12 – ଯୌନ ଅନୈତିକତା

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଯୌନ ଅନୈତିକତା.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି ।

ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ।

କ୍ରମରେ ପ୍ରତ୍ୟେକ ପଦ - 177 ବାଇବଲ ପଦ

ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।

ସଦାପ୍ରଭୁ ଆହୁରି କହିଲେ, “ସଦୋମ ଓ ହମୋରାର ବିରୁଦ୍ଧରେ ମହାଧ୍ୱନି ଉଠୁଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର; ଏଣୁ ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତୋଭାବେ କରିଅଛନ୍ତି କି ନାହିଁ, ତାହା ଜାଣିବା।” ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସଦୋମ ଆଡ଼କୁ ଗମନ କଲେ; ମାତ୍ର ଅବ୍ରହାମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ। ଏଥିଉତ୍ତାରେ ଅବ୍ରହାମ ନିକଟକୁ ଯାଇ କହିଲେ, “ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ? ହୋଇପାରେ, ନଗର ମଧ୍ୟରେ ପଚାଶ ଜଣ ଧାର୍ମିକ ଥିବେ; ତହିଁ ମଧ୍ୟବର୍ତ୍ତୀ ପଚାଶ ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ?” ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଯଦି ସଦୋମ ନଗରରେ ପଚାଶ ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା।” ତହିଁରେ ଅବ୍ରହାମ ପ୍ରତ୍ୟୁତ୍ତର କଲେ, “ଦେଖନ୍ତୁ, ମୁଁ ଧୂଳି ଓ ଭସ୍ମମାତ୍ର ହେଲେ ହେଁ ମୋ ପ୍ରଭୁଙ୍କ ଛାମୁରେ କଥା କହିବାକୁ ପ୍ରବୃତ୍ତ ହୋଇଅଛି। ହୋଇପାରେ, ପଚାଶ ଜଣ ଧାର୍ମିକ ମଧ୍ୟରୁ ପାଞ୍ଚ ଜଣ ଊଣା ଥିବେ; ସେହି ପାଞ୍ଚ ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ?” ସଦାପ୍ରଭୁ କହିଲେ, “ଆମ୍ଭେ ପଞ୍ଚଚାଳିଶ ଜଣ ପାଇଲେ, ତାହା ବିନଷ୍ଟ କରିବା ନାହିଁ।” ଅବ୍ରହାମ ତାହାଙ୍କୁ ପୁନର୍ବାର କହିଲେ, “ହୋଇପାରେ, ସେଠାରେ ଚାଳିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି ଚାଳିଶ ଜଣ ସକାଶୁ ତାହା କରିବା ନାହିଁ।” ପୁନର୍ବାର ଅବ୍ରହାମ କହିଲେ, “ପ୍ରଭୁ ବିରକ୍ତ ନୋହିଲେ ଆହୁରି କଥାଟିଏ କହିବି; ହୋଇପାରେ, ସେଠାରେ ତିରିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ତିରିଶ ଜଣ ପାଇଲେ, ତାହା କରିବା ନାହିଁ।” ଅବ୍ରହାମ କହିଲେ, “ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି; ହୋଇପାରେ, ସେଠାରେ କୋଡ଼ିଏ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି କୋଡ଼ିଏ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।” ଅବ୍ରହାମ କହିଲେ, “ପ୍ରଭୁ ବିରକ୍ତ ନୋହିଲେ ଆଉ ଥରେ ମାତ୍ର କହିବି; ହୋଇପାରେ, ସେଠାରେ ଦଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି ଦଶ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।”

ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା “ହେ ମୋହର ପ୍ରଭୁମାନେ, ମୁଁ ବିନୟ କରୁଅଛି, ଆଜି ରାତ୍ର ଆପଣମାନଙ୍କ ଏହି ଦାସର ଗୃହରେ ପଦାର୍ପଣ କରି ବାସ କରନ୍ତୁ ଓ ପାଦ ପ୍ରକ୍ଷାଳନ କରନ୍ତୁ; ତହୁଁ ସକାଳୁ ଉଠି ଯାତ୍ରା କରିବେ।” ତହିଁରେ ସେମାନେ କହିଲେ, “ନା; ଆମ୍ଭେମାନେ ଦାଣ୍ଡରେ ସମସ୍ତ ରାତ୍ରି କ୍ଷେପଣ କରିବୁ।” ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ। ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍‍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ। ପୁଣି, ଲୋଟକୁ ଡାକି କହିଲେ, “ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।” ତହିଁରେ ଲୋଟ ବାହାରକୁ ଆସି ଦ୍ୱାର ବନ୍ଦ କରି କହିଲା, “ହେ ଭାଇମାନେ, ମୁଁ ବିନୟ କରୁଅଛି, ଏପରି କୁବ୍ୟବହାର କର ନାହିଁ। ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋ’ ଛାତ ତଳେ ଆଶ୍ରୟ ନେଇ ଅଛନ୍ତି।” ସେତେବେଳେ ସେମାନେ କହିଲେ, “ଘୁଞ୍ଚି ଯା।” ପୁଣି କହିଲେ, “ଏ ଲୋକଟା ଆମ୍ଭମାନଙ୍କ ମଧ୍ୟରେ ପ୍ରବାସ କରିବାକୁ ଆସି ଆମ୍ଭମାନଙ୍କର ବିଚାରକର୍ତ୍ତା ହେବାକୁ ଚାହେଁ; ଏବେ ସେମାନଙ୍କଠାରୁ ତୋ’ ପ୍ରତି ଆହୁରି କୁବ୍ୟବହାର କରିବା।” ତହୁଁ ସେମାନେ ସେହି ମନୁଷ୍ୟ, ଅର୍ଥାତ୍‍, ଲୋଟ ପ୍ରତି ବଳ ପ୍ରୟୋଗ କରି କବାଟ ଭାଙ୍ଗିବାକୁ ଗଲେ। ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ। ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।

ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏ ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏସ୍ଥାନରୁ ନେଇଯାଅ; ଯେହେତୁ ଆମ୍ଭେମାନେ ଏ ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏ ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇ ଅଛନ୍ତି।” ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏ ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ। ଆରଦିନ ପ୍ରଭାତ ହୁଅନ୍ତେ, ଦୂତମାନେ ଲୋଟକୁ ଚଞ୍ଚଳ କରାଇ କହିଲେ, “ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ ଦୁଇ କନ୍ୟା ଏଠାରେ ଅଛନ୍ତି, ସେମାନଙ୍କୁ ଘେନିଯାଅ; ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ।” ତଥାପି ସେ ବିଳମ୍ବ କଲା; ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ସକାଶୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ ଦୁଇ କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ। ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”

ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କରି

ସେହି ସମୟରେ ଲୋଟର ଭାର୍ଯ୍ୟା ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା।

ତହୁଁ ରାତ୍ରିକାଳରେ ପରମେଶ୍ୱର ସ୍ୱପ୍ନ ଯୋଗେ ଅବିମେଲକଙ୍କ ନିକଟକୁ ଆସି କହିଲେ, “ଦେଖ; ତୁମ୍ଭେ ମୃତକଳ୍ପ, କାରଣ ସେହି ଯେଉଁ ସ୍ତ୍ରୀକୁ ତୁମ୍ଭେ ନେଇଅଛ, ତାହାର ସ୍ୱାମୀ ଅଛି।”

ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।

ଆଉ ଯାକୁବର ପୁତ୍ରମାନେ ସେହି ସମ୍ବାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି, ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ୱିତ ଥିଲେ।

ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ। ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକି ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।

ସେମାନେ ଉତ୍ତର କଲେ, “ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ?”

ସେତେବେଳେ ଯିହୁଦା ତାକୁ ଦେଖି ବେଶ୍ୟା ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା। ଏନିମନ୍ତେ ସେ ପଥପାଶ୍ୱର୍ରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, “ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ।” ତହୁଁ ତାମର କହିଲା, “ତୁମ୍ଭେ ମୋ’ କତିକି ଆସିବା ପାଇଁ କଅଣ ଦେବ?” ସେ କହିଲା, “ପଲରୁ ଗୋଟିଏ ଛେଳିଛୁଆ ପଠାଇ ଦେବି।” ତାମର କହିଲା, “ତାହା ପଠାଇବା ଯାଏ ମୋତେ କି କୌଣସି ବନ୍ଧକ ଦେବ?” ଯିହୁଦା କହିଲା, “କଅଣ ବନ୍ଧକ ଦେବା?” ତାମର କହିଲା, “ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି।” ତହୁଁ ଯିହୁଦା ତାକୁ ସେହି ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା। ଏଥିଉତ୍ତାରେ ତାମର ଉଠି ପ୍ରସ୍ଥାନ କଲା, ପୁଣି, ଆବରକ ବସ୍ତ୍ର ପାଲଟି ବିଧବା ବସ୍ତ୍ର ପିନ୍ଧିଲା। ଏଉତ୍ତାରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ପଠାଇଦେଲା, ମାତ୍ର ସେ ତାହାର ଦେଖା ପାଇଲା ନାହିଁ। ଏଣୁ ସେ ସେଠାର ଲୋକମାନଙ୍କୁ ପଚାରିଲା, ଐନମ ପଥପାର୍ଶ୍ୱରେ ଯେଉଁ ମାହାରୀ ଥିଲା, ସେ କାହିଁ? ସେମାନେ କହିଲେ, “ଏଠାରେ କୌଣସି ମାହାରୀ ରହେ ନାହିଁ।” ଏଥିଉତ୍ତାରେ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ତାହାର ଦେଖା ପାଇଲି ନାହିଁ,” ଆଉ ସେଠାର ଲୋକମାନେ ମଧ୍ୟ କହିଲେ, “ଏହି ସ୍ଥାନରେ କୌଣସି ବେଶ୍ୟା ରହନ୍ତି ନାହିଁ।” ତେବେ ଯିହୁଦା କହିଲା, “ତାହାଠାରେ ଯାହା ଅଛି, ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏହି ଛେଳିଛୁଆ ପଠାଇଲି, ମାତ୍ର ତୁମ୍ଭେ ତା’ର ଦେଖା ପାଇଲ ନାହିଁ।” ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି।” ତହିଁରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।” ଏଥିଉତ୍ତାରେ ସେ ବାହାରକୁ ଅଣାଯା’ନ୍ତେ, ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି। ଆହୁରି କହିଲା, “ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ।” ତହୁଁ ଯିହୁଦା ସେହି ସକଳ ପଦାର୍ଥ ଆପଣାର ବୋଲି ସ୍ୱୀକାର କରି କହିଲା, “ସେ ମୋ’ଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋର ପୁତ୍ର ଶେଲାକୁ ଦେଲି ନାହିଁ।” ମାତ୍ର ଯିହୁଦା ଆଉ ତାହା କତିକି ଗଲା ନାହିଁ।

ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, “ତୁମ୍ଭେ ମୋ’ ସଙ୍ଗେ ଶୟନ କର।” ମାତ୍ର ଯୋଷେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, “ଦେଖ, ଏ ଗୃହରେ ଯାହା ଅଛି ମୋ’ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ, ସେ ମୋ’ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି। ଏହି ଗୃହରେ ମୋ’ଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ’ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କିପରି ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ?” ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ। ଏଥିଉତ୍ତାରେ ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି, ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା। ତେଣୁ ସେ ଯୋଷେଫଙ୍କର ବସ୍ତ୍ର ଧରି ମୋ’ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା; ମାତ୍ର ଯୋଷେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଗଲେ।

ଯେତେବେଳେ ସେ ସ୍ତ୍ରୀ ଯୋଷେଫଙ୍କୁ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଯିବାର ଦେଖିଲା, ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଅଛନ୍ତି; ସେ ମୋ’ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋ’ କତିକି ଆସିଥିଲା; ତହିଁରେ ମୁଁ ବଡ଼ ପାଟି କରି ଡାକ ପକାଇଲି; ମୋହର ବଡ଼ ପାଟି କରି ଡାକିବାର ଶୁଣି ସେ ଆପଣା ବସ୍ତ୍ର ମୋ’ ନିକଟରେ ପକାଇ ଦେଇ ବାହାରକୁ ପଳାଇଗଲା।” ପୁଣି, ସେହି ସ୍ତ୍ରୀ ତାହାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେହି ବସ୍ତ୍ର ଆପଣା ନିକଟରେ ରଖିଲା। ଏଥିଉତ୍ତାରେ ସେ ଆପଣା ସ୍ୱାମୀକୁ ସେହି କଥାନୁସାରେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆମ୍ଭମାନଙ୍କ ପାଖକୁ ଆଣିଅଛ, ସେ ମୋ’ ସଙ୍ଗେ ପରିହାସ କରିବା ନିମନ୍ତେ ମୋ’ କତିକି ଆସିଥିଲା, ପୁଣି, ମୁଁ ବଡ଼ ପାଟି କରି ଡାକ ପକାଇବାରୁ ସେ ମୋ’ ନିକଟରେ ଏହି ବସ୍ତ୍ର ପକାଇ ଦେଇ ବାହାରକୁ ପଳାଇଗଲା।” ସେତେବେଳେ “ତୁମ୍ଭର ଦାସ ମୋ’ ପ୍ରତି ଏପ୍ରକାର ବ୍ୟବହାର କରିଅଛି,” ଆପଣା ଭାର୍ଯ୍ୟାର ମୁଖରୁ ଏ କଥା ଶୁଣି ଯୋଷେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ଜ୍ୱଳିତ ହେଲା। ଆଉ ଯୋଷେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀମାନଙ୍କ ବାସସ୍ଥାନ କାରାଗାରରେ ରଖିଲା; ତହୁଁ ଯୋଷେଫ ସେହି କାରାଗାରରେ ରହିଲେ।

ତୁମ୍ଭେ ବ୍ୟଭିଚାର କରିବ ନାହିଁ।

ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

ତୁମ୍ଭମାନଙ୍କର କେହି ଆପଣା ନିକଟ କୁଟୁମ୍ବ ମଧ୍ୟରୁ କାହାରି ଆବରଣୀୟ ଅନାବୃତ କରିବାକୁ ଯିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭେ ଆପଣା ପିତାର ଆବରଣୀୟ ଅବା ଆପଣା ମାତାର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ମାତା; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପିତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ପିତାର ଆବରଣୀୟ ଅଟେ। ତୁମ୍ଭେ ଆପଣା ଭଗିନୀ, ଅର୍ଥାତ୍‍, ତୁମ୍ଭ ପିତୃକନ୍ୟା କି ମାତୃକନ୍ୟା, ସେ ଗୃହରେ ଜନ୍ମ ହେଉ କି ଅନ୍ୟତ୍ର ଜନ୍ମ ହେଉ, ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ତାହା ତୁମ୍ଭ ନିଜର ଆବରଣୀୟ। ତୁମ୍ଭେ ଆପଣା ସାବତ ଭଉଣୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ସେ ତୁମ୍ଭ ପିତାଠାରୁ ଜନ୍ମିଅଛି, ସେ ତୁମ୍ଭର ଭଗିନୀ, ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ପିତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, ସେ ତୁମ୍ଭର ପିତୃଗୋତ୍ରରେ ଜନ୍ମ ହୋଇଛି। ତୁମ୍ଭେ ଆପଣା ମାତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, କାରଣ ସେ ତୁମ୍ଭର ମାତୃଗୋତ୍ରରେ ଜନ୍ମ ହୋଇଛି। ତୁମ୍ଭେ ଆପଣା ପିତୃଭ୍ରାତାର ଆବରଣୀୟ ଅନାବୃତ କରିବ ନାହିଁ, ତୁମ୍ଭେ ତାହାର ଭାର୍ଯ୍ୟା ନିକଟକୁ ଯିବ ନାହିଁ, କାରଣ ସେ ତୁମ୍ଭର ପିତୃବ୍ୟପତ୍ନୀ। ତୁମ୍ଭେ ଆପଣା ପୁତ୍ରବଧୂର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ପୁତ୍ରବଧୂ; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ। ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ଭ୍ରାତାର ଆବରଣୀୟ। ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତୁମ୍ଭେ ତାହାର ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବା ପାଇଁ ତାହାକୁ ଗ୍ରହଣ କରିବ ନାହିଁ; ସେମାନେ ଗୋତ୍ରରେ ଜନ୍ମ ହୋଇଛନ୍ତି; ଏହା ଦୁଷ୍ଟତା ଅଟେ। ଆଉ ଭଗିନୀ ଜୀବିତା ଥାଉ ଥାଉ ତୁମ୍ଭେ ତାହା ପାର୍ଶ୍ୱରେ ତାହାର ସପତ୍ନୀ ରୂପେ ଆବରଣୀୟ ଅନାବୃତ କରିବା ପାଇଁ ତା’ର ଭଗିନୀକୁ ଗ୍ରହଣ କରିବ ନାହିଁ।

ପୁଣି, କୌଣସି ସ୍ତ୍ରୀ ତାହାର ରଜଧର୍ମ ହେତୁ ଅଶୁଚି ଥିବା ପର୍ଯ୍ୟନ୍ତ ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବା ନିମନ୍ତେ ତାହା ନିକଟକୁ ଯିବ ନାହିଁ। ଆଉ, ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ ପ୍ରତିବାସୀର ଭାର୍ଯ୍ୟା ନିକଟକୁ ଗମନ କରିବ ନାହିଁ। ତୁମ୍ଭେ ଆପଣା ବଂଶଜାତ କାହାକୁ ହିଁ, ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇବାକୁ ଦେବ ନାହିଁ, କିଅବା ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭେ ସ୍ତ୍ରୀର ନ୍ୟାୟ ପୁରୁଷ ସହିତ ସଂସର୍ଗ କରିବ ନାହିଁ, ତାହା ଘୃଣାଯୋଗ୍ୟ କର୍ମ। ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ କୌଣସି ପଶୁଠାରେ ଗମନ କରିବ ନାହିଁ; କିଅବା କୌଣସି ସ୍ତ୍ରୀ ଆପଣା ସହିତ ସଂସର୍ଗ କରାଇବାକୁ କୌଣସି ପଶୁର ସମ୍ମୁଖରେ ଠିଆ ହେବ ନାହିଁ; ଏହା ତ ପାଷାଣ୍ଡତା।

ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।

ଆଉ, ଯେକେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେହି ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତାନ୍ତ ହତ ହେବେ। ପୁଣି, ଯେଉଁ ଲୋକ ଆପଣା ପିତୃର ଭାର୍ଯ୍ୟା ସହିତ ଶାରୀରିକ ସମ୍ପର୍କ ରଖେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ପୁଣି, ଯଦି କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତାନ୍ତ ହତ ହେବେ; ସେମାନେ ପାଷାଣ୍ଡ କର୍ମ କରିଅଛନ୍ତି; ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ପୁଣି, ପୁରୁଷ ଯଦି ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଯୌନ ସମ୍ପର୍କ ରଖେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ଆଉ, କେହି ଯଦି କୌଣସି ସ୍ତ୍ରୀକୁ ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ; ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ଓ ସେମାନେ ଉଭୟ ଅଗ୍ନିରେ ଦଗ୍ଧ ହେବେ। ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ। ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ। ପୁଣି, ଯଦି କେହି ରଜସ୍ୱଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାହାର ରକ୍ତର କ୍ଷରଣ ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ରକ୍ତର କ୍ଷରଣ ଅନାବୃତ କରିବାରୁ, ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ। ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବୋହିବେ। ଆଉ, ଯଦି କେହି ଆପଣା ପିତୃବ୍ୟପତ୍ନୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି; ସେମାନେ ଆପଣା ଆପଣା ଅପରାଧ ବୋହିବେ; ସେମାନେ ନିଃସନ୍ତାନ ହୋଇ ମରିବେ। ପୁଣି, ଯଦି କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ।

ସେମାନେ ବେଶ୍ୟାକୁ ଅବା କଳଙ୍କିନୀକୁ ବିବାହ କରିବେ ନାହିଁ ଓ ସ୍ୱାମୀତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ, କାରଣ ସେ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର। ଏହେତୁ ତୁମ୍ଭେ ତାହାକୁ ପବିତ୍ର କରିବ; କାରଣ ସେ ତୁମ୍ଭ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରେ; ସେ ତୁମ୍ଭ ନିକଟରେ ପବିତ୍ର ହେବ; କାରଣ ତୁମ୍ଭମାନଙ୍କୁ ପବିତ୍ର କରୁ ଯେ ସଦାପ୍ରଭୁ ଆମ୍ଭେ, ଆମ୍ଭେ ପବିତ୍ର ଅଟୁ। ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।

ବିଧବା, ତ୍ୟକ୍ତା, କଳଙ୍କିନୀ କିଅବା ବେଶ୍ୟାକୁ ବିବାହ କରିବ ନାହିଁ; ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ।

“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯଦି ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଯଦି କୌଣସି ପୁରୁଷ ତାହା ସହିତ ସହବାସ କରେ ଓ ତାହା ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି, ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ପଡ଼ି ନ ଥାଏ;

ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ,

ଏଥିରେ ଦେଖ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକୁ ଆଣିଲା, ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ରୋଦନ କରୁଥିଲେ।

କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ।

କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେକେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।

ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ; ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ୱାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।

ଯଦି କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ ସମୟରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ। ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ।

ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍‍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ; ତେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପ୍ରସ୍ତରାଘାତ କରି ବଧ କରିବ; କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ; ପୁଣି ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।

ମାତ୍ର ଯଦି କୌଣସି ପୁରୁଷ ବାଗ୍‍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ; ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ; ସେହି କନ୍ୟାଠାରେ ପ୍ରାଣଦଣ୍ଡଯୋଗ୍ୟ ପାପ ନାହିଁ; କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏହି କଥା ସେହିପରି ଅଟେ। ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା ସେହି ବାଗ୍‍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନ ଥଲା।

ଯେବେ କୌଣସି ପୁରୁଷ ଅବାଗ୍‍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଚାଶ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ; ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।

କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ କରିବ ନାହିଁ।

ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।

ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟା ବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ। ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।

“ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧୀକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

“ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

“ଯେକେହି ଆପଣା ଭଗିନୀ, ଅର୍ଥାତ୍‍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

“ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

ଏଥିଉତ୍ତାରେ ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।

ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା। ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ କ୍ରୋଧ କରି ତାହା ନିକଟରୁ ବାହାରି ଯାଇ ବେଥଲିହିମ ଯିହୁଦାରେ ଆପଣା ପିତୃଗୃହରେ ଚାରି ମାସ କାଳ ରହିଲା।

ସେମାନେ ଆପଣା ଆପଣା ମନକୁ ଖୁସି କଲା ବେଳେ, ଦେଖ, ନଗରର ଲୋକ କେତେକ ଦୁଷ୍ଟ ଲୋକମାନେ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ; ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧ ଲୋକକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହା ସହିତ ଶାରୀରିକ ସମ୍ବନ୍ଧ କରିବା। ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, ନାହିଁ ନାହିଁ, ଆମ୍ଭର ଭ୍ରାତୃଗଣ, ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ; ଏ ପୁରୁଷ ଆମ୍ଭ ଘରକୁ ଆସିଅଛି, ଏଥିପାଇଁ ଏହି ମୂଢ଼ତାର କର୍ମ ନ କର। ଦେଖ, ମୋହର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି; ମୁଁ ସେମାନଙ୍କୁ ଆଣି ଦେଉଛି ପଛେ, ତୁମ୍ଭେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଭଲ, ତାହା ସେମାନଙ୍କ ସଙ୍ଗେ କର; ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର। ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ; ତେଣୁ ସେହି ଲେବୀୟ ପୁରୁଷ ଆପଣା ଉପପତ୍ନୀ କି ଧରି ବାହାରକୁ ସେମାନଙ୍କ ନିକଟକୁ ଆଣିଲା; ତହିଁରେ ସେମାନେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ କଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିସାରା ତାହା ପ୍ରତି ଅତ୍ୟାଚାର କଲେ; ପୁଣି ପ୍ରଭାତ ହେବା ବେଳକୁ ତାହାକୁ ଛାଡ଼ିଦେଲେ। ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା। ଏଥିଉତ୍ତାରେ ପ୍ରଭାତ ହୁଅନ୍ତେ, ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା; ମାତ୍ର ଦେଖ, ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି। ତହୁଁ ସେ ତାହାକୁ କହିଲା, ଉଠ, ଚାଲ ଆମ୍ଭେମାନେ ଯିବା; ମାତ୍ର ସେ ଉତ୍ତର ଦେଲା ନାହିଁ; ତେବେ ସେ ତାହାକୁ ଗଧ ଉପରକୁ ନେଲା; ଆଉ ସେହୀ ଲେବୀୟ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା। ଏଥିଉତ୍ତାରେ ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା। ତହିଁରେ ଯେତେ ଲୋକ ତାହା ଦେଖିଲେ, ସମସ୍ତେ କହିଲେ, ଇସ୍ରାଏଲ ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ; ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ।

ପୁଣି ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଶହକେ ଦଶ ଜଣ, ହଜାରକେ ଏକ ଶହ ଜଣ, ଦଶ ହଜାରରେ ଏକ ହଜାର ଜଣ ଲେଖାଏଁ ନେବୁ, ତହିଁରେ ଲୋକମାନେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଲେ, ସେମାନେ ଇସ୍ରାଏଲ ମଧ୍ୟରେ ଯେସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ। ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।

ଏଲି ଅତି ବୃଦ୍ଧ ହେଲେ; ପୁଣି, ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ।

ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା। ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କ’ଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍‍ଶେବା ନୁହେଁ?” ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେହି ସ୍ତ୍ରୀ ଋତୁସ୍ନାନ କରିଥିଲା। ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା। ଏଥିଉତ୍ତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, “ମୁଁ ଗର୍ଭବତୀ ହୋଇଅଛି।”

ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ ସନ୍ତାନଗଣର ଖଡ୍ଗ ଦ୍ୱାରା ଊରୀୟକୁ ବଧ କରିଅଛ। ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।’ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ। ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା।’”

ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋ’ ଭଉଣୀ, ମୋ’ ସଙ୍ଗରେ ଶୁଅ।” ତହିଁରେ ସେ ଉତ୍ତର କଲା, “ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; “କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ୍।” ତୁମ୍ଭେ ଏହି ମୂଢ଼କର୍ମ ନ କର! ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।” ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା।

ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ; ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ; ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ। ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା। ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍‍ର ଓ ଅମ୍ମୋନୀୟମାନଙ୍କ ମିଲ୍‍କମ୍‍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍‍ଗାମୀ ହେଲେ। ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍‍ଗାମୀ ନୋହିଲେ।

ପୁଣି, ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ।

ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ି ଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ।

ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରି ଦେଲେ।

ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହସବୁ ଭାଙ୍ଗି ପକାଇଲେ।

ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି; ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି?

ଆଉ, ଯେଉଁ ପରସ୍ତ୍ରୀ ଚାଟୁବାଦିନୀ, ଯେ ଆପଣା ଯୌବନକାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ ଯାହାର ଗୃହ ମୃତ୍ୟୁୁ ଆଡ଼େ

ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ। କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ।

ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ?

ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ୱାର ଚାଟୁବାଦରୁ ରକ୍ଷା କରିବ। ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ। ଯେହେତୁ ବେଶ୍ୟା ସକାଶୁ ଅନ୍ନ-ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରେ। କେହି ଯେବେ ଆପଣା ବକ୍ଷଃସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ’ଣ ପୋଡ଼ି ଯିବ ନାହିଁ? ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ’ଣ ଫୋଟକା ହେବ ନାହିଁ? ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନୋହିବ।

ଜଣେ ବ୍ୟଭିଚାରୀ ପୁରୁଷ ନିତାନ୍ତ ନିର୍ବୋଧ; ଯେ ନିଜ ପ୍ରାଣ ନାଶ କରିବ, ସେ ହିଁ ତାହା କରେ।

ତହିଁରେ ସେମାନେ ପରସ୍ତ୍ରୀଠାରୁ, ଅର୍ଥାତ୍‍, ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ। ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି; ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିବିହୀନ ଯୁବା ଲୋକ ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା। ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ। ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା, ସେ ବେଶ୍ୟାବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ।

ଏହିରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା, ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା। ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ, ସେହିପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା। ଆଉ, ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା। ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ ଓ ମୋ’ ମୁଖର ବାକ୍ୟରେ ମନୋନିବେଶ କର। ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ। ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇ ଅଛି, ହଁ, ତାହାର ହତ ଲୋକସକଳ ଅପାର। ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁୁର ଆଳୟକୁ ଯାଏ।

ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ।

ପରସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ।

କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଙ୍କୀର୍ଣ୍ଣ କୂପ ଅଟେ। ଆହୁରି ସେ ଡକାୟତ ପରି ଛକି ବସେ, ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ।

ଯେଉଁ ଲୋକ ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଆନନ୍ଦିତ କରେ; ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।

ସେହି ପ୍ରକାର ବ୍ୟଭିଚାରିଣୀ ସ୍ତ୍ରୀର ଗତି, ସେ ଖାଇ ମୁହଁ ପୋଛି ଦିଏ ଓ କହେ, ଆମ୍ଭେ କିଛି ଅଧର୍ମ କରି ନାହୁଁ।

ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ।

ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।

ହେ ଗଣିକାର ପୁତ୍ରଗଣ, ପାରଦାରିକ ଓ ବେଶ୍ୟାର ବଂଶ, ତୁମ୍ଭେମାନେ ନିକଟକୁ ଆସ।

ଲୋକେ କହନ୍ତି, “କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ?” ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ? ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ! ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନ ସବୁ ଦେଖ; ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ? ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ; ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ୱାରା ଦେଶ ଅଶୁଚି କରିଅଛ। ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ ବର୍ଷା ହୋଇ ନାହିଁ; ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ, ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ।”

ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛି। ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ‘ସେ ଆମ୍ଭ ନିକଟକୁ ଫେରି ଆସିବ,’ ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା। ଆଉ, ଆମ୍ଭେ ଦେଖିଲୁ, ବିପଥଗାମୀନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା।

ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା ବିଶ୍ୱାସଘାତକତାପୂର୍ବକ ଆପଣା ସ୍ୱାମୀକି ଛାଡ଼ିଯାଏ, ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି ସେହି ପ୍ରକାର ବିଶ୍ୱାସଘାତକତା କରିଅଛ।

ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା? ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି; ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ, ସେତେବେଳେ ସେମାନେ ବ୍ୟଭିଚାର କଲେ ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ। ସେମାନେ ପ୍ରଭାତରେ ସୁପୋଷିତ ଅଶ୍ୱ ତୁଲ୍ୟ ହେଲେ; ପ୍ରତ୍ୟେକେ ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ହିଁ ହିଁ ହେଲେ।

ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରିବ,

ଆମ୍ଭେ କ୍ଷେତ୍ରସ୍ଥ ଗିରିଗଣ ଉପରେ ତୁମ୍ଭର ଘୃଣ୍ୟକର୍ମ, ତୁମ୍ଭର ବ୍ୟଭିଚାର, ତୁମ୍ଭର ହିଁ ହିଁ ହେବାର ଓ ତୁମ୍ଭର ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ହେ ଯିରୂଶାଲମ, ତୁମ୍ଭେ ସନ୍ତାପର ପାତ୍ର! ତୁମ୍ଭେ ଶୁଚିକୃତ ହେବାକୁ ମଙ୍ଗୁ ନାହଁ; ଆହୁରି କେତେ କାଳ ଏପରି ହେବ?

ଯିରୂଶାଲମର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”

କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି,’” ସଦାପ୍ରଭୁ କହନ୍ତି, “ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।”

ସେମାନେ ସିୟୋନରେ ସ୍ତ୍ରୀମାନଙ୍କୁ, ଯିହୁଦାର ନଗର ସମୂହରେ କୁମାରୀଗଣକୁ ଭ୍ରଷ୍ଟା କଲେ।

ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା। ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ୍ ନୁହେଁ। ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;

“ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ। ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ? ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।

ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ। ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସ୍ରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ। ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ। ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ। ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍‍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।

ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।” ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚ ସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ। ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ। ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ। ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ।

ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ; ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ। ବିବାହ ନିୟମ ଲଘଂନକାରିଣୀ ଓ ରକ୍ତପାତ-କାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା।

ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ। ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ। ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ”, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।

ରକ୍ତପାତ କରିବା ପାଇଁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ରହିଅଛନ୍ତି ଓ ତୁମ୍ଭ ମଧ୍ୟରେ ଲୋକମାନେ ପର୍ବତ ଉପରେ ଭୋଜନ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଲମ୍ପଟାଚରଣ କରିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ଆପଣା ଆପଣା ପିତାର ଆବରଣୀୟ ଅନାବୃତ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଋତୁ ସମୟରେ ଅଶୁଚି ଥିବା ସ୍ତ୍ରୀକୁ ବଳାତ୍କାର କରିଅଛନ୍ତି। ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।

ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା; ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଚିପିଲେ। ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ବୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ବୁ); ସେମାନେ ଆମ୍ଭର ହେଲେ ଓ ପୁତ୍ର କନ୍ୟା ପ୍ରସବ କଲେ। ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ। ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା, ସେମାନେ ନୀଳାମ୍ବର ପରିହିତ, ଦେଶାଧ୍ୟକ୍ଷ, ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ୱାରୋହୀ ଥିଲେ। ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା। ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଚିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ। ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍‍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ। ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ। ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା କ୍ରିୟା ଅପେକ୍ଷା ତାହାର ବେଶ୍ୟା କ୍ରିୟା ଅଧିକ ଥିଲା। ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟନ୍ତ ସୁନ୍ଦର ବସ୍ତ୍ର ପରିହିତ, ଅଶ୍ୱାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ। ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ। ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍‍, କଲ୍‍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା, ସେମାନଙ୍କ କଟୀରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେମାନେ ସମସ୍ତେ ଦେଖିବାକୁ କଲ୍‍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ। ପୁଣି, ସେ ସେମାନଙ୍କୁ ଦେଖିବା ମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍‍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା। ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମ ଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ୱାରା ତାହାକୁ ଅଶୁଚି କଲେ, ପୁଣି, ସେମାନଙ୍କ ଦ୍ୱାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା। ଏହିରୂପେ ସେ ଆପଣା ବେଶ୍ୟା କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା; ତହୁଁ ଆମ୍ଭର ପ୍ରାଣ ଯେପରି ତାହାର ଭଗିନୀଠାରୁ ବିମୁଖ ହୋଇଥିଲା, ସେହିପରି ତାହାଠାରୁ ମଧ୍ୟ ବିମୁଖ ହେଲା। ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା। ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ୱଗଣର ପରି ରେତଃବିଶିଷ୍ଟ, ସେମାନଙ୍କ ଉପପତିମାନଙ୍କଠାରେ ସେ ଆସକ୍ତା ହେଲା। ଏହି ପ୍ରକାରେ ମିସ୍ରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଚିପିଥିଲେ, ତୁମ୍ଭେ ଆପଣା ଯୌବନ କାଳର ସେହି ଲମ୍ପଟାଚରଣ ସ୍ମରଣ କରୁଅଛ।

ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ। କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା; ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା କ୍ରିୟା ପ୍ରକାଶିତ ହେବ। ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟ ଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।

ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।” ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ; କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟ ଦେଇ ଗମନ କରାଇ ଅଛନ୍ତି। ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି। କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି।

ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ; ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ। ଆଉ, ତାହା ସଙ୍ଗେ ନିଶ୍ଚିନ୍ତ ଲୋକସମୂହର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ। ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ। ପୁଣି, ଲୋକେ ଯେପରି ବେଶ୍ୟା ସହ ଶୟନ କରନ୍ତି, ସେହିପରି ସେମାନେ ତାହା ସହ ଶୟନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ସହ ଶୟନ କଲେ। ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି।”

ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ। ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ବନ୍ଧୀୟ ପାପସକଳର ଭାର ବହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”

ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, “ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”

ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ; ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା; ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା; ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ, କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ। ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, “ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନାବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି।”

ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ; ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।

ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି। ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍‍ନି ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ; ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି। ତୁମ୍ଭର କନ୍ୟାଗଣ ବେଶ୍ୟାଚାର କଲା ବେଳେ ଓ ତୁମ୍ଭର ବଧୂଗଣ ବ୍ୟଭିଚାର କଲା ବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା ନାହିଁ; କାରଣ ସେମାନେ ଆପେ ବେଶ୍ୟାମାନଙ୍କ ସଙ୍ଗେ ଦେବଗଣର ମନ୍ଦିରକୁ ଯାଆନ୍ତି ଓ ମାହାରୀମାନଙ୍କ ସଙ୍ଗେ ବଳିଦାନ କରନ୍ତି; ଯେଉଁ ଲୋକମାନେ ବୁଝନ୍ତି ନାହିଁ, ସେମାନେ ଉତ୍ପାଟିତ ହେବେ।

ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ; କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି। ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ; କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।

ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ; କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ, ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ।

ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।

ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ।

ତଥାପି ତୁମ୍ଭେମାନେ କହୁଅଛ, “ଏଥିର କାରଣ କଅଣ?” ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ। ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ କରିବା ନିମନ୍ତେ ଚେଷ୍ଟା କଲେ।ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ। “କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ,” ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ “ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।

“ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ । କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;

ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ।

ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।

କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା; ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ।

ସେଥିରେ ସେ ସେମାନଙ୍କୁ କହିଲେ, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ; ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ ।

ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର ।

ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର ।

ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି । ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କ'ଣ କହୁଅଛନ୍ତି? ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ । କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ । ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ । ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ । ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ । ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି? କେହି କ'ଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହିଲା, କେହି ନାହିଁ, ପ୍ରଭୁ । ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ ।]

କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ପରଦାର, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ ।

ଏହି ସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ । ଆପଣମାନଙ୍କର ମଙ୍ଗଳ ହେଉ ।

କିନ୍ତୁ ଯେଉଁ ଅଣଯିହୂଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖି ଅଛୁ ।

ଏଣୁ ଈଶ୍ୱର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ । କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ । ଆମେନ୍‍ । ଏହି କାରଣରୁ ଈଶ୍ୱର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ, ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ ।

ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ । ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;

ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି ।

ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ- ଗୁଡ଼ାକର ବଶବର୍ତ୍ତୀ ହେବ; କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର ।

ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର ।

ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ । ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ । କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,

କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ମୋଶାଙ୍କ ବ୍ୟବସ୍ଥା ଦେଖେ, ତାହା ମୋହର ମନର ମୋଶାଙ୍କ ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ମୋଶାଙ୍କ ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ ।

ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ । କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି । ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ । କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି । କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ; ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ; ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ ।

ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ; କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ ।

ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା ।

କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।

ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ । ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ ।

ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୂଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି ।

ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମ୍ଭମାନଙ୍କୁ ମୋହର ପତ୍ରରେ ଲେଖିଥିଲି; ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ; କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରିଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ । କାରଣ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କ'ଣ ଅଛି? ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ? କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ୱର କରିବେ । ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ ।

ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ । ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।

ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ;

ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ । କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, "ସେ ଦୁହେଁ ଏକାଙ୍ଗ ହେବେ"। କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ । ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ ।

`ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ; କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ । ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ । ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି । ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ ।

ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ ।

କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ ।

ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ ।

ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସେ ସାବଧାନ ହେଉ । ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।

କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ ।

ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।

କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାଁନ୍ତି, ଏପରି ଅନେକ ଲୋକଙ୍କ ନିିମନ୍ତେ ମୁଁ ଶୋକ କରେ ।

ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ । କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରି ପାର ନାହିଁ । କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ । ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟରୂପେ ଜଣା: ବ୍ୟଭିଚାର, ଅଶୁଚିତା କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି ।

ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;

ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି ।

କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହି ସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ; ପୁଣି, ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଉ, ବରଂ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦିଅ । କାରଣ ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ -ଏମାନଙ୍କର, ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ ।

ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ;

କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ, ଆଉ, ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୂଦୀମାନଙ୍କ ପରି କାମାଭିଳାଷୀ ନ ହୋଇ, ପ୍ରତ୍ୟେକେ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ଶରୀରକୁ ବଶ କରିବାକୁ ଜାଣ,

କାରଣ ଈଶ୍ୱର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି । ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ୱର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ ।

ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ ।

କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ । କାରଣ ଏମାନଙ୍କ ମଧ୍ୟରେ ଏପରିଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;

ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ,

କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ ।

ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।

ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ । କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ । କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ ।

ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ । ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ ।

ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,

ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ।

ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, (କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି), ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କର । ଯେଣୁ ଅଣଯିହୂଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;

କାରଣ ଈଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ; ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ, ପୁଣି, ସେ ଦୁରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ, ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ । ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି । ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,

ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,

କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;

ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,

କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।

କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି ।

ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚ ପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି । ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି । ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ପ୍ରଭୁତ୍ୱ ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି ।

କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ (ଭୋଗ) ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ୱୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି ।

ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ । ଆମ୍ଭେ ତାହାକୁ ମନପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ । ଦେଖ, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି, ସେମାନେ ତାହାର କର୍ମର ସହଭାଗିତାରୁ ମନପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ,

ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନପରିବର୍ତ୍ତନ କଲେ ନାହିଁ ।

ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।

ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ, ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି ।

କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।

ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;

କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି ।

କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net