30 – ଦ ରାପ୍ଚର

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଦ ରାପ୍ଚର.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ମାତ୍ର ସେହି ସମୟର କଷ୍ଟ ପରେ ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ । ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ ।

ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ; କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ । ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଇଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ ।

କ୍ରମରେ ପ୍ରତ୍ୟେକ ପଦ - 216 ବାଇବଲ ପଦ

ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”

ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି; ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।

ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ। ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ; ଅର୍ଥାତ୍‍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ ଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ; ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ; ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ; ତର୍ଶୀଶ୍‍ର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ। ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ; ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ। ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ। ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ; ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।

ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍‍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ। ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ।

କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।

ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ। ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ; ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ। ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି। କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ। ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା। ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଅଳ୍ପ କରିବା। ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ।

ସେ ମୃତ୍ୟୁୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।

କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି। ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ। ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ। କାରଣ ଆମ୍ଭର ଖଡ୍ଗ ସ୍ୱର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ। ସଦାପ୍ରଭୁଙ୍କ ଖଡ୍ଗ ରକ୍ତରେ ପରିତୃପ୍ତ, ମେଦରେ ଓ ଛାଗଗଣର ଗୁର୍ଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ଡ ହେବ। ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ବନ୍ଧୀୟ ପ୍ରତିଫଳର ବର୍ଷ। ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ। ତାହା ଦିବାରାତ୍ର ନିର୍ବାଣ ହେବ ନାହିଁ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନନ୍ତ କାଳ ତାହାର ମଧ୍ୟ ଦେଇ କେହି ଗମନ କରିବ ନାହିଁ।

ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ। ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।

ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, “ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,”

ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ।

କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।

“କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ,” ଏହା ସଦାପ୍ରଭୁ କହନ୍ତି।

ହାୟ ହାୟ! ସେ ଦିନ ମହତ, ତାହା ତୁଲ୍ୟ ଦିନ ଆଉ ନାହିଁ, ତାହା ଯାକୁବର ସଙ୍କଟ କାଳ; ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।’

କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା। ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତ ସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି-ସ୍ଥାନରେ ଚରାଇବା।

ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା। ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।

ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍‍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଆପଣଙ୍କ ସ୍ୱପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି;

ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ, ତାହାର ଚରଣ ଲୌହମୟ ଓ ତାହାର ପାଦର କିଛି ଅଂଶ ଲୌହମୟ, କିଛି ମୃତ୍ତିକାମୟ ଥିଲା। ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା। ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

ସ୍ୱପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ। ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟ-ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୁନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।

ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ। ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ। ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ।

ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥିଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇ ଅଛନ୍ତି; ପୁଣି, ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।

ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ଦର୍ଶନକ୍ରମେ ଦେଖିଲି ଯେ, ଦେଖ, ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା। ପୁଣି, ଏକଆରେକଠାରୁ ଭିନ୍ନ ଚାରି ବୃହତ୍‍ ପଶୁ ସମୁଦ୍ରରୁ ଉଠି ଆସିଲେ। ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କ୍ରୋଶ ପକ୍ଷୀ ପରି ତାହାର ଡେଣା ଥିଲା; ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି ଦୁଇ ଚରଣରେ ତାକୁ ଠିଆ କରାଗଲା, ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା। ଏଥିଉତ୍ତାରେ ଦେଖ, ଆଉ ଗୋଟିଏ, ଅର୍ଥାତ୍‍, ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ଡ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ‘ଉଠ, ଅନେକ ଲୋକଙ୍କୁ ଗ୍ରାସ କର।’ ଏଉତ୍ତାରେ ମୁଁ ଦେଖିଲି, ଦେଖ, ଚିତାବାଘ ସଦୃଶ ଆଉ ଗୋଟିଏ ପଶୁ, ତାହାର ପିଠିରେ ପକ୍ଷୀର ଚାରି ଡେଣା ଥିଲା; ମଧ୍ୟ ସେ ପଶୁର ଚାରି ମସ୍ତକ ଥିଲା ଆଉ, ତାହାକୁ କର୍ତ୍ତୃତ୍ୱ ଦିଆଗଲା। ଏଥିଉତ୍ତାରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଦେଖ, ଚତୁର୍ଥ ପଶୁ, ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ ଓ ତାହାର ବଡ଼ ବଡ଼ ଲୌହମୟ ଦନ୍ତ ଥିଲା; ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ଯାହା ରହିଲା, ତାହା ପଦ ତଳେ ଦଳିତ କଲା; ଆଉ, ସେ ତାହାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ; ପୁଣି ତାହାର ଦଶ ଶୃଙ୍ଗ ଥିଲା। ମୁଁ ସେହି ଶୃଙ୍ଗମାନର ବିଷୟ ଭାବନା କରୁ କରୁ ଦେଖ, ସେହିସବୁର ମଧ୍ୟରେ ଆଉ ଗୋଟିଏ ଶୃଙ୍ଗ ଉଠିଲା, ତାହା କ୍ଷୁଦ୍ର, ତାହା ସମ୍ମୁଖରେ ପ୍ରଥମ ଶୃଙ୍ଗମାନର ମଧ୍ୟରୁ ତିନିଗୋଟି ଶୃଙ୍ଗ ସମୂଳେ ଉତ୍ପାଟିତ ହେଲା; ପୁଣି ଦେଖ, ଏହି ଶୃଙ୍ଗରେ ମନୁଷ୍ୟର ଚକ୍ଷୁ ତୁଲ୍ୟ ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା।

ମୁଁ ଦେଖୁ ଦେଖୁ, କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନିଶିଖାମୟ ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି। ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା; ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ ଓ ଅୟୁତ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାରସଭା ବସିଲା ଓ ପୁସ୍ତକମାନ ଫିଟାଗଲା।

ସେହି ଶୃଙ୍ଗର କଥିତ ଦର୍ପ-ବାକ୍ୟର ରବ ସକାଶୁ ସେହି ସମୟରେ ମୁଁ ଅନାଇଲି; ମୁଁ ଦେଖିଲି ଯେ, ଶେଷରେ ସେ ପଶୁ ହତ ହେଲା ଓ ତାହାର ଶରୀର ବିନଷ୍ଟ ହେଲା ଓ ସେ ଅଗ୍ନିରେ ଦଗ୍ଧ ହେବା ପାଇଁ ସମର୍ପିତ ହେଲା। ପୁଣି, ଅନ୍ୟ ପଶୁମାନଙ୍କଠାରୁ ସେମାନଙ୍କର କର୍ତ୍ତୃତ୍ୱ ନିଆଗଲା; ତଥାପି ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସେମାନଙ୍କର ଆୟୁ ଦୀର୍ଘ କରାଗଲା।

ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ; ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।

‘ସେହି ଚାରି ବୃହତ୍‍ ପଶୁ ଚାରି ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ। ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍‍, ଅନନ୍ତ କାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’

ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୌହମୟ ଓ ନଖସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି; ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍‍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। ମୁଁ ଦେଖିଲି, ଆଉ ସେହି ଶୃଙ୍ଗ ପବିତ୍ରଗଣଙ୍କ ସଙ୍ଗେ ଯୁଦ୍ଧ କଲା ଓ ସେମାନଙ୍କୁ ଜୟ କଲା; ଶେଷରେ ସେହି ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ବିଚାର ଭାର ଦତ୍ତ ହେଲା ଓ ପବିତ୍ରଗଣଙ୍କର ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା।

ସେ ଏହିରୂପେ କହିଲେ, ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ ତାହା ଭାଙ୍ଗି ପକାଇବ। ପୁଣି, ସେହି ଦଶ ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ, ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ; ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ। ସେ ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ। ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ। ମାତ୍ର ବିଚାର ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ। ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।

ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା। ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା। ହଁ, ସେହି ବାହିନୀଗଣର ଅଧିପତି ବିରୁଦ୍ଧରେ ଆପଣାର ବଡ଼ାଇ କରି ତାହାଙ୍କଠାରୁ ନିତ୍ୟ ହୋମାର୍ଥକ ବଳି ଅପହରଣ କଲା ଓ ତାହାଙ୍କ ଧର୍ମଧାମ ନିପାତିତ ହେଲା। ପୁଣି, ଆଜ୍ଞା-ଲଙ୍ଘନ ସକାଶୁ ନିତ୍ୟ ହୋମବଳି ସହିତ ବାହିନୀ ତାହା ହସ୍ତରେ ସମର୍ପିତ ହେଲା ଓ ସେ ସତ୍ୟତାକୁ ଭୂମିରେ ନିପାତ କଲା, ଆଉ ସ୍ଵେଚ୍ଛାମତ କର୍ମ କରି ସଫଳତା ଲାଭ କଲା। ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, ନିତ୍ୟ ହୋମବଳି ଓ ଧ୍ୱଂସକାରୀ ଆଜ୍ଞା-ଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ? ତହିଁରେ ସେ ମୋତେ କହିଲେ, ଦୁଇ ହଜାର ତିନି ଶହ ସନ୍ଧ୍ୟା ଓ ପ୍ରାତଃକାଳ ପର୍ଯ୍ୟନ୍ତ; ତହିଁ ଉତ୍ତାରେ ଧର୍ମଧାମ ପରିଷ୍କୃତ ହେବ।

ଏଥିଉତ୍ତାରେ ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ। ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ। ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ। ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ। ଆଉ, ସେ ମୋତେ କହିଲେ, ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା।

ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା-ଲଙ୍ଘନକାରୀମାନଙ୍କର ଆଜ୍ଞା-ଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ। ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ। ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ। ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।

ଆଜ୍ଞା-ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍‍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି। ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃର୍ନିର୍ମିତ ହେବ। ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଳାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି। ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକଙ୍କ ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ।

ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି।

ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ। ସେତେବେଳେ ସେ ଅନେକ ସମ୍ପତ୍ତି ନେଇ ଆପଣା ଦେଶକୁ ଫେରି ଯିବ ଓ ତାହାର ଚିତ୍ତ ପବିତ୍ର ନିୟମର ପ୍ରତିଫଳ ହେବ; ଆଉ, ସେ ସ୍ଵେଚ୍ଛାମତ କର୍ମ କରି ଆପଣା ଦେଶକୁ ଫେରି ଯିବ।

ନିରୂପିତ କାଳରେ ସେ ଫେରି ଦକ୍ଷିଣ ଦେଶରେ ପ୍ରବେଶ କରିବ; ମାତ୍ର ପୂର୍ବ କାଳରେ ଯେପରି ହୋଇଥିଲା, ଶେଷ କାଳରେ ସେପରି ନୋହିବ। କାରଣ କିତ୍ତୀମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରି ଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରି ଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ। ଆଉ, ତାହାର ପକ୍ଷସ୍ଥ ସୈନ୍ୟଗଣ ଉଠି ଧର୍ମଧାମ, ଅର୍ଥାତ୍‍, ଦୁର୍ଗ ଅଶୁଚି କରିବେ ଓ ନିତ୍ୟ ନୈବେଦ୍ୟ ନିବୃତ୍ତ କରିବେ, ଆଉ ସର୍ବନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରିବେ। ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍‍ କର୍ମ କରିବେ। ଆଉ, ଲୋକମାନଙ୍କ ମଧ୍ୟରେ ଜ୍ଞାନୀମାନେ ଅନେକଙ୍କୁ ଉପଦେଶ ଦେବେ; ତଥାପି ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଖଡ୍ଗରେ, ଅଗ୍ନିଶିଖାରେ, ବନ୍ଦୀଦଶାରେ ଓ ଲୁଟରେ ପତିତ ହେବେ। ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ; ମାତ୍ର ଅନେକେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କ ସହିତ ଯୋଗ ଦେବେ।

ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ।

ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ୱରଗଣର ଈଶ୍ୱରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ। ସେ ଆପଣା ପୂର୍ବପୁରୁଷଗଣର ଦେବତାମାନଙ୍କୁ ମାନିବ ନାହିଁ; ଅଥବା ସ୍ତ୍ରୀମାନଙ୍କ ବାଞ୍ଛାକୁ କିଅବା କୌଣସି ଦେବତାକୁ ମାନିବ ନାହିଁ; କାରଣ ସେ ସମସ୍ତଙ୍କ ଅପେକ୍ଷା ଆପଣାକୁ ବଡ଼ କରିବ। ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ। ପୁଣି, ସେ ବିଦେଶୀୟ ଦେବତାର ସାହାଯ୍ୟରେ ଦୃଢ଼ତମ ଦୁର୍ଗମାନର ପ୍ରତିକୂଳରେ କାର୍ଯ୍ୟ କରିବ, ଯେକେହି ତାହାକୁ ସ୍ୱୀକାର କରିବ, ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ପାରିତୋଷିକ ରୂପେ ଭୂମି ବିଭାଗ କରିବ।

ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ। ସେ ମଧ୍ୟ ରମ୍ୟ (ଇସ୍ରାଏଲ) ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ। ଆହୁରି, ସେ ନାନା ଦେଶ ଉପରେ ଆପଣା ହସ୍ତ ପ୍ରସାରିବ ଓ ମିସର ଦେଶ ରକ୍ଷା ପାଇବ ନାହିଁ। ମାତ୍ର ମିସରର ସୁନା ଓ ରୂପାର ଭଣ୍ଡାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୂବୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ। ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍‍ବିଗ୍ନ କରିବ; ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ। ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମ କାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ।

ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେହି ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର ସମୟ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେହି ସମୟରେ ଉଦ୍ଧାର ପାଇବେ। ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ କରି ଓ ଏହି ନଳାକାର ପୁସ୍ତକ ମୁଦ୍ରାଙ୍କନ କରି ରଖ; ଅନେକେ ଏଣେତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ।

ସେତେବେଳେ ମୁଁ ଦାନିୟେଲ ଅନାଇଲି, ଆଉ ଦେଖ, ଅନ୍ୟ ଦୁଇ ଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏପାଖରେ ଓ ଅନ୍ୟ ଜଣ ନଦୀତୀରର ସେପାଖରେ। ପୁଣି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀର ଜଳ ଉପରେ ସ୍ଥିତ ଯେଉଁ ମନୁଷ୍ୟ, ତାଙ୍କୁ ଜଣେ କହିଲେ, ଏହିସବୁ ଆଶ୍ଚର୍ଯ୍ୟ ବିଷୟର ଶେଷ ପର୍ଯ୍ୟନ୍ତ କେତେ ବର୍ଷ ଲାଗିବ? ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ।

ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଏହିସବୁର ପରିଣାମ କ’ଣ ହେବ? ତହିଁରେ ସେ କହିଲେ, ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର; କାରଣ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ ଓ ମୁଦ୍ରାଙ୍କିତ ହୋଇଅଛି। ଅନେକେ ଆପଣାମାନଙ୍କୁ ପରିଷ୍କୃତ ଓ ଶୁକ୍ଳ କରିବେ ଓ ପବିତ୍ରୀକୃତ ହେବେ; ମାତ୍ର ଦୁଷ୍ଟମାନେ ଦୁଷ୍ଟାଚରଣ କରିବେ ଓ ଦୁଷ୍ଟମାନଙ୍କ ମଧ୍ୟରୁ କେହି ବୁଝିବେ ନାହିଁ; ମାତ୍ର ଜ୍ଞାନୀ ଲୋକମାନେ ବୁଝିବେ।

ପୁଣି, ଯେଉଁ ସମୟରେ ନିତ୍ୟ ନୈବେଦ୍ୟ ନିବୃତ୍ତ ହେବ ଓ ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ, ସେହି ସମୟଠାରୁ ଏକ ହଜାର ଦୁଇ ଶହ ନବେ ଦିନ ହେବ। ଯେଉଁ ଜନ ଅପେକ୍ଷାରେ ରହେ ଓ ଏକ ହଜାର ତିନିଶହ ପଞ୍ଚତ୍ରିଂଶ ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ। ମାତ୍ର ଶେଷ କାଳ ପର୍ଯ୍ୟନ୍ତ ତୁମ୍ଭେ ଆପଣା ପଥରେ ଗମନ କର; କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ଆପଣା ଅଧିକାରରେ ଠିଆ ହେବ।

ଆଉ, ସଦାପ୍ରଭୁ କହନ୍ତି, “ସେହି ଦିନ ତୁମ୍ଭେ ଆମ୍ଭକୁ ‘ଈଶୀ (ଆମ୍ଭର ସ୍ୱାମୀ)’ ବୋଲି ଡାକିବ ଓ ‘ବାଲୀ (କର୍ତ୍ତା)’ ବୋଲି ଆଉ ଡାକିବ ନାହିଁ।”

ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର! ଦେଶନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ; କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ। ତାହା ତିମିର ଓ ଅନ୍ଧକାରମୟ ଦିନ, ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ, ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି; ମହତୀ ଓ ବଳବତୀ ଏକ ଗୋଷ୍ଠୀ, ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ, କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ। ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି; ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର; ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ। ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି। ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି, ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ, ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ। ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ; ସମସ୍ତଙ୍କର ମୁଖ ମଳିନ। ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି; ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ। ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି; ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ। ସେମାନେ ନଗର ଉପରେ କୁଦନ୍ତି; ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି; ସେମାନେ ଗୃହ ଉପରେ ଚଢ଼ନ୍ତି; ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି। ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; ଆକାଶମଣ୍ଡଳ ଥରଥର ହୁଏ; ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି। ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ ଆପଣା ରବ ଉଚ୍ଚାରଣ କରନ୍ତି; କାରଣ ତାହାଙ୍କର ଛାଉଣୀ ଅତି ବଡ଼; କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ। କାରଣ ସଦାପ୍ରଭୁଙ୍କର ଦିନ ମହତ୍‍ ଓ ଅତି ଭୟାନକ; ଆଉ କିଏ ତାହା ସହ୍ୟ କରି ପାରେ?

ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଆଉ, ସେହି ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।

ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ। ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ; କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ, ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ, ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।”

ତୁମ୍ଭେମାନେ ଦା ଲଗାଅ କାରଣ ଶସ୍ୟ ପାଚିଅଛି; ତୁମ୍ଭେମାନେ ଆସି ଦଳନ କର; କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି; କାରଣ ସେମାନଙ୍କର ଦୁଷ୍ଟତା ବଡ଼। ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ! କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି। ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି। ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ ଓ ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।

“ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ; ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ। ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ। ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି। ମାତ୍ର ଯିହୁଦା ଚିରକାଳ ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ। ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ, ତାହା ନିର୍ଦ୍ଦୋଷ କରିବା।” କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।

ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।

ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା ଅର୍ଥାତ୍‍, ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି; ବୀର ପୁରୁଷ ସେହି ସ୍ଥାନରେ ଅତିଶୟ ରୋଦନ କରୁଅଛି। ସେହି ଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଳେଶର ଦିନ, ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ, ମେଘ ଓ ନିବିଡ଼ ଅନ୍ଧକାରର ଦିନ, ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀରବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ। ପୁଣି, ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ, କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି; ଆଉ, ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳା ଯିବ। ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।

ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।

ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।

କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କଭୂମିକି ହଲାଇବା; ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ରୂପା ଆମ୍ଭର ଓ ସୁନା ଆମ୍ଭର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଏହି ଗୃହର ପୂର୍ବ କାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ପୁଣି, ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେହି ସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ। କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁ ହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇ ଯିବେ ମାତ୍ର ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ। ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହିସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।

ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟ ଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ୍ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ। ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍‍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋ’ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ। ପୁଣି, ସେହି ଦିନ ଏପରି ଘଟିବ ଯେ, ଦୀପ୍ତି, ଥଣ୍ଡା, ବା ବରଫ ହେବ ନାହିଁ। ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ୱ ସଦାପ୍ରଭୁଙ୍କୁ ଜଣା; ତାହା ଦିନ ନୁହେଁ କି ରାତ୍ରି ନୁହେଁ; ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ। ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ।

ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।

ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ। ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ରହିବ ନାହିଁ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ। ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମହାମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ୱା କ୍ଷୟ ପାଇବ। ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ। ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି, ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ। ପୁଣି, ସେହିସବୁ ଛାଉଣିରେ ଯେଉଁ ଅଶ୍ୱ, ଖଚର, ଓଟ ଓ ଗଧ ଓ ସବୁ ପ୍ରକାର ପଶୁ ଥିବେ, ସେମାନଙ୍କ ପ୍ରତି ଯେଉଁ ମହାମାରୀ ଘଟିବ, ତାହା ସେହି ମହାମାରୀ ପରି ହେବ।

ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ। ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ। ଏହା ମିସରର ଦଣ୍ଡ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ଡ ହେବ।

ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ। ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।

ମାତ୍ର ତାହାଙ୍କର ଆଗମନ ଦିନ କିଏ ସହି ପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ; ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ।

କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ; ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ । ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ । ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ, ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।

ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ । ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ । ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ ।

କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ,କାରଣ ଆକାଶ ଲାଲ ହୋଇଅଛି । ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?

ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ ।

ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ।

ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ । ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।

ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ । ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।

ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ନେଇଯିବା ପାଇଁ ଲେଉଟି ନ ଯାଉ । ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର, କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର । କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ ।

ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିବା 'ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ । କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ । ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି । ଅତଏବ, 'ଦେଖ, ସେ ପ୍ରାନ୍ତରରେ ଅଛନ୍ତି', ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; 'ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି', ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ । କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ । ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ ।

ମାତ୍ର ସେହି ସମୟର କଷ୍ଟ ପରେ ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ । ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

ଡିମ୍ବିରି ଗଛରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି । ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ । କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ ।

ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ; ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ । ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ । କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ । ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ ।

ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ । କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟରେ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ । ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । କିନ୍ତୁ ଅର୍ଦ୍ଧରାତ୍ରରେ 'ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର', ଏପରି କୋଳାହଳ ହେଲା । ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ । କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ । ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।

ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ ।

ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ? ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।

ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ । ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।

ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।

ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ ।

ପୁଣି, ଯେଉଁ ସମୟରେ ଏହି ସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କହନ୍ତୁ । ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।

କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ । ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ । ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି । ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ; ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ; ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଫେରି ନ ଯାଉ । ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର । କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ୱରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି ।

ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିମ୍ଵା 'ଦେଖ, ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ । ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ । କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି ।

ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ । ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ । ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

ଡିମ୍ବିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୀଢି କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି । ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ । ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି । ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି, ଏଥି ନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ । ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ ।

ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।

ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ । କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ ।

ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ; ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରିଆସି ଦ୍ୱାରରେ ମାରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ । ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ । ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ । କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ । ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ ।

ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ । କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ, ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ । ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ,

ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ; ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ । ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?

କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ । ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ । କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର (ଯୀଶୁ) ଆପଣା ଦିନରେ ସେହିପରି ହେବେ ।

ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ । ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ; ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳ ପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା । ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ, କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା । ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ ।

ସେହିଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ । ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ । ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।

ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ ।] ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ ।

ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁୁ ଅଟନ୍ତି? ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ । ତଥାପି ମନୁଷ୍ୟପୁତ୍ର (ଯୀଶୁ) ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ?

ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ, ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।

କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ । କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।

କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ । ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ; କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ । ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ, ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ ।

ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ, ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ । ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ । କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।

ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର; ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ; ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ; କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ । କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ । କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ । ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।

ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି ।

ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା । ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ ।

କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ । ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି ।

ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ୱରଙ୍କ ପ୍ରଶଂସା କରିବ ।"

ଆଉ ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ । ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।

କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ, ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର, ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର, ସେହି ଅଗ୍ନି ପରୀକ୍ଷା କରିବ । ଯେ ଯାହା ନିର୍ମାଣ କରିଅଛି, ତା'ର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ; ଯଦି କାହାରି କର୍ମ ପୋଡ଼ିଯିବ, ତା'ର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲାପରି ହେବ ।

ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବ ।

ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ । ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ । ତୁମ୍ଭେମାନେ କି ଜାଣ ନାହିଁ ଯେ, ଅଳ୍ପ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ?

ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ । ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ, କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା ।

ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ ।

ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ।

ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ । କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ । ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ ।

କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ ।

କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ, କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ । ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ । କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋରର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,

କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି । ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ ।

ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ । ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଉଚିତ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ; ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ), ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ପାଖରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ ।

ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ; କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ । ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଇଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ ।

ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ଏହି ସବୁ ବିଷୟ ଯେ ତୁମ୍ଭମାନଙ୍କୁ କହିଥିଲି, ତାହା କ'ଣ ତୁମ୍ଭମାନଙ୍କର ମନେ ନାହିଁ? ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କ'ଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ । କାରଣ ଅଧର୍ମର ନିଗୂଢ଼ତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ବାଧା ଦେଉଥିବା ବ୍ୟକ୍ତି ବାହାର ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ । ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ । ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି, ବିନାଶ-ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ, କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି । ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି, ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି ।

ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି କଳଙ୍କ ଶୂନ୍ୟ ଓ ଅନିନ୍ଦନୀୟ ହୋଇ ରୁହ । ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ ।

କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ; କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

ମୁଁ ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ । କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର |

ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।

ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଶିକ୍ଷା ଦେଉଅଛି ।

ଆହୁରି, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ'' "ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହି ସବୁ ବସ୍ତ୍ର ପରି କ୍ଷୟ ପାଇଯିବ,'' "ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ ।''

ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହି ସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ । କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି । ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ; ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି । ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।

ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ ।

ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ ।

ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର । ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି, ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ । ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!

ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ । ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ । ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ ।

ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି । ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି ।

କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ । ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।

ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ । ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ । ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ । ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।

ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ। ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ । ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥି ନିମନ୍ତେ ସେମାନେ ବାହାରିଗଲେ ।

ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି । ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ, ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି । ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ । ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ । କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।

କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି । ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ । ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ । ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ, ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ,ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁ ସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁ ସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି ।

ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ ।

ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ ।

ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏ ହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ । ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ । ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ ।

ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା । ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ; ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ । ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ ।

ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ । ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ । ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି । ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି । ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୂଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା । ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ । ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା । ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ, ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ ।

ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ । ସେମାନେ ଉଚ୍ଚସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି । ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର । ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ ।

ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ । ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ ।

ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ । ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦିଆ ଗଲା ।

ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ । ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ ।

ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ । ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‌ଗମନ କରୁଥିଲା; ଖଡ଼୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା ।

ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି । ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆ ଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭାତ୍ରୁଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା ।

ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଲୋମ ନିର୍ମିତ କମ୍ବଳ ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହେଲା, ପ୍ରବଳ ବାୟୁ ଆଘାତରେ ଡିମ୍ବିରି ବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ, ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ । ଆଉ ପୃଥିବୀର ରାଜାମାନେ, ପାତ୍ରମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧିନ ଓ ସ୍ୱାଧିନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ, ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ, କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇ ପାରେ?

ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି । ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ ।

ତାପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ, ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, ଆଶେର ବଂଶରୁ ବାର ହଜାର, ନପ୍ତାଲୀ ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର, ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର, ସବୂଲୂନ୍ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ ବଂଶରୁ ବାର ହଜାର ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ । ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା । ତତ୍ପରେ ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା । ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ (ସୁଗନ୍ଧିତ ଧୂପ ପାତ୍ର) ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା । ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ୱରଙ୍କ ସମ୍ମୁଖରେ ଉଠିଲା । ପରେ ସେହି ଦୂତ ଧୂପଦାନୀ (ସୁଗନ୍ଧିତ ଧୂପ ପାତ୍ର) ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ । ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳୀ ଓ ଭୂମିକମ୍ପ ହେଲା । ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନୀ କରିବାକୁ ପ୍ରସ୍ତୁତ ହେଲେ ।

ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା ।

ଦ୍ୱିତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା, ପୁଣି, ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା ।

ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା; ସେହି ନକ୍ଷତ୍ରର ନାମ ନାଗଦଅଣା (ତିକ୍ତତା)। ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା ।

ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା । ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି ।

ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା । ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୁର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଛନ୍ନ ହେଲା । ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା । ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା । ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର । ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ । ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ; ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ; ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ । ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା । ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ । ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି ।

ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ୱରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି, ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ । ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ । ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି । ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୁମ ଓ ଗନ୍ଧକ ନିର୍ଗତ ହେଉଥିଲା । ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ । କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି । ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ, ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନପରିବର୍ତ୍ତନ କଲେ ନାହିଁ ।

ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ; ତାହାଙ୍କ ହସ୍ତରେ ଗୋଟିଏ ମୁକ୍ତ କ୍ଷୁଦ୍ର ପୁସ୍ତକ ଥିଲା। ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରି ସିଂହଗର୍ଜନତୁଲ୍ୟ ହୁଙ୍କାର ଶବ୍ଦରେ ଡାକ ପକାଇଲେ; ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କଲେ । ସେହି ସପ୍ତ ମେଘଗର୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋ ପ୍ରତି ଆକାଶରୁ ଏହି ଉକ୍ତ ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହି ସବୁ ଗୋପନ କରି ରଖ, ଲେଖ ନାହିଁ । ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ, ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ; ମାତ୍ର ଈଶ୍ୱରଙ୍କ ଦ୍ୱାରା ଆପଣା ଦାସ ଭାବବାଦୀମାନଙ୍କ ପ୍ରତି ପ୍ରଚାର କରାଯାଇଥିବା ଶୁଭସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ, ଅର୍ଥାତ୍ ଯେତେବେଳେ ସେ ତୂରୀଧ୍ୱନୀ କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ସଂକଳ୍ପ ମଧ୍ୟ ସଫଳ ହେବ ।

ପୁଣି, ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି, ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲେ, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି, ତାହା ଗ୍ରହଣ କର । ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମହୁ ପରି ମିଷ୍ଟ ଲାଗିବ । ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭୋଜନ କଲି; ତାହା ମୋ ମୁଖକୁ ମହୁ ପରି ମିଠା ଲାଗିଲା, କିନ୍ତୁ ତାହା ଭକ୍ଷଣ କଲା ପରେ ମୋହର ଉଦର ତିକ୍ତ ହୋଇଗଲା । ତତ୍ପରେ ମୋତେ କୁହାଗଲା, ଅନେକ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ ।

ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ୱରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ । କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୂଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ । ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ । ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ । କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ । ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥି ନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି ।

ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବା ଓ ସମାନଙ୍କୁ ଜୟ କରି ବଧ କରିବ । ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବା । ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧିସ୍ଥ ହେବାକୁ ଦେବେ ନାହିଁ । ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ ।

ସାଢ଼େ ତିନି ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ । ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ । ସେଥିରେ ସେମାନେ ମେଘାଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ । ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ । ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି ।

ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ । ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ । ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା । ସେତେବେଳେ ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା ।

ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ । ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ । ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ । ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା । ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିହାଂସନ ନିକଟକୁ ଉଠାଇ ନିଆଗଲେ । ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା ।

ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ | ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ, ପୁଣି, ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ । ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା । ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି । ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ । ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ(ଶୟତାନ) ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି ।

ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ରସନ୍ତାନ ପ୍ରସବକାରିଣୀ ସ୍ତ୍ରୀଲୋକଙ୍କୁ ତାଡ଼ନା କଲା । ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥି ନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିଵା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଷ ପକ୍ଷୀର ଦୁଇଟି ଡେଣା ଦିଆ ହେଲା । ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍‌ଗାର କଲା । କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହଯ୍ୟ କଲା । ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା ।

ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶିଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୂଚକ ବିଭିନ୍ନ ନାମ । ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି । ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିହାଂସନ ଓ ମହାକ୍ଷମତା ସମର୍ପଣ କଲା । ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ, ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରି ପାରେ? ସେହି ପଶୁକୁ ଅହଂକାର ଓ ଈଶ୍ୱରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା । ସେଥିରେ ସେଇ ପଶୁ ମୁଖ ଫିଟାଇ ଈଶ୍ୱରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା ।

ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା । ଜଗତର ସୃଷ୍ଟି ଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ (ପଶୁକୁ) ପ୍ରଣାମ କରିବେ । ଯାହାର କର୍ଣ୍ଣ ଅଛି, ସେ ଶୁଣୁ । କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ଼୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ଼୍ଗ ଦ୍ୱାରା ବଧ କରାଯିବ । ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ ।

ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶିଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା । ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ । ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ । ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ଼୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ । ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା ।

ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ । ଏଠାରେ ଜ୍ଞାନ ଆବଶ୍ୟକ । ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ୬୬୬ (ଛ ଶହ ଛଷଠି) ।

ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି । ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି । ସେମାନେ ସିହାଂସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ । ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି । ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ସେମାନେ ଈଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି; ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ ।

ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର । ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।

ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ଵରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ୱରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ । ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ । ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।

ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।

ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ । ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଛନ୍ନ ବ୍ୟକ୍ତିଙ୍କି ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପାଚି ଯାଇଅଛି । ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା ।

ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା । ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପାଚି ଯାଇଅଛି । ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ୱରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହି ସବୁ ନିକ୍ଷେପ କଲେ । ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ (୩୦୦ କି.ମି.) ପର୍ଯ୍ୟନ୍ତ ବ୍ୟାପ୍ତ ହେଲା ।

ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶ ମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ ।

ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି । ସେମାନେ ଈଶ୍ୱରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ । ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।

ଏଥିଉତ୍ତାରେ ମୁଁ ଦେଖିଲି, ସ୍ୱର୍ଗସ୍ଥ ସାକ୍ଷ୍ୟ ତମ୍ବୁର ମନ୍ଦିରର ଦ୍ୱାର ଉନ୍ମୁକ୍ତ ହେଲା, ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ । ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ । ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ ।

ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ୱରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ ।

ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା ।

ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ ।

ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହି ସବୁ ରକ୍ତ ହୋଇଗଲା । ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛି; ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରେ ଯୋଗ୍ୟ । ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ ।

ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା । ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନପରିବର୍ତ୍ତନ କଲେ ନାହିଁ ।

ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ; ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନପରିବର୍ତ୍ତନ କଲେ ନାହିଁ ।

ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା ।

ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟା ଅପବିତ୍ର ଆତ୍ମା ବାହାରିଲେ; ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି । ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ । ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ ।

ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ୱର ହେଲା, ସମାପ୍ତ ହେଲା । ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା । ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୂଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ । ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ । ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ (୪୦ କେ.ଜି) ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର ।

ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ, ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି । ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ୱରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ । ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ; ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା । ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି | ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶିଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୁଢ଼ତତ୍ତ୍ୱ ବୁଝାଇଦେବି ।

ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ । ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା; ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ । ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ । ଆହୁରି ଯେଉଁ ଦଶ ଶିଙ୍ଗ ଦେଖିଲ, ଏହି ସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାଁନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ । ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ ।

ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ । ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ । ପୁଣି, ଯେଉଁ ଦଶ ଶିଙ୍ଗ ଦେଖିଲ, ସେହି ସବୁ ଓ ସେହି ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଛିନ୍ନ ଓ ଉଲଙ୍ଗ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ; କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ସେମାନଙ୍କ ମନରେ ସୂଚାଇ ଦେଲେ । ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ ।

ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା । ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି । କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।

ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ; କାରଣ ତାହାର ପାପରାଶୀ ସ୍ଵର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ୱର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି । ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର । ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି,ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ । ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ ।

ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ; ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ୍, ତୁ ସନ୍ତାପର ପାତ୍ରୀ । କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା । ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା, ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ବସ୍ତ୍ର, ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର (ମାର୍ବଲ୍) ନିର୍ମିତ ସମସ୍ତ ପ୍ରକାର ବସ୍ତୁ, ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ । ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ । ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା । କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ, ତାହାର ଅଗ୍ନିର ଧୂମ ଦେଖି ଚିତ୍କାର କରି କହିଲେ, ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ? ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା । ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି । ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ । ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,

ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ, ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।

ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର, କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି । ପୁଣି, ସେ ଦ୍ୱିତୀୟ ଥର କହିଲେ, ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ । ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ଆମେନ୍ ହାଲ୍ଲିଲୂୟା । ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର । ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି ।

ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି । ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ । ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ । ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ । ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି । ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇଗଣ, ସେମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର ।

ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି । ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ । ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ । ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ । ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ।

ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ୱରଙ୍କ ମହାଭୋଜରେ ଏକତ୍ର ହୁଅ, ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ ।

ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି । ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ । ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ ।

ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଶିକୁଳି ଥିଲା । ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ ।

ପରେ ମୁଁ ସିଂହାସନସମୂହ ଦେଖିଲି; ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ । ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ । ଏହା ହିଁ ପ୍ରଥମ ପୁନରୁତ୍ଥାନ । ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ ।

ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ; ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ । ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ । ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା ।

ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ ।

ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ । ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ । ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ । ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା । ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ । ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।

ପରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା । ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି ।

ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ । କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ । ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।

ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ୱରଙ୍କ ଗୌରବ ବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି । ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି । ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର । ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି । ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା । ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା । ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ । ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୂର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର, ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର । ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ।

ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ । ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଏୗଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ । ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ । ଲୋକେ ଜାତିସମୂହର ଏୗଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ । କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।

ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net