32 – ଶହୀଦ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଶହୀଦ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ । ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।

ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ । ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି । ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥି ନିମନ୍ତେ ମୁଁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଅଛି । ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ ।

ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି । ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆ ଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭାତ୍ରୁଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା ।

କ୍ରମରେ ପ୍ରତ୍ୟେକ ପଦ - 322 ବାଇବଲ ପଦ

ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ। ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଦୁଃଖିତ ହେଉଅଛ? ସତ୍କର୍ମ କଲେ, କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।” ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କ’ଣ ମୋ’ ଭାଇର ରକ୍ଷକ?” ସେ କହିଲେ, “ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି।

ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି।” ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇସ୍‍ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଏଥିଉତ୍ତାରେ ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।” ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‍ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ। ଆଉ ଇସ୍‍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ?” ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ। ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ।” ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।” ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ।

ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ;

ତୁମ୍ଭେ ନରହତ୍ୟା କରିବ ନାହିଁ।

ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।

ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ। ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ। ଏଣୁ ରାଜା ଦୋୟେଗ୍‍କୁ କହିଲେ, ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର। ତହିଁରେ ଇଦୋମୀୟ ଦୋୟେଗ୍‍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହିଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଶୀ ଜଣଙ୍କୁ ବଧ କଲା। ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା।

ପୁଣି, ଯେଉଁ ସମୟରେ ଈଷେବଲ୍‍ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍‍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା )।

ତହୁଁ ଏଲୀୟ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍‍ଯୋଗୀ ହେଲି; କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ ମୁଁ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋ’ ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”

ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।

ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ।

ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।

ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା; ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”

ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।

ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି; ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ।

ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡଯନ୍ତ୍ର କରନ୍ତି? ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।

ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ; ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।

ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋ’ ଶରୀର ମଧ୍ୟ ନିରାପଦରେ ବାସ କରିବ। କାରଣ ତୁମ୍ଭେ ମୋ’ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।”

ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।

ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି। ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।

ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋ’ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି? ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ। ସୈନ୍ୟଦଳ ମୋ’ ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ; ଯଦି ଯୁଦ୍ଧ ମୋ’ ବିରୁଦ୍ଧରେ ଉଠେ, ତେବେ ମଧ୍ୟ ମୁଁ ସାହସିକ ହେବି। ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ।

ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ; ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।

ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ। ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି। ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ- ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି। ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।

ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ ହେଉଅଛୁ।

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ। ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;

କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।

ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।

ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ। ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି। ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; ପରମେଶ୍ୱର ମୋ’ ଶତ୍ରୁମାନଙ୍କ ଉପରେ ମୋ’ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।

ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ। କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି। ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ। ମାତ୍ର ଯେଉଁମାନେ ମୋ’ ପ୍ରାଣନାଶର ଚେଷ୍ଟା କରନ୍ତି, ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ।

ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ; ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।

ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ। ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ। ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ୱର ଅନନ୍ତକାଳ ମୋ’ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି।

ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ; ହେ ସଦାପ୍ରଭୁ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି। ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।

ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।

ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।

ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ। ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ। ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।

ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।

ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ;

ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।

ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।

ସେ ମୃତ୍ୟୁୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।

ତୁମ୍ଭର ମୃତମାନେ ଜୀବିତ ହେବେ; ମୋହର ଶବସବୁ ଉଠିବେ। ହେ ଧୂଳିନିବାସୀମାନେ, ତୁମ୍ଭେମାନେ ଉଠି ଗାନ କର; କାରଣ ତୁମ୍ଭର ଶିଶିର ତୃଣର ଶିଶିର ତୁଲ୍ୟ ଓ ଭୂମି ମୃତମାନଙ୍କୁ ବାହାର କରି ଦେବ।

ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ।

ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।

ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ। କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।

ପୁଣି, ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଆନନ୍ଦ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ; ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ। ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳି ଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।

ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।

ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁ ନାହିଁ; ପୁଣି, ଭକ୍ତ ଲୋକମାନେ ନିଆ ଯାଉଅଛନ୍ତି, ଧାର୍ମିକମାନେ ଯେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି, ଏହା କେହି ବିବେଚନା କରୁ ନାହିଁ। ସେ ଶାନ୍ତିରେ ପ୍ରବେଶ କରେ; ସରଳପଥଗାମୀମାନେ ପ୍ରତ୍ୟେକେ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି।

ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।

ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋ’ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।

ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।

ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ। ତହିଁରେ ନବୂଖଦ୍‍ନିତ୍ସର ପ୍ରଚଣ୍ଡ କ୍ରୋଧ ଓ କୋପରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋକୁ ଆଣିବା ପାଇଁ ଆଜ୍ଞା କଲା। ତହୁଁ ଲୋକମାନେ ସେମାନଙ୍କୁ ରାଜାର ଛାମୁକୁ ଆଣିଲେ। ନବୂଖଦ୍‍ନିତ୍ସର ସେମାନଙ୍କୁ ଉତ୍ତର କରି କହିଲା, ହେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ କି ମନସ୍ଥ ହୋଇ ମୋର ଦେବତାର ସେବା କରୁ ନାହଁ, କିଅବା ମୋ’ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହଁ? ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋ’ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରିବ?

ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ରାଜାକୁ ଉତ୍ତର କରି କହିଲେ, ହେ ନବୂଖଦ୍‍ନିତ୍ସର, ଏହି ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। ଯଦି ସେହିପରି ହୁଏ, ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ମାତ୍ର ଯଦି ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ-ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେଉନ୍ତୁ।

ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା। ପୁଣି, ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା। ତହୁଁ ସେହି ପୁରୁଷମାନେ ଆପଣା ଆପଣା ପାୟଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ। ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା, ଏଥିପାଇଁ ଯେଉଁ ଲୋକମାନେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋକୁ ଟେକି ଧରିଥିଲେ, ସେମାନେ ଅଗ୍ନିଶିଖାରେ ହତ ହେଲେ। ପୁଣି ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ଏହି ତିନି ଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ।

ଏଥିରେ ରାଜା ନବୂଖଦ୍‍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣା ମନ୍ତ୍ରୀମାନଙ୍କୁ କହିଲା, ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନ ଥିଲୁ? ସେମାନେ ରାଜାକୁ ଉତ୍ତର କରି କହିଲେ, ସତ୍ୟ ମହାରାଜ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ; ପୁଣି, ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ। ପୁଣି, କ୍ଷିତିପାଳ, ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ, ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରି ନାହିଁ, କିଅବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇ ନାହିଁ, ଅଥବା ସେମାନଙ୍କର ପାୟଜାମା ବିକୃତ ହୋଇ ନାହିଁ, କିଅବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ। ନବୂଖଦ୍‍ନିତ୍ସର କହିଲା, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।

ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାଆନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ। ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିୟେଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ। ସେତେବେଳେ ସେମାନେ ରାଜାର ନିକଟକୁ ଯାଇ ରାଜକୀୟ ନିଷେଧ-ବିଧି ବିଷୟରେ ତାଙ୍କ ଛାମୁରେ କହିଲେ, ଯଥା; ହେ ମହାରାଜ, ଯେଉଁ କୌଣସି ଲୋକ ତିରିଶ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ, ଏପରି ଏକ ନିଷେଧ ପତ୍ରରେ କି ଆପଣ ସ୍ୱାକ୍ଷର କରି ନାହାନ୍ତି? ରାଜା ଉତ୍ତର କରି କହିଲା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି। ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ। ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା। ଏଥିରେ ସେହି ଲୋକମାନେ ରାଜାର ନିକଟରେ ଏକତ୍ର ହୋଇ ରାଜାକୁ କହିଲେ, ହେ ମହାରାଜ, ଆପଣ ଜାଣନ୍ତୁ, ରାଜା କୌଣସି ନିଷେଧାଜ୍ଞା ଅବା ବିଧି ସ୍ଥାପନ କଲେ, ତାହା ଯେ ପରିବର୍ତ୍ତିତ ହୋଇ ନ ପାରେ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି।

ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ। ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା। ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା। ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା। ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି? ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ। ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ। ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।

ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।

ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେହି ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର ସମୟ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେହି ସମୟରେ ଉଦ୍ଧାର ପାଇବେ। ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।

ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି; ଆଉ, ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି; ସେମାନଙ୍କୁ ସେ ଜାଣନ୍ତି।

ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି।

ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,

ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,

ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ, ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୂଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ । କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବାକି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ । ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି ।

ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ । ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ ।

ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର ।

ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।

ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |

କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ ।

ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।

ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା । ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି । ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ । ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ । କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା । ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ । ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ । ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ । ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ, ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା । ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ ।

ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।

ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ ।

ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କ'ଣ ପାଇବା?

ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ ।

ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ । ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ । କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫପାଡ଼ି ମାରିପକାଇଲେ । ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ । କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ । ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ । ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ ।

ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ ।

ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,

ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ ।

ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;

ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।

ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,

ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,

ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ ।

ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ ।

ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ । ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ ।

ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ,

ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।

ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି । କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ । କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି । ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ । ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ; କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ । ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା । ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା । ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ । ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ । ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ । ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା । ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।

ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ ।

ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।

କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ ।

ଯୀଶୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ ।

ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ । ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ । କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ । ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ । ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ । ତାଙ୍କ ନିକଟରେ ଜଣେ ମାତ୍ର ରହିଲେ, ସେ ତାଙ୍କ ପ୍ରିୟ ପୁତ୍ର । ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ଅବଶେଷରେ ତାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ । ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ । ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ ।

କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ । ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ । ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି । ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା । ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ ।

କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ ।

ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;

ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କ'ଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ । ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।

ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ । ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ । ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ |

ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବାଇଗଣୀ ରଙ୍ଗର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ । ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ ।

ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କ'ଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ । ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ।

କିନ୍ତୁ ଯୀଶୁ ଉଚ୍ଚ ସ୍ୱର କରି ପ୍ରାଣତ୍ୟାଗ କଲେ ।

ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି;

ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ । ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର ।

ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି ।

ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ; ପୁଣି, କେହି କେହି ଏଲିୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ । କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ ।

ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ଉଠିବାକୁ ହେବ ।

ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।

ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର କବର ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ । ଅତଏବ ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ । ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ, ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି, ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ ।

କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ । କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର ।

ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ । ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,

କେହି ଯେବେ ମୋ’ ପାଖକୁ ଆସି ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ଅଧିକ ପ୍ରେମ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ । ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।

କାରଣ ଯୀଶୁ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିନରେ ସେ ପୁନର୍ବାର ଉଠିବେ ।

ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ । ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ । ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ; ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ । ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ । ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ । ଆଉ ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ପକାଇ ବଧ କଲେ । ଅତଏବ ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କ'ଣ କରିବେ?

କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି ।

କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ ।

ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।

ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ ।

ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ;

ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।

ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ, ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?

କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ । ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା । ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା ।

ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।

ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।

ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ ।

ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ।

ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।

କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ । ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।

ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ ।

ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ।

ସେହିପରି ମୁଁ ମୋ' ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ' ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ । ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ । ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ । କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି ।

ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ?

ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ ।

କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ,

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ । ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।

ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି ।

ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ ।

ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ । ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ । ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର । ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ । କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ ।

ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ । ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି । ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥି ନିମନ୍ତେ ମୁଁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଅଛି । ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ ।

ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ ।

ତୁମ୍ଭେମାନେ ଯେପରି ମୋ'ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି । ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।

ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି ।

ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ । ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ର ପିନ୍ଧାଇଲେ; ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ ।

ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ । ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ ।

ଯୀଶୁ ଉତ୍ତର ଦେଲେ, ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋ' ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର ।

ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ । ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କ'ଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ । ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥି ନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ । ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ । ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଚଢ଼ାଇଲେ, ଦୁଇ ପାଖରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ ।

ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।

ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ । ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ । ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ ।

ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ । ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ବୋଲି କହିଥିଲେ ।

ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାରୋପଣ କରି ବଧ କରିଥିଲେ; କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ ।

ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ ।

ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ ।

ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ି ଦେଲେ । ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;

ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି । ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି; ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ (ଆଦ୍ୟ) ପ୍ରତିଷ୍ଠିତ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ । ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ । କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି ।

କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ, ପୁଣି, ସେମାନେ ତାହାଙ୍କ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ । ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର । ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ । ସେ ଏହା କହି ମହାନିଦ୍ରା (ମୃତ୍ୟୁ) ପ୍ରାପ୍ତ ହେଲେ ।

ଶାଉଲ, ସ୍ତିଫାନ‍ଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ । ତଥାପି କେତେକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ । କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ ।

ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ । ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା ।

କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ, ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମକୁ ଆଣି ପାରନ୍ତି,ଏଥିସକାଶେ ଦମ୍ମେସକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ । ପରେ ସେ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକିଉଠିଲା । ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ ।

ଅନେକ ଦିନ ଗତ ହେଲା ଉତ୍ତାରେ ଯିହୂଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ; କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ୱାରସବୁ ଜଗି ରହିଲେ,

ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍ ଭାଷାବାଦୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ ।

ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ । ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ଼୍ଗରେ ବଧ କଲେ । ଆଉ ଯିହୂଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ । ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା । ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ ।

ଯେତେବେଳେ ଅଣଯିହୂଦୀ ଓ ଯିହୂଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ, ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆର ଲୁସ୍ତ୍ରା ଓ ଦର୍ବୀ ନଗର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,

ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।

ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ଉଚିତ ମନେକଲୁ ।

ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ । ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ । ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ କାଠଗଣ୍ଡି ବାନ୍ଧିଦେଲେ ।

ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାଁନ୍ତି । କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, "କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।"

ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କ'ଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ; ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି କିନ୍ତୁ ମୁଁ ଯେପରି ମୋହର ନିରୁପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି ।

ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କ'ଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି । ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ ।

ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା ।

ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି । ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେସକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।

ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି ।

ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ । ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ । ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ । ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର ସେନାପତିଙ୍କୁ ନିବେଦନ କରନ୍ତୁ । ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ ।

ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି । ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି, ଆଉ ସମସ୍ତ ସମାଜଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି, ସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ନତ୍ତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଧା ସେମାନଙ୍କୁ ତାଡ଼ନା କରୁଥିଲି ।

ଏହି କାରଣରୁ ଯିହୂଦୀମାନେ ମନ୍ଦିରର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ ।

ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,

କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,

କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ । ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରି ପାରେ । କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି । ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା । କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ।

ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା । ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।

କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ । ଖ୍ରୀଷ୍ଟ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ । କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ୍ୟୁ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି । ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର ।

କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ । ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ ।

ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ । କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ ।

କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ । ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ ।

ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ । କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି । ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ ।

ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?

ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ? ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।'' ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ । କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।

"ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି ।" କିନ୍ତୁ ତାଙ୍କୁ ଈଶ୍ୱର କ'ଣ ଉତ୍ତର ଦିଅନ୍ତି? "ଯେଉଁମାନେ ବାଆଲ୍‍ ସମ୍ମୁଖରେ ଆଣ୍ଠୁ ପକାଇ ନାହାଁନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ ।' ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି ।

ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା । ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।

ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ; ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ । ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ ।

ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ । ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖା ଅଛି, "ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା' । ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତା'ର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ ।

ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ । ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ । କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ୱରଙ୍କ ସେବକ । କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ଼୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ୱରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି ।

ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ । ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ । କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ ।

ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ । ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; କିନ୍ତୁ ଯେପରି ଲେଖା ଅଛି, "ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି" ।

ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;

କାରଣ ମୋହର ମନେ ହୁଏ, ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ ।

ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ ।

ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।

କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ ।

ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ । ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ ।

କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି ।

ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ;

ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି ।

ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,

ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର । କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ; ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ବାରା ଉତ୍ଥିତ ହୁଏ; ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ । ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି ।

କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ । କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ, "ଜୟ ମୃତ୍ୟୁକୁ ଗ୍ରାସ କରିଅଛି। "ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?"

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର; ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି । କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର । କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି । ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ ।

କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ; ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ; ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;

ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ,ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ । ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି ।

ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି । କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।

କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ । ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ; ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ । କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ । ଆଉ ଯେ ଏଥି ନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ୱର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ଆତ୍ମା ମଧ୍ୟ ଦାନ କରିଅଛନ୍ତି ।

ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ପ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ । (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ), ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ । ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା ।

କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି ।

ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ । ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।

ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ,ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ, ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ରଦ୍ୱାରା, ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତିଦ୍ୱାରା, ପ୍ରତାରକ ତୁଲ୍ୟ, ଅଥଚ ସତ୍ୟବାଦୀ, ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।

ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା । ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି ।

ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି ।

ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ; ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶି ପ୍ରହାର ପାଇଅଛି, ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୂଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ,ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ । ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ' ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍‍ ମଣ୍ଡଳୀସମୂହ ନିମନ୍ତେ ଚିନ୍ତା ।

ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ । ଯେପରି ତାହା ମୋ'ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି । ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି । ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।

ପୂର୍ବେ ଯିହୂଦୀ ଧର୍ମରେ ମୋହର ଆଚାର ବ୍ୟବହାର ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ୱରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି,

ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ'ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ' ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି ।

କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି ।

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି ।

ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ'ଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋ' ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି ।

ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ

ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ । ଏଥି ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,

ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;

ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।

ହେ ଭାଇମାନେ, ମୋ' ପ୍ରତି ଯାହା ଯାହା ଘଟିଅଛି, ସେହି ସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ; ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା; ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି ।

ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି ।

କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ । କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ । ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;

ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ୱରଦତ୍ତ ଏକ ଲକ୍ଷଣ; କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;

ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ ।

ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,

କାରଣ ମୋ' ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ ।

କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ ।

କିନ୍ତୁ ଯାହାସବୁ ମୋ' ପକ୍ଷରେ ଲାଭଜନକ ଥିଲା, ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି । ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟକଲି, ପୁଣି, ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ, ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ, ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇ ପାରେ ।

ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।

ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର ।

କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।

ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;

ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର । ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ । ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ;

ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,

ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,

ସେହି ଯିହୂଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଈଶ୍ୱରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ । କାରଣ ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ । ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ ।

ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ । କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ । ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ ।

ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ ।

ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।

ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ । ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଉଚିତ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ; ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ), ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ପାଖରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ ।

ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି ।

କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି । ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାଁନ୍ତି, ମାତ୍ର ତାହାଙ୍କ ନିଜ ଯୋଜନା ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;

ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି |

ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର । କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ |

ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର | ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ । ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;

କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ । ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ । ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ |

କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର | କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ । ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି; ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।

ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ,

ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,

କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା ।

ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ଖ୍ରୀଷ୍ଟ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରି ପାରନ୍ତି; ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି ।

ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି । ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି । ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ ।

ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;

କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ; ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ । କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ । ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି ।

ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ । କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି । ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା । କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି ।

ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ, ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ । ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲାପରି ସୁସ୍ଥିର ରହିଲେ ।

ଆଉ ଅଧିକ କ'ଣ କହିବି? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ; ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖ ବନ୍ଦ କଲେ, ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ । ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ । ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ; କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ଼୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା ।

ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।

ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି । ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର । ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,

ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ । ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ । କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ ।

ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ । ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ ।

ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ ।

ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର । ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।

ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି । ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ ।

ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି, ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ ।

ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା । ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;

ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ;

ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;

ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ । ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ୱରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।

କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ ।

ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍‍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।

ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ ।

ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି । ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।

ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।

ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ । ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ । ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ । ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ ।

ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ ।

ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ । ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?

ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ । ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ ।

ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି ।

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ।

ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ । ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶଦିନ କ୍ଲେଶ ଭୋଗ କରିବ । ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ ।

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ ।

ଯେଉଁଠାରେ ଶୟତାନର ସିଂହାସନ, ସେଠାରେ ଯେ ତୁମ୍ଭେ ବାସ କରୁଅଛ, ଏହା ଆମ୍ଭେ ଜାଣୁ; ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରି ନ ଥିଲ ।

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ମାନ୍ନା ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ(ଧଳା) ପ୍ରସ୍ତର ତାହାକୁ ଦେବୁ ।

ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ; ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ, ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି । ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି । ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆ ଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭାତ୍ରୁଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା ।

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;

ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।

ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ ।

ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା ।

ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା ।

ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା । ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ । ଏଠାରେ ଜ୍ଞାନ ଆବଶ୍ୟକ । ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ୬୬୬ (ଛ ଶହ ଛଷଠି) ।

ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ । ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।

ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି |

ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ, ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।

ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ ।

ପରେ ମୁଁ ସିଂହାସନସମୂହ ଦେଖିଲି; ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ । ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ । ଏହା ହିଁ ପ୍ରଥମ ପୁନରୁତ୍ଥାନ । ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ ।

ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ ।

ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ ।

ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି । ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net