27 – ଦୁଃଖ ଭୋଗୁଛନ୍ତି
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଦୁଃଖ ଭୋଗୁଛନ୍ତି.
ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଦୁଃଖ ଭୋଗୁଛନ୍ତି.
ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏ ପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।” ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କ’ଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
”ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ,ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ । ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି ।
”ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି । କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।
”ମାତ୍ର, ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”
”ତହୁଁ ସେ ନାରୀଙ୍କୁ କହିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।” ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ। ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି, ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।”
”ଏଥିଉତ୍ତାରେ ସଦାପ୍ରଭୁ କହିଲେ, “ଆମ୍ଭେ ମିସର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଳେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକମାନଙ୍କ କାରଣରୁ ହେଉଥିବା ସେମାନଙ୍କ ରୋଦନ ଶୁଣିଅଛୁ; ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିସ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି, ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍, କିଣାନୀୟ, ହିତ୍ତୀୟ, ଇମୋରୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥା’ନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଲୁ। ଯେହେତୁ ଦେଖ, ଇସ୍ରାଏଲ ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ।
”ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ।
”“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
”ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯଦି ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା।
”ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବ; ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଓ ଜଳରେ ଆଶୀର୍ବାଦ କରିବେ, ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା।
”ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।
”ଆଉ, ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ଦୂର କରିବା ଓ ତୁମ୍ଭମାନଙ୍କ ଦେଶରେ ଖଡ୍ଗ ଭ୍ରମଣ କରିବ ନାହିଁ।
”ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ, ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ।
”ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବ ଶୁଣିବ। ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ପାସୋରିବେ ନାହିଁ।
”ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁ ସବୁ ମିସ୍ରୀୟ ମନ୍ଦ-ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
”ଏହି ଚାଳିଶ ବର୍ଷସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ। ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି, ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।
”ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।
”ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ। ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍ଗମନ କରିବ, ତେବେ ଅଭିଶାପ।
”‘ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ୱ, ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ। କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
”ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।
”ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର; ଅର୍ଥାତ୍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।
”ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ଭୟଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ହତାଶ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ।
”ପୁଣି, ସଦାପ୍ରଭୁ, ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି; ସେ ତୁମ୍ଭର ସଙ୍ଗୀ ହେବେ, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ତୁମ୍ଭକୁ ତ୍ୟାଗ କରିବେ ନାହିଁ; ଭୟ କର ନାହିଁ, କି ହତାଶ ହୁଅ ନାହିଁ।
”ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।
”ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।
”ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।
”ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି। ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।
”ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।
”ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।’” ଏଥିରେ ସେ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ। ଏଥିଉତ୍ତାରେ ଯିଶାଇୟ ନଗରର ମଧ୍ୟଭାଗକୁ ବାହାରି ଯିବା ପୂର୍ବେ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, “ଫେରି ଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକୀୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ। ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା; ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବା; ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା।’”
”ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର। ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
”ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।
”ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି। ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।
”ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, ବଳଦମାନେ ହଳ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଦଭୀମାନେ ଚରୁଥିଲେ; ଏଥି ମଧ୍ୟରେ ଶିବାୟୀୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ; ଆହୁରି, ସେମାନେ ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆକାଶରୁ ପରମେଶ୍ୱରଙ୍କ ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “କଲ୍ଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ; ଏଥି ମଧ୍ୟରେ, ଦେଖନ୍ତୁ, ପ୍ରାନ୍ତର ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରି କୋଣରେ ଲାଗନ୍ତେ, ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା;
”ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”
”ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ।” ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସକୁ ଆଘାତ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ। ତହିଁରେ ସଦାପ୍ରଭୁ ଶୟତାନଙ୍କୁ କହିଲେ, “ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର।” ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରି ଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାଆରେ ତାହାକୁ ଆଘାତ କଲା। ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା[୧]।
”ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏ ପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।” ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କ’ଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
”ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ। ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚୈଃସ୍ୱରରେ ରୋଦନ କଲେ; ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ। ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ।
”ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି, ସେ ମନୁଷ୍ୟ ଧନ୍ୟ; ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର। କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି; ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ;
”ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ। ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି?
”କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।
”ମୋହର ମାଂସ କୀଟ ଓ ଧୂଳିଟେଳା ପରିହିତ; ମୋହର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ।
”ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ୱନିରେ ପୂର୍ଣ୍ଣ କରିବେ।
”ମୋ’ ପ୍ରାଣ ମୋ’ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି।
”ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ; ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ; ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ। ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ; ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ। ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ; ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ।
”ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।
”ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।
”ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ।
”ମାତ୍ର ତାହାର ନିଜ ମାଂସ ବ୍ୟଥା ଭୋଗ କରେ ଓ ତାହାର ପ୍ରାଣ ଅନ୍ତରେ ବ୍ୟାକୁଳ ହୁଏ।
”ମୋ’ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।
”ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;
”ପୁଣି, ଏବେ ମୋର ପ୍ରାଣ ମୋ’ ଅନ୍ତରରେ ତରଳିଯାଏ; କ୍ଳେଶର ଦିନସବୁ ମୋତେ ଆକ୍ରାନ୍ତ କରିଅଛି। ରାତ୍ରିକାଳରେ ମୋହର ଅସ୍ଥିସବୁ ମୋ’ ଭିତରେ ବିଦ୍ଧ ହୁଏ ଓ ମୋତେ କାମୁଡ଼ିବା ବେଦନାସବୁ ବିଶ୍ରାମ ନିଅନ୍ତି ନାହିଁ।
”ମୋ’ ଅନ୍ତ୍ର ଫୁଟେ, ବିଶ୍ରାମ କରେ ନାହିଁ; ମୋ’ ଉପରେ କ୍ଳେଶର ଦିନସବୁ ଉପସ୍ଥିତ ହୋଇଅଛି। ମୁଁ ସୂର୍ଯ୍ୟ ବିନା ମ୍ଳାନ ହୋଇ ବୁଲୁଥାଏ; ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ। ମୁଁ ଶୃଗାଳମାନଙ୍କର ଭାଇ ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି। ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋ’ଠାରୁ ଝଡ଼ି ପଡ଼ୁଅଛି ଓ ମୋ’ ଅସ୍ଥିସବୁ ଉତ୍ତାପରେ ଦଗ୍ଧ ହେଉଅଛି।
”ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ; ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ। ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ। ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାରକର ସନ୍ନିକଟ ହୁଏ।
”କାରଣ କେହି କି ପରମେଶ୍ୱରଙ୍କୁ କହିଅଛି, ମୁଁ ଶାସ୍ତି ଭୋଗ କରୁଅଛି, ଆଉ ଦୋଷ କରିବି ନାହିଁ; ଯାହା ମୁଁ ଜାଣୁ ନାହିଁ, ତାହା ତୁମ୍ଭେ ମୋତେ ଶିଖାଅ; ଯଦି ମୁଁ ଅପରାଧ କରିଅଛି, ତେବେ ଆଉ ତାହା କରିବି ନାହିଁ?
”ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ।
”ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
”ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ; ମୋହର ଗୌରବ ଓ ମୋ’ ମସ୍ତକ ଉଠାଇବା କର୍ତ୍ତା ଅଟ। ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [ସେଲା] ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି। ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।
”ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ ହେ ସଦାପ୍ରଭୁ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ।
”ହେ ସଦାପ୍ରଭୁ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି; ହେ ସଦାପ୍ରଭୁ, ମୋତେ ସୁସ୍ଥ କର; କାରଣ ମୋ’ର ଅସ୍ଥିସବୁ ବ୍ୟାକୁଳ ହେଉଅଛି। ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି; ପୁଣି, ତୁମ୍ଭେ, ହେ ସଦାପ୍ରଭୁ, ଆଉ କେତେ କାଳ? ହେ ସଦାପ୍ରଭୁ, ଫେର, ମୋ’ ପ୍ରାଣକୁ ଉଦ୍ଧାର କର; ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର।
”ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ। ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ; ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।
”ହେ ସଦାପ୍ରଭୁ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା, ମୋ’ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର।
”ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ।
”ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବି? କେତେ କାଳ ମୋ’ ଶତ୍ରୁ ମୋ’ ଉପରେ ଉଚ୍ଚୀକୃତ ହେବ? ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ; ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;
”ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋ’ ଶରୀର ମଧ୍ୟ ନିରାପଦରେ ବାସ କରିବ। କାରଣ ତୁମ୍ଭେ ମୋ’ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।”
”ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ, ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।
”ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ, ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ। ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ। ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି। ମୃତ୍ୟୁୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଳାବନ ମୋତେ ଭୟଗ୍ରସ୍ତ କଲା। ପାତାଳର ରଜ୍ଜୁସବୁ ମୋ’ ଚାରିଆଡ଼େ ଥିଲା; ମୃତ୍ୟୁୁର ଫାନ୍ଦ ମୋ’ ଉପରେ ପଡ଼ିଲା। ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ’ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି, ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।
”କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି। କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ।
”ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି। ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ତୁମ୍ଭେ ମୋ’ ଶତ୍ରୁଗଣଙ୍କ ସାକ୍ଷାତରେ ମୋ’ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋ’ ମସ୍ତକ ସିକ୍ତ କରିଅଛ; ମୋ’ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି। ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।
”ମୋ’ ପ୍ରତି ଫେର ଓ ମୋ’ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ। ମୋ’ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର। ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର।
”ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋ’ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି? ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ। ସୈନ୍ୟଦଳ ମୋ’ ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ; ଯଦି ଯୁଦ୍ଧ ମୋ’ ବିରୁଦ୍ଧରେ ଉଠେ, ତେବେ ମଧ୍ୟ ମୁଁ ସାହସିକ ହେବି। ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ।
”କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।
”ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋ’ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।
”ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ’ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ। ହେ ସଦାପ୍ରଭୁଙ୍କର ସଦ୍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ। କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।
”ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ? ଧୂଳି କି ତୁମ୍ଭର ପ୍ରଶଂସା କରିବ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ? ହେ ସଦାପ୍ରଭୁ, ଶୁଣ ଓ ମୋ’ ପ୍ରତି ଦୟା କର; ସଦାପ୍ରଭୁ, ତୁମ୍ଭେ ମୋହର ସହାୟ ହୁଅ। ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।
”ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର; ତୁମ୍ଭେ ମୋ’ ପ୍ରତି ଦୃଢ଼ ଶୈଳ, ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ। କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ; ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।
”ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ; ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି। କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ ମୋହର ବର୍ଷ ବହି ଯାଉଅଛି; ମୋ’ ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ ମୋର ଅସ୍ଥିସବୁ କ୍ଷୟ ପାଉଅଛି। ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି, ମୋତେ ବାହାରେ ଦେଖିଲା ଲୋକମାନେ ମୋ’ ନିକଟରୁ ପଳାଇଲେ। ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି; ମୁଁ ଭଗ୍ନ ପାତ୍ର ସଦୃଶ।
”ମୋହର ସମୟ ସବୁ ତୁମ୍ଭର ହସ୍ତଗତ; ମୋ’ ଶତ୍ରୁଗଣ ହସ୍ତରୁ ଓ ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।
”ମୁଁ ମୌନ ହୋଇ ଥିବା ବେଳେ ଦିନସାରା ଆର୍ତ୍ତନାଦ କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା। କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ’ ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। [ସେଲା]
”ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି, ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।
”ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।
”ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି। ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ। ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ। ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି। ଧାର୍ମିକର ବିପଦ ଅନେକ; ମାତ୍ର ସେହି ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି। ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି; ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ।
”ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି ପୁଣି, ମୋହର ପ୍ରାର୍ଥନାର ଉତ୍ତର ମୋତେ ମିଳିଲା ନାହିଁ। ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି।
”ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି। ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ। କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
”ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି। ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ- ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି। ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।
”ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ ନିରୀକ୍ଷଣ କର; କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।
”ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ ନାହିଁ। କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ। ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି। ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ। କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ। ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି।
”ମୋ’ଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି। ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର। [ସେଲା] ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’ ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ; ମୋ’ ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।
”ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ। ପୁଣି, ସେ ମୋ’ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।
”ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।
”ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ; ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର। ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର; ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି।”
”ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? ତୁ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛୁ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି। ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋ’ ଅନ୍ତରରେ ଶୋକାକୁଳ ହେଉଅଛି; ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ ମିତ୍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି।
”ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି। ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ଓ ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।
”ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍ମୋତ୍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ। ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;
”କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ। ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [ସେଲା]
”କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।
”ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।”
”ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
”ଭଗ୍ନ-ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।
”ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ, ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।
”ସେ ମୋ’ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋ’ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋ’ ସଙ୍ଗେ ବିରୋଧକାରୀ ଅନେକ ଥିଲେ।
”ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
”ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି। ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋର କଅଣ କରି ପାରିବ? ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋ’ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ। ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋ’ ପ୍ରାଣର ଅପେକ୍ଷା କରିଅଛନ୍ତି।
”ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କ’ଣ ତୁମ୍ଭ ପୁସ୍ତକରେ ନାହିଁ?
”ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କ’ଣ କରି ପାରିବ? ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି। କାରଣ ତୁମ୍ଭେ ମୃତ୍ୟୁୁରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କ’ଣ ପତନରୁ ମୋ’ ଚରଣକୁ ଉଦ୍ଧାର କରିବ ନାହିଁ?
”ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋ’ ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
”ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
”ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।
”ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋ’ ପ୍ରାର୍ଥନାରେ ମନୋଯୋଗ କର। ମୋ’ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋ’ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ। କାରଣ ତୁମ୍ଭେ ମୋ’ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ। ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।
”ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଦାଉଦଙ୍କର ଗୀତ। ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ। କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି।
”ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ। କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି। ମୋହର ପରିତ୍ରାଣ ଓ ମୋହର ଗୌରବ ପରମେଶ୍ୱରଙ୍କଠାରେ ଅଛି; ମୋ’ ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି। ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର; ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। [ସେଲା]
”ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ’ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ’ ଶରୀର ତୁମ୍ଭ ପାଇଁ ଲାଳସା କରେ। ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି। କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ। ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି; ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ ଓ ମୋ’ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ। ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ। କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି। ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ।
”ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା ଅଟନ୍ତି। ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି; ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି।
”ହେ ପରମେଶ୍ୱର, ମୁଁ ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବାହୁବଳ, ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ, ବୃଦ୍ଧ ଓ ପକ୍ୱକେଶ ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ। ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି? ଆମ୍ଭମାନଙ୍କୁ ଅନେକ ଓ ଦାରୁଣ କ୍ଳେଶ ଦେଖାଇଅଛ ଯେ ତୁମ୍ଭେ, ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ। ତୁମ୍ଭେ ମୋହର ମହତ୍ତ୍ୱ ବଢ଼ାଅ ଓ ଫେରି ମୋତେ ସାନ୍ତ୍ୱନା ଦିଅ। ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, ମଧ୍ୟ ତୁମ୍ଭର, ଅର୍ଥାତ୍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି; ହେ ଇସ୍ରାଏଲର ଧର୍ମସ୍ୱରୂପ, ମୁଁ ବୀଣା ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ ମୋହର ଓଷ୍ଠାଧର ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ ଅତିଶୟ ଆହ୍ଲାଦ କରିବ।
”ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ। ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ। ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ୱର ଅନନ୍ତକାଳ ମୋ’ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି।
”ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।
”ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ। ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା]
”ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ।
”କାରଣ ମୋ’ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ।
”ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର; ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ! ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ?
”ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା। ହେ ପ୍ରଭୁ, ତୁମ୍ଭେ ପୁରୁଷାନୁକ୍ରମରେ ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ।
”ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।” କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ। ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର, ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ। ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକୁ ଆସିବ ନାହିଁ।
”କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ। ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ। ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ। କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ। ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ। ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ। ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା। ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା।
”ମୋ’ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋ’ ପ୍ରାଣକୁ ଆହ୍ଲାଦିତ କରେ।
”ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ ଓ ମୋ’ ପରମେଶ୍ୱର ମୋହର ଆଶ୍ରୟ ଶୈଳ ହୋଇଅଛନ୍ତି।
”ଧନ୍ୟବାଦାର୍ଥକ ଗୀତ। ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର। ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ; ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ; ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର; ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ।
”ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। ମୋ’ ସଙ୍କଟ ଦିନରେ ମୋ’ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ। କାରଣ ମୋ’ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ। ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ। ମୋହର ହାହାକାର ଶବ୍ଦ ସକାଶୁ ମୋ’ ଅସ୍ଥିସବୁ ମୋ’ ମାଂସରେ ଲାଗି ରହେ।
”ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।
”ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ; ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି; ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି;
”କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ଯେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି। ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ; ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ। ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ। ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,
”ଅନେକ ଥର ସେ ସେମାନଙ୍କୁ ଉଦ୍ଧାର କଲେ; ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ବିଦ୍ରୋହୀ ହେଲେ ଓ ଆପଣା ଆପଣା ଅଧର୍ମରେ କ୍ଷୀଣ ହେଲେ। ତଥାପି ସେ ସେମାନଙ୍କ କାକୂକ୍ତି ଶୁଣି ସେମାନଙ୍କ ଦୁର୍ଦ୍ଦଶାରେ ମନୋଯୋଗ କଲେ। ପୁଣି, ସେମାନଙ୍କ ପକ୍ଷରେ ସେ ଆପଣା ନିୟମ ସ୍ମରଣ କଲେ ଓ ନିଜର ଦୟାର ବାହୁଲ୍ୟ ଅନୁସାରେ ସେମାନଙ୍କ ପ୍ରତି କୃପା କଲେ। ଆହୁରି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେ ସେମାନଙ୍କ ମନରେ ଦୟା ଜନ୍ମାଇଲେ।
”କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା। ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ।
”ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି। କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ, ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁୁଛାୟାରେ ବସିଲେ; ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା। ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ। ସେ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ।
”ମୂର୍ଖମାନେ ଆପଣା ଆପଣା ଅପରାଧ ଓ ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି। ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ ଓ ସେମାନେ ମୃତ୍ୟୁୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି। ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି। ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।
”ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ। ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।
”ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।
”ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି; ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରି ପାରେ?
”ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
”ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
”ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।
”ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।
”ଶୋକ ସକାଶୁ ମୋ’ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।
”ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
”ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
”ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।
”ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ। ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ। ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ’ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।
”ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି। ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
”ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
”କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।
”ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।
”ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।
”ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ। ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
”ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ’ ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି। ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ’ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।
”ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର। ସେମାନେ ମନେ ମନେ କୁକଳ୍ପନା କରନ୍ତି; ସେମାନେ ଯୁଦ୍ଧ କରିବାକୁ ପ୍ରତି ଦିନ ଏକତ୍ରିତ ହୁଅନ୍ତି। ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି; ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]
”ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
”ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍; ପ୍ରାର୍ଥନା। ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ; ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ; ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋ’ ଗମନ ପଥରେ ସେମାନେ ମୋ’ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି। ମୋ’ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋ’ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ; ମୁଁ କହିଲି, “ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ। ମୋ’ କାକୂକ୍ତିରେ ମନୋଯୋଗ କର; କାରଣ ମୁଁ ଅତି ଅଧୋନତ ହୋଇଅଛି; ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; କାରଣ ସେମାନେ ମୋ’ ଅପେକ୍ଷା ବଳବାନ। କାରାଗାରରୁ ମୋ’ ପ୍ରାଣ ଉଦ୍ଧାର କର, ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି; ଧାର୍ମିକମାନେ ମୋତେ ବେଷ୍ଟନ କରିବେ; କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।”
”ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁ ଅଛି; ଶୁଷ୍କ ଭୂମି ତୁଲ୍ୟ ମୋ’ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। [ସେଲା] ହେ ସଦାପ୍ରଭୁ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; ମୋ’ଠାରୁ ଆପଣା ମୁଖ ଲୁଚାଅ ନାହିଁ; କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।
”ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି। ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ। ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ। ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।
”ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି। ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।
”ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।
”ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ। ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ।
”ମନୁଷ୍ୟର ଚିନ୍ତା ମନକୁ ନତ କରେ; ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।
”ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ; ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ।
”ଆନନ୍ଦିତ ହୃଦୟ ଉତ୍ତମ ଔଷଧ; ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
”ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼ ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଏ।
”ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳି ପାରେ; ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ?
”ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।
”ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ। ମୃତ୍ୟୁୁ ନିମନ୍ତେ ନିଆ ଯିବା ଲୋକମାନଙ୍କୁ ଉଦ୍ଧାର କର ଓ ହତ ହେବା ନିମନ୍ତେ ଉଦ୍ୟତ ଲୋକମାନଙ୍କୁ ରକ୍ଷା କରିବା ପାଇଁ କ୍ଷାନ୍ତ ହୁଅ ନାହିଁ।
”ମୃତକଳ୍ପ ଲୋକକୁ ମଦ୍ୟ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ। ସେ ଲୋକ ପାନ କରି ଆପଣା ଦରିଦ୍ରତା ପାସୋରୁ ଓ ଆପଣା କ୍ଳେଶ ଆଉ ମନରେ ନ କରୁ। ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ।
”ସବୁ ବିଷୟର ଉଚିତ୍ ସମୟ ଅଛି ଓ ଆକାଶ ତଳେ ସବୁ ଉଦ୍ଦେଶ୍ୟର ଉଚିତ୍ ସମୟ ଅଛି; ଜନ୍ମ ହେବାର ସମୟ ଓ ମରିବାର ସମୟ; ରୋପିବାର ସମୟ, ଯାହା ରୋପିତ ହେଲା, ତାହା ଉପାଡ଼ିବାର ସମୟ; ବଧ କରିବାର ସମୟ ଓ ସୁସ୍ଥ କରିବାର ସମୟ; ଭାଙ୍ଗିବାର ସମୟ ଓ ନିର୍ମାଣ କରିବାର ସମୟ, ରୋଦନ କରିବାର ସମୟ ଓ ହସିବାର ସମୟ; ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ;
”ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ। ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ। ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷର୍ଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ। ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ।
”ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।
”ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି। ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ; କେବଳ କ୍ଷତ, ଦାଗ ଓ ପୂଜପୂର୍ଣ୍ଣ ଘା; ସେହିସବୁ ଟିପା କିମ୍ବା ବନ୍ଧା ଯାଇ ନାହିଁ, କିଅବା ତୈଳ ଦ୍ୱାରା କୋମଳ କରାଯାଇ ନାହିଁ।
”ସମୁଦାୟ ପୃଥିବୀ ଶାନ୍ତ ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି।
”ପୁଣି, ସଦାପ୍ରଭୁ ମିସରକୁ ପ୍ରହାର କରିବେ, ପ୍ରହାର କରିବେ ଓ ସୁସ୍ଥ କରିବେ; ପୁଣି, ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ, ତହିଁରେ ସେ ସେମାନଙ୍କର ବିନତି ଗ୍ରାହ୍ୟ କରି ସେମାନଙ୍କୁ ସୁସ୍ଥ କରିବେ।
”ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
”ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି। ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି।
”କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ।
”ସେ ମୃତ୍ୟୁୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।
”ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ। ତୁମ୍ଭେମାନେ ସଦାକାଳ ସଦାପ୍ରଭୁଙ୍କଠାରେ ନିର୍ଭର ରଖ; କାରଣ ସଦାପ୍ରଭୁ ଯିହୋବାଃଙ୍କଠାରେ ଅନନ୍ତକାଳସ୍ଥାୟୀ ଶୈଳ ଅଛି।
”ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ନିରୂପଣ କରିବ; କାରଣ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କର ସକଳ କାର୍ଯ୍ୟ ସାଧନ କରିଅଛ।
”ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ। ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବା ମାତ୍ରେ ତୁମ୍ଭକୁ ଉତ୍ତର ଦେବେ। ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଲେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ। ପୁଣି, ଦକ୍ଷିଣରେ କିମ୍ବା ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, “ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର।”
”ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥର ଥର ଆଣ୍ଠୁକୁ ସୁସ୍ଥିର କର। ଭୀତାନ୍ତଃକରଣମାନଙ୍କୁ କୁହ, ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ।
”ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ। ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ; ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ।
”“ମୋ’ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର,” ଏହା ତୁମ୍ଭମାନଙ୍କର ପରମେଶ୍ୱର କହନ୍ତି। ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇ ଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର।
”ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
”ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ। ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି। ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ; ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ।
”ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
”ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ୱା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
”ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର। ତୁମ୍ଭେ ଜଳ ମଧ୍ୟ ଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।
”ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
”ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ୱ କେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବୋହିବା; ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବୋହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା।
”ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ।
”ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
”ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
”ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
”କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହେବ।
”ପୁଣି, ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଆନନ୍ଦ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ; ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ। ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରନ୍ତି, ସେ ଆମ୍ଭେ, ଆମ୍ଭେ ହିଁ ଅଟୁ; ମୃତ୍ୟୁୁର ଅଧୀନ ମନୁଷ୍ୟକୁ ଓ ଯେ ତୃଣ ତୁଲ୍ୟ କରାଯିବ, ଏପରି ମନୁଷ୍ୟର ସନ୍ତାନକୁ ଭୟ କରୁଅଛ,
”ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ। ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳି ଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
”ଭୟ କର ନାହିଁ; କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷର୍ଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ।
”ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ହେବ ନାହିଁ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
”ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ଓ ଯେ ପ୍ରତ୍ୟେକ ଜିହ୍ୱା ବିଚାରରେ ତୁମ୍ଭ ବିରୁଦ୍ଧରେ ଉଠେ, ତୁମ୍ଭେ ତାହାକୁ ଦୋଷୀ କରିବ। ସଦାପ୍ରଭୁଙ୍କ ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ସେମାନଙ୍କର ଧାର୍ମିକତା ଏହି,” ଏହା ସଦାପ୍ରଭୁ କହନ୍ତି।
”ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।
”ସେ ଶାନ୍ତିରେ ପ୍ରବେଶ କରେ; ସରଳପଥଗାମୀମାନେ ପ୍ରତ୍ୟେକେ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି।
”କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।
”ଆମ୍ଭେ ତାହାର ଗତି ଦେଖିଅଛୁ ଓ ତାହାକୁ ସୁସ୍ଥ କରିବା; ମଧ୍ୟ ଆମ୍ଭେ ତାହାକୁ ପଥ କଢ଼ାଇବା, ପୁଣି ତାହାକୁ ଓ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବା। ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ; ସଦାପ୍ରଭୁ କହନ୍ତି, “ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ଶାନ୍ତି, ଶାନ୍ତି ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।”
”ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କ’ଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ? ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?
”ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ; ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍ବର୍ତ୍ତୀ ହେବ। ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, “ଆମ୍ଭେ ଉପସ୍ଥିତ ଅଛୁ।” ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର; ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ; ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ।
”ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।
”ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
”କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ। ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ। ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; ପୁଣି, ତହିଁ ମଧ୍ୟରେ ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ।
”ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।”
”ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ। କାରଣ ସେ ଜଳ ନିକଟରେ ରୋପିତ ଓ ନଦୀକୂଳରେ ବିସ୍ତୃତମୂଳ ବୃକ୍ଷ ତୁଲ୍ୟ ହେବ ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ; ଆଉ, ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ, କିଅବା ତାହାର ଫଳ ଫଳିବାର ନିବୃତ୍ତ ହେବ ନାହିଁ।
”ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି, ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି; କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।
”କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ। ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା। ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।”
”କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ ସବୁ ସୁସ୍ଥ କରିବା; କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି, ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।’
”କାରଣ ଆମ୍ଭେ କ୍ଳାନ୍ତ ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ।” ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋ’ ପ୍ରତି ସୁଖଦାୟକ ଥିଲା।
”ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା, ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା।
”ମୋହର ଦୁଃଖ ଓ ଦୁର୍ଗତି ସ୍ମରଣ କର, ତାହା ନାଗଦଅଣା ଓ ବିଷ ସ୍ୱରୂପ। ମୋହର ପ୍ରାଣ ଏପର୍ଯ୍ୟନ୍ତ ତାହା ସ୍ମରଣରେ ରଖୁଅଛି ଓ ମୋ’ ଅନ୍ତରରେ ଅବସନ୍ନ ହେଉଅଛି।
”ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ। ମୋର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟସ୍ୱରୂପ; ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି। ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି। ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ।
”କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ। କାରଣ ସେ ମନୁଷ୍ୟ-ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଳେଶ କିଅବା ଦୁଃଖ ଦିଅନ୍ତି ନାହିଁ।
”ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ; ତୁମ୍ଭେ କହିଲ, ଭୟ କର ନାହିଁ। ହେ ପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ବିବାଦସକଳର ସପକ୍ଷରେ ପ୍ରତିବାଦ କରିଅଛ; ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
”ଦୁର୍ଭିକ୍ଷର ଜ୍ୱଳନ୍ତ ତାପ ହେତୁରୁ, ଆମ୍ଭମାନଙ୍କ ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
”ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ। ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।” “ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।
”ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।
”ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ। ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
”ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”
”ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ। ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।
”ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ।
”“ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ, ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା। ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।
”ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ।
”ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
”ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ।
”ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ । ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, "ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାଁନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।"
”ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।
”ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ ।
”ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।
”କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
”ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ? ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ? ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ । କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ? ଏଣୁ କ'ଣ ଖାଇବା? ଅବା କ'ଣ ପିଇବା? କିଅବା କ'ଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ । କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।
”ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ ।
”ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା ।
”ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି । ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ସୁସ୍ଥ କରିବି । କିନ୍ତୁ ଶତସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ' ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ । ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ, ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । ଆଉ ଯୀଶୁ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ । ସେହିକ୍ଷଣି ଦାସଟି ସୁସ୍ଥ ହେଲା ।
”ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ ।
”ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।
”ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ । ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ । ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା ।
”ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରି ପାରୁ ନ ଥିଲେ । ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କ'ଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ? ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା । ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ । ଯୀଶୁ ସେମାନଙ୍କୁ କହିଲେ, ଯାଅ । ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ ।
”ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ୱର ନିନ୍ଦା କରୁଅଛି । ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ? କାରଣ କ'ଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା? କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ । ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା ।
”କିନ୍ତୁ ଯୀଶୁ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ରା ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି ।
”ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା, କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି । ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା ।
”ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା ।
”ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେ ଏହା କରି ପାରେ, ତାହା କି ବିଶ୍ୱାସ କରୁଅଛ? ସେମାନେ କହିଲେ ହଁ, ପ୍ରଭୁ । ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ । ତହିଁରେ ସେମାନଙ୍କର ଆଖି ଫିଟିଗଲା । ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେପରି କେହି ନ ଜାଣେ ।
”ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ । ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା । ସେଥିରେ ଲୋକ ସମୁହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ ।
”ଏହାପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ ।
”ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ ।
”ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।
”ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର । ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି । ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।
”ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।
”ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
”ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |
”ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା କ'ଣ ବିଧିସଙ୍ଗତ? କିନ୍ତୁ ସେ ସେମାନଙ୍କୁ କହିଲେ, ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାରରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରିଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି? ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ । ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ । ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା ।
”ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
”ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକ ତାହାଙ୍କ ପାଖକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା ।
”ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।
”ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ ।
”ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।
”ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି । କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ । ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି । କିନ୍ତୁ ଯୀଶୁ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ । କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ । ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି । ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା ।
”ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ । ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।
”ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି । ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରି ପାରିଲେ ନାହିଁ । ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ଏଠିକି ମୋ ପାଖକୁ ଆଣ । ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା ।
”ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ 'ଏଠାରୁ ସେଠାକୁ ଘୁଞ୍ଚିଯା' ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ ।
”ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।
”ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ ।
”ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।
”ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ ।
”ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ହେବ । ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ ।
”ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ । ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।
”କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ ।
”ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ ।
”ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।
”ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ । ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ । ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
”ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ ।
”ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ,
”ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍ଥାନୀ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
”ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା, ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି । ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା ।
”ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାଙ୍କ କଥା ଯୀଶୁଙ୍କୁ ଜଣାଇଲେ । ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ ।
”ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତସମସ୍ତଙ୍କୁ ଆଣିବାକୁ ଲାଗିଲେ, ପୁଣି, ନଗରବାସୀସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ । ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ ।
”ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ। ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, "ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।" ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା ।
”ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ । ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।" କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ? ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ? କ'ଣ ସହଜ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା? କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ । ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।
”ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।
”ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ । ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି । ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ । ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ । ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ । ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା ।
”କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ୱରଙ୍କ ପୁତ୍ର ।
”ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ ।
”ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।
”ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ? ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା । ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କ'ଣ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ?
”ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା । ସେ ସମାଧି ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ, କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା । ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା । ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା, ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋର କ'ଣ ଅଛି? ତୁମ୍ଭକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ । କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା । ଆଉ ଯୀଶୁ ତାହାକୁ ପଚାରିଲେ, ତୋର ନାଁ କ'ଣ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ । ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା । ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା । ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ । ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା ।
”ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା, ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା ।
”ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି? କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ପରି ସମାଜଗୃହର ଅଧ୍ୟକ୍ଷ୍ୟଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର । ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ । ସେମାନେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ, ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ, ଆଉ ପିଲାର ହାତ ଧରି ତାହାକୁ କହିଲେ, 'ଟଲିଥାକୁମ୍', ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍ । ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ ।
”ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ ।
”ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ ।
”ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ । ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।
”ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା । ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍ ସ୍ତ୍ରୀଲୋକ ଥିଲା । ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା । ସେଥିରେ ସେ ତାହାକୁ କହିଲେ, ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି । ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି । ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା ।
”ଆଉ ଲୋକ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ । ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଆଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ, ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, 'ଇପ୍ପଥଃ', ଅର୍ଥାତ୍ ଫିଟିଯା । ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟରୂପେ କଥା କହିବାକୁ ଲାଗିଲା । ପୁଣି, ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ । ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।
”ପରେ ସେମାନେ ବେଥ୍ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ । ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ? ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି । ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା ।
”ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି; ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ । ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋ' ପାଖକୁ ଆଣ । ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ । ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା । ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ; ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ । ସେଥିରେ ଯୀଶୁ ତାହାକୁ କହିଲେ, କ'ଣ କହିଲ? ଯଦି କରି ପାରନ୍ତି! ଯିଏ ବିଶ୍ୱାସ କରେ, ତା' ପକ୍ଷରେ ସମସ୍ତ ସମ୍ଭବ । ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ । ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ । ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା । କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା ।
”ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।] ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ,ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । [କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।] ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।
”ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା । ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ । ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ । ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି । ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା । ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ । ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ।
”ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ । ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ ।
”କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ । ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ । ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି । ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।
”କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ ।
”ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ । ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇ ପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ । ଆଉ ଯୀଶୁ କହିଲେ, ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
”ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ |
”ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କ'ଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ । ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ।
”ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, 'ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ?' ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
”ଆଉ ଏହି ସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ ।
”ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
”ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତଗ୍ରସ୍ତ ଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା, ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି । ଯୀଶୁ ତାହାକୁ ଧମକ ଦେଇ କହିଲେ ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା । ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି ।
”ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ । ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ । ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ ।
”ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ ।
”ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ।
”କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
”ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା । ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ । କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ । ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି । ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ? କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଆପଣା ଆପଣା ମନରେ କ'ଣ ତର୍କବିତର୍କ କରୁଅଛ? କ'ଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା? କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ । ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ ।
”ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ଚିକିତ୍ସକଙ୍କଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି । ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି ।
”ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା । ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି । କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କ'ଣ କରିବା ଉଚିତ? ଭଲ କରିବା ନା ମନ୍ଦ କରିବା? ଜୀବନ ରକ୍ଷା କରିବା ନା ବିନାଶ କରିବା? ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା ।
”ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ; ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ; ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା ।
”ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ । ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।
”ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ । ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ପାଖକୁ ଯିହୂଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ । ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି; କାରଣ ସେ ଆମ୍ଭମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି । ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ । ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ । ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ ।
”ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ । ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ । ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ । ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।
”ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧଙ୍କୁ ଦେଖିବାର ଶକ୍ତି ଦେଲେ । ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
”ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍ ମଗ୍ଦଲୀନୀ ନାମକ ମରିୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ,
”କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଲେ । ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ । ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ । ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା । ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ? କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।
”ପରେ ସେମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ । ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥାନରେ ରହୁଥିଲା । ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କ'ଣ ଅଛି? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ । କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ । ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଶିକୁଳି ଓ ହାତ କଡ଼ି ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା । ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ । ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ । ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ । ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ଼ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ ।
”ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା, ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା ।
”ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତାଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ । କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ । ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ । ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି । କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ । ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ ।
”ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ । ଆଉ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ ।
”ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ ।
”କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ ।
”ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା; ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ । ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ । ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ । ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ ।
”ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।
”ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ ।
”ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ । ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ । ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ । କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ ।
”ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ ।
”ପାଞ୍ଚୋଟି ଘରଚଟିଆ କ'ଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ୱର ଭୁଲିଯାଆନ୍ତି ନାହିଁ । କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି । ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।
”ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ । କାଉମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଭଣ୍ଡାରଘର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ! ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ? ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ? ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ । କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ! ପୁଣି, କ'ଣ ଖାଇବ ଓ କ'ଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ, କାରଣ ଜଗତର ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ପିତା ଜାଣନ୍ତି । ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ ।
”ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ ।
”ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା । ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ । ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା ।
”ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇ ଅବ୍ରାହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କ'ଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା?
”ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି ।
”ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ । ସେଥିରେ ଯୀଶୁ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, ବିଶ୍ରାମବାରରେ ସୁସ୍ଥ କରିବା ନିୟମସଙ୍ଗତ କି ନୁହେଁ? କିନ୍ତୁ ସେମାନେ ନୀରବ ରହିଲେ । ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ ।
”କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;
”ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ । କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା । ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ । ସେଥିରେ ସେ ଡାକି କହିଲେ, ହେ ପିତା ଅବ୍ରାହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି । କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ । ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ । ସେଥିରେ ସେ କହିଲେ, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ । କିନ୍ତୁ ଅବ୍ରାହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ । ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।
”ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ୍ କଲେ; ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ । ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ । ଆଉ ସେମାନେ ଯାଉ ଯାଉ ଶୁଚି ହେଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
”ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।
”ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା । ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ'ଣ ବୋଲି ପଚାରିବାକୁ ଲାଗିଲା । ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି । ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି । ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ ।
”କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।
”ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି ।
”କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ । କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
”ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ;
”ଶିମୋନ, ଶିମୋନ,ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର । ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।
”ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା ।
”ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।
”ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।
”ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ ।
”କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।
”ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ । ଆଉ ଜଣେ ରାଜକର୍ମଚାରୀ ଥିଲେ, ତାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା । ଯୀଶୁ ଯିହୂଦା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍ ହୋଇଥିଲା । ସେଥିରେ ଯୀଶୁ ତାଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ । ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ । ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ । ଯୀଶୁ ସେହି ବ୍ୟକ୍ତିଙ୍କି ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ । ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ । ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା । ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ ।
”ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।] ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା । ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ । ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ । ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।
”ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।
”ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହି ସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍ଗମନ କରିବାକୁ ଲାଗିଲେ ।
”ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ । କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି । ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
”ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।
”ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି । ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି । ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ । ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା ।
”କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା ।
”ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି । ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ।
”ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ । ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରି ପାରେ ନାହିଁ ।
”ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ?
”ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା । ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ, ତାଙ୍କୁ କେଉଁଠାରେ ରଖିଅଛ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ । ଯୀଶୁ କାନ୍ଦିଲେ । ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ ।
”ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି । ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ । ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି । ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି । ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ । ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।
”ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ'ଠାରେ ମଧ୍ୟ ବିଶ୍ୱାସ କର । ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି;
”ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି । ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।
”ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ । ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ ।
”ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ । ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ ।
”ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି ।
”ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ । ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ' ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ । ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ' ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ।
”ତୁମ୍ଭେମାନେ ଯେପରି ମୋ'ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି । ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।
”ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ ।
”ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥି ନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ । ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ । ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଚଢ଼ାଇଲେ, ଦୁଇ ପାଖରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ ।
”ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।
”ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ ।
”ଆଉ,ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ ।
”ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ । ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ ।
”କିନ୍ତୁ ପିତର କହିଲେ, "ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଚାଲ ।" ପୁଣି, ସେ ତା'ର ଡାହାଣ ହାତ ଧରି ତାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତା'ର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା, ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ୱରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା । ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ,
”ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ,ଏଥି ନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ । ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ ।
”ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ । କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, "ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ" ।
”ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
”କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ । ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ,ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ ।
”ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ । କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ । ସେଥିରେ ସେ ନଗରରେ ମହା ଆନନ୍ଦ ହେଲା ।
”ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ ।
”ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ । ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା । ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ । ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ । ସେଥିରେ ତାହାଙ୍କ ହାତରୁ ଶିକୁଳି ଖସିପଡ଼ିଲା । ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ । ସେ ସେପରି କଲେ । ଆଉ ସେ ତାହାଙ୍କୁ କହିଲେ, ଦେହରେ ଚାଦର ପକାଇ ମୋହର ପଛେ ପଛେ ଆସ । ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ । ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ ।
”ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।
”ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ । ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ ।
”ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ କାଠଗଣ୍ଡି ବାନ୍ଧିଦେଲେ । କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ । ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା । ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ । କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ । ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ?
”ପୁଣି, ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ ।
”ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୂଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହି ସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
”ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କ'ଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ; ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି କିନ୍ତୁ ମୁଁ ଯେପରି ମୋହର ନିରୁପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି ।
”ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି, "ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି ।
”ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କ'ଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି । ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ ।
”ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଅମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ । ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ;
”କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ । ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପ୍ରବାହିତ ହୋଇଅଛି ।
”କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି । ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା । କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା । ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ |
”ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।
”ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା । ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।
”କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ । ଖ୍ରୀଷ୍ଟ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ । କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ୍ୟୁ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି । ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର । ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ- ଗୁଡ଼ାକର ବଶବର୍ତ୍ତୀ ହେବ; କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର ।
”ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ । କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ ।
”କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।
”ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
”ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ । କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି । ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ । କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି । କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ; ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ; ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ ।
”କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ । କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ । ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ ।
”ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ; କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ । ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ । କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ । ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି, ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ ।
”କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ । ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି । କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ; ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ । କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ । ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ । କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ? କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ ।
”ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି; ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କ'ଣ, ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି ।
”ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ । କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି । ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ ।
”ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି । କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି ।
”ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ? ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।''
”ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ । କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।
”ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି, ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ' ସହିତ ସାକ୍ଷ୍ୟ ଦେଉଅଛି । କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରି ପାରନ୍ତି ।
”ଯେପରି ଲେଖା ଅଛି, "ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ" ।
”ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ । କାରଣ ଯିହୂଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ । କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।
”ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା ।
”ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ; ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ । ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ । ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର ।
”ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ । ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ । କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ ।
”ସେହି ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର ।
”ଯେପରି ମୁଁ ଦୁର୍ବଳ ମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରି ପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି ।
”ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ ।
”ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି । ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଆନନ୍ଦ କରନ୍ତି ।
”କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ୱର ।
”ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ ।
”ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ;
”କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ । କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ, "ଜୟ ମୃତ୍ୟୁକୁ ଗ୍ରାସ କରିଅଛି। "ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?"
”ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର; ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି । କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର । କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି । ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ ।
”କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ; ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ; ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;
”ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ,ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ । ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି ।
”ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି । କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।
”କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ । ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;
”ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ପ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ । (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ), ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ ।
”କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି । ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ ।
”ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।
”ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ,
”ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।
”ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା । ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି ।
”କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ । ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ୱର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
”କାରଣ ଈଶ୍ୱରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହାସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ । ଯେଣୁ ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି । ଏବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣଦେଇଅଛ ।
”ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି ।
”ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି, ଯେପରି ଲେଖା ଅଛି, "ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ ।'' ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି,ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ; ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ ।
”ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ; ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶି ପ୍ରହାର ପାଇଅଛି, ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୂଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ,ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ । ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ' ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍ ମଣ୍ଡଳୀସମୂହ ନିମନ୍ତେ ଚିନ୍ତା । କେହି ଦୁର୍ବଳ ହେଲେ ମୁଁ କ'ଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ ମୁଁ କ'ଣ ଉତ୍ତପ୍ତ ହୁଏ ନାହିଁ? ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି।
”ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ' ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ ।
”ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ । ଯେପରି ତାହା ମୋ'ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି । ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି । ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।
”ଯିହୂଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ । ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରାହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ।
”କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା,
”ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ ।
”ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,
”ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
”ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
”କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ।
”ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର । ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ, ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି ।
”କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ । କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ । ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
”କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
”ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋ' ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋ' ଉପରେ ମଧ୍ୟ ଦୟା କଲେ ।
”କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ ।
”ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,
”ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।
”ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର । ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ । କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।
”ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ- ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି । ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ । ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ ।
”ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ ।
”ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ, ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ । ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି;
”ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;
”ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର । ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ ।
”ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ ।
”ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ ।
”ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ । କାରଣ ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ । ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ । ଏଥି ନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରିକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି ।
”ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ । କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ । ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ ।
”ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।
”ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ । ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସହାଯ୍ୟ କରିବେ ।
”ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ । ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଉଚିତ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ;
”ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି, ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ ।
”ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ । ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ ।
”ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।
”କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ।
”କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।
”ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାଁନ୍ତି, ମାତ୍ର ତାହାଙ୍କ ନିଜ ଯୋଜନା ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି; ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି |
”ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ । ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;
”କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ । ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ । ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ |
”କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର |
”କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ । ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି; ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।
”ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ । କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି; ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।
”ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି;
”ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ,
”ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
”ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ଖ୍ରୀଷ୍ଟ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରି ପାରନ୍ତି; ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି ।
”କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।
”ଅତଏବ ଆସ, ଆମ୍ଭେମାନେ ସାବଧାନ ହେଉ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ । କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ । ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା; କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ କୌଣସି ଏକ ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ୱର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ; ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର । କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ । ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।
”କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ । ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।
”ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ,
”କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ; ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ । କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ । ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି । ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ । କାରଣ ଆଉ ଅତିଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ । ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ ।
”ଏ ହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା ।
”ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ ।
”ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ; ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ, ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ । ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲାପରି ସୁସ୍ଥିର ରହିଲେ ।
”ଆଉ ଅଧିକ କ'ଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ; ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖ ବନ୍ଦ କଲେ, ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ । ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ । ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ; କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ଼୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା । ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ, ଯେଣୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧି ଲାଭ ନ କରନ୍ତି ।
”ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ । ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି । ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର ।
”ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ, ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ; କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି । ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ । ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ? କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି । ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ ।
”ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର, ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ ।
”ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର ।
”ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, "ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ''। ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ ମନୁଷ୍ୟ ମୋହର କ'ଣ କରିବ?
”ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ । ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ । କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ ।
”ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ । ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ ।
”ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ । ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ ।
”ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ ।
”ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର । ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।
”ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ । କେହି କ'ଣ ଆନନ୍ଦିତ ଅଟେ? ସେ ଗୀତ ଗାନ କରୁ । ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ । ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ । ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।
”ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ।
”କାରଣ କେହି ଯେବେ ଈଶ୍ୱରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ । ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କ'ଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ । ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା । ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ; ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ ।
”ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍ବିଗ୍ନ ହୁଅ ନାହିଁ;
”କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ। ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
”ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, (କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି),
”ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ । ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ୱରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ; କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ ।
”ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।
”ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,
”ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି । ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।
”ଯେ ଆପଣା ଗୌରବ ଓ ସଦ୍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ୱରିକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି ।
”ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି ।
”କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ । ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।
”ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ ।
”ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି । ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ । ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ ।
”ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ । ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?
”ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହି ସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ ।
”ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା ।
”ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି ।
”ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ।
”ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ । ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶଦିନ କ୍ଲେଶ ଭୋଗ କରିବ । ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ ।
”ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ ।
”ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ମାନ୍ନା ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ(ଧଳା) ପ୍ରସ୍ତର ତାହାକୁ ଦେବୁ ।
”ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ; ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ, ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
”ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
”ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
”ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
”ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।
”ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ ।
”ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ । ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।
”ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।
”ପରେ ମୁଁ ସିଂହାସନସମୂହ ଦେଖିଲି; ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ ।
”ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ ।
”