ୍ନିତ୍ସର ଲୋକ ପ୍ରେରଣ କଲା। ତହିଁରେ କ୍ଷିତିପାଳମାନେ, ରାଜପ୍ରତିନିଧିମାନେ ଓ ଦେଶାଧ୍ୟକ୍ଷଗଣ, ବିଚାରକର୍ତ୍ତାଗଣ, କୋଷାଧ୍ୟକ୍ଷଗଣ, ବ୍ୟବସ୍ଥାପକଗଣ, ବେବର୍ତ୍ତାଗଣ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣ, ରାଜା ନବୂଖଦ୍ନିତ୍ସରର ସ୍ଥାପିତ ପ୍ରତିମାର ପ୍ରତିଷ୍ଠା କରିବା ପାଇଁ ଏକତ୍ର ହେଲେ, ଆଉ ସେମାନେ ନବୂଖଦ୍ନିତ୍ସରର ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ। ତହୁଁ ଘୋଷକ ଉଚ୍ଚସ୍ୱରରେ କହିଲା, ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ନାନା ଭାଷାବାଦୀଗଣ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆ ଯାଉଅଛି, ଯେଉଁ ସମୟରେ ତୁମ୍ଭେମାନେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ ଓ ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମା ସମ୍ମୁଖରେ ଉବୁଡ଼ ହୋଇ ପ୍ରଣାମ କରିବ। ପୁଣି, ଯେକୌଣସି ଲୋକ ମୁହଁ ମାଡ଼ି ପ୍ରଣାମ ନ କରିବ, ସେ ସେହି ଦଣ୍ଡରେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ। ଏହେତୁରୁ ଯେତେବେଳେ ସମସ୍ତ ଲୋକ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁପ୍ରକାର ବାଦ୍ୟ ଶୁଣିଲେ, ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀୟ ବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରର ସ୍ଥାପିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କଲେ।
”ଏଥିପାଇଁ ସେହି ସମୟରେ କେତେକ କଲ୍ଦୀୟ ଲୋକ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ। ସେମାନେ ନବୂଖଦ୍ନିତ୍ସର ରାଜାକୁ ଉତ୍ତର କରି କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ। ହେ ମହାରାଜ, ଆପଣ ଆଜ୍ଞା କରିଅଛନ୍ତି ଯେ, ଯେକେହି ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେ ଉବୁଡ଼ ହୋଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ; ପୁଣି, ଯେକୌଣସି ଲୋକ ଉବୁଡ଼ ହୋଇ ପ୍ରଣାମ ନ କରିବ, ସେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଏଠାରେ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ। ତହିଁରେ ନବୂଖଦ୍ନିତ୍ସର ପ୍ରଚଣ୍ଡ କ୍ରୋଧ ଓ କୋପରେ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋକୁ ଆଣିବା ପାଇଁ ଆଜ୍ଞା କଲା। ତହୁଁ ଲୋକମାନେ ସେମାନଙ୍କୁ ରାଜାର ଛାମୁକୁ ଆଣିଲେ। ନବୂଖଦ୍ନିତ୍ସର ସେମାନଙ୍କୁ ଉତ୍ତର କରି କହିଲା, ହେ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ, ତୁମ୍ଭେମାନେ କି ମନସ୍ଥ ହୋଇ ମୋର ଦେବତାର ସେବା କରୁ ନାହଁ, କିଅବା ମୋ’ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହଁ? ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋ’ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରିବ?
”ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ ରାଜାକୁ ଉତ୍ତର କରି କହିଲେ, ହେ ନବୂଖଦ୍ନିତ୍ସର, ଏହି ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। ଯଦି ସେହିପରି ହୁଏ, ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ମାତ୍ର ଯଦି ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ-ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେଉନ୍ତୁ। ଏଥିରେ ନବୂଖଦ୍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା। ପୁଣି, ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା। ତହୁଁ ସେହି ପୁରୁଷମାନେ ଆପଣା ଆପଣା ପାୟଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ। ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା, ଏଥିପାଇଁ ଯେଉଁ ଲୋକମାନେ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋକୁ ଟେକି ଧରିଥିଲେ, ସେମାନେ ଅଗ୍ନିଶିଖାରେ ହତ ହେଲେ। ପୁଣି ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ, ଏହି ତିନି ଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ।
”ଏଥିରେ ରାଜା ନବୂଖଦ୍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣା ମନ୍ତ୍ରୀମାନଙ୍କୁ କହିଲା, ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନ ଥିଲୁ? ସେମାନେ ରାଜାକୁ ଉତ୍ତର କରି କହିଲେ, ସତ୍ୟ ମହାରାଜ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ; ପୁଣି, ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। ସେତେବେଳେ ନବୂଖଦ୍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ। ପୁଣି, କ୍ଷିତିପାଳ, ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ, ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରି ନାହିଁ, କିଅବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇ ନାହିଁ, ଅଥବା ସେମାନଙ୍କର ପାୟଜାମା ବିକୃତ ହୋଇ ନାହିଁ, କିଅବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ।
”ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ। ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ। ଏଥିରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା।
”ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାର (ବିଜ୍ଞାପନ); ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ। ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ୍ ବୋଧ ହେଲା। ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
”ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।
”ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
”ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।
”ରାଜା ନବୂଖଦ୍ନିତ୍ସର ପ୍ରତି ଏହିସବୁ ଘଟିଲା। ବାର ମାସର ଶେଷରେ ସେ ବାବିଲର ରାଜ- ପ୍ରାସାଦରେ ବୁଲୁଥିଲା। ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ? ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ୍ ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା। ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ। ସେହି ଦଣ୍ଡରେ ନବୂଖଦ୍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
”ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ବ ଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋ’ କତିକୁ ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ ତୁମ୍ଭେ କ’ଣ କରୁଅଛ ଏହା ତାହାଙ୍କୁ କହି ନ ପାରେ। ସେହି ସମୟରେ ମୋ’ ବୁଦ୍ଧି ମୋ’ କତିକୁ ଫେରି ଆସିଲା ଓ ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋ’ କତିକୁ ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା। ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।
”ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ;
”ହେ ମହାରାଜ, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ; ଆଉ, ସେ ତାଙ୍କୁ ଏପରି ମହିମା ଦେବାରୁ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ; ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ବଧ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଜୀବିତ ରଖିଲେ; ପୁଣି, ଯାହାକୁ ତାଙ୍କର ଇଚ୍ଛା, ସେ ତାହାକୁ ଉନ୍ନତ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଅବନତ କଲେ। ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା, ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି।
”ଆଉ ହେ ବେଲ୍ଶତ୍ସର, ତାଙ୍କର ପୁତ୍ର ଯେ ଆପଣ, ଆପଣ ଏସବୁ ଜାଣିଲେ ହେଁ ଆପଣା ଅନ୍ତଃକରଣ ନମ୍ର କରି ନାହାନ୍ତି; ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯା’ନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେହିସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି। ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା। ପୁଣି, ଯାହା ଲିଖିତ ହେଲା, ତାହା ଏହି, ମିନେ ମିନେ, ତକେଲ, ଉପାରସୀନ। ଏହାର ଅର୍ଥ ଏହି ମିନେ, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। ତକେଲ, ଆପଣ ନିକ୍ତିରେ ତୌଲା ଯାଇଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି। ପୀରସ୍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି। ସେତେବେଳେ ବେଲ୍ଶତ୍ସର ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣ ହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ, ତାଙ୍କ ବିଷୟରେ ଏହା ଘୋଷଣା କଲେ। ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲ୍ଶତ୍ସର ବଧ କରାଗଲା। ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।
”ଦାରୀୟାବସ ସମୁଦାୟ ରାଜ୍ୟରେ ଏକଶତ ବିଂଶତି ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ ତିନି ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା; ଏହି ତିନି ଜଣ ମଧ୍ୟରେ ଦାନିୟେଲ ଏକ ଜଣ ଥିଲେ। ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା। ଏଥିରେ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ରାଜକର୍ମ ବିଷୟରେ ଦାନିୟେଲଙ୍କର ଦୋଷ ଅନୁସନ୍ଧାନ କଲେ; ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇ ପାରିଲେ ନାହିଁ, କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ଦେଖା ଗଲା ନାହିଁ। ତହୁଁ ସେହି ଲୋକମାନେ କହିଲେ, ଆମ୍ଭେମାନେ ଦାନିୟେଲର ପରମେଶ୍ୱରଙ୍କ ବ୍ୟବସ୍ଥା ସମ୍ବନ୍ଧରେ, ତାହାର ଦୋଷ ନ ଧରିଲେ ଆଉ କୌଣସି ବିଷୟରେ ଦୋଷ ପାଇବା ନାହିଁ। ଏଥିରେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନେ ରାଜା ନିକଟରେ ଏକତ୍ର ହୋଇ ତାହାକୁ ଏହି ପ୍ରକାର କହିଲେ, ମହାରାଜ ଦାରୀୟାବସ, ଚିରଜୀବୀ ହେଉନ୍ତୁ। ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏବେ ହେ ମହାରାଜ, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ-ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ। ଏଣୁ ରାଜା ଦାରୀୟାବସ ସେହି ଲେଖା ଓ ନିଷେଧ- ବିଧିରେ ସ୍ୱାକ୍ଷର କଲା।
”ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାଆନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ। ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିୟେଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ। ସେତେବେଳେ ସେମାନେ ରାଜାର ନିକଟକୁ ଯାଇ ରାଜକୀୟ ନିଷେଧ-ବିଧି ବିଷୟରେ ତାଙ୍କ ଛାମୁରେ କହିଲେ, ଯଥା; ହେ ମହାରାଜ, ଯେଉଁ କୌଣସି ଲୋକ ତିରିଶ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ, ଏପରି ଏକ ନିଷେଧ ପତ୍ରରେ କି ଆପଣ ସ୍ୱାକ୍ଷର କରି ନାହାନ୍ତି? ରାଜା ଉତ୍ତର କରି କହିଲା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି। ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ। ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା। ଏଥିରେ ସେହି ଲୋକମାନେ ରାଜାର ନିକଟରେ ଏକତ୍ର ହୋଇ ରାଜାକୁ କହିଲେ, ହେ ମହାରାଜ, ଆପଣ ଜାଣନ୍ତୁ, ରାଜା କୌଣସି ନିଷେଧାଜ୍ଞା ଅବା ବିଧି ସ୍ଥାପନ କଲେ, ତାହା ଯେ ପରିବର୍ତ୍ତିତ ହୋଇ ନ ପାରେ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି।
”ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ। ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା। ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା।
”ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା। ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି? ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ। ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ। ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
”ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ। ସେତେବେଳେ ଦାରୀୟାବସ ସମୁଦାୟ ପୃଥିବୀନିବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କ ନିକଟକୁ ପତ୍ର ଲେଖିଲା; “ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟ ରୂପରେ ଶାନ୍ତି ହେଉ। ମୁଁ ଏହି ଆଜ୍ଞା କରୁଅଛି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ; ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ। ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।” ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ଵ ସମୟରେ ଓ ପାରସୀକ କୋରସ୍ର ରାଜତ୍ଵ ସମୟରେ ଉନ୍ନତି ଲାଭ କଲେ।
”ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।
”‘ସେହି ଚାରି ବୃହତ୍ ପଶୁ ଚାରି ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ। ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍, ଅନନ୍ତ କାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’
”ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୌହମୟ ଓ ନଖସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି; ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।
”ସେ ଏହିରୂପେ କହିଲେ, ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ ତାହା ଭାଙ୍ଗି ପକାଇବ। ପୁଣି, ସେହି ଦଶ ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ, ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ; ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ। ସେ ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ।
”ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ। ମାତ୍ର ବିଚାର ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ।
”ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।
”ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ।
”ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେହି ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର ସମୟ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେହି ସମୟରେ ଉଦ୍ଧାର ପାଇବେ।
”ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।”
”ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ। ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ? ମୋତେ ରାଜା ଓ ଅଧିପତିଗଣ ଦିଅ ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି? ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।
”ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। ଏଥିଉତ୍ତାରେ ଏହି ସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ। ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ; ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ।
”ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ-ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ୍ ନୁହେଁ? ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି ଦୁଷ୍କର୍ମ ଭଲ ପାଉଅଛ; ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ; ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ ଓ ସେମାନଙ୍କର ଚର୍ମ ଛଡ଼ାଇ ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ; ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି, ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ।
”ହେ ଯାକୁବ ବଂଶର ପ୍ରଧାନବର୍ଗ ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, ତୁମ୍ଭେମାନେ ନ୍ୟାୟ ବିଚାର ଘୃଣା କରୁଅଛ ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ। ସେମାନେ ସିୟୋନକୁ ରକ୍ତରେ ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି।
”ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
”ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।
”ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।
”ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ। ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ। ଏହା ମିସରର ଦଣ୍ଡ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ଡ ହେବ।
”ହେରୋଦ ରାଜାଙ୍କ ସମୟରେ ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବଦେଶର କେତେକ ପଣ୍ଡିତ ଯିରୂଶାଲମକୁ ଆସି କହିଲେ, "ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।" ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ । ସେମାନେ ତାହାଙ୍କୁ କହିଲେ, "ଯିହୂଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି, 'ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋ'ଠାରୁ ଆସିବେ ।'"
”ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ ।" ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ।
”ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।
”ପୁଣି, ଥରେ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଏୗଶ୍ୱର୍ଯ୍ୟ ଦେଖାଇ କହିଲା, ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା । ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ ।
”କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।
”ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର ।
”ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ, ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୂଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ । କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବାକି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ । ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି ।
”କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ ।
”ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ, ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
”ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ । ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ । କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା । ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ । ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ । ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ । ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ, ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା ।
”ଏଥିମଧ୍ୟରେ ସେମାନେ କଫର୍ନାହୂମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କ'ଣ ମନ୍ଦିରର କର ଦିଅନ୍ତି ନାହିଁ? ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ? ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ । କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।
”ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କ'ଣ? କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ? କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ? ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । ସେ ସେମାନଙ୍କୁ ପଚାରିଲେ, ଏହି ମୁର୍ତ୍ତି ଓ ନାମ କାହାର? ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ ।
”ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ,
”ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର । ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ।
”ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । ଶେଷରେ ଦୁଇ ଜଣ ବାହାରି କହିଲେ,
”ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?
”ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କ ରାଜା? ଯୀଶୁ କହିଲେ, ଆପଣ କହୁଅଛନ୍ତି । ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ । ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ ।
”ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ । ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ । ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ । ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ ।
”ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୂଦୀମାନଙ୍କର ରାଜା ଯୀଶୁ ।
”ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ । ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା ।
”ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି ।
”ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ, କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ; ମନପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର ।
”ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି । କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ । କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି ।
”ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ । ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ; କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ । ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା । ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା । ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ । ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ । ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ । ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା ।
”ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ? ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋ' ପାଖକୁ ଆଣ, ମୁଁ ତାହା ଦେଖେ । ତହିଁରେ ସେମାନେ ତାହା ଆଣିଲେ । ଯୀଶୁ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର । ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ ।
”ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।
”କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ । ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ । ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି ।
”ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ । ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ । ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ ।
”ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ପ୍ରୟୋଜନ? ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କ'ଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ । ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।
”ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ । ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି । ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ । ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି । କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ ।
”ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ଇଚ୍ଛା କରୁଅଛ? ଆମ୍ଭେ କ'ଣ ତୁମ୍ଭମାନଙ୍କ ନିମନ୍ତେ ଯିହୂଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା?
”କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୂଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କ'ଣ କରିବା? ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ ।
”ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ | ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ । ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; ଆଉ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ । ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ । ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବାଇଗଣୀ ରଙ୍ଗର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ । ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ ।
”ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୂଦୀମାନଙ୍କର ରାଜା ।
”ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା । ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ ।
”ସେ ମହାନ ହେବେ ଓ ମହାନ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
”ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା । ସିରିୟାର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମଲେଖା ହୋଇଥିଲା । ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ ।
”ତିବିରିଅା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୁସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା ।
”କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ, ସେ ତାହାଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ ।
”ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ; ପୁଣି, କେହି କେହି ଏଲିୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ । କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ ।
”ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ, ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
”କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ ।
”କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାରିବ ନାହିଁ ।
”ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ । କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର ।
”କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ । ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ ।
”କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
”ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ।
”ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ, ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା? ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ ' ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ । କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
”ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି । ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି । ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।
”ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଲରସ ଯାଚି ତାହାଙ୍କୁ ପରିହାସ କରି କହିଲେ, ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର । ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।"
”କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା ।
”ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା ।
”ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୂଦୀମାନଙ୍କର ଜଣେ ନେତା । ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ । ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ ।
”ତେଣୁ ଯୀଶୁ ବିଶ୍ରାମବାରରେ ଏହା କରୁଥିବାରୁ ଯିହୂଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ ।
”ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ ।
”ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା । ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା ।
”ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା? ଯୀଶୁ ଉତ୍ତର ଦେଲେ, ଆପଣ କ'ଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋ' ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି? ପୀଲାତ ଉତ୍ତର ଦେଲେ, ଆମ୍ଭେ କ'ଣ ଜଣେ ଯିହୂଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କ'ଣ କରିଅଛ? ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ । ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କ'ଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା । ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି । ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ । ପୀଲାତ ତାହାଙ୍କୁ କହିଲେ, ସତ୍ୟ କ'ଣ? ଏହା କହି ସେ ପୁଣି, ଯିହୂଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ । କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୂଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କ'ଣ ତୁମ୍ଭମାନଙ୍କର ଇଚ୍ଛା?
”ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ ।
”ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାଙ୍କୁ ଉତ୍ତର ଦେଲେ ନାହିଁ । ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? ଯୀଶୁ ଉତ୍ତର ଦେଲେ, ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋ' ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର । ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ ।
”ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ସକାଳ ପ୍ରାୟ ଛଅ ଘଣ୍ଟା ହୋଇଥିଲା । ପୁଣି, ସେ ଯିହୂଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ । ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କ'ଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ ।
”ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ । ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା । ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା । ତେଣୁ ଯିହୂଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୂଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ । ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ ।
”ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ । କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହି ସବୁ ନ କହି ରହି ନ ପାରୁ । ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ,
”ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହି ସବୁ ଜଣାଇଲେ । ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ୱରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ । ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, ଅଣଯିହୂଦୀମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ? ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ, ପୃଥିବୀର ରାଜାମାନେ ଠିଆ ହେଲେ, ପୁଣି, ଶାସନକର୍ତ୍ତାମାନେ ଏକତ୍ର ହେଲେ । କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୂଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ, ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା, ତାହା କରିବାକୁ ଏକତ୍ର ହେଲେ । ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ,
”ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ ।
”କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, "ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ" । ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ । କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ, "ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ ।" ଏହି ସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କ'ଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ । ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି । ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ,ଏହା ଭୟ କରୁଥିଲେ । ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ । ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ, "ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁୁ", ତଥାପି "ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୂୂଶାଲମ ପୂୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ ।" କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।
”ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
”ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ । ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ଼୍ଗରେ ବଧ କଲେ । ଆଉ ଯିହୂଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ । ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା । ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ । ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା ।
”ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ । ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ । ସେଥିରେ ତାହାଙ୍କ ହାତରୁ ଶିକୁଳି ଖସିପଡ଼ିଲା । ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ । ସେ ସେପରି କଲେ । ଆଉ ସେ ତାହାଙ୍କୁ କହିଲେ, ଦେହରେ ଚାଦର ପକାଇ ମୋହର ପଛେ ପଛେ ଆସ । ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ । ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ । ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି । ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରିୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ । ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା । ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା । ସେମାନେ ତାହାକୁ କହିଲେ, ତୁ ବାୟାଣୀ । କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା । ସେମାନେ କହିଲେ, ଏ ତାଙ୍କର ଦୂତ । କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ । କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ । ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ ।
”ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା । ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ । ପରେ ସେ ଯିହୂଦା ପ୍ରଦେଶରୁ କାଇସରିୟାକୁ ଯାଇ ସେଠାରେ ରହିଲେ ।
”ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା । ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ; ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ । ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ ।
”ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ । ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ । ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ କାଠଗଣ୍ଡି ବାନ୍ଧିଦେଲେ ।
”କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ । ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା । ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ । କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ । ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ?
”ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ । ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି । ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଉନ୍ତୁ । କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ,ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛନ୍ତି? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ । ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ,ଏହା ଶୁଣି ଲୋକମାନେ ଭୟ କଲେ, ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ । ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ ।
”ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରି ପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି । ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି । ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ ।
”ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
”ସେତେବେଳେ ସହସ୍ର ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ । ସେମାନେ ତାହାଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ,ସେ ନିକଟରେ ଠିଆ ହୋଇଥିବା ଶତ ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ? ସେହି ଶତସେନାପତି ଏହା ଶୁଣି ସହସ୍ର ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କ'ଣ କରିବାକୁ ଯାଉଅଛନ୍ତି? ସେଥିରେ ସହସ୍ର ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ । ସେଥିରେ ସହସ୍ର ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି । ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ । ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ । କିନ୍ତୁ କାହିଁକି ସେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।
”ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ୱରଙ୍କ ସାକ୍ଷାତରେ ଆଚାର ବ୍ୟବହାର କରି ଆସିଅଛି । ସେଥିରେ ମହାଯାଜକ ହାନାନ ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ । ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ୱର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ? ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ୱରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ ।
”ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି । ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା । କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାଁନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି । ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି । ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ ।
”ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ । ସେ ଆସନ୍ତେ ଯିରୂଶାଲମରୁ ଆଗତ ଯିହୂଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହି ସବୁ ପ୍ରମାଣ କରି ପାରିଲେ ନାହିଁ । ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୂଦୀମାନଙ୍କ ମୋଶାଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ । କିନ୍ତୁ ଫେଷ୍ଟସ୍ ଯିହୂଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହି ସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ? ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ । ମୁଁ ଯିହୂଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି । ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହି ସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରିବେ ନାହିଁ । ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି । ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।
”ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି । କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି ।
”କିନ୍ତୁ ପାଉଲ କହିଲେ, ହେ ମହାମହିମ ଫେଷ୍ଟସ୍, ମୁଁ ପାଗଳ ନୁହେଁ, ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି । ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହି ସମସ୍ତ ବିଷୟର କୌଣସି କଥା ତାଙ୍କର ଅଜଣା ନାହିଁ ବୋଲି ମୋହର ବିଶ୍ୱାସ; ଏହା ତ ଗୋପନରେ କରା ହୋଇ ନାହିଁ । ହେ ରାଜନ ଅାଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ । ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିଆନ କରି ପାର ବୋଲି ମନେ କରୁଅଛ । ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି । ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ, ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହିଁ । ଆଉ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା ।
”ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, ପାଉଲ, ଭୟ କର ନାହିଁଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ୱର ତୁମ୍ଭକୁ ଦାନ କରିଅଛନ୍ତି ।
”ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା । ତିନି ଦିନ ପରେ ସେ ଯିହୂଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି । ସେମାନେ ମୋହର ବିଚାର କରି ମୋଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ; କିନ୍ତୁ ଯିହୂଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ ।
”ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ । ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ । କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ୱରଙ୍କ ସେବକ । କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ଼୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ୱରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି । ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ । ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ୱରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି । ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର ।
”ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ । ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ;
”ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ ।
”ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ ।
”ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ । କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ ।
”ଯିହୂଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ । ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରାହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ।
”ମାତ୍ର ଶାସ୍ତ୍ର କ'ଣ କୁହେ? ଦାସୀ ଓ ତା'ର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ । ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ ।
”ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଯୁଆଳିରେ ଆଉ ଥରେ ଯୋଚା ନ ଯାଅ ।
”କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।''
”କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ ।
”ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;
”ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ, ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର ।
”ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ;
”କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ;
”ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
”ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
”କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;
”ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;
”କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;
”ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ ।
”ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ୱରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ, ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି ।
”ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
”ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;
”କର୍ତ୍ତୃପକ୍ଷ ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ, କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ ।
”ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।''
”ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି; ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି ।
”ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ; କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ଼୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା ।
”ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରି ପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ ।
”କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ ।
”ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ। ତୁମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ । ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ, ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ । କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ୱରଙ୍କ ଇଚ୍ଛା; ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ୱରଙ୍କ ଦାସ ହୋଇ ସତ୍କର୍ମ କର । ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର । ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ ।
”ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ, ପୁଣି, ସେ ଦୁରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ, ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ ।
”ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ, ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ ।
”ଯେ କେହି ପାପ କରେ, ସେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରେ, କାରଣ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ହିଁ ପାପ ।
”ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ପ୍ରଭୁତ୍ୱ ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି ।
”ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ । ଆମେନ୍ ।
”ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି ।
”ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ । ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ । ସିଂହାସନ ମଧ୍ୟରୁ ବିଜୁଳୀ, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା । ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ ।
”ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,
”ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ । ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ । ସେମାନେ ଉଚ୍ଚସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି । ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର ।
”ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି,
”ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ ।
”ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ । ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ । ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।
”ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶିଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୂଚକ ବିଭିନ୍ନ ନାମ । ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି । ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିହାଂସନ ଓ ମହାକ୍ଷମତା ସମର୍ପଣ କଲା ।
”ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।
”ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୂଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ । ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ ।
”ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ, ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି ।
”ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା; ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ । ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ । ଆହୁରି ଯେଉଁ ଦଶ ଶିଙ୍ଗ ଦେଖିଲ, ଏହି ସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାଁନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ । ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ ।
”ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ । ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ । ପୁଣି, ଯେଉଁ ଦଶ ଶିଙ୍ଗ ଦେଖିଲ, ସେହି ସବୁ ଓ ସେହି ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଛିନ୍ନ ଓ ଉଲଙ୍ଗ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ; କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ସେମାନଙ୍କ ମନରେ ସୂଚାଇ ଦେଲେ । ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ ।
”ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି । କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।
”ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ; ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ୍, ତୁ ସନ୍ତାପର ପାତ୍ରୀ । କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା ।
”ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ ।
”ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ ।
”ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ।
”ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ୱରଙ୍କ ମହାଭୋଜରେ ଏକତ୍ର ହୁଅ, ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ । ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି ।
”ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ ।
”ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ । ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ । ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।
”ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ ।
”ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି । ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ । କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ । ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ । ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ । ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ ।
”