24 – ପରିବାର

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ପରିବାର.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।

ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ । ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି । ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।

ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ । "ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା)," ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ । ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।

କ୍ରମରେ ପ୍ରତ୍ୟେକ ପଦ - 302 ବାଇବଲ ପଦ

ଏଥିଉତ୍ତାରେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ୱର ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି, ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।”

ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।” ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା। ଏହିରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର, ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ।

ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତହୁଁ ଆଦମ କହିଲେ, “ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି।”

ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ। ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା।

ଆଦମ କହିଲେ, “ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।” ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”

ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।” ତହୁଁ ସେ ନାରୀଙ୍କୁ କହିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।” ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।

ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟାର ନାମ ହବା ଦେଲେ, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ।

ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।” ଏଥିଉତ୍ତାରେ ସେ ହେବଲ (ଅର୍ଥାତ୍‍ ଅସ୍ଥାୟୀ) ନାମକ ତାହାର ସହୋଦରକୁ ପ୍ରସବ କଲେ। ଏଥର ହେବଲ ମେଷପାଳକ ଓ କୟିନ କୃଷକ ହେଲେ। ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ। ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଦୁଃଖିତ ହେଉଅଛ? ସତ୍କର୍ମ କଲେ, କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।” ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କ’ଣ ମୋ’ ଭାଇର ରକ୍ଷକ?” ସେ କହିଲେ, “ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। ଏଥିନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ;

ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।

ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ। ଶେଥର ଜନ୍ମ ଉତ୍ତାରେ ଆଦମ ଆଠଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା ନଅଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।

ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;

ଏଥିଉତ୍ତାରେ ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ।

ଏଥିଉତ୍ତାରେ ପରମେଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, “ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର।

ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ। ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”

“ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ। ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ। ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀ ଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ। ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶ-ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ୱର ହେବା।

ତହିଁ ଉତ୍ତାରୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକୁ ଆଉ ସାରୀ ବୋଲି ଡାକ ନାହିଁ; ତାହାର ନାମ ସାରା ହେଲା। ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା; ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ତାହାଠାରୁ ନାନାଦେଶୀୟ ରାଜାଗଣ ଉତ୍ପନ୍ନ ହେବେ।” ସେତେବେଳେ ଅବ୍ରହାମ ମୁହଁ ମାଡ଼ି ପଡ଼ି ହସିଲେ, ପୁଣି, ମନେ ମନେ କହିଲେ, “ପୁରୁଷର ଶହେ ବର୍ଷ ବୟସରେ କି ସନ୍ତାନ ଜାତ ହେବ? ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ?”

ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ।”

ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ। ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍‍ହାକ ରଖିଲେ।

“ସେତେବେଳେ ଇସ୍‍ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା।” ତହିଁରେ ଇସ୍‍ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା।

ତୁମ୍ଭର ବଂଶ ପୃଥିବୀର ଧୂଳି ପରି (ଅସଂଖ୍ୟ) ହେବେ, ପୁଣି, ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ, ଚାରିଆଡ଼େ ବୃଦ୍ଧି ପାଇବ; ପୁଣି, ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ।

ଆଉ ଯାକୁବ ରାହେଲକୁ ପ୍ରେମ କଲା; ଏଥିନିମିତ୍ତ ସେ ଉତ୍ତର କଲା, “ତୁମ୍ଭର କନିଷ୍ଠା କନ୍ୟା ରାହେଲ ନିମନ୍ତେ ମୁଁ ସାତ ବର୍ଷ ତୁମ୍ଭର ଦାସ୍ୟକର୍ମ କରିବି।” ତହିଁରେ ଲାବନ କହିଲା, “ଅନ୍ୟ ପୁରୁଷକୁ ଦାନ କରିବା ଅପେକ୍ଷା ତୁମ୍ଭକୁ ଦାନ କରିବା ଅଧିକ ଉତ୍ତମ; ମୋ’ ନିକଟରେ ଥାଅ।” ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି, ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।

ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।” ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ଜ୍ୱଳିତ ହେଲା; ପୁଣି, ସେ କହିଲା, “ମୁଁ କ’ଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇ ନାହାନ୍ତି।”

ଏଥିଉତ୍ତାରେ ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା।”

ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।

ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। ସେ ଉଚ୍ଚୈଃସ୍ୱରରେ ଏପରି ରୋଦନ କଲେ ଯେ, ମିସ୍ରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ। ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋ’ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ।

ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ।

ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍‍, ରାମିଷେଷ୍‍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ। ପୁଣି, ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟ ଦ୍ରବ୍ୟ ଦେଇ ପ୍ରତିପାଳନ କଲେ।

ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;

ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।

ପୁଣି, ଯେକେହି ଆପଣା ପିତା କିମ୍ବା ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ।

ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞା-ଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।”

କିଅବା ତୁମ୍ଭେ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ, ସେମାନଙ୍କ କନ୍ୟାଗଣ ନିଜ ଦେବଗଣର ଅନୁଗାମିନୀ ହୋଇ ତୁମ୍ଭ ପୁତ୍ରଗଣକୁ ଆପଣାମାନଙ୍କ ଦେବଗଣର ଅନୁଗାମୀ କରି ବ୍ୟଭିଚାର କରାଇବେ।

ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ମାତାକୁ ଓ ଆପଣା ଆପଣା ପିତାକୁ ଭୟ କରିବ; ପୁଣି, ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।

ଯେକେହି ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ସେ ନିତାନ୍ତ ହତ ହେବ; ସେ ତାହାର ପିତାକୁ କି ତାହାର ମାତାକୁ ଅଭିଶାପ ଦେଇଅଛି; ତାହା ଉପରେ ତାହାର ରକ୍ତ ବର୍ତ୍ତିବ।

ସେମାନେ ବେଶ୍ୟାକୁ ଅବା କଳଙ୍କିନୀକୁ ବିବାହ କରିବେ ନାହିଁ ଓ ସ୍ୱାମୀତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ, କାରଣ ସେ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର।

ପୁଣି, ସେ କେବଳ ଅନୂଢ଼ାକୁ ବିବାହ କରିବ; ବିଧବା, ତ୍ୟକ୍ତା, କଳଙ୍କିନୀ କିଅବା ବେଶ୍ୟାକୁ ବିବାହ କରିବ ନାହିଁ; ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ।

ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ, ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବୋହିବ।

“ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ-ଅଧିକାର ଦେବ; ପୁଣି, ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ-ଅଧିକାର ସମର୍ପଣ କରିବ। ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, କୌଣସି ମନୁଷ୍ୟ ମଲେ ଯଦି ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ। ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। ପୁଣି, ଯଦି ତାହାର ଭାଇ ନ ଥାଏ, ଯଦି ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ। ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।”

ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ। ତାହା କଲେ ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ। ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣଙ୍କର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ। ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।”

କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ। ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଠିଆ ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଜୀବନ ସାରା ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।”

ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ।

ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।

ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ। କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହା ହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ।

ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।

ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।

ମୁଁ ତୁମ୍ଭକୁ ଏହି ଯେଉଁ ସକଳ କଥା ଆଜ୍ଞା ଦେଉଅଛି, ତାହା ମନୋଯୋଗ କରି ଶୁଣ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ, ତାହା କଲେ ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ଯୁଗାନୁକ୍ରମେ ମଙ୍ଗଳ ହେବ।

ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।

କିଅବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ; ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢ଼ାଇବ ନାହିଁ।

ଆଉ କେଉଁ ଲୋକ କୌଣସି ସ୍ତ୍ରୀକୁ ବାଗ୍‍ଦାନ କରି ତାହାକୁ ବିବାହ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତାହାକୁ ବିବାହ କରିବ।

ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ; ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ। ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।

ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ; ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗରଦ୍ୱାରକୁ ନେଇଯିବେ; ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।” ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।

କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ ଓ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତାହାର ଦୁର୍ନାମ କରି କହେ କି, ଆମ୍ଭେ ଏହି ସ୍ତ୍ରୀକି ବିବାହ କଲୁ, ମାତ୍ର ସହବାସ ସମୟରେ ଏହାର କୌମାର୍ଯ୍ୟର ଲକ୍ଷଣ ପାଇଲୁ ନାହିଁ; ତେବେ ସେହି କନ୍ୟାର ପିତାମାତା ତାହାର କୌମାର୍ଯ୍ୟର ଚିହ୍ନ ନେଇ ନଗର ଦ୍ୱାରରେ ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। ତହୁଁ ସେହି କନ୍ୟାର ପିତା ପ୍ରାଚୀନବର୍ଗଙ୍କୁ କହିବ, ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ; ମାତ୍ର ସେ ତାହାକୁ ଘୃଣା କରେ ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରି କହେ କି, ଆମ୍ଭେ ତୁମ୍ଭ କନ୍ୟାର କୌମାର୍ଯ୍ୟ ଲକ୍ଷଣ ପାଇଲୁ ନାହିଁ; ମାତ୍ର ଆମ୍ଭ କନ୍ୟାର କୌମାର୍ଯ୍ୟ ଚିହ୍ନ ଏହି; ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। ଏଉତ୍ତାରୁ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ଡ କରି କନ୍ୟାର ପିତାକୁ ଦେବେ, କାରଣ ସେ ଇସ୍ରାଏଲୀୟା ଏକ କନ୍ୟା ଉପରେ ଦୁର୍ନାମ ଆଣିଅଛି; ତହିଁରେ ସେ ତାହାର ଭାର୍ଯ୍ୟା ହେବ, ସେ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ। ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ; ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ୱାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ। ଯଦି କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ ସମୟରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ। ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ।

ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।

କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ। ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରି ଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ। ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରି ଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ; ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।

କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।

“ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍’।

“ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।

ପୁଣି, ସେମାନେ ଯେପରି ତାହା ଶୁଣି ଶିକ୍ଷା ପା’ନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ୱାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ। ତହିଁରେ ସେମାନଙ୍କ ଯେଉଁ ସନ୍ତାନଗଣ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେ କାଳ ପ୍ରାଣ ଧାରଣ କରିବ, ସେତେ କାଳ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ଶିଖିବେ।

ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋ’ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋ’ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ। ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ।

ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।

ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି; ତେବେ ଏହା ନିଶ୍ଚୟ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଗୋଷ୍ଠୀୟମାନଙ୍କୁ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ଆଉ ତଡ଼ିଦେବେ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କୋରଡ଼ା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ।

ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।

ତହୁଁ ଇସ୍ରାଏଲ ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ।

ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍‍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ।

ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତିସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ନିଜ ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ।”

ଏଥିରେ ତାହାର ସ୍ୱାମୀ ଇଲ୍‍କାନା ତାହାକୁ କହିଲା, ହାନ୍ନା, କାହିଁକି ରୋଦନ କରୁଅଛ? କାହିଁକି ଖାଉ ନାହଁ? କାହିଁକି ତୁମ୍ଭ ମନ ଦୁଃଖିତ ହୋଇଅଛି? ମୁଁ କି ଦଶ ପୁତ୍ରଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ?

ପୁଣି, ସେ ଏକ ମାନତ ମନାଶି କହିଲା; ହେ ସୈନ୍ୟାଧିପତି ସଦାପ୍ରଭୁ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।

ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି। ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା, ଏଉତ୍ତାରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା।

ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।

ସେସମୟରେ ଶାମୁୟେଲ ବାଳକ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।

ମାତ୍ର ବାଳକ ଶାମୁୟେଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି, ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହପ୍ରାପ୍ତ ହେଲେ।

ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା।

ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ; ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ; ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ। ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା।

ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।

ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ। ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।” ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚୈଃସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।

ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏ ପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।” ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କ’ଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।

ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ ଆପଣା ବିପକ୍ଷଗଣ ସକାଶୁ ଶିଶୁ ଓ ଦୁଗ୍ଧପୋଷ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ।

ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।

ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ। ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ।

କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।

ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ’ ମାତା ମୋତେ ଗର୍ଭରେ ଧାରଣ କଲା। ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।

ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା ଅଟନ୍ତି। ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି; ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି।

ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି; ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି। ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା। କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ; ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ; ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ; ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।

ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।

ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ ବହଇ, ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ ବହନ୍ତି।

ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,

ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ। ସେ ଆପଣା ନିୟମ, ଅର୍ଥାତ୍‍, ଯେଉଁ ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଥିଲେ,

ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ ଓ ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସଦାପ୍ରଭୁ ତୁମ୍ଭମାନଙ୍କୁ, ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର[୭୨] ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ। ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ; ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବେ ନାହିଁ।

ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ; ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ।

ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଆରୋହଣ ଗୀତ, ଦାଉଦଙ୍କ ରଚିତ। ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର!

କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା; ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ। ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା। ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।

ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ; ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ; ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।

ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।

ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ। କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି।

ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର। ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ। ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି। ପିତା ମୋତେ ଶିକ୍ଷା ଦେଇ କହିଲେ, “ତୁମ୍ଭ ମନରେ ମୋହର କଥାସବୁ ରଖ, ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।”

ହେ ମୋହର ପୁତ୍ର, ଶୁଣ, ମୋ’ କଥା ଘେନ; ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ। ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି।

ହେ ମୋହର ପୁତ୍ର, ମୋ’ କଥାରେ ମନୋଯୋଗ କର; ମୋ’ ବାକ୍ୟରେ କର୍ଣ୍ଣ ଡେର। ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ। ଯେହେତୁ ତାହା ଯେଉଁମାନେ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ। ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।

ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।

ହେ ମୋହର ପୁତ୍ର, ତୁମ୍ଭେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି, ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ।

ଶଲୋମନଙ୍କର ହିତୋପଦେଶ। ଜ୍ଞାନବାନ ପୁତ୍ର ପିତାର ଆନନ୍ଦ ଜନ୍ମାଏ; କିନ୍ତୁ ହୀନବୁଦ୍ଧି ପୁତ୍ର ତାହା ମାତାର ଶୋକର କାରଣ।

ଆପଣା ପରିବାରକୁ ଯେ ଦୁଃଖ ଦିଏ, ସେ ବାୟୁରୂପ ଅଧିକାର ପାଏ; ପୁଣି, ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ।

ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ; ମାତ୍ର ଲଜ୍ଜାଦାୟିନୀ ସ୍ତ୍ରୀ ତାହାର ହାଡ଼ସବୁର କ୍ଷୟ ସ୍ୱରୂପ।

ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ; ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ।

ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ।

ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ।

ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ; ପୁଣି, ଅନୁଯୋଗ ଯେ ଘେନେ, ସେ ବୁଦ୍ଧି ପ୍ରାପ୍ତ ହୁଏ।

ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ; ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।

ଯେଉଁ ଦାସ ବୁଦ୍ଧିପୂର୍ବକ ଚଳେ, ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଭାଇମାନଙ୍କ ସଙ୍ଗରେ ଅଧିକାରର ବାଣ୍ଟ ପାଏ।

ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ; ପୁଣି, ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।

ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ

ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ଆପଣା ଜନନୀର ଦୁଃଖର କାରଣ ହୁଏ।

ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।

ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ; ପୁଣି, ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି। ଗୃହ ଓ ଧନ ମାତା-ପିତାଙ୍କଠାରୁ ପ୍ରାପ୍ତ ଅଧିକାର; ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।

ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ।

ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି, ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନଜନକ।

ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ, ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।

ଆପଣାର କର୍ମ ନିର୍ମଳ ଓ ସରଳ କି ନାହିଁ, ଏହା ଗୋଟିଏ ପିଲା ସୁଦ୍ଧା ଆପଣାର କର୍ମ ଦ୍ୱାରା ଆପଣାର ପରିଚୟ ଦିଏ।

ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ।

ପ୍ରଥମରେ କୌଣସି ଅଧିକାର ହଠାତ୍‍ ମିଳିପାରେ; ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।

କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।

କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବସତି କରିବାର ଭଲ।

ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।

ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି, ଶାସନବାଡ଼ି ତାହା ବାହାର କରି ତାହାଠାରୁ ଦୂର କରି ଦିଏ।

ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ; ତୁମ୍ଭେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ। ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ। ହଁ, ତୁମ୍ଭ ଓଷ୍ଠ ଯଥାର୍ଥ କଥା କହିଲେ, ମୋହର ଅନ୍ତଃକରଣ ଆହ୍ଲାଦିତ ହେବ।

ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି, ମାତା ବୃଦ୍ଧା ହେଲେ,ତାହାକୁ ତୁଚ୍ଛ କର ନାହିଁ। ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ। ଧାର୍ମିକର ପିତା ଅତିଶୟ ଆନନ୍ଦ କରେ, ପୁଣି, ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ। ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହେଉନ୍ତୁ, ତୁମ୍ଭର ଗର୍ଭଧାରିଣୀ ଆନନ୍ଦ କରୁ। ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ।

କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ।

ଭାରୀ ବୃଷ୍ଟିଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ, ଏ ଦୁଇ ଏକ ସମାନ ଅଟନ୍ତି।

ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର; ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ।

ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ।

ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ; ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ, ସେ ତାହାର ମାତାକୁ ଲଜ୍ଜା ଦିଏ।

ଆପଣା ପୁତ୍ରକୁ ଶାସ୍ତି ଦେଲେ, ସେ ତୁମ୍ଭକୁ ଶାନ୍ତି ଦେବ; ପୁଣି, ସେ ତୁମ୍ଭ ପ୍ରାଣକୁ ସୁଖ ଦେବ।

ଯେଉଁମାନେ ଆପଣା ପିତାକୁ ଶାପ ଦିଅନ୍ତି, ପୁଣି, ଆପଣା ମାତାକୁ ଆଶୀର୍ବାଦ କରନ୍ତି ନାହିଁ, ଏପରି ଏକ ବଂଶ ଅଛି। ଆପଣା ଦୃଷ୍ଟିରେ ନିର୍ମଳ, ଏପରି ଏକ ବଂଶ ଅଛି, ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇ ନାହାନ୍ତି। ଏକ ବଂଶ ଅଛି, ଆଃ, ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ! ସେମାନଙ୍କ ଚକ୍ଷୁର ପତା ଉତ୍‍ଥିତ ହୋଇଅଛି।

ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ, ପୁଣି, ଉତ୍କ୍ରୋଶ ପକ୍ଷୀର ଛୁଆମାନେ ତାହା ଖାଇବେ।

ତିନି କଥା ମୋହର ବୋଧାଗମ୍ୟ, ପୁଣି, ଚାରି କଥା ମୁଁ ଜାଣୁ ନାହିଁ। ଆକାଶରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।

ହେ ମୋହର ପୁତ୍ର, ହେ ମୋ’ ଗର୍ଭର ପୁତ୍ର, ହେ ମୋ’ ମାନତର ପୁତ୍ର, କଅଣ କହିବି? ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି, ତହିଁରେ ଗତି କର ନାହିଁ।

ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ। ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ। ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। ସେ ବାଣିଜ୍ୟ-ଜାହାଜ ତୁଲ୍ୟ; ସେ ଦୂରରୁ ଆପଣା ଆହାର ଆଣେ। ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରେ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ। ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ। ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ; ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ। ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ। ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ। ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି। ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି, ସେ ଶୁଭ୍ର କ୍ଷୌମବସ୍ତ୍ର ଓ ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ। ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ। ସେ ସୂକ୍ଷ୍ମବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି, ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ। ବଳ ଓ ଶୋଭା ତାହାର ବସ୍ତ୍ର ସ୍ୱରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ। ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି, ଆଳସ୍ୟର ଆହାର ଖାଏ ନାହିଁ। ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ; ଅନେକ କନ୍ୟା ଗୁଣ ଦେଖାଇ ଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ। ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ। ତାହାର ହାତର ଫଳ ତାହାକୁ ଦିଅ, ପୁଣି, ତାହାର ନିଜ କର୍ମ ନଗର-ଦ୍ୱାରରେ ତାହାର ପ୍ରଶଂସା କରୁ।

ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକୁ ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର। ଆହୁରି, ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ଣ ହୁଅନ୍ତି; ମାତ୍ର ଜଣେ କିପରି ଏକାକୀ ଉଷ୍ଣ ହୋଇପାରେ? ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡି ଯାଏ ନାହିଁ।

ସୂର୍ଯ୍ୟ ତଳେ ପରମେଶ୍ୱର ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି, ତୁମ୍ଭର ସେହି ଅସାର ଆୟୁଷର ସମସ୍ତ ଦିନ ଆପଣା ପ୍ରିୟତମା ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର; କାରଣ ଜୀବନ ମଧ୍ୟରେ ଓ ସୂର୍ଯ୍ୟ ତଳେ ତୁମ୍ଭେ ଯେଉଁ ପରିଶ୍ରମ କରୁଅଛ, ସେହି ପରିଶ୍ରମ ମଧ୍ୟରେ ଏହା ହିଁ ତୁମ୍ଭର ଅଂଶ।

ତୁମ୍ଭେ ଯେପରି ବାୟୁର ଗତି, ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ, ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ।

ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, “ଏହିସବୁରେ ମୋହର କିଛି ସୁଖ ନାହିଁ, ସେହିସବୁ ବର୍ଷ ସନ୍ନିକଟ ହେଉଅଛି।”

ହେ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ, ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି।

ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।

କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।

ଗର୍ଭିଣୀ ପ୍ରସବକାଳର ନିକଟବର୍ତ୍ତୀ ହେବା ବେଳେ ଯେପରି ବ୍ୟଥିତା ହୁଏ ଓ ବେଦନାରେ କ୍ରନ୍ଦନ କରେ, ସେହିପରି ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ହୋଇଅଛୁ। ଆମ୍ଭେମାନେ ଗର୍ଭିଣୀ ହୋଇଅଛୁ, ଆମ୍ଭେମାନେ ବ୍ୟଥିତା ହୋଇ ବାୟୁ ପ୍ରସବ କରିଅଛୁ; ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ; କିଅବା ଜଗନ୍ନିବାସୀମାନେ ଭୂମିଷ୍ଠ ହୋଇ ନାହାନ୍ତି।

ଯେପରି ଆଜି ମୁଁ କରୁଅଛି, ସେହିପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ।

ହେ ଦ୍ୱୀପସମୂହ, ମୋ’ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;

ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।

କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। କାରଣ ତୁମ୍ଭ ପରମେଶ୍ୱର କହନ୍ତି, “ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।

ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।

ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋ’ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।

ଯୁବାଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।

ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।”

“ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।”

ଲୋକେ କହନ୍ତି, “କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ?” ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ? ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ!

ଆଉ, ଆମ୍ଭେ ଦେଖିଲୁ, ବିପଥଗାମୀନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା।

ସଦାପ୍ରଭୁ କହନ୍ତି, ‘ହେ ବିପଥଗାମୀ ସନ୍ତାନଗଣ, ଫେର; କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ; ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;

ଯଦି ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍‍ଗାମୀ ନ ହୁଅ; ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।

ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।

ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ”, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ। ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ମାତା ଯେସନ, କନ୍ୟା ତେସନ।

ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।

ପୁଣି, ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ ଆପଣାମାନଙ୍କର ପିତୃଗଣର ବିଧି ଅନୁସାରେ ଚାଲ ନାହିଁ କିଅବା ସେମାନଙ୍କର ଶାସନସକଳ ମାନ ନାହିଁ, ଅଥବା ସେମାନଙ୍କ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ;

ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ବିଦେଶୀ ପ୍ରତି ଉପଦ୍ରବ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ପିତୃହୀନ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।

ପୁଣି, ସେମାନେ ବିଧବା କିଅବା ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶଜାତ ଅନୂଢ଼ା ସ୍ତ୍ରୀକୁ ଅଥବା ମୃତ ଯାଜକର ବିଧବାକୁ ବିବାହ କରିବେ।

ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍‍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା। ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।”

ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।

ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।

ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।

ଏକ ପରାମର୍ଶ ନ ହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ?

କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।

ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର। ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”

ତଥାପି ତୁମ୍ଭେମାନେ କହୁଅଛ, “ଏଥିର କାରଣ କଅଣ?” ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ। ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ କରିବା ନିମନ୍ତେ ଚେଷ୍ଟା କଲେ।ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ। “କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ,” ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ “ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।

ପୁଣି, ଆମ୍ଭେ ଆସି ଯେପରି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେହି ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ।

ଅବ୍ରାହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ । ଅବ୍ରାହାମ ଇସ୍‌ହାକଙ୍କୁ ଜନ୍ମ ଦେଲେ, ଇସ୍‌ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ, ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ, ସଲମୋନ ରାହାବଙ୍କ ଗର୍ଭରୁ ବୋୟାଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ, ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ । ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ, ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ, ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ, ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକୀୟଙ୍କୁ ଜନ୍ମ ଦେଲେ, ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ, ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ । ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍‍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ, ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ, ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ ।

ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲୋନ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ ।

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା । ତାହାଙ୍କ ମାତା ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା । ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ । କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, "ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି । ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।" ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏସମସ୍ତ ଘଟିଲା, "ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ", ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର" । ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ; କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ ।

ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ।

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ । ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର ।

ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ । କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, କିଅବା ମାଛ ମାଗିଲେ ତାହାକୁ ସାପ ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!

ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି । କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢାଇବାକୁ ଆସିଅଛି, ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ । ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ ।

କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ । ‌

ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ । ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି । କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, ମୋହର ମାଁ କିଏ? ଆଉ, ମୋହର ଭାଇମାନେ କିଏ? ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, ଦେଖ, ମୋହର ମାଁ ଓ ମୋହର ଭାଇମାନେ, କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଁ ।

ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଁ ନାମ କ'ଣ ମରିୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାଁ କ'ଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ? ଆଉ, ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି? ତେବେ ସେ ଏହି ସବୁ କେଉଁଠୁ ପାଇଲା? ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।

ଈଶ୍ୱର ତ କହିଅଛନ୍ତି ପିତାମାତାକୁ ସମାଦର କର, ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋ'ଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାନ୍ତ, ସେ ସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି, ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ । ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ ।

ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ । ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ । ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; କିନ୍ତୁ ଯେ କେହି ମୋଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।

ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି ।

ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ ।

ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,

ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କ'ଣ ନ୍ୟାୟସଙ୍ଗତ? ସେ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ? ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ । ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ? ଯୀଶୁ ସେମାନଙ୍କୁ କହିଲେ, କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା । ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ । ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ ।

ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ । ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ । କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର ।

ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ ।

ପୁଣି, ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?

ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ । ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,

ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର । ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମ୍ଭେ ବିବାହବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା ।

ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ, ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା; ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ । ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା । ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ । ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ । କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ? ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର ।

ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି ।

କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ,

ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ ।

ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;

ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ ।

ସେତେବେଳେ ତାହାଙ୍କ ମା ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇପଠାଇଲେ । ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି । ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ମା ଓ ଭାଇମାନେ କିଏ? ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ, ମୋହର ମା ଓ ମୋହର ଭାଇମାନେ । ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା ।

ଏ କି ସେହି ବଢ଼େଇ ନୁହେଁ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋସି, ଯିହୁଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।

କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋ'ଠାରୁ, ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍', ଅର୍ଥାତ୍ ଈଶ୍ୱରଙ୍କୁ ମାନତ ହୋଇଅଛି, ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ; ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ ।

ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ, ଯେ କେହି ମୋ' ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।

ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।

ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି? ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲେଖିଅଛନ୍ତି । କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ । ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କଠାରୁ ଅଲଗା ହେବ, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ । ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଭିନ୍ନ ନ କରୁ । ପରେ ଶିଷ୍ୟମାନେ ଘରେ ଯୀଶୁଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ । ସେଥିରେ ସେ ସେମାନଙ୍କୁ କହିଲେ, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ; ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ ।

ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ । ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ । ପୁଣି, ଯୀଶୁ ଶିଶୁମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ ।

ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର ।

ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରିଲୋକ କେହି ନାହିଁ ।

ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା । ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ । ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ? ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର?

ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;

କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ । ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ । ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ, ଆଉ ବାପ୍ତିଜକ ଯୋହନ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ପ୍ରତି ଫେରାଇବ । ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ବାପ୍ତିଜକ ଯୋହନ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ ।

ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ; ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ । ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ । କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ । ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇଅଛ । ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ମହାନ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ । କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ । ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।

ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ । ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା? କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା ।

ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ; ତାହାଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ । ସେମାନେ ସେହି ସ୍ଥାନରେ ଥିବା ସମୟରେ ତାଙ୍କ ପ୍ରସବ କାଳ ଉପସ୍ଥିତ ହେଲା, ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା ।

ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା । ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,

ସେମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଅଛୁ । ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କ'ଣ ଜାଣି ନ ଥିଲ? କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ । ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ ।

ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର, ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର, ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର, ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍‌ବାବେଲଙ୍କ ପୁତ୍ର, ଜିରୁବ୍‌ବାବେଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର, ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର, ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲିୟାକୀମଙ୍କ ପୁତ୍ର, ଏଲିୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର, ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୂଦାଙ୍କ ପୁତ୍ର, ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର, ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର, କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର ।

ତାହାଙ୍କ ମା' ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରି ପାରୁ ନ ଥିଲେ । ସେଥିରେ ତାହାଙ୍କୁ ଏହି ଖବର ଦିଆଗଲା, ଆପଣଙ୍କର ମା' ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରି ବାହାରେ ଠିଆ ହୋଇଅଛନ୍ତି । କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ ।

ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ? କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!

ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ ।

କେହି ଯେବେ ମୋ’ ପାଖକୁ ଆସି ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ଅଧିକ ପ୍ରେମ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ । ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ । ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ । ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା । ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ । ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି । ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ । ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ । କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।

ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ । ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।

ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ । କିନ୍ତୁ ସେ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।

ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ସ୍ତ୍ରୀକୁ ଭାଇ କି ବାପା ମା କି ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ ।

ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ; ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ । ଶେଷରେ ସ୍ତ୍ରୀଟି ମଧ୍ୟ ମଲା । ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ । ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ;

ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ ।

ତୃତୀୟ ଦିବସରେ ଗାଲିଲୀର କାନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ;

ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ । ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି । ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।

ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ । ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ୱାମୀ ନାହିଁ, ଏହା ତ ଠିକ‍ କହିଲ; କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ ।

ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ‍୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ ।

ଏ କ'ଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କ'ଣ ଏହାର ପିତାମାତାକୁ ଜାଣୁ ନାହୁଁ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି?

ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି ।

ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି ।

ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ ।

କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଗ୍ନୀ, କ୍ଳୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍‍ଦଲୀନୀ ମରିୟମ ଠିଆ ହୋଇଥିଲେ । ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର! ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, ଦେଖ, ତୁମ୍ଭର ମାତା! ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ ।

ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ ।

ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ।

କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ ।

ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ । ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ ।

ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ ।

ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ ।

ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ । ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ । ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ । ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ ।

ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ । ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ ।

ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ । କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ । ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି, ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ ।

ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି । କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ; ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ । କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ ।

କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ ପ୍ରକାର ନୁହେଁ, ସେହିପରି ଅନେକ ଯେ ଆମ୍ଭେମାନେ, ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ ।

`ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ; କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ । ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ । ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି । ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ । କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ । ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା । ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ଦାନ ପାଇଅଛି ।

କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋ' ପରି ରହିଲେ ସେମାନଙ୍କ ପକ୍ଷରେ ଭଲ । ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ । କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ପୃଥକ୍ ନ ହେଉ, (କିନ୍ତୁ ଯଦି ସେ ବିଭିନ୍ନ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ ।

କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତା'ର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାକୁ ପରିତ୍ୟାଗ ନ କରୁ । ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତା'ର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ । କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର । ତଥାପି ଯଦି ଅବିଶ୍ୱାସୀ ପୃଥକ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି । ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ?

କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଅନୁଗ୍ରହରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି । ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ । ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ । କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା । କିନ୍ତୁ ହେ ଭାଇମାନେ, ମୋ' କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ ।

କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା । ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ; କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତା'ର ମନ ବିଭକ୍ତ ହୁଏ । ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ । ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି ।

କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ । କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ । ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ । ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ । କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ ।

କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା । ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ । କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ । କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ । ପୁରୁଷ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତା'ର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ । କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି । ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା । ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ । ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ । କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ, ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ । ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କ'ଣ ଉପଯୁକ୍ତ? ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ, କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତା'ର କେଶ ତାହାକୁ ଦିଆଯାଇଅଛି । କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ୱରଙ୍କ ମଣ୍ଡଳୀସମୂହର ନାହିଁ ।

ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ ।

ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି ।

ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାଁନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ । ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ । କ'ଣ? ଈଶ୍ୱରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି? କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହି ସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ । କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ ।

ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା? ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ? ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ । ଏଣୁ ପ୍ରଭୁ ଏହା କହନ୍ତି, "ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍‍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,'' ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି,ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।

କାରଣ ଈଶ୍ୱରଙ୍କ ବିଷୟକ ଉଦ୍‍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି ।

କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ, କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧିନରେ ଥାଏ ।

ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି । ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ ।

ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,

ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବସୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବସୀଭୂତ ହୁଅ, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ଵରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା । ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବସୀଭୂତା ହେଉନ୍ତୁ। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି । ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍ । ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ; କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ । ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ । ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି । ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।

ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ । "ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା)," ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ । ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।

ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ । ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ। ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର । ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି ।

କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ,

ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ନିଜ ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ,

ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ । ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନିରବରେ ଶିକ୍ଷା ଗ୍ରହଣ କରୁ । ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନିରବରେ ରହୁ । କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; ଆଉ ଆଦମ ଠକରେ ପଡ଼ି ନ ଥିଲେ, ମାତ୍ର ନାରୀ ଠକରେ ପଡ଼ି ଆଜ୍ଞା ନ ମାନିବା ଦୋଷରେ ଦୋଷୀ ହେଲେ; କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ ।

ଅତଏବ, ଅଧ୍ୟକ୍ଷଙ୍କର ନିନ୍ଦନୀୟ ନ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ । (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?)

ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ । ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ ।

ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି, ବୃଦ୍ଧା ସ୍ତ୍ରୀମାନଙ୍କୁ ମାଁ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର । ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର । କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ ।

କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।

ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ, ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦ ଧୋଇଥାଏ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍‍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ । କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି; ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଘଂନ କରିବାରୁ ଦଣ୍ଡନୀୟ ହୁଅନ୍ତି । ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନାବଶ୍ୟକ କଥାବାର୍ତ୍ତା କରନ୍ତି । ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦେଉନ୍ତୁ; କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କ ଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି । ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ, ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରି ପାରେ ।

କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ; ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ ।

ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର ।

ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ; ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ, ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ |

ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ,

ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ ।

ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ; କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି । ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ । ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?

ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।

ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ।

ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ ।

ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ । ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ । କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ । ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ । ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥି ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳାପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର । ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;

ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି ।

ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ । ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ । ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ । କିନ୍ତୁ ଯେ ଜାଗତିକ ଭାବେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ?

ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ ।

ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।

ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ । ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ । ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ । ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା । ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିହାଂସନ ନିକଟକୁ ଉଠାଇ ନିଆଗଲେ । ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା ।

ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି । ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ । ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ । ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ ।

ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି ।

ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net