23 – ପ୍ରେମ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ପ୍ରେମ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର । ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ ।

ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ । ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ । ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ । ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ ।

କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।

କ୍ରମରେ ପ୍ରତ୍ୟେକ ପଦ - 326 ବାଇବଲ ପଦ

ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।

ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି, ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।

ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।

ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ, ଅବଶ୍ୟ ତାହା ନିକଟକୁ ତାକୁ ଘେନିଯିବ। ଯଦି ତୁମ୍ଭେ ଆପଣା ଶତ୍ରୁର ଗର୍ଦ୍ଦଭକୁ ଭାର ତଳେ ପଡ଼ିଥିବାର ଦେଖ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ, ତୁମ୍ଭେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ।

ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ;

ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ। ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ।

ଯେପରି ତୁମ୍ଭମାନଙ୍କର ସ୍ୱଦେଶୀୟ ଲୋକ ସେପରି ତୁମ୍ଭମାନଙ୍କ ସହବାସୀ ବିଦେଶୀୟ ଲୋକ ତୁମ୍ଭମାନଙ୍କ ପ୍ରତି ହେବ, ପୁଣି ତୁମ୍ଭେ ତାହାକୁ ଆତ୍ମତୁଲ୍ୟ ପ୍ରେମ କରିବ; କାରଣ ମିସର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ। ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ। ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।

ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।

ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।

ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି। ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।

ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି। ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।

ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।

ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;

ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।

ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ। କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।

ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।

ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।

ଅର୍ଥାତ୍‍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‍ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।

ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”

ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ।

ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା। ପୁଣି, ଶାଉଲ ସେହି ଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ। ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ। ପୁଣି, ଯୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ୍ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା।

ପୁଣି, ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନି ଥର ପ୍ରଣାମ କଲେ; ପୁଣି, ସେମାନେ ପରସ୍ପରକୁ ଚୁମ୍ବନ କଲେ ଓ ଏକ ଆରେକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ। ଏଥିରେ ଯୋନାଥନ ଦାଉଦଙ୍କୁ କହିଲା, କୁଶଳରେ ଯାଅ, ଆମ୍ଭେ ଦୁହେଁ ତ ସଦାପ୍ରଭୁଙ୍କ ନାମରେ ଶପଥ କରି କହିଅଛୁ, ସଦାପ୍ରଭୁ ସର୍ବଦା ମୋର ଓ ତୁମ୍ଭର, ପୁଣି, ମୋ’ ବଂଶ ଓ ତୁମ୍ଭ ବଂଶର ମଧ୍ୟବର୍ତ୍ତୀ ହେଉନ୍ତୁ। ତହୁଁ ସେ ଉଠି ପ୍ରସ୍ଥାନ କଲେ, ପୁଣି, ଯୋନାଥନ ନଗରକୁ ଗଲା।

କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।

ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। କାରଣ ତାହା ଅନାଦିକାଳୀନ। ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।

ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।

ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।

ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର; ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ; ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ। ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ। ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ। ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ; ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର।

ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ’ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।

ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ’ ପ୍ରତି ଫେର।

ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।

ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।

ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ସେ ନିରନ୍ତର ଧମକାଇବେ ନାହିଁ; କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ। ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି। କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ। ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।

ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,

ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ। ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି।

କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଆରୋହଣ ଗୀତ, ଦାଉଦଙ୍କ ରଚିତ। ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର!

ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ। ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।

ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।

ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର। ତୁମ୍ଭର ନିର୍ଝର କ’ଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ଡରେ କ’ଣ ଜଳସ୍ରୋତ ବହିଯିବ? ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ?

ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ। ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ; ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ; ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।

ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ।

ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।

ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ।

ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ।

ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ; ମାତ୍ର ଯେ ନିର୍ଦ୍ଦୟ, ସେ ଆପଣା ଦେହକୁ ଦୁଃଖ ଦିଏ।

କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି, କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି, ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ।

ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ।

ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।

ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ଯେ ଦରିଦ୍ରକୁ ଦୟା କରେ, ସେ ତାହାଙ୍କୁ ଆଦର କରେ।

କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।

ଗର୍ବୀ ଲୋକର ଗୃହ ସଦାପ୍ରଭୁ ଓପାଡ଼ି ପକାଇବେ; ମାତ୍ର ବିଧବାର ସୀମା ସେ ସ୍ଥିର କରିବେ;

ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ଡିତ ନୋହିବ। ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।

ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି, ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦୀନାତ୍ମା ସହିତ ନମ୍ର ହେବାର ଭଲ।

ମନୋହର ଭାଷା ମଧୁଚାକ ସଦୃଶ, ତାହା ମନକୁ ସୁମିଷ୍ଟ, ଅସ୍ଥିକୁ ସ୍ୱାସ୍ଥ୍ୟ।

ଯେ ଅଧର୍ମ କ୍ଷମା କରେ, ସେ ପ୍ରେମ ଖୋଜେ; ମାତ୍ର ଯେ ପୁନଃ ପୁନଃ ଗୋଟିଏ କଥା ଉତ୍‍ଥାପନ କରେ, ସେ ବିଶେଷ ମିତ୍ରଗଣକୁ ଅଲଗା କରେ।

ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ

ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।

ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି।

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।

ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ।

ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ। ଦୁଷ୍ଟ ଲୋକମାନଙ୍କ ପ୍ରଦୀପ ସ୍ୱରୂପ ଯେ ଅହଙ୍କାର-ଦୃଷ୍ଟି ଓ ଗର୍ବିତ ମନ, ତାହା ପାପଜନକ।

ଯେଉଁ ଲୋକ ଦୀନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।

ଯେଉଁ ଜନ ଧାର୍ମିକତା ଓ ଦୟାର ପଶ୍ଚାଦ୍‍ବର୍ତ୍ତୀ, ସେ ଜୀବନ ଓ ଧାର୍ମିକତା ଓ ସମ୍ମାନ ପାଏ।

ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ, ସେ କ୍ଳେଶରୁ ଆପଣା ପ୍ରାଣ ରକ୍ଷା କରେ। ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ, ସେ ଅହଙ୍କାରର ଗାରିମାରେ କର୍ମ କରେ।

ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ; ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

ନିନ୍ଦକକୁ ବାହାର କରି ଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ। ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ।

ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ; ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ୱଳ ଅଙ୍ଗାର ରାଶି କରି ଥୋଇବ, ପୁଣି, ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।

ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ।

କ୍ରୋଧୀ ଲୋକ ବିବାଦ ଜନ୍ମାଏ, ପୁଣି, ରାଗାନ୍ଧ ଲୋକ ବହୁତ ଅଧର୍ମ କରେ।

ମନୁଷ୍ୟର ଅହଙ୍କାର ତାହାକୁ ନତ କରିବ; ମାତ୍ର ଯାହାର ଆତ୍ମା ବିନତ, ସେ ସମ୍ମାନ ପାଇବ।

ତିନି କଥା ମୋହର ବୋଧାଗମ୍ୟ, ପୁଣି, ଚାରି କଥା ମୁଁ ଜାଣୁ ନାହିଁ। ଆକାଶରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।

ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ। ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି, ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।

କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।

ଶଲୋମନଙ୍କର ପରମ ଗୀତ। ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି। ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।

ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି। ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ, ତୁମ୍ଭ ଗଳଦେଶ ରତ୍ନହାରରେ ସୁଶୋଭିତ। ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା। ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋ’ ସୁଗନ୍ଧିର ସୁବାସ ବ୍ୟାପ୍ତ ହେଲା। ମୋହର ପ୍ରିୟତମ ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି। ମୋ’ ପ୍ରିୟତମ ମୋ’ ପ୍ରତି ଐନଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି। ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ, ଦେଖ, ତୁମ୍ଭେ ସୁନ୍ଦରୀ ଅଟ; ତୁମ୍ଭର ଚକ୍ଷୁ କପୋତ ତୁଲ୍ୟ। ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର; ଆହୁରି, ଆମ୍ଭମାନଙ୍କ ଶଯ୍ୟା ହରିଦ୍‍ବର୍ଣ୍ଣ ଅଟେ।

ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁଫୁଲ ଅଟେ। ଯେପରି କଣ୍ଟକ ମଧ୍ୟରେ କଇଁଫୁଲ, ସେହିପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା। ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ। ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦ ଲାଗିଲା। ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ, ମୋ’ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା। ତୁମ୍ଭେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ; କାରଣ ମୁଁ ପ୍ରେମ ପୀଡ଼ିତା। ତାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ। ଏହି ତ ମୋ’ ପ୍ରିୟତମଙ୍କ ରବ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି। ମୋହର ପ୍ରିୟତମ ହରିଣ ଓ ତରୁଣ ମୃଗ ତୁଲ୍ୟ; ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।

ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ। କାରଣ, ଦେଖ, ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା; ଭୂମିରେ ପୁଷ୍ପ ପ୍ରସ୍ପୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ କପୋତର ରବ ଶୁଣା ଯାଉଅଛି; ଡିମ୍ବିରି ବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ। ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର। ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷାକ୍ଷେତ୍ରନାଶକ ଶୃଗାଳମାନଙ୍କୁ, କ୍ଷୁଦ୍ର ଶୃଗାଳମାନଙ୍କୁ ଧର; କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।” ମୋ’ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି। ହେ ମୋହର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମ୍ଭେ ଫେରି ଆସି ବେଥର ପର୍ବତଶ୍ରେଣୀସ୍ଥ ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।

ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ। ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ?

ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ; ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ; ତୁମ୍ଭର କେଶ ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ। ତୁମ୍ଭର ଦନ୍ତ-ପଂକ୍ତି ନୂତନ ଲୋମକଟା, ସ୍ନାନରୁ ଉତ୍‍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ। ତୁମ୍ଭର ଓଷ୍ଠାଧର ସିନ୍ଦୂରବର୍ଣ୍ଣ ସୂତା ତୁଲ୍ୟ ଓ ତୁମ୍ଭର ମୁଖ ମନୋହର; ଓଢ଼ଣି ତଳେ ତୁମ୍ଭ ଗାଲ ଡାଳିମ୍ବ ତୁଲ୍ୟ। ତୁମ୍ଭର ଗଳଦେଶ ଅସ୍ତ୍ରାଗାର ନିମନ୍ତେ ନିର୍ମିତ ଦାଉଦଙ୍କ ଦୁର୍ଗ ତୁଲ୍ୟ, ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ, ବୀରଗଣର ସକଳ ଢାଲ ଟଙ୍ଗାଗଲା। କଇଁଫୁଲବନରେ ଚରିବାର ଯାଆଁଳା ହରିଣ ଛୁଆ ତୁଲ୍ୟ ତୁମ୍ଭର ସ୍ତନଯୁଗଳ। ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ-ପର୍ବତ ଓ କୁନ୍ଦୁରୁ-ଉପପର୍ବତକୁ ଯିବି। ହେ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ; ତୁମ୍ଭଠାରେ କୌଣସି ଖୁଣ ନାହିଁ।

ହେ ମୋହର ପ୍ରିୟେ, ହେ ମୋହର କନ୍ୟା, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ; ତୁମ୍ଭେ ଆପଣାର ଏକ ଦୃଷ୍ଟିରେ, ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ। ହେ ମୋହର ପ୍ରିୟେ, ମୋହର କନ୍ୟା, ତୁମ୍ଭର ପ୍ରେମ କିପରି ମନୋରମ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ! ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧିଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ! ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ। ମୋହର ପ୍ରିୟେ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ; ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକାର ସଦୃଶ୍ୟ। ତୁମ୍ଭର ପଲ୍ଲବ ବହୁମୂଲ୍ୟ ଫଳବିଶିଷ୍ଟ ଡାଳିମ୍ବ ଉପବନ; ମେହେନ୍ଦି, ସୁଗନ୍ଧି ବୃକ୍ଷର ଚାରାବିଶିଷ୍ଟ, ଜଟାମାଂସୀ ଓ କୁଙ୍କୁମ, ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ ଓ ଅଗୁରୁ, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ। ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ। ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ; ମୋ’ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ। ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।

ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର। ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋ’ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋ’ ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।” ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି; କିପରି ପୁନର୍ବାର ତାହା ମଳିନ କରିବି? ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।

ହେ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ। ହେ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ?

ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ। ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ। ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ; ଦୁଗ୍ଧରେ ଧୌତ ଓ ଯଥା ସ୍ଥାନରେ ସ୍ଥାପିତ। ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ; ତାଙ୍କ ଶରୀର ନୀଳକାନ୍ତ ମଣି-ମଣ୍ଡିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ। ତାଙ୍କ ଗୋଡ଼ ଦୁଇଟି ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗୀରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ; ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ; ହଁ, ସେ ସର୍ବତୋଭାବେ ମନୋହର। ହେ ଯିରୂଶାଲମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା।

ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର; ସେ କଇଁଫୁଲ ବନରେ ଆପଣା ପଲ ଚରାନ୍ତି।

ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲୀୟଦ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।

ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ। ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ; ତୁମ୍ଭର ଉଦର କଇଁଫୁଲ-ମଣ୍ଡିତ ଗହମରାଶି ତୁଲ୍ୟ। ତୁମ୍ଭର ସ୍ତନଯୁଗଳ ହରିଣୀର ଯାଆଁଳା ଛୁଆ ତୁଲ୍ୟ। ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ; ତୁମ୍ଭ ନେତ୍ରଯୁଗଳ ବେଥ୍‍-ରବ୍ବୀମ ନଗରଦ୍ୱାର ନିକଟସ୍ଥ ହିଷ୍‍ବୋନ ସରୋବର ସଦୃଶ; ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ୟ। ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ, ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ; ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି। ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହାରିଣୀ! ତୁମ୍ଭ ଶରୀରର ଦୀର୍ଘତା ଖର୍ଜ୍ଜୁର ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ। ମୁଁ କହିଲି, ମୁଁ ଖର୍ଜ୍ଜୁର ବୃକ୍ଷ ଆରୋହଣ କରିବି, ମୁଁ ତହିଁର ବାହୁଙ୍ଗା ଧରିବି: ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ ହେଉ; ପୁଣି, ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ; ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋ’ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ।

ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ’ ପ୍ରତି ଅଛି। ଆସ, ମୋ’ ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ; ଆମ୍ଭେମାନେ ପଲ୍ଲୀଗ୍ରାମରେ କାଳକ୍ଷେପଣ କରୁ। ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ; ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ; ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି। ଦୂଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

ତାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।

ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ। ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।

ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।

ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;

ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ।

ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ।

ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ।

କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?

ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;

ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁ ସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ-ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା।

ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, “ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ।

ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।

ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ।

ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍‍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା। ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।”

ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?

ହେ ଦେଶସ୍ଥ ନମ୍ର ଲୋକମାନେ, ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ଵେଷଣ କର, ଧର୍ମର ଅନ୍ଵେଷଣ କର, ନମ୍ରତାର ଅନ୍ଵେଷଣ କର; ହୋଇପାରେ, ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମ୍ଭେମାନେ ଗୁପ୍ତ ସ୍ଥାନରେ ରଖାଯିବ।

ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।

ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର। ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”

ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ । ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ । ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ । ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ । ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ । ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ । ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ । ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର ।

ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ; କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ । ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ । ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ ।

ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର । କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି । ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର? ଅଣଯିହୂଦୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।

ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।

କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ ।

ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର ।

ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ । ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ ।

ତୁମ୍ଭେମାନେ କ'ଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କ'ଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ? ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି,ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ । ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ ।

ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ ।

ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,

ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର ।

ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।

ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।

ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।

ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।

କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ ।

ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।

ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ ।

ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।

ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।

ସେଥିରେ ଯୀଶୁ ଉପବେଶ ନ କରିବାର ଜଣଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ ।

କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ । କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ।

ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ । [କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।]

ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର । ଦ୍ୱିତୀୟଟି ଏହି, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ । ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି; ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତର ।

ସେ ବେଥନିଆରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।

ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ପୋଷାକ ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ ।

କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର । ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ । ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ । ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କର ।

ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି । ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି । ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି ।

ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି । ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ । ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ; ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି, ମପାଇଦିଆଯିବ ।

ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି, ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।

ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା । ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ? ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ । ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା । ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ । ତୁମ୍ଭେ ମୋହର ମସ୍ତକରେ ତେଲ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା । ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ ।

ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।

ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ । ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ । ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ । କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ । ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି । ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ । ଯୀଶୁ ତାହାଙ୍କୁ କହିଲେ, ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର ।

ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜିକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ, କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବେ, ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ଏହାଙ୍କୁ ସ୍ଥାନ ଦିଅ; ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ । କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ । କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।

ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ । କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର; ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ ।

ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ । କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।

କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାରିବ ନାହିଁ ।

ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।

ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।

କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।

କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ । କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି ।

ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।

ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।

କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ ।

ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।

ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ ।

ଯୀଶୁ କାନ୍ଦିଲେ । ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ ।

ସେତେବେଳେ ମରିୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା ।

ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ ।

ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ ।

ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ । କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ । ଯଦି ତୁମ୍ଭେମାନେ ଏହି ସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ ।

ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ - ଯାହାକୁ ଯୀଶୁ ପ୍ରେମ କରୁଥିଲେ - ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ ।

ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର । ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଵାରା ଜ୍ଞାତ ହେବେ ।

ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ ।

ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି ।

ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା । ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର ।

ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ । ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ । ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି । ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା । ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ । ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ । ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କ'ଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହି ସବୁ ତୁମ୍ଭମାନଙ୍କୁ ଜଣାଇଅଛି ।

ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି ।

କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ ।

ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋ'ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ ।

ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।

ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ । ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର । ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ, ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ ।

ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ । ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ । ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ।

ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, ଆଉ ପ୍ରତ୍ୟେକ ଜଣକୁ ତା'ର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା ।

ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର । ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ । ସେ ଏହା କହି ମହାନିଦ୍ରା (ମୃତ୍ୟୁ) ପ୍ରାପ୍ତ ହେଲେ ।

ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ । ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା ।

ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି, "ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି ।

ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପ୍ରବାହିତ ହୋଇଅଛି । କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ । ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରି ପାରେ । କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି । ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା । କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ।

ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ? ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।'' ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ ।

କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।

କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର ।

ପ୍ରେମ ନିଷ୍କପଟ ହେଉ । ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ; ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର; ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର; ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ; ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ ।

ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ । ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର । ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ । ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ । ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହି ସବୁ ଚିନ୍ତା କର; ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ ।

ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖା ଅଛି, "ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା' । ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତା'ର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ । କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।

ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ମୋଶାଙ୍କ ବ୍ୟବସ୍ଥା ସଫଳ କରିଅଛି । କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ମୋଶାଙ୍କ ବ୍ୟବସ୍ଥା ସଫଳ କରେ ।

ବିଶ୍ୱାସରେ ଯେ ଦୁର୍ବଳ, ତାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ ।

କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା । ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ୱରଙ୍କ ପ୍ରଶଂସା କରିବ ।" ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ।

ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର । ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି । କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ । ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ ।

ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ ।

ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ । ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ । କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖା ଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋ' ଉପରେ ପଡ଼ିଲା । ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥି ନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହି ସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି । ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ, ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ୱରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର । ଅତଏବ ଈଶ୍ୱରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର ।

ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।

ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି; କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି ।

କିନ୍ତୁ ଯେପରି ଲେଖା ଅଛି, "ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି" ।

ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ । ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ?

`ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ; କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ । ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ । ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି । ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ ।

କାରଣ ଯେପରି ମୁଁ ଅଧିକସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି ।

କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।

ଯିହୂଦୀ ବା ଗ୍ରୀକ୍‍ ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ, ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ ।

ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି । ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଆନନ୍ଦ କରନ୍ତି ।

ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟ କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି । ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ । ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ । ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ । ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହି ସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ ।

ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ ।

ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥି ନିମନ୍ତେ ଏକାନ୍ତ ଚେଷ୍ଟା କର ।

ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ ।

କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି ।

ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ରଦ୍ୱାରା, ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତିଦ୍ୱାରା, ପ୍ରତାରକ ତୁଲ୍ୟ, ଅଥଚ ସତ୍ୟବାଦୀ, ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।

ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି । କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ଵେଚ୍ଛାରେ ବହୁତ ବିନତିସହ ଆମ୍ଭମାନଙ୍କୁ ନିବେଦନ କଲେ; ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ ।

ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ । ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି । କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ ।

କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ ।

ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ ।

ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି ।

ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମ୍ଭମାନଙ୍କୁ ଅନୁରୋଧ କରେ;

ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।

ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ୱର ତୁମ୍ଭମାନଙ୍କ ସହିତ ରହିବେ । ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର ।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।

ଯିହୂଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ ।

ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର ।

କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର । କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।'' କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ ।

ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟରୂପେ ଜଣା: ବ୍ୟଭିଚାର, ଅଶୁଚିତା କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ ।

ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ି ପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ । ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ ।

ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ । କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ;

ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା । ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ ।

ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;

ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ।

ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,

କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।

ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈୖର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ, ଆଉ ସେହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ ।

ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ; ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ ।

ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ । ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ । ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ । ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ; ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।

ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ; ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।

ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂୂତ ହୁଅ ।

ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ,

ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍ । ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ; କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ।

ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ । ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି । ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।

ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ । "ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା)," ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ । ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର । ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;

ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ । ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ ।

କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ୱର ମୋହର ସାକ୍ଷୀ । ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର, ପୁଣି, ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,

ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ, ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର, ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର; ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ ।

ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ; ସେ ଈଶ୍ୱରରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ ।

ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ ।

ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ;

ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;

ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି, ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତାରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍‍ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି ।

କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର । ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି; ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୂଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି ।

ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର। ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର । ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ । ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର । ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ।

ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ । ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ। ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର । ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି ।

ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ । ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲାପରି କର ନାହିଁ;

ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର । ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର ।

ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ । ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ ।

ଭ୍ରାତୃପ୍ରେମ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ଆବଶ୍ୟକ ନାହିଁ, କାରଣ ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ, ପୁଣି, ପ୍ରକୃତରେ ସମୁଦାୟ ମାକିଦନିଆରେ ଥିବା ସମସ୍ତ ଭାଇଙ୍କ ପ୍ରତି ତୁମ୍ଭେମାନେ ତାହା କରୁଅଛ । ତଥାପି, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆହୁରି ଅଧିକ ରୂପେ ତାହା କରିବା ନିମନ୍ତେ ଉତ୍ସାହ ଦେଉଅଛୁ,

ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ । ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତି ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର, ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର । ପରସ୍ପର ସଙ୍ଗରେ ଶାନ୍ତିରେ ରୁହ । ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ । ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ ।

ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ । ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଉଚିତ ବିଚାରର ପ୍ରତ୍ୟକ୍ଷ ପ୍ରମାଣ,

ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାଉନ୍ତୁ ।

କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ଯେଉଁ ପ୍ରେମ,

ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା ।

ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଉଦାହରଣସ୍ୱରୂପ ହୁଅ ।

କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।

କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ ।

ପିତୃପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ୱରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ; ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥି- ନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;

କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି । ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;

ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ,

କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ ।

କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ । ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ, ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର; ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ; ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ, ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ | ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ; ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର, ଯେପରି ବିପକ୍ଷ ଲୋକ ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ ।

କର୍ତ୍ତୃପକ୍ଷ ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ, କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ । କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ । କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା, ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;

ପ୍ରଭୁ ଯୀଶୁ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି,

କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି । ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି, ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,

କାରଣ ଈଶ୍ୱର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ୱର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି ।

କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ ।

ପୁଣି, ପ୍ରେମ ଓ ସତ୍‍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ, ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ ।

କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି । ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ । ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?

ଭ୍ରାତୃପ୍ରେମ ସ୍ଥିର ହୋଇଥାଉ । ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି । ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର ।

ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ ।

ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ,

ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ । ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର ।

ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।

କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ, କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ? ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି? କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ । ଧନୀମାନେ କ'ଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?

ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ମୋଶାଙ୍କ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର, ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ ।

କାରଣ ଯେ ଦୟା କରେ ନାହିଁ, ସେ ନିର୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ ।

ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ ।

ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହା ଗର୍ବର କଥା କହେ । ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ । ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ ।

ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ । କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ ।

କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ । କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ । ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଶାନ୍ତିର ବୀଜ ବୁଣାଯାଏ ଧାର୍ମିକତା ରୂପ ଫଳ କାଟିବେ ।

ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କ'ଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ? ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ ।

କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' । ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ । ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର । ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ । ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ । ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ମୋଶାଙ୍କ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ମୋଶାଙ୍କ ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ ।

ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ ।

ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ । ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥି ନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି । ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର ।

ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।

ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;

ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି

ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର । ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ ।

ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା । ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;

ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ; ଅନିଷ୍ଟ ପରିବର୍ତ୍ତରେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତରେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ ।

ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ । କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର; ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;

ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି । ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।

ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ ।

ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ସହିତ ସଦ୍‍ଗୁଣ, ସଦ୍‍ଗୁଣ ସହିତ ଜ୍ଞାନ, ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା, ଧର୍ମପରାୟଣତା ସହିତ ଭ୍ରାତୃସ୍ନେହ, ପୁଣି, ଭ୍ରାତୃସ୍ନେହ ସହିତ ପ୍ରେମ ଯୋଗ କର ।

କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି । ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ ।

ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି । ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ । କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି ।

ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;

ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ । ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା ।

କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;

ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ । ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ । ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ । କିନ୍ତୁ ଯେ ଜାଗତିକ ଭାବେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ? ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ ।

ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା ।

ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ । ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ । ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ । ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ । କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ୱର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି ।

ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି । ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ । ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ । ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ । ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ । ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ ।

ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ । ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ । କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ ।

ପିତା ଈଶ୍ୱର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ ।

ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ । ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା ।

ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ । ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର । ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର ।

ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,

ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ ।

ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ ।

ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର ।

ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି ।

ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net