18 – ମିଥ୍ୟା ଶିକ୍ଷକ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ମିଥ୍ୟା ଶିକ୍ଷକ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ । ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ । ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।

ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି ।

ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍‍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍‍ବକ୍ତା ମରିବ।

କ୍ରମରେ ପ୍ରତ୍ୟେକ ପଦ - 328 ବାଇବଲ ପଦ

ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?” ନାରୀ ସର୍ପକୁ କହିଲେ, “ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ; କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।” ସର୍ପ ନାରୀଙ୍କୁ କହିଲା, “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ; ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।”

ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।” ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”

ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ।

ତୁମ୍ଭେ ମିଥ୍ୟାପବାଦ ଉତ୍‍ଥାପନ କରିବ ନାହିଁ; ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ। ତୁମ୍ଭେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାଦ୍‍ବର୍ତ୍ତୀ ହେବ ନାହିଁ, ପୁଣି, ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ;

ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।

ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ। ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।

ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?

ବାଲ୍‍-ପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲପିୟୋରର ପଶ୍ଚାଦ୍‍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି।

ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।

ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର। ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର, କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।

ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି, ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।

ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;

ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ।

ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା; ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।

ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍‍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍‍ବକ୍ତା ମରିବ।

ମାତ୍ର ଯେବେ ତୁମ୍ଭେ ଆପଣା ମନେ ମନେ କୁହ, ସଦାପ୍ରଭୁ ଯେଉଁ କଥା କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? କୌଣସି ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ, ଯେବେ ତାହା ନ ହୁଏ, ଅବା ନ ଘଟେ, ତେବେ ସେହି କଥା ସଦାପ୍ରଭୁ କହି ନାହାନ୍ତି; ସେ ଭବିଷ୍ୟଦ୍‍ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।

ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।

ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ମୁଁ ତାହାକୁ ଫୁସଲାଇବି।” ତହୁଁ ସଦାପ୍ରଭୁ ତାହାକୁ କହିଲେ, “କାହିଁରେ?” ସେ କହିଲା, “ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି।” ତେବେ ସେ କହିଲେ, “ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”

ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ମୁଁ ତାହାକୁ ଫୁସୁଲାଇବି।” ତହୁଁ ସଦାପ୍ରଭୁ ତାହାକୁ କହିଲେ, “କାହିଁରେ?” ସେ କହିଲା, “ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି” ତେବେ ସେ କହିଲେ, “ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”

ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ-ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ; ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍‍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।

ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।

ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡଯନ୍ତ୍ର କରନ୍ତି? ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।

ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।

କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।” ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସୁକର୍ମକାରୀ କେହି ନାହିଁ। ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି। ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।

ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ, ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।

ତୁମ୍ଭେ ହିଂସାରୁ ଆପଣା ଜିହ୍ୱା ଓ ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର।

ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, ତୁମ୍ଭର କି ଅଧିକାର? କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ।

ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି। ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। [ସେଲା] ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ। ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। [ସେଲା]

ତାହାର ମୁଖ ଲବଣୀ ତୁଲ୍ୟ ଚିକ୍‍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।

ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।

ଯେ ପ୍ରତାରଣା କରେ, ସେ ମୋ’ ଗୃହ ମଧ୍ୟରେ ବାସ କରିବ ନାହିଁ। ଯେ ମିଥ୍ୟା କହେ, ସେ ମୋ’ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।

ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।

ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।

ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ? ମୋ’ ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ। ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।

ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ।

ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ। ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।

ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ। ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ; ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ; ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।

ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ। ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।

ସତ୍ୟବାଦୀ ଓଷ୍ଠ ନିତ୍ୟସ୍ଥାୟୀ ହେବ; ମାତ୍ର ମିଥ୍ୟାବାଦୀ ଜିହ୍ୱା ପଲକ ମାତ୍ର।

ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ; ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି, ସେମାନେ ତାହାଙ୍କର ତୁଷ୍ଟିକର।

ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ; କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ। ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ; ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ। ମୂର୍ଖ ନିକଟକୁ ଗଲେ, ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ।

ସତ୍ୟ ସାକ୍ଷୀ ଅନ୍ୟର ଜୀବନକୁ ରକ୍ଷା କରେ; ମାତ୍ର ମିଥ୍ୟାବାଦୀ ପ୍ରବଞ୍ଚନାଜନକ।

ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ, ସେ ଜ୍ଞାନୀର ନିକଟକୁ ଯାଏ ନାହିଁ।

କୁକ୍ରିୟାକାରୀ ଲୋକ ଦୁଷ୍ଟ ଓଷ୍ଠାଧରର କଥା ଶୁଣେ, ପୁଣି, ମିଥ୍ୟାବାଦୀ ହିଂସ୍ର ଜିହ୍ୱାରେ କର୍ଣ୍ଣପାତ କରେ।

ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ।

ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ବିନଷ୍ଟ ହେବ।

ନିନ୍ଦକକୁ ବାହାର କରି ଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ।

ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।

ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ। ପ୍ରେମକାରୀର କ୍ଷତ ବିଶ୍ୱାସନୀୟ; ମାତ୍ର ଶତ୍ରୁର ଚୁମ୍ବନ ବହୁଳ।

ଶାସନକର୍ତ୍ତା ଯେବେ ମିଥ୍ୟା କଥାରେ କାନ ଡେରେ, ତେବେ ତାହାର ସେବକ ସବୁ ଦୁଷ୍ଟ ହୁଅନ୍ତି।

ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ; ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ। ତାହାଙ୍କ ବାକ୍ୟରେ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଅନୁଯୋଗ କରିବେ, ପୁଣି, ତୁମ୍ଭେ ମିଥ୍ୟାବାଦୀ ଜଣା ପଡ଼ିବ।

ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।

ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।” ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ଡକୁ ଚିହ୍ନେ; ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ। ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି। ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି।

ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ।

ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର! ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!

ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ। ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ, ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ।

ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।

ହେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ! ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଉର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା। ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ। ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକୁ କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;

ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।

ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ୱାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍‍ବକ୍ତା ସୁରାପାନ ଦ୍ୱାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ୱାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି।

ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।”

ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”

ଯେଉଁମାନେ ଭ୍ରାନ୍ତମନା, ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ-କଥା ଶିଖିବେ।”

କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;

ସେମାନେ ଦର୍ଶକଗଣକୁ କହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ” ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହନ୍ତି, “ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର; ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।” ଏହେତୁ ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି, ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର ରଖୁଅଛ; ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍‍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ।”

ଆମ୍ଭେ ମିଥ୍ୟାବାଦୀମାନଙ୍କର (ଦତ୍ତ) ଲକ୍ଷଣସବୁ ବିଫଳ କରୁ ଓ ମନ୍ତ୍ରଜ୍ଞମାନଙ୍କୁ ଉନ୍ମତ୍ତ କରୁ; ଆମ୍ଭେ ଜ୍ଞାନୀମାନଙ୍କୁ ପଛକୁ ହଟାଇ ଦେଉ ଓ ସେମାନଙ୍କର ଜ୍ଞାନ ମୂର୍ଖତା କରୁ;

ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପା’ନ୍ତି। ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।

ତୁମ୍ଭେମାନେ କାହାକୁ ଉପହାସ କରୁଅଛ? ତୁମ୍ଭେମାନେ କାହାଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ? ତୁମ୍ଭେମାନେ କି ଅଧର୍ମର ସନ୍ତାନ ଓ ଅସତ୍ୟତାର ବଂଶ ନୁହଁ?

ସଦାପ୍ରଭୁ କହନ୍ତି, “ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।” ସେମାନେ ସଦାପ୍ରଭୁଙ୍କୁ ଅସ୍ୱୀକାର କରି କହିଲେ, “ଏ ତ ସେ ନୁହଁନ୍ତି; ପୁଣି, ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ ନାହିଁ; କିଅବା ଆମ୍ଭେମାନେ ଖଡ୍ଗ କି ଦୁର୍ଭିକ୍ଷ ଦେଖିବା ନାହିଁ;” ଆଉ, ଭବିଷ୍ୟଦ୍‍ବକ୍ତାମାନେ ବାୟୁତୁଲ୍ୟ ହେବେ ଓ ସେମାନଙ୍କ ଅନ୍ତରରେ ବାକ୍ୟ ନାହିଁ; ସେମାନଙ୍କ ପ୍ରତି ଏହିରୂପେ କରାଯିବ।

ଦେଶ ମଧ୍ୟରେ ଗୋଟିଏ ଆଶ୍ଚର୍ଯ୍ୟ ଓ ଭୟାନକ ବିଷୟ ଘଟିଅଛି; ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି; ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି; ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ?

ଯେହେତୁ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ; ପୁଣି ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି। ଆହୁରି, ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି ଶାନ୍ତି’ ବୋଲି କହି ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି।

ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି। ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି; ସଦାପ୍ରଭୁ କହନ୍ତି, “ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”

ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ; ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି।”

ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହିନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟାଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି। ଏହେତୁ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ସେହି ଭବିଷ୍ୟଦ୍‍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।

ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।

ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ? ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ।

ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟ। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି।

କାରଣ ଭବିଷ୍ୟଦ୍‍ବକ୍ତା ଓ ଯାଜକ ଉଭୟ ପାଷାଣ୍ଡ; ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ। ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ;” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।

ଯିରୂଶାଲମର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।” ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍‍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପି ଅଛି।”

ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ। ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’

ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ। ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ ବୋଲି କହି’ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ। ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍‍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍‍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ? ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍‍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ୱପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି।” ଯେଉଁ ଭବିଷ୍ୟଦ୍‍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ସଦାପ୍ରଭୁ କହନ୍ତି, “ଶସ୍ୟ ନିକଟରେ ପାଳ କଅଣ?” ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ?”

ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।” ସଦାପ୍ରଭୁ କହନ୍ତି, “ଦେଖ,ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ୱାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ;” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ।

ଆଉ, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ,’ ଏହି କଥା ଭବିଷ୍ୟଦ୍‍ବକ୍ତା, ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା।” ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ଏହି କଥା କହିବ, “ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?” ପୁଣି, “ସଦାପ୍ରଭୁଙ୍କର ପ୍ରତ୍ୟାଦେଶ” ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ପ୍ରତ୍ୟାଦେଶ ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟସକଳ ବିପରୀତ କରିଅଛ।

ମାତ୍ର “ସଦାପ୍ରଭୁଙ୍କର ଭାରୋକ୍ତି,” ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତି: “ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ, ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହୁଅଛ। ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତାନ୍ତ ପାସୋରିବା,ପୁଣି, ତୁମ୍ଭମାନଙ୍କୁ ଓ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା; ଆଉ, ଯାହା ବିସ୍ମୃତ ହେବ ନାହିଁ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଓ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା।”

ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ; କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।

ପୁଣି, ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ ବୋଲି ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ ବାକ୍ୟରେ ମନୋଯୋଗ କର ନାହିଁ; ଯେହେତୁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ,ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍‍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।’” ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।

ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହିସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ। କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି;” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।”

ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇ ଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମସ୍ଥାନ ପାସୋରିଅଛନ୍ତି।

ତୁମ୍ଭେ ନିଶ୍ଚୟ ମରିବ, ଏହି କଥା ଯେତେବେଳେ ଆମ୍ଭେ ଦୁଷ୍ଟକୁ କହୁ; ସେତେବେଳେ ତୁମ୍ଭେ ଯଦି ତାହାକୁ ଚେତନା ନ ଦିଅ, କିଅବା ତାହାର ପ୍ରାଣ ରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ; ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। ତଥାପି ତୁମ୍ଭେ ଯଦି ଦୁଷ୍ଟକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରୁ ନ ଫେରେ, ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ। ପୁନର୍ବାର କୌଣସି ଧାର୍ମିକ ଲୋକ ଯଦି ଆପଣା ଧର୍ମରୁ ଫେରି ଅଧର୍ମ କରେ ଓ ଆମ୍ଭେ ତାହା ସମ୍ମୁଖରେ ବାଧା ରଖୁ, ତେବେ ସେ ମରିବ; ତୁମ୍ଭେ ତାହାକୁ ଚେତନା ନ ଦେବା ସକାଶୁ ସେ ଆପଣା ପାପରେ ମରିବ ଓ ତାହାର ଧର୍ମକର୍ମସବୁ ସ୍ମରଣ କରାଯିବ ନାହିଁ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। ତଥାପି ଧାର୍ମିକ ଲୋକ ଯେପରି ପାପ ନ କରିବ, ଏଥିପାଇଁ ତୁମ୍ଭେ ଧାର୍ମିକ ଲୋକକୁ ଚେତନା ଦେଲେ, ସେ ଯଦି ପାପ ନ କରେ, ତେବେ ସେ ଚେତନା ଗ୍ରହଣ କରିବା ସକାଶୁ ନିଶ୍ଚୟ ବଞ୍ଚିବ ଓ ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ।

କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।

ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ପୁଣି ସେ ମୋତେ କହିଲେ,, “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରନ୍ତି, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କର; ଆଉ, ଯେଉଁମାନେ ନିଜ ହୃଦୟରୁ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁ ମୂଢ଼ ଭବିଷ୍ୟଦ୍‍ବକ୍ତାମାନେ କିଛି ଦର୍ଶନ ପ୍ରାପ୍ତ ନ ହୋଇ ଆପଣା ଆପଣା ଆତ୍ମାର ପଶ୍ଚାଦ୍‍ଗମନ କରନ୍ତି, ସେମାନେ ସନ୍ତାପର ପାତ୍ର।”

ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ଉଜଡ଼ା ସ୍ଥାନର ବିଲୁଆ ତୁଲ୍ୟ ହୋଇଅଛନ୍ତି। ତୁମ୍ଭେମାନେ ପ୍ରାଚୀରର ଭଗ୍ନସ୍ଥାନର ଉପରକୁ ଯାଇ ନାହଁ, କିଅବା ସଦାପ୍ରଭୁଙ୍କ ଦିନରେ ସଂଗ୍ରାମରେ ଠିଆ ହେବା ନିମନ୍ତେ ଇସ୍ରାଏଲ ବଂଶ ପାଇଁ ବେଢ଼ା ଦୃଢ଼ କରି ନାହଁ। ସଦାପ୍ରଭୁ ଏହି କଥା କହନ୍ତି ବୋଲି ଯେଉଁମାନେ କହନ୍ତି, ସେମାନେ ଅସାର ଦର୍ଶନ ପାଇଅଛନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ିଅଛନ୍ତି,” ଆଉ, ସଦାପ୍ରଭୁ ସେମାନଙ୍କୁ ପଠାଇ ନାହାନ୍ତି; ପୁଣି, ବାକ୍ୟ ସିଦ୍ଧ ହେବ ବୋଲି ସେମାନେ ଲୋକମାନଙ୍କର ପ୍ରତ୍ୟାଶା ଜନ୍ମାଇ ଅଛନ୍ତି। ଆମ୍ଭେ କଥା ନ କହିଲେ ହେଁ, “ସଦାପ୍ରଭୁ କହନ୍ତି ବୋଲି କହୁଅଛ ଯେ ତୁମ୍ଭେମାନେ,” ତୁମ୍ଭେମାନେ କି ଅସାର ଦର୍ଶନ ପାଇ ନାହଁ ଓ ତୁମ୍ଭେମାନେ କି ମିଥ୍ୟା ମନ୍ତ୍ର ଉଚ୍ଚାରଣ କରି ନାହଁ?

ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଅସାର ବାକ୍ୟ କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳ ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

“ପୁଣି, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଆନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ନ୍ତି, ଆମ୍ଭର ହସ୍ତ ସେମାନଙ୍କର ପ୍ରତିକୂଳ ହେବ; ସେମାନେ ଆମ୍ଭ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ, କିଅବା ଇସ୍ରାଏଲ ବଂଶର ବଂଶାବଳୀ ମଧ୍ୟରେ ସେମାନେ ଲିଖିତ ହେବେ ନାହିଁ, ଅଥବା ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। ଶାନ୍ତି ନ ଥିଲେ ହେଁ ସେମାନେ ଶାନ୍ତି ଅଛି ବୋଲି କହି ଆମ୍ଭ ଲୋକମାନଙ୍କୁ ଭୁଲାଇ ଅଛନ୍ତି; ଆଉ, କେହି କାନ୍ଥ ନିର୍ମାଣ କଲେ ଦେଖ, ସେମାନେ ଅମିଶ୍ରିତ ମସଲାରେ ତାହା ଲେପନ କରନ୍ତି,” ଏଥିପାଇଁ, ବିଶେଷ ରୂପେ ଅମିଶ୍ରିତ ମସଲାରେ କାନ୍ଥ ଲେପନକାରୀମାନଙ୍କୁ କୁହ ଯେ, “ତାହା ପଡ଼ିଯିବ; ପ୍ଳାବନକାରୀ ବୃଷ୍ଟି ହେବ; ହେ ବୃହତ ଶିଳାସକଳ, ତୁମ୍ଭେମାନେ ବୃଷ୍ଟି ହେବ ଓ ପ୍ରଚଣ୍ଡ ବାୟୁ ତାହା ବିଦାରଣ କରିବ।” ଦେଖ, କାନ୍ଥ ଯେତେବେଳେ ପଡ଼ିଯିବ, ସେତେବେଳେ ତୁମ୍ଭମାନଙ୍କୁ କି କୁହା ନ ଯିବ, ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ? ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆପଣା କୋପରେ ପ୍ରଚଣ୍ଡ ବାୟୁ ଦ୍ୱାରା ତାହା ବିଦାରଣ କରିବା; ଆମ୍ଭ କ୍ରୋଧରେ ପ୍ଳାବନକାରୀ ବୃଷ୍ଟି ହେବ ଓ କୋପରେ ବୃହତ୍ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ କରିବ। ଏହିରୂପେ ତୁମ୍ଭେମାନେ ଅମିଶ୍ରିତ ମସଲାରେ ଯେଉଁ କାନ୍ଥ ଲେପନ କରିଅଛ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ତାହା ଭୂମିସାତ୍‍ କରିବା, ତହିଁରେ ତାହାର ଭିତ୍ତିମୂଳ ଅନାବୃତ ହେବ; ଆଉ, ତାହା ପଡ଼ିଯିବ ଓ ତୁମ୍ଭେମାନେ ତହିଁ ମଧ୍ୟରେ ବିନଷ୍ଟ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। ଏହି ପ୍ରକାରେ ଆମ୍ଭେ ସେହି କାନ୍ଥ ଉପରେ ଓ ଯେଉଁମାନେ ଅମିଶ୍ରିତ ମସଲାରେ ତାହା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ସଫଳ କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ କହିବା, “ସେହି କାନ୍ଥ ଆଉ ନାହିଁ ଓ ତାହା ଲେପନକାରୀମାନେ, ଅର୍ଥାତ୍‍, ଯେଉଁମାନେ ଯିରୂଶାଲମ ବିଷୟରେ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରନ୍ତି ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି, ଇସ୍ରାଏଲର ସେହି ଭବିଷ୍ୟଦ୍‍ବକ୍ତାମାନେ ଆଉ ନାହାନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରି କୁହ,

ଆମ୍ଭେ ଯେଉଁ ଧାର୍ମିକ ଲୋକକୁ ବିଷର୍ଣ୍ଣ କରି ନାହୁଁ, ତୁମ୍ଭେମାନେ ମିଥ୍ୟା କଥା ଦ୍ୱାରା ତାହାର ଅନ୍ତଃକରଣକୁ ଦୁଃଖାର୍ତ୍ତ କରିଅଛ, ପୁଣି, ଦୁଷ୍ଟ ଲୋକ ବଞ୍ଚିବା ନିମନ୍ତେ ଯେପରି ଆପଣା କୁପଥରୁ ଫେରିବ ନାହିଁ, ଏଥିପାଇଁ ତାହାର ହସ୍ତ ସବଳ କରିଅଛ; ଏସକାଶୁ ତୁମ୍ଭେମାନେ ଅସାର ଦର୍ଶନ ଆଉ ଦେଖିବ ନାହିଁ, କିଅବା ମନ୍ତ୍ର ପଢ଼ିବ ନାହିଁ; ପୁଣି, ଆମ୍ଭେ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”

ପୁଣି, ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଇ ଓ ସଦାପ୍ରଭୁ କହି ନ ଥିଲେ ହେଁ, ପ୍ରଭୁ, ସଦାପ୍ରଭୁ ଏହି କଥା କହିଅଛନ୍ତି ବୋଲି ସେମାନଙ୍କ ନିକଟରେ ମିଥ୍ୟା ମନ୍ତ୍ର ପାଠ କରି ଅମିଶ୍ରିତ ମସଲାରେ ସେମାନଙ୍କ କାନ୍ଥ ଲେପନ କରିଅଛନ୍ତି।”

ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିବା ସକାଶୁ, ଦେଖ, ଆମ୍ଭେ ବିଦେଶୀୟମାନଙ୍କୁ, ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା; ତହିଁରେ ସେମାନେ ତୁମ୍ଭର ଜ୍ଞାନରୂପ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରିବେ ଓ ତୁମ୍ଭର ଶୋଭା ଭ୍ରଷ୍ଟ କରିବେ।

ସେହି ବ୍ୟକ୍ତି ଦେଶ ବିରୁଦ୍ଧରେ ଖଡ୍ଗ ଆସିବାର ଦେଖିଲେ, ଯଦି ତୂରୀ ବଜାଏ ଓ ଲୋକମାନଙ୍କୁ ସଚେତନ କରାଏ; ତେବେ ଯେକେହି ତହିଁରେ ତୂରୀର ଶବ୍ଦ ଶୁଣି ସଚେତନ ନ ହୁଏ, ପୁଣି, ଖଡ୍ଗ ଉପସ୍ଥିତ ହୋଇ ତାହାକୁ ସଂହାର କରେ, ତେବେ ତାହାର ରକ୍ତ ତାହାର ନିଜ ମସ୍ତକରେ ବର୍ତ୍ତିବ। ସେ ତୂରୀର ଶବ୍ଦ ଶୁଣି ସଚେତନ ହେଲା ନାହିଁ; ତାହାର ରକ୍ତ ତାହାରି ଉପରେ ବର୍ତ୍ତିବ; ଯେହେତୁ ସେ ସଚେତନ ହୋଇଥିଲେ, ଆପଣା ପ୍ରାଣ ବଞ୍ଚାଇ ଥା’ନ୍ତା। ମାତ୍ର ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ, ପୁଣି, ଲୋକମାନେ ସଚେତନ ନ ହୁଅନ୍ତି, ଆଉ ଖଡ୍ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ସଂହାର କରେ; ତେବେ ସେ ନିଜ ଅଧର୍ମରେ ସଂହାରିତ ହେଲା, ମାତ୍ର ଆମ୍ଭେ ତାହାର ରକ୍ତର ପରିଶୋଧ ସେହି ପ୍ରହରୀର ହସ୍ତରୁ ନେବା।

ଏହିରୂପେ ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ତୁମ୍ଭେ ଆମ୍ଭ ମୁଖରୁ ବାକ୍ୟ ଶୁଣି ଆମ୍ଭ ପକ୍ଷରୁ ସେମାନଙ୍କୁ ସଚେତନ କର। ଆମ୍ଭେ ଯେତେବେଳେ ଦୁଷ୍ଟକୁ କହୁ, ହେ ଦୁଷ୍ଟ ଲୋକ, ତୁମ୍ଭେ ନିଶ୍ଚୟ ମରିବ, ସେତେବେଳେ ତୁମ୍ଭେ ତାହାର ପଥ ବିଷୟରେ ସେହି ଦୁଷ୍ଟ ଲୋକକୁ ସଚେତନ କରିବା ପାଇଁ ଯଦି କିଛି ନ କୁହ; ତେବେ ସେହି ଦୁଷ୍ଟ ନିଜ ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପରିଶୋଧ ନେବା। ତଥାପି ତୁମ୍ଭେ ସେହି ଦୁଷ୍ଟକୁ ତାହାର ପଥରୁ ଫେରିବା ନିମନ୍ତେ ତଦ୍‍ବିଷୟରେ ସଚେତନ କଲେ, ଯଦି ସେ ନ ଫେରେ, ତେବେ ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ବଞ୍ଚାଇବ।

ପୁନଶ୍ଚ “ତୁମ୍ଭେ ଅବଶ୍ୟ ମରିବ,” ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯଦି ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ; ସେହି ଦୁଷ୍ଟ ଲୋକ ଯଦି ବନ୍ଧକି ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନ କରି ଜୀବନଦାୟକ ବିଧିରୂପ ପଥରେ ଚାଲେ; ତେବେ ସେ ଅବଶ୍ୟ ବଞ୍ଚିବ, ସେ ମରିବ ନାହିଁ।

ତଥାପି ତୁମ୍ଭ ଲୋକଙ୍କର ସନ୍ତାନଗଣ କହୁଅଛନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ; ମାତ୍ର ପ୍ରକୃତରେ ସେମାନଙ୍କର ପଥ ସରଳ ନୁହେଁ। ଧାର୍ମିକ ଲୋକ ଆପଣା ଧାର୍ମିକତାରୁ ଫେରି ଅଧର୍ମ କଲେ, ସେ ତହିଁରେ ହିଁ ମରିବ। ପୁଣି, ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କଲେ, ସେ ତହିଁରେ ବଞ୍ଚିବ। ତଥାପି ତୁମ୍ଭେମାନେ କହୁଅଛ, “ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଆଚାର ବ୍ୟବହାର ଅନୁସାରେ ବିଚାର କରିବା।”

“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ? ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷର ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ। ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁ; ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ। ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ। ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।”

ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ,” ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ; ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ।”

ପୁଣି, ହେ ଆମ୍ଭର ପଲ,” ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।

ଏହେତୁ ସେମାନଙ୍କୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ମେଣ୍ଢା ଓ କ୍ଷୀଣ ମେଣ୍ଢା ମଧ୍ୟରେ ବିଚାର କରିବା। ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଛିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ; ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ମେଷର ଓ ମେଷର ମଧ୍ୟରେ ବିଚାର କରିବା।

ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।

ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।

ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।

ଯେଉଁ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, ଶାନ୍ତି ଶାନ୍ତି ବୋଲି କହନ୍ତି ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି: ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; ଆଉ, ଭବିଷ୍ୟଦ୍‍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ। ପୁଣି, ଦର୍ଶକମାନେ ଲଜ୍ଜିତ ଓ ମନ୍ତ୍ରବେତ୍ତାମାନେ ଉଦ୍‍ବିଗ୍ନ ହେବେ; ହଁ, ସେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ; କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ।

ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।

ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର; ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି।

କାରଣ ଦେବାଦେବୀଗଣ ଅସାର କଥା କହିଅଛନ୍ତି ଓ ମନ୍ତ୍ରପାଠକମାନେ ମିଥ୍ୟା ଦର୍ଶନ ପାଇଅଛନ୍ତି ଓ ସେମାନେ ମିଥ୍ୟା ସ୍ୱପ୍ନର କଥା କହିଅଛନ୍ତି, ସେମାନେ ବୃଥାରେ ସାନ୍ତ୍ୱନା ଦିଅନ୍ତି; ଏଥିପାଇଁ ଲୋକମାନେ ମେଷଗଣ ପରି ଆପଣା ଆପଣା ପଥରେ ଗମନ କରନ୍ତି, ସେମାନେ କ୍ଳେଶଯୁକ୍ତ ଅଟନ୍ତି, କାରଣ ସେମାନଙ୍କର ପାଳକ କେହି ନାହାନ୍ତି।

ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଡାହାଣ ଚକ୍ଷୁରେ ଖଡ୍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଡାହାଣ ଚକ୍ଷୁ ସମ୍ପୂର୍ଣ୍ଣ ଅନ୍ଧ ହେବ।

ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରା ଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା। ଆଉ, କେହି ଯଦି ପୁନର୍ବାର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ, ତେବେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ କହିବେ, ତୁମ୍ଭେ ବଞ୍ଚିବ ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଅଛ; ଆଉ, ସେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ତାହାର ଜନ୍ମଦାତା ପିତା ଓ ମାତା ତାହାକୁ ଅସ୍ତ୍ରବିଦ୍ଧ କରିବେ। ପୁଣି, ସେହି ଦିନ ଭବିଷ୍ୟଦ୍‍ବକ୍ତାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ପ୍ରତ୍ୟେକେ ଆପଣା ଆପଣା ଦର୍ଶନ ବିଷୟରେ ଲଜ୍ଜିତ ହେବେ ଓ ପ୍ରତାରଣା କରିବା ପାଇଁ ସେମାନେ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। ମାତ୍ର ସେ କହିବ, ‘ମୁଁ ଭବିଷ୍ୟଦ୍‍ବକ୍ତା ନୁହେଁ, ମୁଁ କୃଷକ, କାରଣ ବାଲ୍ୟକାଳରୁ ମୁଁ କ୍ରୀତଦାସ ହୋଇଅଛି।’

କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ। ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ବିପଥଗମନ କରିଅଛ ଓ ଅନେକଙ୍କୁ ବ୍ୟବସ୍ଥା ପଥରେ ଝୁଣ୍ଟାଇ ଅଛ; ତୁମ୍ଭେମାନେ ଲେବୀର ନିୟମ ଭ୍ରଷ୍ଟ କରିଅଛ।” ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।

ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ ।

ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି ।

ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ!

ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।

ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।

ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ ।

ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି । ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;

ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ । ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କର?

ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ । ସେମାନେ ମନୁଷ୍ୟମାନଙ୍କ ନିୟମଗୁଡ଼ିକ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।

କିନ୍ତୁ ଯୀଶୁ ଉତ୍ତର ଦେଲେ, ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାଁନ୍ତି, ସେ ସବୁ ଉତ୍ପାଟିତ ହେବ । ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ ।

ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ । ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ ।

କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।

ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ । କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ । ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୂଦୀ ଓ କରଗ୍ରାହୀ ପରି ହେଉ ।

କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ?

ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି । ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ । ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,

ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ । ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି । ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ । କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ ।

କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ । [ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ ।] ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ ।

ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ । ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ । ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ । ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ ।

ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ । ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ । ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର । ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ? ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ ।

ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।

ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।

କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ । ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି । ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।

ବୁଣାଳୀ ବାକ୍ୟ ବୁଣେ । ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

ସେ ସେମାନଙ୍କୁ କହିଲେ, ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ । ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।

ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ । ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ!

ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ । କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ।

ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କ'ଣ ଅନ୍ଧକୁ ବାଟ କଢ଼ାଇପାରେ? ସେମାନେ କ'ଣ ଉଭୟେ ଗାତରେ ପଡ଼ିବେ ନାହିଁ? ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ ।

ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ, ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ । ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି । ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବସବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ । ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।

କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ । ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ ।

କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।

ସେଥିରେ ଯୀଶୁ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ୍‍ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ, ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କ'ଣ ଅଛି, ତାହା ସେ ଆପେ ଜାଣୁଥିଲେ ।

ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ । ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ । କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ ।

କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି । ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।

ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋହର ଶିକ୍ଷା ମୋ' ନିଜର ନୁହେଁ, କିନ୍ତୁ ମୋ' ପ୍ରେରଣକର୍ତ୍ତାଙ୍କର । କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ୱରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ ।

ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ? ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?

ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।

ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।

ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ, ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।

ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ । ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ।

ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।

ପୁଣି, ଯୀଶୁ କହିଲେ, ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି । ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କ'ଣ ଅନ୍ଧ? ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥା'ନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ । ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତା'ର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ । ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ ।

ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ ।

କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ ।

ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।

ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ ।

ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ । ଜଗତ ତାହାଙ୍କୁ ଗ୍ରହଣ କରି ପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ ।

କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ' ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ ।

ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋ' ବିଷୟରେ ସାକ୍ଷ୍ୟ ଦେବେ;

କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହି ସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ ।

ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ ।

ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି? ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ ।

ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି ।

ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।

ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ, ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ । ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ ।

ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ ।

କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି

ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ । କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;

ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,

କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ । ଆମେନ୍‍ ।

କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ ।

ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖା ଅଛି, "ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ ।''

ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ; ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ । ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,

ଅତଏବ, ମୋଶାଙ୍କ ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ ।

ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,

କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ । ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି । କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ମୋଶାଙ୍କ ବ୍ୟବସ୍ଥାର ଶେଷ ଅଟନ୍ତି ।

ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ ।

ଯେପରି ଲେଖା ଅଛି, "ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ ।

ବିଶ୍ୱାସରେ ଯେ ଦୁର୍ବଳ, ତାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ ।

ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି; କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି ।

କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ । କାରଣ ଯିହୂଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୂଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୂଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, କିନ୍ତୁ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟନ୍ତି । ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ।

ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ । କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି । ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି; ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।

ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ । ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ;

କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ । ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ । ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ ।

କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହି ସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତା'ର ବିଚାର କରେ ନାହିଁ । କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।

କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି, ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରି ପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ ।

କେହି ଆପଣାକୁ ପ୍ରବଞ୍ଚନା ନ କରୁ । ଯଦି କୌଣସି ଲୋକ ଏହି ଯୁଗରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇ ପାରେ, ଏଥିପାଇଁ ସେ ମୂର୍ଖ ହେଉ । କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା । ଯେଣୁ ଲେଖା ଅଛି," ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି"; ପୁନଶ୍ଚ, "ଜ୍ଞାନୀମାନଙ୍କର ତର୍କବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି" ।

ତେବେ ମୋହର ପୁରସ୍କାର କ'ଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ ।

ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ।

କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ୱରଙ୍କ ମଣ୍ଡଳୀସମୂହର ନାହିଁ ।

କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି । ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ ।

ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ । କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ । କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ । ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି । କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ । ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ ।

ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥି ନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ । ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ- ବୟସ୍କ ହୁଅ । ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି, "ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ" ।

କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ୱର । ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାଁନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ । ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ । କ'ଣ? ଈଶ୍ୱରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି? କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହି ସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ । କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ ।

ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି; ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ ।

ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ । ଯଥାର୍ଥରୂପେ ଜାଗ୍ରତ ହୁଅ, ପାପ ନ କର; କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ; ମୁଁ ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି ।

ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ । କାରଣ ଆମ୍ଭେମାନେ ତା'ର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁ ।

କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି, କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,. ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ? ସେହି ଅନେକ ଲୋକ ଯେପରି ଈଶ୍ୱରଙ୍କ ବାକ୍ୟବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ୱରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ ।

ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାଁନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ,ମାତ୍ର ଆତ୍ମା ଜୀବନଦାୟକ;

କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ । ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ ।

ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୁର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାରକରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ । କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି ।

(ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍‍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ); ଆମ୍ଭେମାନେ ତର୍କବିତର୍କସବୁ ଓ ଈଶ୍ୱରଙ୍କ ଜ୍ଞାନବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍‍ କରୁ, ପୁଣି, ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ, ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ ।

କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି । କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ ।

କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି । ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ । ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ ।

ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ ।

ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି ।

କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ ।

ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ । କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋ' ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁଯାୟୀ ନୁହେଁ; ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି ।

ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ; କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ ।

କିନ୍ତୁ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ । ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୂଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ । ଆଉ, ଅବଶିଷ୍ଟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ । କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାଁନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୂଦୀ ହୋଇ ଯଦି ଯିହୂଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୂଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୂଦୀମାନଙ୍କୁ ଯିହୂଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ?

ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା ।

ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ି ପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ । ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ । ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ ।

କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ । ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ, କିନ୍ତୁୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;

ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ; ସେମାନେ ଆପଣାମାନଙ୍କ ଠାରେ ଥିବା ମୁର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ୱରଙ୍କଠାରୁ ବିଛିନ୍ନ ହୋଇଅଛନ୍ତି;

ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ ।

ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।

କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।

କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ଵରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ଵରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର, (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ), ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;

ଅନ୍ଧକାରର ନିଷ୍ଫଳ କର୍ମ ସବୁର ସହଭାଗୀ ହୁଅ ନାହିଁ,ବରଂ ସେ ସବୁର ଦୋଷହିଁ ଦେଖାଇଦିଅ;

କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ;

ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ; ଯେପରି ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧାର । ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାବ କର ଓ ଆତ୍ମାଙ୍କ ଖ‌ଡ୍ଗ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର;

ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର, ପୁଣି, ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,

କେହି ଯେପରି ତୁମ୍ଭମାନଙ୍କୁ ବାକ୍‍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।

ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;

ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;

ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ପ୍ରାଥମିକ ଶିକ୍ଷା ପ୍ରତି ମୃତ ହୋଇଅଛ, ତେବେ ମନୁଷ୍ୟର ବିଧି ଓ ଶିକ୍ଷାନୁସାରେ "ଧର ନାହିଁ, ଖାଅ ନାହିଁ ବା ଛୁଅଁ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ? ଏହି ସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ । ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛାଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ଵାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ ।

ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;

ବରଂ ସମସ୍ତ ବିଷୟ ପରୀକ୍ଷା କର;

କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ ।

ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି, ବିନାଶ-ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ, କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି । ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି, ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି ।

ଅତଏବ, ହେ ଭାଇମାନେ, ସ୍ଥିର ଥାଅ, ପୁଣି, ଆମ୍ଭମାନଙ୍କ ବାକ୍ୟ କିମ୍ବା ପତ୍ର ଦ୍ୱାରା ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେହି ସବୁ ଧରି ରଖ ।

ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର ।

ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହି ସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ୱରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ । କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ଯେଉଁ ପ୍ରେମ, ତାହା ମୋଶାଙ୍କ ବ୍ୟବସ୍ଥାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି; ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ ।

ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି । କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି । ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ ।

ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନିରବରେ ଶିକ୍ଷା ଗ୍ରହଣ କରୁ । ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନିରବରେ ରହୁ । କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; ଆଉ ଆଦମ ଠକରେ ପଡ଼ି ନ ଥିଲେ, ମାତ୍ର ନାରୀ ଠକରେ ପଡ଼ି ଆଜ୍ଞା ନ ମାନିବା ଦୋଷରେ ଦୋଷୀ ହେଲେ;

ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;

ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ; କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ । ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,

ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ । ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଉଦାହରଣସ୍ୱରୂପ ହୁଅ । ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର । ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର । ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ । ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ,ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।

ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ । କାରଣ ଶାସ୍ତ୍ର କହେ, "ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ" । ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ ।

ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ । ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି । ଈଶ୍ୱରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ । ହଠାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ ।

କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ, ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ,ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ, ପୁଣି, ଯେଉଁମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ ।

ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ; କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।

ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ ।

ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର । କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,

ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ; ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି । ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ ।

ଅଜ୍ଞାନୀ ଓ ମୁର୍ଖ ମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର । ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ, ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।

କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

କାରଣ ଏମାନଙ୍କ ମଧ୍ୟରେ ଏପରିଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି; ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ ।

ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି । କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ (ଯନ୍ନିସ୍ ଓ ଯମ୍ବ୍ରୀସ୍) ଜଣଙ୍କର ମୁର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ ।

ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ | କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ ।

କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ; ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ । ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।

ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ।

ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ । କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି; ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ । ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି । ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସ୍ରକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି । ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୂଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି, ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର । ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ । ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ । ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ ।

କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ । ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,

ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର; ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ; ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ, ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ |

ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ; ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର, ଯେପରି ବିପକ୍ଷ ଲୋକ ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ ।

ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ, ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି ।

କିନ୍ତୁ ବିତଣ୍ଡା ବାଦାନୁବାଦ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହି ସବୁ କ୍ଷତିଜନକ ଓ ଅସାର । ଯେଉଁ ଲୋକମାନେ ଭ୍ରାନ୍ତ ମତାବଲମ୍ବୀ, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ରୁହ; ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ ।

ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା, ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;

ହେ ଭାଇମାନେ, ସାବଧାନ,ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ ।

ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ? ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ ।

କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ । ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।

କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି ।

କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ । କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; ତେବେ ଭାବି ଦେଖ, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!

କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି; କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ । ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ ।

ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ ।

ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ । ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ । କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।

କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ । କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ ।

ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ, ଯେ ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା । ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ । ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ ।

ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହା ଗର୍ବର କଥା କହେ । ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ । ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ ।

ଏଣୁ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ ।

ଯେଣୁ ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;

କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ, ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ ।

ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି ।

ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ ।

କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ । ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ । ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।

ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ । କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା ।

ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି ।

ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ, ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ । ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର ।

ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ୱର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ । ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ ।

ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ । ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ; କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି । ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ । ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ ।

ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ ।

ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି । ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ, ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି ।

ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ । କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।

ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା ।

କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି । ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ । ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ ।

ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ । ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି ।

ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି । କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି ।

ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରିକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ,

ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ ।

କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ (ଭୋଗ) ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ୱୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି । ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ୱୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି । ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ ।

ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ ।

ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା । ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ;

ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର ।

ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା । ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି । ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ ।

ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ;

ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,

ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ ।

ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ ।

ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ ।

କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ ।

କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।

କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ ।

ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ; ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net