25 – ଟଙ୍କା

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଟଙ୍କା.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।

ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ । କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି ।

ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ! ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ । କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର! ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ । ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।

କ୍ରମରେ ପ୍ରତ୍ୟେକ ପଦ - 384 ବାଇବଲ ପଦ

ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ।

ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ ଥିଲେ।

ଏଥିନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ।

ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।

ସଦାପ୍ରଭୁ ମୋ’ କର୍ତ୍ତାଙ୍କୁ ଅତିଶୟ ଆଶୀର୍ବାଦ କରିଅଛନ୍ତି, ତେଣୁ ସେ ଅତି ଧନବାନ୍ ହୋଇଅଛନ୍ତି; ଆଉ ସଦାପ୍ରଭୁ ତାଙ୍କୁ ପଲ ପଲ ଗୋମେଷାଦି ଓ ରୂପା ସୁନା ଓ ଦାସଦାସୀ, ପୁଣି, ଓଟ ଗଧ ଦେଇଅଛନ୍ତି।

ଏଥିଉତ୍ତାରେ ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି, ତାହାର ଭ୍ରାତା ଓ ମାତାକୁ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ ଦେଲା।

ଏଥିଉତ୍ତାରେ ଇସ୍‍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି, ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ୍‍ ହେଲେ ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି, ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ।

ପୁଣି, ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହା ସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି।”

ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲି ପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ, ତାହା ଆଉ ମାପିଲେ ନାହିଁ; କାରଣ ତାହା ଅପରିମେୟ ଥିଲା।

ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଯୋଷେଫ ସବୁ ସ୍ଥାନର ଗୋଲା ଫିଟାଇ ମିସ୍ରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ; ତଥାପି ମିସର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା। ପୁଣି, ସର୍ବଦେଶୀୟ ଲୋକମାନେ ମିସର ଦେଶରେ ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।

ପୁଣି, ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟ ଦ୍ରବ୍ୟ ଦେଇ ପ୍ରତିପାଳନ କଲେ।

ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା; ତହିଁରେ ମିସର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ। ଆଉ ମିସର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା, ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ। ଏଥିଉତ୍ତାରେ ମିସର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ, ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କୁ ଖାଦ୍ୟସାମଗ୍ରୀ ଦେଉନ୍ତୁ, ଆମ୍ଭମାନଙ୍କର ରୂପା ଶେଷ ହେଉଅଛି ବୋଲି କାହିଁକି ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ?” ତହିଁରେ ଯୋଷେଫ କହିଲେ, “ତୁମ୍ଭମାନଙ୍କର ପଶୁ ଦିଅ; ଯଦି ରୂପା ଶେଷ ହୋଇଥାଏ, ତେବେ ପଶୁ ବଦଳେ ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ ଦେବା।” ତହୁଁ ସେମାନେ ଯୋଷେଫଙ୍କ ନିକଟକୁ ଆପଣା ଆପଣା ପଶୁ ଆଣିଲେ; ତହିଁରେ ଯୋଷେଫ ଅଶ୍ୱ ଓ ମେଷ ଓ ଗୋରୁପଲ ଓ ଗର୍ଦ୍ଦଭ ଆଦି ବଦଳ ନେଇ ସେମାନଙ୍କୁ ଭକ୍ଷ୍ୟ ଦେବାକୁ ଲାଗିଲେ; ଏହି ପ୍ରକାରେ ଯୋଷେଫ ପଶୁ ବଦଳେ ସେମାନଙ୍କୁ ଭକ୍ଷ୍ୟ ଦେଇ ସେହି ବର୍ଷ ଚଳାଇ ନେଲେ। ପୁଣି, ସେ ବର୍ଷ ସମ୍ପୂର୍ଣ୍ଣ ହୁଅନ୍ତେ, ଦ୍ୱିତୀୟ ବର୍ଷରେ ସେମାନେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କର ସମସ୍ତ ରୂପା ଶେଷ ହୋଇଅଛି; ତାହା ପ୍ରଭୁଙ୍କଠାରୁ ଲୁଚାଇବା ନାହିଁ; ପୁଣି, ଆମ୍ଭମାନଙ୍କର ସମସ୍ତ ପଶୁଧନ ମଧ୍ୟ ପ୍ରଭୁଙ୍କର ହୋଇଅଛି; ଏବେ ପ୍ରଭୁଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଅବଶିଷ୍ଟ ନାହିଁ। ଏଥିପାଇଁ ଆମ୍ଭେମାନେ ଓ ଆମ୍ଭମାନଙ୍କର ଭୂମି ଦୁହେଁ କାହିଁକି ଆପଣଙ୍କ ଦୃଷ୍ଟିଗୋଚରରେ ମରିବୁ? ଆପଣ ଭକ୍ଷ୍ୟ ଦେଇ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଭୂମି କିଣି ନେଉନ୍ତୁ, ତହିଁରେ ଆମ୍ଭେମାନେ ଓ ଆମ୍ଭମାନଙ୍କ ଭୂମି ଫାରୋଙ୍କର ଦାସ ହେବୁ; ତା’ପରେ ଆମ୍ଭମାନଙ୍କୁ ବିହନ ଦେଉନ୍ତୁ, ତହିଁରେ ବଞ୍ଚିବୁ; ନୋହିଲେ ଆମ୍ଭେମାନେ ମରିଯିବୁ, ପୁଣି, ଭୂମି ମଧ୍ୟ ବିନଷ୍ଟ ହେବ।” ଏହିରୂପେ ଦୁର୍ଭିକ୍ଷ ସେମାନଙ୍କ ପ୍ରତି ଅତି ଅସହ୍ୟ ହୁଅନ୍ତେ, ମିସ୍ରୀୟମାନେ ପ୍ରତ୍ୟେକେ ଆପଣା ଆପଣା ଭୂମି ବିକ୍ରୟ କଲେ; ତହିଁରେ ଯୋଷେଫ ଫାରୋଙ୍କ ନିମନ୍ତେ ମିସର ଦେଶର ସମସ୍ତ ଭୂମି କ୍ରୟ କଲେ; ତେଣୁ ସମସ୍ତ ଭୂମି ଫାରୋଙ୍କର ହେଲା। ତହିଁରେ ସେ ମିସରର ଏକ ସୀମାଠାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ନଗରେ ନଗରେ ପ୍ରଜାମାନଙ୍କୁ ପ୍ରବାସ କରାଇଲେ।

ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ; ପୁଣି, ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିରୂପେ ତୁମ୍ଭେମାନେ ମିସ୍ରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି, ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚାଲିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା। ଷଷ୍ଠ ଦିନରେ ସେମାନେ ଯାହା ଆଣିବେ, ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି, ତାହା ଦୁଇଗୁଣ ହେବ।”

ଏଥିଉତ୍ତାରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କେହି ପ୍ରାତଃ କାଳ ପର୍ଯ୍ୟନ୍ତ କିଛି ରଖ ନାହିଁ।” ତଥାପି ସେମାନେ ମୋଶାଙ୍କର କଥା ନ ମାନି କେହି କେହି ପ୍ରଭାତ ପର୍ଯ୍ୟନ୍ତ କିଛି କିଛି ରଖିଲେ; ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା। ଏଣୁ ମୋଶା ସେମାନଙ୍କ ଉପରେ କ୍ରୋଧ କଲେ।

ତୁମ୍ଭେ ଚୋରି କରିବ ନାହିଁ।

ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ, ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ; ଆପଣାମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ।

ଆଉ ଯେକେହି ମନୁଷ୍ୟକୁ ଚୋରି କରି ଯଦି ବିକ୍ରୟ କରେ, ଅବା ସେ ଯଦି ତାହାର ଅଧିକାରରେ ପ୍ରାପ୍ତ ହୁଏ, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇ ଗୁଣ ଦେବ। ଯଦି ଚୋର ଧରା ନ ପଡ଼େ, ତେବେ ଗୃହର ସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏହା ଜଣା ଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।

ତୁମ୍ଭେ ଯଦି ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକଙ୍କୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।

“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ; ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ, ତାହାଠାରୁ ତୁମ୍ଭେମାନେ ଆମ୍ଭର ସେହି ଉପହାର ଗ୍ରହଣ କରିବ।

ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,

ପୁଣି, ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି, କୁଣ୍ଡଳ, ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ।

“ସଦାପ୍ରଭୁ ଯାହା ଯାହା ନିର୍ମାଣ କରିବାକୁ ଆଜ୍ଞା ଦେଇ ଅଛନ୍ତି, ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି।” ତହିଁରେ ମୋଶା ଆଜ୍ଞା ଦେଇ ଛାଉଣିର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ; ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ। କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ପ୍ରଚୁର ଓ ତତୋଧିକ ଥିଲା।

“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ; କିଅବା ହଜାଦ୍ରବ୍ୟ ପାଇ ତଦ୍‍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;

ଆଉ, ତୁମ୍ଭେମାନେ ଆପଣା ଆପଣା ଭୂମିର ଶସ୍ୟ କାଟିବା ବେଳେ ତୁମ୍ଭେ ନିଜ କ୍ଷେତ୍ରର କୋଣ ସମ୍ପୂର୍ଣ୍ଣ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସାଉଣ୍ଟିବ ନାହିଁ। ପୁଣି, ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିଅବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଣ୍ଟିବ ନାହିଁ; ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀମାନଙ୍କ ନିମନ୍ତେ ଛାଡ଼ି ଦେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।

ତୁମ୍ଭେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ଅପହରଣ କରିବ ନାହିଁ; ପୁଣି, ବେତନଜୀବୀର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।

ତୁମ୍ଭେମାନେ ବିଚାର ଅବା ମାପ ଅବା ତୌଲ କିଅବା ପରିମାଣ ବିଷୟରେ ଅଧର୍ମ କରିବ ନାହିଁ। ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫା ଓ ଯଥାର୍ଥ ହିନ୍‍, ତୁମ୍ଭମାନଙ୍କର ହେବ; ଯେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ଆଉ, ତୁମ୍ଭମାନଙ୍କ ଭୂମିର ଶସ୍ୟ ତୁମ୍ଭେମାନେ କାଟିବା ବେଳେ, ତୁମ୍ଭେ ଆପଣା କ୍ଷେତ୍ରର କୋଣ ନିଃଶେଷ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସଂଗ୍ରହ କରିବ ନାହିଁ; ତୁମ୍ଭେ ତାହା ଦୁଃଖୀ ଓ ବିଦେଶୀ ପାଇଁ ଛାଡ଼ିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ। ମାତ୍ର ସପ୍ତମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ। ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।

ଆଉ, ତୁମ୍ଭେ ଆପଣା ନିମନ୍ତେ ସାତ ବିଶ୍ରାମ ବର୍ଷ, ଅର୍ଥାତ୍‍, ସାତଗୁଣ ସାତବର୍ଷ ଗଣନା କରିବ; ତହିଁରେ ସେହି ସାତଗୁଣ ସାତ ବର୍ଷର ଦିନ ତୁମ୍ଭ ପ୍ରତି ଅଣଞ୍ଚାଶ ବର୍ଷ ହେବ। ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ; ପ୍ରାୟଶ୍ଚିତ୍ତ ଦିନରେ ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଦେଶରେ ତୂରୀ ବଜାଇବ। ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୁବ୍‍ଲୀ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ। ସେହି ପଚାଶତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଯୁବ୍‍ଲୀ ହେବ; ତୁମ୍ଭେମାନେ ବୁଣିବ ନାହିଁ କିଅବା ଯେଉଁ ଶସ୍ୟ ଆପେ ବଢ଼େ, ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। କାରଣ ତାହା ଯୁବ୍‍ଲୀ ବର୍ଷ ଅଟେ; ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ; ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ।

ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।

ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ। ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।

ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।

ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର। ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବାକାର୍ଯ୍ୟ କରନ୍ତି, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେଉଁ ସମୟରେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେହି ସମୟରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ। ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ। ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଙ୍କଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ। ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ।

ଆମ୍ଭମାନଙ୍କ ପିତାଙ୍କର ପୁତ୍ର ନ ଥିବା ସକାଶୁ କାହିଁକି ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କ ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ।” ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ। ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ-ଅଧିକାର ଦେବ; ପୁଣି, ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ-ଅଧିକାର ସମର୍ପଣ କରିବ। ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, କୌଣସି ମନୁଷ୍ୟ ମଲେ ଯଦି ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ। ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। ପୁଣି, ଯଦି ତାହାର ଭାଇ ନ ଥାଏ, ଯଦି ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ। ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।”

ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।”

ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।”

କିଅବା ତୁମ୍ଭେ ଚୋରି କରିବ ନାହିଁ।

କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ; ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ।

ନୋହିଲେ ତୁମ୍ଭେ ଭୋଜନ କରି ତୃପ୍ତ ହେଲେ ଓ ଉତ୍ତମ ଗୃହ ନିର୍ମାଣ କରି ତହିଁରେ ବାସ କଲେ, ପୁଣି ତୁମ୍ଭର ଗୋମେଷାଦି ପଲ ବୃଦ୍ଧି ପାଇଲେ, ତୁମ୍ଭର ରୂପା ଓ ସୁନା ପ୍ରଚୁର ହେଲେ ଓ ତୁମ୍ଭର ଯାହା ଅଛି, ତାହାସବୁ ବୃଦ୍ଧି ପାଇଲେ, ତୁମ୍ଭର ଅନ୍ତଃକରଣ ଅହଙ୍କାରୀ ହେବ, ପୁଣି ଯେ ମିସର ଦେଶରୁ, ଦାସ୍ୟଗୃହରୁ ତୁମ୍ଭକୁ ବାହାର କରି ଆଣିଲେ, ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍‍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ; ଯେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନା ଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ, ଏପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ତୁମ୍ଭେ ପାସୋରି ଯିବ। ପୁଣି ତୁମ୍ଭେ ଆପଣା ମନେ ମନେ କହିବ, ଆମ୍ଭର ପରାକ୍ରମ ଓ ବାହୁବଳ ଏହିସବୁ ଐଶ୍ୱର୍ଯ୍ୟ ଲାଭ କରିଅଛି। ମାତ୍ର ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସ୍ମରଣ କରିବ, କାରଣ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଆପଣାର ଯେଉଁ ନିୟମ ବିଷୟରେ ଶପଥ କରିଥିଲେ, ତାହା ସେ ଆଜି ଦିନ ପରି ସ୍ଥିର କରିବା ପାଇଁ ତୁମ୍ଭକୁ ଐଶ୍ୱର୍ଯ୍ୟ ପାଇବାର ସାମର୍ଥ୍ୟ ଦେଲେ।

କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।

ପୁଣି ତୁମ୍ଭେମାନେ ସେହି ସ୍ଥାନକୁ ଆପଣା ଆପଣା ହୋମ ନୈବେଦ୍ୟ, ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ଆପଣା ମାନତ ଦ୍ରବ୍ୟ, ଆପଣା ଆପଣା ସ୍ଵେଚ୍ଛାଦତ୍ତ ନୈବେଦ୍ୟ ଓ ଆପଣା ଆପଣା ଗୋମେଷଦି ପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ;

ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।

ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ-ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗରଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।

ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ।

ପ୍ରତି ସାତ ବର୍ଷର ଶେଷରେ ତୁମ୍ଭେ ଋଣ କ୍ଷମା କରିବ। ଋଣକ୍ଷମାର ବ୍ୟବସ୍ଥା ଏହି ଯେ ପ୍ରତ୍ୟେକ ମହାଜନ ଆପଣା ପ୍ରତିବାସୀକୁୁ ଯେଉଁ ଋଣ ଦେଇଥାଏ, ତାହା ସେ କ୍ଷମା କରିବ; ସେ ଆପଣା ପ୍ରତିବାସୀ ଓ ଆପଣା ଭାଇଠାରୁ ଋଣ ଆଦାୟ କରିବ ନାହିଁ; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଋଣକ୍ଷମାର ଘୋଷଣା ହୋଇଅଛି। ତୁମ୍ଭେ ବିଦେଶୀଠାରୁ ତାହା ଆଦାୟ କରି ପାରିବ; ମାତ୍ର ତୁମ୍ଭ ଭାଇଠାରେ ତୁମ୍ଭର ଯାହା କିଛି ଅଛି, ତୁମ୍ଭର ହସ୍ତ ତାହା କ୍ଷମା କରିବ।

ପୁଣି ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ; ଆଉ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ମାତ୍ର ସେମାନେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବେ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭକୁ ଆଶୀର୍ବାଦ କରିବେ।

ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭର ସେହି ଦେଶସ୍ଥିତ କୌଣସି ନଗର ଦ୍ୱାରରେ ଯେବେ ତୁମ୍ଭ ଭାଇମାନଙ୍କ ମଧ୍ୟରେ କେହି ଦରିଦ୍ର ଥାଏ, ତେବେ ତୁମ୍ଭେ ଆପଣା ହୃଦୟ କଠିନ କରିବ ନାହିଁ, କିଅବା ଆପଣା ଦରିଦ୍ର ଭାଇ ପ୍ରତି ଆପଣା ହସ୍ତ ରୁଦ୍ଧ କରିବ ନାହିଁ; ମାତ୍ର ତୁମ୍ଭେ ତାହା ପ୍ରତି ନିଶ୍ଚୟ ଆପଣା ହସ୍ତ ମୁକ୍ତ କରିବ, ପୁଣି ଯାହା ସେ ଚାହେଁ, ତାହାର ପ୍ରୟୋଜନାନୁସାରେ ତୁମ୍ଭେ ତାହା ଯଥେଷ୍ଟ ରୂପେ ତାହାକୁ ନିଶ୍ଚୟ ଋଣ ଦେବ।

ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ, ଏହା କହି ଯେପରି ତୁମ୍ଭ ହୃଦୟରେ ମନ୍ଦ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ସକାଶୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ। ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ। କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।

ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ;

ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।

କିଅବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ; ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢ଼ାଇବ ନାହିଁ।

ପୁଣି ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର ଅଟନ୍ତି।

ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବ କାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ।

ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେ କୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ। ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।

କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।

ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।

ଆଉ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଓ ଏହି ଦେଶ, ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଅଛନ୍ତି। ଏବେ, ହେ ସଦାପ୍ରଭୁ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।

ତୃତୀୟ ବର୍ଷରେ, ଅର୍ଥାତ୍‍, ଦଶମାଂଶ-ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟାଦିର ଦଶମାଂଶ ଦେବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ଲେବୀୟକୁ, ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ତାହା ଦେବ, ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ। ତହୁଁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଏହା କହିବ, ମୋ’ ପ୍ରତି ତୁମ୍ଭର ସମସ୍ତ ଆଜ୍ଞାନୁସାରେ ମୁଁ ଆପଣା ଗୃହରୁ ପବିତ୍ର ବସ୍ତୁ ବାହାର କରି ପୃଥକ ରଖିଅଛି, ମଧ୍ୟ ଲେବୀୟକୁ ଓ ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ଦେଇଅଛି; ମୁଁ ତୁମ୍ଭର କୌଣସି ଆଜ୍ଞା-ଲଙ୍ଘନ କରି ନାହିଁ, କିଅବା ତାହା ପାସୋରି ନାହିଁ।

ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁମାନଙ୍କୁ ଫଳ ଦେଇ ଓ ତୁମ୍ଭ ଭୂମିରୁ ଫଳ ଦେଇ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।

ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହା ସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ।

ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।

ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି। ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।

ଏଥିଉତ୍ତାରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର। ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା; ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନ ଥିଲା, ଯାହା ସେ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା। ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକୁ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା।” ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁୁର ଯୋଗ୍ୟ; ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ।”

ତହିଁରେ ରାଜା ଅରୌଣାକୁ କହିଲେ, “ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି; ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଚାଶ ଶେକଲ (ଏକ ଶେକଲ ୧୨ ଗ୍ରାମ୍) ରୂପାରେ ସେହି ଶସ୍ୟମର୍ଦ୍ଦନ ସ୍ଥାନ ଓ ବୃଷସବୁ କିଣିଲେ। ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

ଏହିରୂପେ ଶଲୋମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ମହା ପବିତ୍ର ସ୍ଥାନ ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ପୁଣି, ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ; ମଧ୍ୟ ମହା ପବିତ୍ର ସ୍ଥାନ ର ଧୂପବେଦି ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ।

ଆହୁରି ଗୃହ-ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ।

ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍‍, ସ୍ୱର୍ଣ୍ଣ ବେଦି ଓ ଦର୍ଶନୀୟ ରୁଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ; ପୁଣି, ମହା ପବିତ୍ର ସ୍ଥାନ ସମ୍ମୁଖର ଦକ୍ଷିଣରେ ପାଞ୍ଚ, ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ, ସୁବର୍ଣ୍ଣର ପୁଷ୍ପ, ପ୍ରଦୀପ, ଚିମୁଟା, ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍‍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍‍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍‌ଜା କଲେ।

ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁବର୍ଣ୍ଣ ଆସେ।

ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ-ଅରଣ୍ୟ-ଗୃହର ସମସ୍ତ ପାତ୍ର ସୁଦ୍ଧା ସୁବର୍ଣ୍ଣର ଥିଲା; ରୂପାର କିଛି ନ ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା। କାରଣ, ସମୁଦ୍ରରେ ହୂରମ୍‍ର ଜାହାଜ ସଙ୍ଗେ ରାଜାଙ୍କର ତର୍ଶୀଶଗାମୀ ଜାହାଜ ଥିଲା; ସେହି ତର୍ଶୀଶର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା, ହସ୍ତୀଦନ୍ତ, ବାନର ଓ ମୟୂର ନେଇ ଆସନ୍ତି। ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ।

ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋ’ ପାଇଁ ଖଣ୍ଡେ ରୁଟି ହାତରେ ଆଣ।” ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋ’ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।” ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋ’ ପାଇଁ ଗୋଟିଏ ସାନ ପିଠା କରି ମୋ’ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।” ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନଯାଏ ଭୋଜନ କଲେ। ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ।

ତହିଁରେ ଇଲୀଶାୟ ତାହାକୁ କହିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି? ମୋତେ କୁହ; ଘରେ ତୁମ୍ଭର କ’ଣ ଅଛି?” ଏଥିରେ ସେ କହିଲା, “ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ।” ତହୁଁ ଇଲୀଶାୟ କହିଲେ, “ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍‍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର କର ନାହିଁ। ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ।” ତହୁଁ ସେହି ବିଧବା ଇଲୀଶାୟଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା। ତହୁଁ ପାତ୍ରସକଳ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, “ଆଉ ଗୋଟିଏ ପାତ୍ର ମୋ’ ନିକଟକୁ ଆଣ।” ଏଥିରେ ସେ ତାହାକୁ କହିଲା, “ଆଉ ପାତ୍ର ନାହିଁ।” ତହିଁରେ ତୈଳ ବନ୍ଦ ହେଲା। ତେବେ ସେହି ବିଧବା ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, “ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଜୀବନଯାପନ କର।”

ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ। ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।

ଆଉ ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।

ମାତ୍ର ଏହି ଯାବେଷ୍‍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର। ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।

ଆହୁରି ଇଷାଖର, ସବୂଲୂନ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ, ଉଷ୍ଟ୍ର, ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟ ଦ୍ରବ୍ୟ, ଅର୍ଥାତ୍‍, ସୂଜିର ଦ୍ରବ୍ୟ, ଡିମ୍ବିରିଚକ୍ତି, ଦ୍ରାକ୍ଷାପେଣ୍ଡା, ଦ୍ରାକ୍ଷାରସ, ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।

ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା ଓ ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ।

ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋ’ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୌହମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ; ଗୋମେଦକ ମଣି ଓ ଖଚନାର୍ଥକ ପ୍ରସ୍ତର, ଜଡ଼ିତ-କର୍ମାର୍ଥକ ପ୍ରସ୍ତର ଓ ନାନା ବର୍ଣ୍ଣର ପ୍ରସ୍ତର ଓ ସର୍ବ ପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି। ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋ’ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋ’ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରି ଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି।

ଆଉ ସେମାନେ ପରମେଶ୍ୱରଙ୍କ ଗୃହର ସେବା ନିମନ୍ତେ ପାଞ୍ଚ ହଜାର ତାଳନ୍ତ ସ୍ୱର୍ଣ୍ଣ, ଦଶ ହଜାର ଡାରିକ୍‍ ମୁଦ୍ରା, ଦଶ ହଜାର ତାଳନ୍ତ ରୂପା, ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ। ପୁଣି, ଯେଉଁମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରାଦି ମିଳିଲା, ସେମାନେ ଗେର୍ଶୋନୀୟ ଯିହୀୟେଲର ହସ୍ତାଧୀନ ସଦାପ୍ରଭୁଙ୍କ ଭଣ୍ଡାର-ଗୃହରେ ତାହାସବୁ ଦେଲେ। ତହିଁରେ ଲୋକମାନେ ସ୍ୱେଚ୍ଛାପୂର୍ବକ ଦାନ କରିବାରୁ ଆନନ୍ଦ କଲେ, କାରଣ, ସେମାନେ ସିଦ୍ଧଚିତ୍ତରେ ସ୍ୱେଚ୍ଛାପୂର୍ବକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ; ପୁଣି, ଦାଉଦ ରାଜା ମଧ୍ୟ ମହାନନ୍ଦରେ ଆନନ୍ଦ କଲେ।

ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ୍ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ।

ମାତ୍ର, ମୁଁ କିଏ ଓ ମୋହର ଲୋକମାନେ କିଏ ଯେ, ଆମ୍ଭେମାନେ ଏପରି ସ୍ୱେଚ୍ଛାପୂର୍ବକ ଏପ୍ରକାର ଦାନ କରିବାକୁ ସମର୍ଥ ହେବୁ? କାରଣ, ସମଗ୍ର ବିଷୟ ତୁମ୍ଭଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମ୍ଭେମାନେ ତୁମ୍ଭକୁ ଦେଇଅଛୁ।

ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ଆମ୍ଭେମାନେ ଏହି ଯେଉଁ ସକଳ ପଦାର୍ଥ ସଞ୍ଚୟ କରିଅଛୁ, ତାହା ତୁମ୍ଭ ହସ୍ତରୁ ଆସିଅଛି ଓ ସବୁ ତୁମ୍ଭ ନିଜର ଅଟେ।

ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ; ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”

ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳ ଭୂମିସ୍ଥ ଡିମ୍ବିରି ବୃକ୍ଷ ପରି କଲେ।

ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ। ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ ସନ୍ତାନନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ।

ଏଥିଉତ୍ତାରେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣ ସ୍ଵର ଉତ୍ତୋଳନ କଲେ। କାରଣ କେହି କେହି କହିଲେ, “ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ସମେତ ଅନେକ ଲୋକ ଅଟୁ; ତେଣୁ ଆମ୍ଭମାନେ ଶସ୍ୟ ନେଇ ତାହା ଖାଇ ବଞ୍ଚିବା। ମଧ୍ୟ ଆଉ କେହି କେହି କହିଲେ, “ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଯେପରି ଦୁର୍ଭିକ୍ଷ ସମୟରେ ଆମ୍ଭମାନଙ୍କୁ ଶସ୍ୟ ମିଳୁ।” ଆହୁରି, କେତେକ କହିଲେ, “ଆମ୍ଭେମାନେ ରାଜ-କର ପୈଠ କରିବା ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ।” ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ; ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିଅଛୁ, ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସୀ ହୋଇ ସାରିଲେଣି; ଆମ୍ଭମାନଙ୍କର ଆଉ କିଛି ଆୟତ୍ତ ନାହିଁ; କାରଣ ଅନ୍ୟ ଲୋକମାନେ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଅଧିକାର କରିଅଛନ୍ତି। ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥାସବୁ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲି। ପୁଣି, ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ।” ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲି। ଆଉ, ମୁଁ ସେମାନଙ୍କୁ କହିଲି, “ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାମର୍ଥ୍ୟରେ ମୁକ୍ତ କରିଅଛୁ, ଏବେ ତୁମ୍ଭେମାନେ କ’ଣ ଆପଣା ଭାଇମାନଙ୍କୁ ବିକ୍ରି କରିବ? ଓ ସେମାନେ କ’ଣ ଆମ୍ଭମାନଙ୍କ ନିକଟରେ ବିକାଯିବେ?” ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇ ପାରିଲେ ନାହିଁ। ଆହୁରି, ମୁଁ କହିଲି, “ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କ’ଣ ତୁମ୍ଭମାନଙ୍କର ଉଚିତ୍ ନୁହେଁ?” ମଧ୍ୟ ମୁଁ, ମୋ’ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମାତ୍ର ଆମ୍ଭେମାନେ ଏହି ଋଣ ଉପରେ ସୁଧ ନେବା ବନ୍ଦ କରିବା ଉଚିତ୍। ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜୀତ କ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ସୁଧ ତୁମ୍ଭେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ। ତହିଁରେ ସେମାନେ କହିଲେ, “ଆମ୍ଭେମାନେ ଯାହା ନେଇଥିଲୁ ତାହା ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ।” ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।

ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଜ୍ୱଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍‍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ। ଆହୁରି, ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ, ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ, ପୁଣି, ଆମ୍ଭମାନଙ୍କ ଚକ୍‍ଟା ମଇଦାର ପ୍ରାଥମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରିକୁ ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ; କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି-ନଗରରେ ଦଶମାଂଶ ଆଦାୟ କରନ୍ତି। ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ-ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ; ଆଉ, ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର-କୋଠରିକୁ ଦଶମାଂଶର ଦଶମାଂଶ ଆଣିବେ। କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ ଯାଜକମାନେ, ଆଉ ଦ୍ୱାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥା’ନ୍ତି, ସେଠାକୁ ଇସ୍ରାଏଲ ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ।

ଇଲୀୟାଶୀବ ଟୋବୀୟ ନିମନ୍ତେ ଏକ ବୃହତ୍‍ କୋଠରି ପ୍ରସ୍ତୁତ କରିଥିଲା, ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ-ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ; ଆଉ, ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ।

ତହୁଁ ସମଗ୍ର ଯିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ।

ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସ ଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ୍ ହୋଇଥିଲା। ଆଉ, ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ; ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନ ଓ ପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ।

ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”

ସେ ଧନ ଗ୍ରାସ କରିଅଛି ଓ ସେ ପୁନର୍ବାର ତାହା ଉଦ୍‍ଗାର କରିବ; ପରମେଶ୍ୱର ତାହାର ଉଦରରୁ ତାହାସବୁ ଦୂର କରିବେ।

କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।

ସେହି ଦୁଷ୍ଟମାନେ ସମୃଦ୍ଧିରେ ଆପଣା ଆପଣା ଦିନ କ୍ଷେପଣ କରନ୍ତି ଓ ଏକ ନିମିଷରେ ପାତାଳକୁ ଓହ୍ଲାଇ ଯା’ନ୍ତି।

ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ। ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ।

ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ।

କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି, ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି। ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି। ସେମାନେ ଦୀନହୀନକୁ ବାଟରୁ ତଡ଼ି ଦିଅନ୍ତି; ଦେଶସ୍ଥ ଦରିଦ୍ରମାନେ ଏକତ୍ର ଲୁଚନ୍ତି। ଦେଖ, ସେମାନେ ପ୍ରାନ୍ତରସ୍ଥ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଆପଣା ଆପଣା କାର୍ଯ୍ୟରେ ବାହାରି ଯତ୍ନପୂର୍ବକ ଆହାର ଅନ୍ଵେଷଣ କରନ୍ତି; ଅରଣ୍ୟ ସେମାନଙ୍କ ବାଳକଗଣ ନିମନ୍ତେ ଆହାର ଉତ୍ପନ୍ନ କରେ। ସେମାନେ କ୍ଷେତ୍ରରେ ଆପଣାମାନଙ୍କ ଖାଦ୍ୟ କାଟନ୍ତି ଓ ଦୁଷ୍ଟର ଦ୍ରାକ୍ଷାକ୍ଷେତ୍ରର ଅବଶିଷ୍ଟ ଫଳ ସାଉଣ୍ଟନ୍ତି। ସେମାନେ ସାରାରାତ୍ରି ବସ୍ତ୍ର ବିନା ଉଲଙ୍ଗ ହୋଇ ଶୟନ କରନ୍ତି ଓ ଶୀତକାଳରେ ସେମାନଙ୍କର ଆଚ୍ଛାଦନ ବସ୍ତ୍ର ନ ଥାଏ। ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି। କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି; ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି;

କାରଣ ପରମେଶ୍ୱରଙ୍କଠାରୁ ବିପଦ ମୋ’ ପ୍ରତି ଭୟାନକ ଥିଲା ଓ ତାହାଙ୍କ ମହତ୍ତ୍ୱ ସକାଶୁ ମୁଁ କିଛି କରି ପାରିଲି ନାହିଁ। ଯଦି ମୁଁ ସୁବର୍ଣ୍ଣକୁ ଆଶାଭୂମି କରିଥାଏ ଓ ତୁମ୍ଭେ ମୋହର ଆଶ୍ରୟ ବୋଲି ଶୁଦ୍ଧ ସୁବର୍ଣ୍ଣକୁ କହିଥାଏ; ମୋହର ସମ୍ପଦ ଅତିଶୟ ହେବାରୁ ଓ ମୋହର ହସ୍ତ ବହୁତ ଲାଭ କରିବାରୁ ଯଦି ମୁଁ ଆନନ୍ଦ କରିଥାଏ;

ତେବେ ପରମେଶ୍ଵର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ?

ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ।

ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା।

ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।

କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ।

କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।

ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚାଯିବ ନାହିଁ।

ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ। ମୋ’ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି।

ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ।

ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର; କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ।

ମୋହର ଅସ୍ଥିସକଳ କହିବ, “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ।”

ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ। ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।

ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।

ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ।

ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋ’ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ।

ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି; ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ ମୁକ୍ତ କରି ନ ପାରେ। କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ ଦେଇ ନ ପାରେ;

ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।

ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ।

କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ। ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।

ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର। ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।

କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।

ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।

ତାହାର ଗୃହରେ ଧନ ସମ୍ପତ୍ତି ଥାଏ ଓ ତାହାର ଧର୍ମ ସଦାକାଳସ୍ଥାୟୀ

ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ।

ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ, ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି।

ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।

ସଦାପ୍ରଭୁ ତୁମ୍ଭମାନଙ୍କୁ, ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ। ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ।

ମୋ’ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି?

ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ। ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।

ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର; ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।

ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର। ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ। ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ। ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।

ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ। ଆପଣା ନିକଟରେ ଦ୍ରବ୍ୟ ଥିଲେ, “ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା” ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ।

ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ, ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ। ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର। ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିଅବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ। ଆପଣାକୁ ହରିଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର।

ଚୋର କ୍ଷୁଧିତ ହୋଇ ପ୍ରାଣରକ୍ଷାର୍ଥେ ଯଦି ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ। ମାତ୍ର ସେ ଧରା ପଡ଼ିଲେ, ତାକୁ ସାତ ଗୁଣ ଫେରାଇ ଦେବାକୁ ହେବ; ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ପଡ଼ିବ।

ମୋ’ଠାରେ ଧନ ଓ ସମ୍ଭ୍ରମ, ପୁଣି, ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି। ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ। ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ;

ଦୁଷ୍ଟତା-ଜାତ ଧନ କିଛି ଫଳ ଦିଏ ନାହିଁ; ମାତ୍ର ଧାର୍ମିକତା ମୃତ୍ୟୁୁରୁ ଉଦ୍ଧାର କରେ। ସଦାପ୍ରଭୁ ଧାର୍ମିକର ପ୍ରାଣକୁ କ୍ଷୁଧାରେ କ୍ଷୀଣ ହେବାକୁ ଦେବେ ନାହିଁ; ମାତ୍ର ସେ ଦୁଷ୍ଟର କାମନା ସଫଳ କରନ୍ତି ନାହିଁ। ଯେଉଁ ଲୋକ ଶିଥିଳ ହସ୍ତରେ କର୍ମ କରେ, ସେ ଦରିଦ୍ର ହୁଅଇ; ମାତ୍ର କର୍ମଶୀଳର ହସ୍ତ ଧନବାନ କରେ। ଗ୍ରୀଷ୍ମକାଳରେ ଯେ ସଞ୍ଚୟ କରେ, ସେ ବୁଦ୍ଧିମାନ ପୁତ୍ର; ମାତ୍ର ଫସଲ ସମୟରେ ଯେ ନିଦ୍ରିତ ଥାଏ, ସେହି ପୁତ୍ର ଲଜ୍ଜାଜନକ।

ଧନୀର ଧନ ତାହାର ଦୃଢ଼ ନଗର, ଦରିଦ୍ରମାନଙ୍କ ଦରିଦ୍ରତା ସେମାନଙ୍କର ବିନାଶ।

ଧାର୍ମିକର ଜିହ୍ୱା ମନୋନୀତ ରୂପା ତୁଲ୍ୟ, ମାତ୍ର ଦୁଷ୍ଟର ହୃଦୟ ଅଳ୍ପ ମୂଲ୍ୟ। ଧାର୍ମିକର ଓଷ୍ଠାଧର ଅନେକଙ୍କୁ ପ୍ରତିପାଳନ କରେ, ମାତ୍ର ଅଜ୍ଞାନମାନେ ନିର୍ବୋଧତା ସକାଶୁ ମରନ୍ତି। ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି, ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ।

ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର।

ଅଜଣା ଲୋକ ପାଇଁ ଯେ ମଧ୍ୟସ୍ଥ ହୁଏ, ସେ ଅବଶ୍ୟ କ୍ଳେଶ ପାଏ; ମାତ୍ର ମଧ୍ୟସ୍ଥ ହେବାକୁ ଯେ ଘୃଣା କରେ, ସେ ନିରାପଦରେ ଥାଏ। ଅନୁଗ୍ରହଜନିକା ସ୍ତ୍ରୀ ଗୌରବ ଧରି ରଖେ, ପୁଣି, ଉପଦ୍ରବୀ ଲୋକେ ସମ୍ପତ୍ତି ଧରି ରଖନ୍ତି।

କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି, କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି, ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। ଶସ୍ୟ ଯେ ଅଟକ କରି ରଖେ, ତାହାକୁ ଲୋକମାନେ ଅଭିଶାପ ଦେବେ, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ, ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ। ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ, ପୁଣି ଯେ ପରର ମନ୍ଦ କରିବାକୁ ଖୋଜେ, ତାହା ପ୍ରତି ତାହା ହିଁ ଘଟିବ। ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ; ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ।

ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ, ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ।

କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ; କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି। ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ୍ତ ସ୍ୱରୂପ; ମାତ୍ର ଦରିଦ୍ର ଲୋକ ଧମକ ଶୁଣେ ନାହିଁ।

ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ, ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ।

ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଏ; ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି। ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ। ଅନିଷ୍ଟ ଚିନ୍ତାକାରୀଗଣ କ’ଣ ଭ୍ରାନ୍ତ ହୁଅନ୍ତି ନାହିଁ? ମାତ୍ର ମଙ୍ଗଳ ଚିନ୍ତାକାରୀଗଣ ପ୍ରତି ଦୟା ଓ ସତ୍ୟତା ବର୍ତ୍ତେ। ସବୁ ପ୍ରକାର ପରିଶ୍ରମରେ ଫଳ ଅଛି; ପୁଣି, ଓଷ୍ଠାଧରର କଥାମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ।

ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ଯେ ଦରିଦ୍ରକୁ ଦୟା କରେ, ସେ ତାହାଙ୍କୁ ଆଦର କରେ।

ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ; ପୁଣି, ଦୁଷ୍ଟର ଆୟରେ କ୍ଳେଶ ଥାଏ।

ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ। ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷା ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ।

ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ, ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ।

ଅନ୍ୟାୟ ସହିତ ପ୍ରଚୁର ଆୟରୁ ଧାର୍ମିକତା ସହିତ ଅଳ୍ପ ଭଲ।

ସୁନା ଅପେକ୍ଷା ଜ୍ଞାନ ଲାଭ କରିବା, ପୁଣି, ରୂପା ଅପେକ୍ଷା ବରଞ୍ଚ ସୁବିବେଚନା ଲାଭ ମନୋନୀତ କରିବାର କିପରି ଉତ୍ତମ!

ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଶୁଖିଲା ରୁଟି ଖଣ୍ଡେ ଭଲ। ଯେଉଁ ଦାସ ବୁଦ୍ଧିପୂର୍ବକ ଚଳେ, ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଭାଇମାନଙ୍କ ସଙ୍ଗରେ ଅଧିକାରର ବାଣ୍ଟ ପାଏ। କୋୟିରେ ରୂପାର ଓ ଉହ୍ମାଇରେ ସୁନାର ପରୀକ୍ଷା ହୁଏ; ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

ନିର୍ବୋଧ ଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।

ଦରିଦ୍ର ଲୋକ ବିନୟ କରେ; ମାତ୍ର ଧନବାନ କଠିନ ଉତ୍ତର ଦିଏ।

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।

ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ; ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।

ନାନା ପ୍ରକାର ବଟଖରା ଓ ନାନା ପ୍ରକାର ପରିମାଣ ଉଭୟ ସମାନ ରୂପେ ସଦାପ୍ରଭୁଙ୍କର ଘୃଣିତ।

ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ; ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ।

ପ୍ରଥମରେ କୌଣସି ଅଧିକାର ହଠାତ୍‍ ମିଳିପାରେ; ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।

କର୍ମଶୀଳର ସଂକଳ୍ପରୁ କେବଳ ପ୍ରଚୁରତା ଜନ୍ମେ ମାତ୍ର ପ୍ରତ୍ୟେକ ହଠାତ୍‍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ। ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେ ତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି।

ଯେଉଁ ଲୋକ ଦୀନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।

ଯେଉଁ ଲୋକ ଆମୋଦ ଭଲ ପାଏ, ସେ ଦରିଦ୍ର ହେବ; ପୁଣି, ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ, ସେ ଧନବାନ ହେବ ନାହିଁ। ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ; ପୁଣି, ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ। କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବସତି କରିବାର ଭଲ। ଜ୍ଞାନବାନ‍ର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଓ ତୈଳ ଥାଏ; ମାତ୍ର ମୂର୍ଖ ଲୋକ ତାହା ଗ୍ରାସ କରେ।

ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ। କେହି କେହି ଦିନସାରା ଅତ୍ୟନ୍ତ ଲୋଭ କରନ୍ତି; ମାତ୍ର ଧାର୍ମିକ ଲୋକ ଦାନ କରେ, କାତର ହୁଏ ନାହିଁ।

ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ। ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି; ସଦାପ୍ରଭୁ ସେସମସ୍ତଙ୍କର ସୃଷ୍ଟିକର୍ତ୍ତା।

ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଋଣୀ ମହାଜନର ଦାସ ହୁଏ। ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଓ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ। ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ; ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ; ପୁଣି, ଯେ ଧନୀକୁ ଦାନ କରେ, ତାହାକୁ କେବଳ ଅଭାବ ଘଟିବ।

ଦୀନହୀନକୁ ଦୀନହୀନ ଜାଣି ତାହାର ଦ୍ରବ୍ୟ ହରଣ କର ନାହିଁ, ପୁଣି, ନଗର-ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ। ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି, ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।

ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ଋଣୀର ଲଗା ହୁଅନ୍ତି, ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅ ନାହିଁ। ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ?

ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ; ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ। ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।

କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ ପୁଣି, ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।

ଜ୍ଞାନରେ ଗୃହ ନିର୍ମିତ ହୁଏ ଓ ବୁଦ୍ଧିରେ ତାହା ସ୍ଥିର ହୁଏ; ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ।

ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ, ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।

ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।

ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ; ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ୱଳ ଅଙ୍ଗାର ରାଶି କରି ଥୋଇବ, ପୁଣି, ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।

କାରଣ ସମ୍ପତ୍ତି ଅନନ୍ତକାଳସ୍ଥାୟୀ ନୁହେଁ ଓ ମୁକୁଟ କ’ଣ ପୁରୁଷାନୁକ୍ରମରେ ଥାଏ?

ଦ୍ୱିପଥଗାମୀ କୁଟିଳ ଲୋକ ଧନୀ ହେଲେ ହେଁ ତାହା ଅପେକ୍ଷା ଆପଣା ସିଦ୍ଧତାରେ ଗମନକାରୀ ଦରିଦ୍ର ଲୋକ ଭଲ। ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର; ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ। ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ, ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ।

ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ; ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।

ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ; ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ। ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ। ମୁଖାପେକ୍ଷା କରିବା ଭଲ ନୁହେଁ। କିଅବା ଖଣ୍ଡେ ରୁଟି ପାଇଁ ଅଧର୍ମ କରିବା ଭଲ ନୁହେଁ। କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ, ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ। ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ। ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ।

ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ।

ଧାର୍ମିକ ଲୋକ ଦୀନହୀନମାନଙ୍କ ଗୁହାରି ବିଷୟରେ ବିଜ୍ଞ; ମାତ୍ର ତାହା ଜାଣିବା ପାଇଁ ଦୁଷ୍ଟ ଲୋକର ବୁଦ୍ଧି ନାହିଁ।

ଚୋରର ଭାଗୀ ଆପଣା ପ୍ରାଣକୁ ଘୃଣା କରେ, ସେ ରାଣ କରାଇବାର କଥା ଶୁଣେ, କିନ୍ତୁ କିଛି ପ୍ରକାଶ କରେ ନାହିଁ।

ଅସାରତା ଓ ମିଥ୍ୟାକଥା ମୋ’ଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋ’ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର। ନୋହିଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିଅବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି।

ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି, ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର। ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।

ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ।

ମୁଁ ଆପଣା ନିମନ୍ତେ ମହତ୍ ମହତ୍ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି; ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି; ମୁଁ ବୃକ୍ଷର ଚାରା ଉତ୍ପାଦକ ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି; ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହରୁ ଜାତ ଦାସଗଣ ଥିଲେ; ଆହୁରି ମୋ’ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ; ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପତ୍ନୀ ପାଇଲି। ଏହିରୂପେ ମୋ’ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେହି ସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋ’ଠାରେ ରହିଲା। ପୁଣି, ମୋ’ ଚକ୍ଷୁ ଯାହା ଦେଖି ଯାହା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା। ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ଯେଉଁ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ, ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।

ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର।

ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା, ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ, ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇ ପାରିବ, ଏପରି କିଛି ସଙ୍ଗେ ନେବ ନାହିଁ।

ଆହୁରି, ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ, ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ୱରଙ୍କ ଦାନ।

ପରମେଶ୍ୱର କାହାକୁ କାହାକୁ ଏତେ ଧନ, ସମ୍ପତ୍ତି ଓ ସମ୍ଭ୍ରମ ଦିଅନ୍ତି ଯେ, ତାହାର ମନୋବାଞ୍ଛା ପୂର୍ଣ୍ଣ କରିବାକୁ କୌଣସି ବିଷୟର ଅଭାବ ନ ଥାଏ, ତଥାପି ତାହା ଭୋଗ କରିବା ପାଇଁ ପରମେଶ୍ୱର ତାହାକୁ କ୍ଷମତା ଦିଅନ୍ତି ନାହିଁ, ମାତ୍ର ଅନ୍ୟ ଲୋକ ତାହା ଭୋଗ କରେ; ଏହା ଅସାର ଓ ମନ୍ଦ ବ୍ୟାଧି ସ୍ୱରୂପ।

ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ; ଧନ ସବୁ କାର୍ଯ୍ୟରେ ଆସେ।

ତୁମ୍ଭେ ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ; କାରଣ ଏହା ଅବା ତାହା ସିଦ୍ଧ ହେବ, ଅବା ଉଭୟ ସମାନ ଉତ୍ତମ ହେବ, ଏହା ତୁମ୍ଭେ ଜାଣ ନାହିଁ।

ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ। ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳିନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।

ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।

ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ।

“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।

କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?

ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;

ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେହି ସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ, କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ।

ଆମ୍ଭେ ପିତ୍ତଳର ପାଲଟେ ସୁବର୍ଣ୍ଣ ଆଣିବା ଓ ଲୁହାର ପାଲଟେ ରୂପା, କାଷ୍ଠର ପାଲଟେ ପିତ୍ତଳ ଓ ପ୍ରସ୍ତର ପାଲଟେ ଲୁହା ଆଣିବା; ଆହୁରି, ଆମ୍ଭେ ତୁମ୍ଭର ଅଧ୍ୟକ୍ଷ ପଦରେ ଶାନ୍ତିକୁ ଓ ତୁମ୍ଭର ଅଧିକାରୀ ପଦରେ ଧାର୍ମିକତାକୁ ନିଯୁକ୍ତ କରିବା।

ଆଉ, ତୁମ୍ଭେ ଯେତେବେଳେ ଉଚ୍ଛିନ୍ନ ହେବ, ସେତେବେଳେ ତୁମ୍ଭେ କଅଣ କରିବ? ଯଦ୍ୟପି ତୁମ୍ଭେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରୁଅଛ, ଯଦ୍ୟପି ତୁମ୍ଭେ ସୁବର୍ଣ୍ଣ ଅଳଙ୍କାରରେ ଆପଣାକୁ ଭୂଷିତା କରୁଅଛ, ଯଦ୍ୟପି ତୁମ୍ଭେ ଅଞ୍ଜନ ଦ୍ୱାରା ଆପଣା ଚକ୍ଷୁ ପ୍ରସାରୁଅଛ, ତଥାପି ତୁମ୍ଭେ ବ୍ୟର୍ଥରେ ଆପଣାକୁ ସୁନ୍ଦର କରୁଅଛ; ତୁମ୍ଭର ଜାରପୁରୁଷମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି।

ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।

ହେ ଜଳରାଶିର ଉପରେ ବାସକାରିଣୀ ଓ ଧନ ସମ୍ପତ୍ତିରେ ଐଶ୍ୱର୍ଯ୍ୟଶାଳିନୀ, ତୁମ୍ଭର ଅନ୍ତିମ କାଳ, ତୁମ୍ଭର ଅନ୍ୟାୟ ଲାଭର ସୀମା ଉପସ୍ଥିତ।

ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।

ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ; ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ; ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି।

ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ। ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ।

ପୁଣି, ଯେ କାହାରି ପ୍ରତି ଅନ୍ୟାୟ କରି ନାହିଁ, ମାତ୍ର ଋଣୀକୁ ତାହାର ବନ୍ଧକି ଦ୍ରବ୍ୟ ଫେରାଇ ଦେଇଅଛି, ଉପଦ୍ରବ କରି କାହାରି କିଛି ଅପହରଣ କରି ନାହିଁ, ଆପଣାର ଭକ୍ଷ୍ୟ କ୍ଷୁଧିତକୁ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି; ଯେ ସୁଧ ପାଇଁ ଋଣ ଦେଇ ନାହିଁ, କିଅବା କିଛି ବୃଦ୍ଧି ନେଇ ନାହିଁ, ଯେ ଅଧର୍ମରୁ ଆପଣା ହସ୍ତ ଫେରାଇଅଛି, ମନୁଷ୍ୟ ମନୁଷ୍ୟର ମଧ୍ୟରେ ଯଥାର୍ଥ ବିଚାର କରିଅଛି, ଆମ୍ଭର ବିଧିମତେ ଆଚରଣ କରିଅଛି ଓ ସତ୍ୟ ବ୍ୟବହାର କରିବା ନିମନ୍ତେ ଆମ୍ଭର ଶାସନସକଳ ପାଳନ କରିଅଛି, ସେହି ଲୋକ ଧାର୍ମିକ, ପ୍ରଭୁ, ସଦାପ୍ରଭୁ କହନ୍ତି, ସେ ଅବଶ୍ୟ ବଞ୍ଚିବ।”

ଦରିଦ୍ର ଦୀନହୀନର ପ୍ରତି ଅନ୍ୟାୟ କରିଅଛି, ଦୌରାତ୍ମ୍ୟ ଦ୍ୱାରା ଅପହରଣ କରିଅଛି, ବନ୍ଧକି ଦ୍ରବ୍ୟ ଫେରାଇ ଦେଇ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରିଅଛି, ଘୃଣାଯୋଗ୍ୟ କ୍ରିୟା କରିଅଛି, ସୁଧ ପାଇଁ ଋଣ ଦେଇଅଛି ଓ ବୃଦ୍ଧି ଗ୍ରହଣ କରିଅଛି, ସେ କି ବଞ୍ଚିବ? ସେ ବଞ୍ଚିବ ନାହିଁ, ସେ ଏହିସବୁ ଘୃଣାଯୋଗ୍ୟ କ୍ରିୟା କରିଅଛି; ସେ ନିଶ୍ଚୟ ମରିବ, ତାହାର ରକ୍ତ ତାହାର ଉପରେ ବର୍ତ୍ତିବ।

ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇ ଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ,” ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

ଦେଶସ୍ଥ ଲୋକମାନେ ଉପଦ୍ରବ କରିଅଛନ୍ତି ଓ ପରର ଦ୍ରବ୍ୟ ବଳପୂର୍ବକ ଅପହରଣ କରିଅଛନ୍ତି; ହଁ, ସେମାନେ ଦରିଦ୍ର ଓ ଦୀନହୀନକୁ କ୍ଳେଶ ଦେଇଅଛନ୍ତି ଓ ବିଦେଶୀ ପ୍ରତି ଅନ୍ୟାୟପୂର୍ବକ ଉପଦ୍ରବ କରିଅଛନ୍ତି। ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।

ତୁମ୍ଭେ ଆପଣା ଜ୍ଞାନ ଓ ବୁଦ୍ଧି ଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ; ତୁମ୍ଭେ ଆପଣାର ମହା ଜ୍ଞାନ ଦ୍ୱାରା ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇଅଛ, ଆଉ ତୁମ୍ଭର ଧନ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି। ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିବା ସକାଶୁ, ଦେଖ, ଆମ୍ଭେ ବିଦେଶୀୟମାନଙ୍କୁ, ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା; ତହିଁରେ ସେମାନେ ତୁମ୍ଭର ଜ୍ଞାନରୂପ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରିବେ ଓ ତୁମ୍ଭର ଶୋଭା ଭ୍ରଷ୍ଟ କରିବେ।

ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ; ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)। ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ତୁମ୍ଭେ କି ଲୁଟିବାକୁ ଆସିଅଛ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ?

ପୁଣି, ତାହାର ପିତା ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍‍ଶତ୍ସର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା। ତହିଁରେ ଯିରୂଶାଲମସ୍ଥ ମନ୍ଦିରରୁ, ଅର୍ଥାତ୍‍, ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ; ପୁଣି, ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେହିସବୁରେ ପାନ କଲେ। ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ।

ସେମାନେ ଯେତେ ଅଧିକ ବୃଦ୍ଧି ପାଇଲେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କଲେ; ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା।

ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; ସେ ଉପଦ୍ରବ କରିବାକୁ ଭଲ ପାଏ। ପୁଣି, ଇଫ୍ରୟିମ କହିଲା, “ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ଆପଣା ନିମନ୍ତେ ସମ୍ପତ୍ତି ପାଇଅଛି; ମୋ’ର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋ’ଠାରେ ପାଇବେ ନାହିଁ।”

“ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ, ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା। ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।

ତୁମ୍ଭେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ; ଏଥିପାଇଁ ତୁମ୍ଭେମାନେ କଟା ପଥରର ଗୃହ ନିର୍ମାଣ କରିଅଛ ସତ୍ୟ, ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ; ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ; କାରଣ ତୁମ୍ଭମାନଙ୍କର ଅପରାଧ କିପରି ବହୁବିଧ ଓ ତୁମ୍ଭମାନଙ୍କର ପାପସକଳ କିପରି ପ୍ରବଳ, ଏହା ଆମ୍ଭେ ଜାଣୁ; ତୁମ୍ଭେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର ଦ୍ୱାରରେ ଦୀନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ।

ହେ ଦୀନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମ୍ଭେମାନେ ଏହା ଶୁଣ। “ତୁମ୍ଭେମାନେ ଐଫା ସାନ କରି ଓ ଶେକଲ ବଡ଼ କରି, ଆଉ ଛଳନାରୂପ ତରାଜୁରେ ଅଯଥାର୍ଥ କାରବାର କରି କହୁଅଛ, ଅମାବାସ୍ୟା କେତେବେଳେ ଗତ ହେବ, ଆମ୍ଭେମାନେ ଯେପରି ଶସ୍ୟ ବିକ୍ରୟ କରିବୁ? ବିଶ୍ରାମ ଦିନ କେବେ ଗତ ହେବ, ଆମ୍ଭେମାନେ ଯେପରି ଗହମ ବାହାର କରିବୁ? ଆମ୍ଭେମାନେ ଯେପରି ରୂପା ଦେଇ ଦରିଦ୍ରକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ କ୍ରୟ କରିବୁ ଓ ତ୍ୟାଗ ଯୋଗ୍ୟ ଗହମ ବିକ୍ରୟ କରିବୁ।”

ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି।

ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର! ଯେଉଁମାନେ ତୁମ୍ଭକୁ ଦଂଶନ କରିବେ, ସେମାନେ କି ହଠାତ୍‍ ଉଠିବେ ନାହିଁ? ଯେଉଁମାନେ ତୁମ୍ଭକୁ ବିରକ୍ତ କରିବେ, ସେମାନେ କି ଜାଗ୍ରତ ହେବେ ନାହିଁ? ଓ ତୁମ୍ଭେ କି ସେମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ ନାହିଁ?

ପୁଣି, ସେମାନଙ୍କର ସମ୍ପତ୍ତି ଲୁଟିତ ହେବ ଓ ସେମାନଙ୍କର ଗୃହ ଧ୍ୱଂସସ୍ଥାନ ହେବ; ଆହୁରି ସେମାନେ ଗୃହ ନିର୍ମାଣ କରିବେ, ମାତ୍ର ତହିଁରେ ବାସ କରିବେ ନାହିଁ; ଆଉ, ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ମାତ୍ର ତହିଁରୁ ଦ୍ରାକ୍ଷାରସ ପାନ କରିବେ ନାହିଁ।

ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।

ରୂପା ଆମ୍ଭର ଓ ସୁନା ଆମ୍ଭର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

ପୁଣି, ମୁଁ ସେମାନଙ୍କୁ କହିଲି, “ଯଦି ତୁମ୍ଭେମାନେ ଭଲ ବୋଧ କର, ତେବେ ମୋର ବେତନ ମୋତେ ଦିଅ; ନୋହିଲେ କ୍ଷାନ୍ତ ହୁଅ।” ତହିଁରେ ସେମାନେ ମୋର ବେତନ ନିମନ୍ତେ ତିରିଶ ରୌପ୍ୟ ମୁଦ୍ରା ତୌଲି କରି ଦେଲେ। ଆଉ, ସଦାପ୍ରଭୁ ମୋତେ କହିଲେ, “ଏହା କୁମ୍ଭକାର ନିକଟରେ ପକାଇ ଦିଅ, ଏହି ବିଲକ୍ଷଣ ମୂଲ୍ୟରେ ସେମାନେ ଆମ୍ଭର ମୂଲ୍ୟ ନିର୍ଣ୍ଣୟ କରିଅଛନ୍ତି।” ତହିଁରେ ମୁଁ ସେହି ତିରିଶ ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ଗୃହରେ କୁମ୍ଭକାର ନିକଟରେ ପକାଇ ଦେଲି

ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିବ? ତଥାପି ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଚୋରି କରୁଅଛ। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ତୁମ୍ଭର ଦ୍ରବ୍ୟ ଦଶମାଂଶରେ ଓ ନୈବେଦ୍ୟରେ ଚୋରି କରିଅଛୁ?” ତୁମ୍ଭେମାନେ ଅଭିଶାପରେ ଅଭିଶପ୍ତ ହୋଇଅଛ; କାରଣ ତୁମ୍ଭେମାନେ, ହଁ, ଏହିସବୁ ଗୋଷ୍ଠୀ ଆମ୍ଭର ଦ୍ରବ୍ୟ ଚୋରି କରିଅଛି। “ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାରସବୁ ମୁକ୍ତ କରି, ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ,

ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ।

ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।

ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ ।

ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ । ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ ।

ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର ।

ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।

କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ? ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ? ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ । କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ? ଏଣୁ କ'ଣ ଖାଇବା? ଅବା କ'ଣ ପିଇବା? କିଅବା କ'ଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ । କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।

ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ ।

ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!

ସେଥିରେ ଯୀଶୁ ତାହାକୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ।

ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ ।

ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

ମାତ୍ର ଅନ୍ୟ କେତେକ ଭଲ ଭୂଇଁ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶି ଗୁଣ ।

ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା । ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ?

ଏଥିମଧ୍ୟରେ ସେମାନେ କଫର୍ନାହୂମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କ'ଣ ମନ୍ଦିରର କର ଦିଅନ୍ତି ନାହିଁ? ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ? ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ । କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍‍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।

ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ । ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ । ସେ ହିସାବ ଆରମ୍ଭ କରନ୍ତେ ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା । କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ । ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି । ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ । କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ । ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ' ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି । ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା । ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ । ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡ଼କାଇ କହିଲେ ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା? ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ । ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।

ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା ।

ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ । ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ । ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।

ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କ'ଣ ପାଇବା? ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ । ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ ।

କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଠିକ୍, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ । ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ । ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ? ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାଁନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ । ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ । ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ । ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ । କିନ୍ତୁ ତାହା ପାଇ ସେମାନେ ଘରର ଅଧିକାରୀଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ । କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ? ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋହର ଇଚ୍ଛା । ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ? ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।

ପରେ ଯୀଶୁ ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କିଣାବିକା କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ବାସସ୍ଥାନ କରୁଅଛ ।

ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କ'ଣ? କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ? କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ? ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । ସେ ସେମାନଙ୍କୁ ପଚାରିଲେ, ଏହି ମୁର୍ତ୍ତି ଓ ନାମ କାହାର? ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ ।

ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ ।

କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି । ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ । ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା । ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା । ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା । ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ । ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଛି । ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି । ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି । ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ । କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କ'ଣ ଜାଣିଥିଲୁ? ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାନ୍ତି । ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।

ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ ।

ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା । ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି । ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି ।

ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ । ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା ।

ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା, ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି । କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? ତୁ ତାହା ବୁଝ । ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା । କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୁଲ୍ୟ । ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ । ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି । ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ସେମାନେ ନେଇ ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ ।

ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା ।

ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ । ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ । ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ । ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ । ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, ଆଉ ସେମାନେ ଭଙ୍ଗା ରୁଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ । ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ ।

ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା; ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ।

କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?

ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା ।

ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ! ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ । କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର! ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ । ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।

ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ । ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରିଲୋକ କେହି ନାହିଁ ।

ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ, ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ? କିନ୍ତୁ ତୁମ୍ଭେମାନେ ତାହାକୁ 'ଡକାୟତମାନଙ୍କ ଗହ୍ୱର' କରିଅଛ ।

ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ? ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋ' ପାଖକୁ ଆଣ, ମୁଁ ତାହା ଦେଖେ । ତହିଁରେ ସେମାନେ ତାହା ଆଣିଲେ । ଯୀଶୁ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର । ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ ।

ପରେ ସେ ଭଣ୍ଡାର ସମ୍ମୁୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ । ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶି ପକାଇଲେ; ଆଉ ଜଣେ ଦରିଦ୍ର ବିଧବା ଆସି ଏକ ଅଳ୍ପ ମୂଲ୍ୟର ଦୁଇ ତମ୍ବା ପଇସା ସେଥିରେ ପକାଇଲା । ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି; କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହି ସବୁ ପକାଇଲା ।

ସେ ବେଥନିଆରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? ଏହି ତୈଳ ତ ଦେଢ଼ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥା'ନ୍ତା । ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ । କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି । କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରି ପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।

ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ । ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲେ ।

ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ପୋଷାକ ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ ।

କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା? ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ । ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କ'ଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ ।

ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର । ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ ।

କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖଭୋଗ କରିଅଛ । ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ । ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ ।

ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ । ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ ।

ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି । ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି ।

ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି । ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି ।

ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି, ମପାଇଦିଆଯିବ ।

ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ ।

ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।

ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।

ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!

ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ । କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।

ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ । କିନ୍ତୁ ସେ ତାହାଙ୍କୁ କହିଲେ, ହେ ଭାଇ. କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା? ପୁଣି, ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।

ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା । ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କ'ଣ କରିବି? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ । ପୁଣି, ସେ କହିଲା, ଏହା କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି, ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍; କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ କାହାର ହେବ? ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ ।

ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ । କାଉମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଭଣ୍ଡାରଘର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ! ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ? ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ? ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ । କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ! ପୁଣି, କ'ଣ ଖାଇବ ଓ କ'ଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ, କାରଣ ଜଗତର ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ପିତା ଜାଣନ୍ତି । ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।

ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,

କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ ।

ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ । କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର; ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ ।

ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ? ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି । ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।

ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ । ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ । ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା । ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ । ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି । ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ । ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ । କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।

ସେ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ, ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ । ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କ'ଣ କରିବି? ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି । ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କ'ଣ କରିବି, ତାହା ବୁଝିଲିଣି । ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ? ସେ କହିଲା, ଶହେ ମହଣ ତେଲ । ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ । ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭେ କେତେ ଧାର ନେଇଅଛ? ସେ କହିଲା, ଶହେ ଭରଣ ଗହମ । ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ । ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ । ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ ।

ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ । ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ? ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ?

କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାରିବ ନାହିଁ । ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।

ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ । କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା । ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ । ସେଥିରେ ସେ ଡାକି କହିଲେ, ହେ ପିତା ଅବ୍ରାହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି । କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ । ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ । ସେଥିରେ ସେ କହିଲେ, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ । କିନ୍ତୁ ଅବ୍ରାହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ । ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।

ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।

ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ ।

ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ ।

ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି! କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚୀର କଣା ଦେଇ ଓଟର ପ୍ରବେଶ କରିବା ସହଜ । ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।

ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ । ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ସ୍ତ୍ରୀକୁ ଭାଇ କି ବାପା ମା କି ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ ।

କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।

ଏଣୁ ସେ କହିଲେ, ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ । ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶ ଗୋଟି ମୁଦ୍ରା ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର । କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବେ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ । ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ । ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୁଦ୍ରା ଆଉ ଦଶଟି ମୁଦ୍ରା ଲାଭ କରିଅଛି । ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ । ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୁଦ୍ରା ପାଞ୍ଚୋଟି ମୁଦ୍ରା ଲାଭ କରିଅଛି । ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ । ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି । ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କ'ଣ ଜାଣିଥିଲୁ? ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି । ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୁଦ୍ରା ନେଇଯାଇ, ଯାହାର ଦଶ ମୁଦ୍ରା ଅଛି, ତାହାକୁ ଦିଅ । ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୁଦ୍ରା ଅଛି । ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ । କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।

ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀ ମାନଙ୍କୁ ବାହାର କରିବାକୁ ଲାଗିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ ।

କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ । ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ ।

ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ । ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି ଛୋଟ ମୁଦ୍ରା ପକାଉଥିବା ଦେଖି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।

ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ । ତୁମ୍ଭ ଗୃହ ନିମନ୍ତେ ଉଦ୍‍ଯୋଗ ମୋତେ ଗ୍ରାସ କରିବ, ଏହା ଲେଖା ଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା ।

କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ ।

ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ ।

ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି । ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ।

କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, ଏହି ତୈଳ ଦେଢ଼ଶହ ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା? ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା । ସେଥିରେ ଯୀଶୁ କହିଲେ, ଏହାକୁ ଛାଡ଼ିଦିଅ, ଯେପରି ମୋର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ । ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।

ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ' ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ । ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ' ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ।

ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ । ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ । ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ।

କିନ୍ତୁ ପିତର କହିଲେ, "ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଚାଲ ।"

ବିଶ୍ୱାସକାରୀ ଲୋକସମୂୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା । ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା । ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, ଆଉ ପ୍ରତ୍ୟେକ ଜଣକୁ ତା'ର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା ।

ପୁଣି, ଯୋଷେଫ, ଯେ ଲେବୀ ବଂଶଜାତ ଜଣେ ସାଇପ୍ରସ୍ ଜାତିର ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅନୁବାଦ କଲେ ଏହାର ଅର୍ଥ ସାନ୍ତ୍ୱନାର ପୁତ୍ର), ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ ।

ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ । ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା । ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି? ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ ।

ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ । କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ ।

ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ,

ମୁଁ କାହାରି ରୁପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି । ମୋର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୁରଣ ନିମନ୍ତେ ସେବା କରି ଆସୁଛି, ନିଜେ ଏହା ତୁମ୍ଭେମାନେ ଜାଣ । ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି, "ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି ।

ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?

ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତା'ର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ ।

ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ୱରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି । ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍‍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍‍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର । ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ମୋଶାଙ୍କ ବ୍ୟବସ୍ଥା ସଫଳ କରିଅଛି । କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।

ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ ।

ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ଡଳୀସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର । ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥି ନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ ।

ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;

ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।

କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ ।

କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ଵେଚ୍ଛାରେ ବହୁତ ବିନତିସହ ଆମ୍ଭମାନଙ୍କୁ ନିବେଦନ କଲେ; ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ ।

କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ ।

କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ । ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ; ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ, ଯେପରି ଲେଖା ଅଛି, "ଯେ ଅଧିକ ସଂଗ୍ରହ କଲା,ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ '' ।

ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।

କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ । ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି । ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି, ଯେପରି ଲେଖା ଅଛି, "ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ ।''

ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି,ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ; ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ । କାରଣ ଏହି ଦାନରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂରଣ କରୁଅଛି, ତାହା ନୁହେଁ, ମାତ୍ର ତଦ୍ୱାରା ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଛୁଳି ଉଠୁଅଛି, ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତିବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,

ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି ।

କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।''

ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ । ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା । ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ ।

ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୂଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,

ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।

ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ ।

କିନ୍ତୁ ଯାହାସବୁ ମୋ' ପକ୍ଷରେ ଲାଭଜନକ ଥିଲା, ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି । ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟକଲି, ପୁଣି, ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,

ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି । ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ- ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି । ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ । ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ । ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋ' ସହିତ ଦେବା ନେବାର ହିସାବ ରଖି ନ ଥିଲେ । କାରଣ ଥେସଲନୀକୀରେ ମୁଁ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ । ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ । ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ' ପାଇଁ ଯଥେଷ୍ଟ; ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ । ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ ।

ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ ।

ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।

କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।

ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି

କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।

ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ । କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି ।

ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି,

କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,

କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟ ପ୍ରିୟ,

ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ । ସେ, ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ; ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ । ଅନୁବାଦ କଲେ ମଲ୍‍କୀଷେଦକଙ୍କ ନାମର ଅର୍ଥ ଧାର୍ମିକତାର ରାଜା, ଏବଂ ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା । ଏହାଙ୍କର ପିତା କି ମାତା କି ବଂଶାବଳୀ କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି । ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ । ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି; କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ । ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ । ଏ ସ୍ଥଳରେ ମରଣଶୀଳ ମନୁଷ୍ୟ ଯେ ଦଶମାଂଶ ଗ୍ରହଣ କରିଥାଆନ୍ତି, ଦିନେ ମୃତ୍ୟୁବରଣ କରିବ, କିନ୍ତୁ ସେ ସ୍ଥଳରେ ଯେ ଅବ୍ରହାମଙ୍କ ଦଶମାଂଶ ଗ୍ରହଣ କରିଥିଲେ ସେହି ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର । ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି; କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ ।

ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ; ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ, ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ ।

ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, "ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ''।

ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ ।

ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ । ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ ।

ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍‍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ ।

କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ, କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ? ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି? କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ । ଧନୀମାନେ କ'ଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ? ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କ'ଣ ସେହି ନାମର ନିନ୍ଦା କରନ୍ତି ନାହିଁ?

ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ମୋଶାଙ୍କ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,

ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କ'ଣ ତାହାର ପରିତ୍ରାଣ କରି ପାରେ? ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ ।

ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ ।

ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; କିନ୍ତୁ କାଲି କ'ଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ । ତୁମ୍ଭମାନଙ୍କର ଜୀବନ କ'ଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ । ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ ।

ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର । ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି, ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ । ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!

ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟ ଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି । ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ ।

ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ।

ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ

ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ ।

ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ; କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।

କିନ୍ତୁ ଯେ ଜାଗତିକ ଭାବେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ? ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ ।

ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ; ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ ।

ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ ।

ଆଉ ପୃଥିବୀର ରାଜାମାନେ, ପାତ୍ରମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧିନ ଓ ସ୍ୱାଧିନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ, ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ,

ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ ।

ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା, ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ବସ୍ତ୍ର, ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର (ମାର୍ବଲ୍) ନିର୍ମିତ ସମସ୍ତ ପ୍ରକାର ବସ୍ତୁ, ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ । ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ ।

ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା । କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,

ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ ।

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net