22 – ଅଲୌକିକ ଚମତ୍କାର

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ଅଲୌକିକ ଚମତ୍କାର.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ । ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ ।

ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ, କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ, ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ, ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ,ଏଥି ନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ । ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ ।

କ୍ରମରେ ପ୍ରତ୍ୟେକ ପଦ - 266 ବାଇବଲ ପଦ

ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା।

ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।

ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଗୋଟିଏ ସ୍ୱପ୍ନ ଦେଖିଅଛୁ, କେହି ତହିଁର ଅର୍ଥ କରି ପାରୁ ନାହାନ୍ତି; ମାତ୍ର ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ, ଯେ ତୁମ୍ଭେ ସ୍ୱପ୍ନ ଶୁଣିଲେ, ତହିଁର ଅର୍ଥ କରି ପାର।” ତହିଁରେ ଯୋଷେଫ କହିଲେ, “ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।”

ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନି ଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ। ତେଣୁ ମୋଶା କହିଲେ, “ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉ ନାହିଁ।” ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, “ହେ ମୋଶା, ହେ ମୋଶା।” ତହିଁରେ ସେ କହିଲେ, “ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।” ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।”

ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ହସ୍ତରେ କ’ଣ ଅଛି?” ସେ କହିଲେ, “ଯଷ୍ଟି।” ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର, ଇସ୍‍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ୱାସ କରିବେ, ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର,” ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା।

ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, “ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ।” ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା। ଏଥିରେ ସେ କହିଲେ, “ତୁମ୍ଭେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ; ସେମାନେ ଯଦି ତୁମ୍ଭକୁ ବିଶ୍ୱାସ ନ କରିବେ ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ବିଶ୍ୱାସ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ, ତାହା ପ୍ରକୃତ ମାଂସ ହେଲା। ଏହି ଦୁଇ ଚିହ୍ନରେ ଯଦି ସେମାନେ ବିଶ୍ୱାସ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନୀଳ ନଦୀରୁ ଜଳ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ।”

ପୁଣି, ହାରୋଣ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କ ସମସ୍ତ ବାକ୍ୟ କହିଲେ, ପୁଣି, ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ। ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ।

ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି, ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା।

“ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।” ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍‍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା।

ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା। ପୁଣି, ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀର ଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା। ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଯିବାକୁ ଦେବା ପାଇଁ ମନା କରିବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା। ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ; ପୁଣି, ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ।” ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।” ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।” ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାଙ୍କୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ। ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ଯଦି ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ। ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।” ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ। ଏଥିଉତ୍ତାରେ ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍‍ ଝିଙ୍କ ଉପସ୍ଥିତ ହେଲା; ପୁଣି, ସମୁଦାୟ ମିସର ଦେଶ ଦଂଶକାଦି ସକାଶୁ ନଷ୍ଟ ହେଲା।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।” ମାତ୍ର ଯଦି ସେମାନଙ୍କୁ ଯିବାକୁ ପାଇଁ ନାସ୍ତି କରି ଏବେ ମଧ୍ୟ ବାଧା ଦେବ, ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଡା, ଗର୍ଦ୍ଦଭ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି; ଏଣୁ ଅତିଶୟ ମହାମାରୀ ହେବ। ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସ୍ରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ। ସଦାପ୍ରଭୁ ସମୟ ନିରୂପଣ କରି କହନ୍ତି, ଆସନ୍ତାକାଲି ସଦାପ୍ରଭୁ ଏ ଦେଶରେ ଏହି କର୍ମ କରିବେ। ଆର ଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିସ୍ରୀୟମାନଙ୍କ ସମସ୍ତ ପଶୁ ମଲେ; ମାତ୍ର ଇସ୍ରାଏଲ ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ। ତହୁଁ ଫାରୋ ଲୋକ ପଠାଇ ଇସ୍ରାଏଲୀୟମାନଙ୍କର ଗୋଟିଏ ମାତ୍ର ପଶୁ ମରି ନ ଥିବାର ଦେଖିଲେ। ତଥାପି ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ମୁଷ୍ଟି ପୂର୍ଣ୍ଣ କରି ଭାଟୀର ଭସ୍ମ ନିଅ, ପୁଣି, ମୋଶା ଫାରୋଙ୍କ ସାକ୍ଷାତରେ ତାହା ଆକାଶ ଆଡ଼କୁ ବିଞ୍ଚି ଦେଉ। ତହିଁରେ ତାହା ସମୁଦାୟ ମିସର ଦେଶ ଉପରେ ସୂକ୍ଷ୍ମ ଧୂଳି ହୋଇ ମିସ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ଜନ୍ମାଇବ।” ତହୁଁ ସେମାନେ ଭାଟୀର ଭସ୍ମ ନେଇ ଫାରୋ ଆଗରେ ଠିଆ ହେଲେ; ପୁଣି, ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା। ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସ୍ରୀୟମାନଙ୍କ ଶରୀରରେ ବଥ ଜାତ ହେଲା। ଏଥିଉତ୍ତାରେ ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସ୍ରୀୟ ସମସ୍ତ ମନୁଷ୍ୟ, ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳା ବୃଷ୍ଟି ହେବ।” ତହୁଁ ମୋଶା ଆପଣା ଯଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତେ, ସଦାପ୍ରଭୁ ମେଘ ଗର୍ଜ୍ଜନ ଓ ଶିଳା ବୃଷ୍ଟି କଲେ; ପୁଣି, ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା; ଏହିରୂପେ ସଦାପ୍ରଭୁ ମିସର ଦେଶରେ ଶିଳା ବୃଷ୍ଟି କଲେ। ତହିଁରେ ଶିଳା ବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା; ଏପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିସର ଦେଶରେ ରାଜ୍ୟସ୍ଥାପନାବଧି କେବେ ହୋଇ ନ ଥିଲା। ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା। କେବଳ ଇସ୍ରାଏଲ ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ। ଏଥିଉତ୍ତାରେ ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଏହି ଥର ମୁଁ ପାପ କରିଅଛି; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ ଅଟୁ।

ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପଙ୍ଗପାଳ ନିମନ୍ତେ ମିସର ଦେଶ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସେମାନେ ମିସର ଦେଶକୁ ଆସି ଶିଳା ବୃଷ୍ଟିର ଅବଶିଷ୍ଟାଂଶ ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ।” ତହୁଁ ମୋଶା ମିସର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସାରା ଦିବାରାତ୍ରି ଦେଶରେ ପୂର୍ବୀୟ ବାୟୁ ବୁହାଇଲେ; ପ୍ରଭାତ ହୁଅନ୍ତେ, ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ। ତହିଁରେ ସମୁଦାୟ ମିସର ଦେଶରେ ପଙ୍ଗପାଳ ବ୍ୟାପିଗଲେ, ମିସରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ; ସେମାନେ ଅତ୍ୟନ୍ତ ଭୟାନକ ଥିଲେ; ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇ ନ ଥିଲା, କି ଆଉ କେବେ ହେବ ନାହିଁ। ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍‍ ବର୍ଣ୍ଣ କିଛି ମାତ୍ର ରହିଲା ନାହିଁ। ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ମୁଁ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି।

ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର; ତହିଁରେ ମିସର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ସକାଶୁ ଲୋକମାନେ ଦରାଣ୍ଡି ହେବେ।” ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରଙ୍କୁ ଦେଖି ପାରିଲା ନାହିଁ। ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।

ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ। ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିସ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ; ପୁଣି, ମିସର ଦେଶରେ ମହା ରୋଦନ ହେଲା; କାରଣ ଏପରି ଗୃହ ନ ଥିଲା ଯେଉଁ ଗୃହରେ କେହି ମରି ନ ଥିଲେ। ତହୁଁ ରାତ୍ରି କାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର। ତୁମ୍ଭମାନଙ୍କ ବାକ୍ୟାନୁସାରେ ଗୋମେଷାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ମଧ୍ୟ ଆଶୀର୍ବାଦ କର।” ସେତେବେଳେ ମିସ୍ରୀୟମାନେ ଲୋକମାନଙ୍କୁ ଶୀଘ୍ର ଦେଶରୁ ପଠାଇ ଦେବା ନିମନ୍ତେ ବ୍ୟଗ୍ର ହେଲେ; କାରଣ ସେମାନେ କହିଲେ, “ଆମ୍ଭେ ସମସ୍ତେ ମୃତକଳ୍ପ।”

ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା। ସେହି ମେଘସ୍ତମ୍ଭ ମିସ୍ରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି, ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକୁ ଆଲୋକମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ। ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍‍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି, ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। ଏଥିଉତ୍ତାରେ ମିସ୍ରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସ୍ରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସ୍ରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।” ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।” ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସ୍ରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।

“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍‍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।

ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନ ସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି,

ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଠିଆ ହେଲ; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧାରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ୱଳିଲା। ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ, “ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମ୍ଭେମାନେ କେବଳ ଶବ୍ଦ ଶୁଣିଲ।” ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣାର ସେହି ନିୟମର ଦଶ ଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପଥର ପଟାରେ ତାହା ଲେଖିଲେ।

ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛନ୍ତି? କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।

ଆଉ ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିସର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ।

ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁ ସବୁ ମିସ୍ରୀୟ ମନ୍ଦ-ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।

ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟ କ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।

ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର, କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ଏହି ଚାଳିଶ ବର୍ଷସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ।

ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେହିସବୁ ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବିଷୟରେ, ପୁଣି, ମୋଶା ସମସ୍ତ ବାହୁବଳ ଏବଂ ଯେଉଁ ସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେହି ସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍‍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।

ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ- ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, ଉର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବାଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

ତହୁଁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହିରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ; କେବଳ ସେହିଦିନ ସେମାନେ ସାତ ଥର ନଗର ପ୍ରଦକ୍ଷିଣ କଲେ। ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ। ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା। ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ। ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହା ସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ। ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।

ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳ ଭୂମିରେ (ସ୍ତବ୍ଧ ହୁଅ)। ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।

ଏଥିଉତ୍ତାରେ ଶାମ୍‍ଶୋନ୍‍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜ୍ଜନ କଲା। ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍‍ଶୋନ୍‍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।

ତହୁଁ ମଧ୍ୟସ୍ଥିତ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭାର ଥିଲା, ଶାମ୍‍ଶୋନ୍‍ ତହିଁର ଗୋଟିଏକୁ ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକୁ ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା। ପୁଣି ଶାମ୍‍ଶୋନ୍‍ କହିଲା, ପଲେଷ୍ଟୀୟମାନଙ୍କ ସହିତ ମୋହର ପ୍ରାଣ ଯାଉ। ଏହା କହି ସେ ବଳରେ ଆପଣାକୁ ନୁଆଁଇଲା; ତହୁଁ ଭିତରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହିରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ।

ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଦାଗୋନ୍‍ ମନ୍ଦିରକୁ ଆଣି ଦାଗୋନ୍‍ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅସ୍‍ଦୋଦୀୟମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗୋନ୍‍କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ। ପୁଣି, ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି; ପୁଣି, ଦାଗୋନ୍‍ର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି; କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି।

ମାତ୍ର ଅସ୍‍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍‍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ। ତହୁଁ ଅସ୍‍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି। ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ର କରି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା? ତହିଁରେ ସେମାନେ ଉତ୍ତର କଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଗାଥ୍‍କୁ ନିଆଯାଉ। ତହୁଁ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ। ପୁଣି, ସେମାନେ ତାହା ନେଇ ଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା। ତହୁଁ ସେମାନେ ଇକ୍ରୋଣକୁ ପରମେଶ୍ୱରଙ୍କ ସିନ୍ଦୁକ ପଠାଇଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଇକ୍ରୋଣରେ ଉପସ୍ଥିତ ହୁଅନ୍ତେ, ଇକ୍ରୋଣୀୟମାନେ କ୍ରନ୍ଦନ କରି କହିଲେ, ଆମ୍ଭମାନଙ୍କୁ ଓ ଆମ୍ଭ ଲୋକମାନଙ୍କୁ ବଧ କରିବା ପାଇଁ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଅଛନ୍ତି। ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ; କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା। ପୁଣି, ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶ ରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ଆକାଶକୁ ଉଠିଲା।

ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ। ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?

ତହୁଁ ଦାଉଦ ଶାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ; ପୁଣି, କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନି ଗଲେ, ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତା’ ମୁଖରୁ ଛୁଆକୁ ରକ୍ଷା କରେ; ପୁଣି, ସେ ମୋ’ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ। ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି, ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି। ଆହୁରି ଦାଉଦ କହିଲେ, ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ। ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।

ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ’ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ଆଜିଦିନ ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି; ପୁଣି, ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି, ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯା’ନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ୍ଗ ନ ଥିଲା। ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।

ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା। ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।

ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିଶ୍‍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ’ ବାକ୍ୟାନୁସାରେ ହେବ।”

ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋ’ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।” ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋ’ ପାଇଁ ଗୋଟିଏ ସାନ ପିଠା କରି ମୋ’ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।” ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନଯାଏ ଭୋଜନ କଲେ। ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ।

ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତ୍ରୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା; ପୁଣି, ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ, ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋ’ ପୁତ୍ରକୁ ବଧ କରିବାକୁ ଆସିଅଛ!” ତହୁଁ ଏଲୀୟ ତାହାକୁ କହିଲେ, “ମୋତେ ତୁମ୍ଭ ପୁତ୍ରକୁ ଦିଅ। ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରିକୁ ଘେନି ଯାଇ ଆପଣା ଶଯ୍ୟାରେ ତାହାକୁ ଶୁଆଇଲେ।” ପୁଣି, ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କ’ଣ ଅମଙ୍ଗଳ ଘଟାଇଲ?” ତହୁଁ ବାଳକ ଉପରେ ସେ ତିନି ଥର ଆପଣାକୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରି ଆସୁ।” ଏଥିରେ ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ; ପୁଣି, ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ, ସେ ପୁନର୍ଜୀବିତ ହେଲା। ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।” ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।”

ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।” ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ। ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ। ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୁ, ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।” ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋ’ କଥା ଶୁଣ, ହେ ସଦାପ୍ରଭୁ, ମୋ’ କଥା ଶୁଣ। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”

ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ୍‍ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ। ଆଉ ଇଲୀଶାୟ ତାହା ଦେଖି ଉଚ୍ଚୈଃସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ। ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ। ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।

ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍‍କୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା।” ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ସେତେବେଳେ ବନରୁ ଦୁଇ ଭଲ୍ଲୁକୀ ବାହାରି ଆସି ସେମାନଙ୍କ ମଧ୍ୟରୁ ବୟାଳିଶ ଜଣ ବାଳକଙ୍କୁ ବିଦୀର୍ଣ୍ଣ କଲେ।

ତହିଁରେ ଇଲୀଶାୟ ତାହାକୁ କହିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି? ମୋତେ କୁହ; ଘରେ ତୁମ୍ଭର କ’ଣ ଅଛି?” ଏଥିରେ ସେ କହିଲା, “ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ।” ତହୁଁ ଇଲୀଶାୟ କହିଲେ, “ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍‍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର କର ନାହିଁ। ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ।” ତହୁଁ ସେହି ବିଧବା ଇଲୀଶାୟଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା। ତହୁଁ ପାତ୍ରସକଳ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, “ଆଉ ଗୋଟିଏ ପାତ୍ର ମୋ’ ନିକଟକୁ ଆଣ।” ଏଥିରେ ସେ ତାହାକୁ କହିଲା, “ଆଉ ପାତ୍ର ନାହିଁ।” ତହିଁରେ ତୈଳ ବନ୍ଦ ହେଲା। ତେବେ ସେହି ବିଧବା ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, “ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଜୀବନଯାପନ କର।”

ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି। ଏହେତୁ ସେ ଭିତରକୁ ଯାଇ ନିଜେ ଓ ବାଳକ ଉଭୟେ ରହି ଦ୍ୱାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ବମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା। ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା।

ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ। ପୁଣି ଲୋକମାନେ ସେହି ଖାଦ୍ୟ ଭୋଜନ କରୁ କରୁ ଡାକ ପକାଇ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ମୃତ୍ୟୁୁ ଅଛି।” ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ। ମାତ୍ର ଇଲୀଶାୟ କହିଲେ, “ତେବେ କିଛି ଅଟା ଆଣ।” ଆଉ ସେ ତାହା ହଣ୍ଡାରେ ପକାଇ କହିଲେ, “ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ।” ତହୁଁ ହଣ୍ଡାରେ କିଛି ମନ୍ଦ ରହିଲା ନାହିଁ। ଏଥିଉତ୍ତାରେ ବାଲ୍‍-ଶାଲିଶାରୁ ଜଣେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୁଟି, ଅର୍ଥାତ୍‍, କୋଡ଼ିଏ ଯବ ରୁଟି ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।” ତହୁଁ ତାଙ୍କ ଦାସ କହିଲା, “କ’ଣ, ଶହେ ଲୋକଙ୍କ ଆଗରେ ଏହା ରଖିବି?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’” ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଅବଶିଷ୍ଟାଂଶ ରଖିଲେ।

ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।” ମାତ୍ର ନାମାନ୍‍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋ’ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। ଏଥିରେ ତାହାର ଦାସମାନେ ନାମାନ୍‍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍‍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାଆନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।” ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।

ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ି-ଲୁହା ଜଳରେ ପଡ଼ିଗଲା; ତହିଁରେ ସେ ଡକା ଛାଡ଼ି କହିଲା, “ହାୟ, ମୋ’ ପ୍ରଭୁ! ତାହା ତ ଉଧାରି-ବସ୍ତୁ।” ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, “ତାହା କେଉଁ ସ୍ଥାନରେ ପଡ଼ିଲା?” ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇ ଦେଲା। ତହିଁରେ ଇଲୀଶାୟ ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ। ଆଉ ଇଲୀଶାୟ କହିଲେ, “ତୁମ୍ଭେ ତାହା ଉଠାଇ ନିଅ।” ତହୁଁ ସେ ହାତ ବଢ଼ାଇ ତାହା ନେଲା।

ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ମାତ୍ର ସେ ଯେତେବେଳେ ଆପଣା ଦାସମାନଙ୍କ ସହିତ ମନ୍ତ୍ରଣା କରି କହେ, “କେବଳ ଏହି ଏହି ସ୍ଥାନରେ ମୋହର ଛାଉଣି ହେବ,” ସେତେବେଳେ ପରମେଶ୍ୱରଙ୍କ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ କହି ପଠାନ୍ତି, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ; କାରଣ ଅରାମୀୟମାନେ ସେହି ସ୍ଥାନକୁ ଓହ୍ଲାଇ ଆସୁଅଛନ୍ତି।” ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟ ଜଣାଇ ସତର୍କ କରାଇଥାଆନ୍ତି, ଇସ୍ରାଏଲର ରାଜା ସେହି ସ୍ଥାନକୁ ଲୋକ ପଠାନ୍ତି; ଏହିରୂପେ ସେ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ସେସ୍ଥାନରେ ଆପଣାକୁ ରକ୍ଷା କଲେ। ପୁଣି ଏଥିସକାଶୁ ଅରାମୀୟ ରାଜାର ହୃଦୟ ଅତି ବ୍ୟସ୍ତ ହେଲା; ଏଣୁ ସେ ଆପଣା ଦାସମାନଙ୍କୁ ଡାକି ସେମାନଙ୍କୁ କହିଲା, “ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ରାଜାର ସପକ୍ଷ, ଏହା କ’ଣ ତୁମ୍ଭେମାନେ ମୋତେ ଜଣାଇବ ନାହିଁ।” ଏଥିରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, “ନା, ହେ ମୋ’ ପ୍ରଭୁ, ମହାରାଜ, ମାତ୍ର ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି, ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜାକୁ ଜଣାଏ।”

ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, “ହାୟ, ମୋହର ପ୍ରଭୁ! ଆମ୍ଭେମାନେ କଅଣ କରିବା?” ତହିଁରେ ସେ ଉତ୍ତର କଲେ, “ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।” ପୁଣି ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ସେ ଯେପରି ଦେଖି ପାରିବ, ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର।” ପୁଣି ସଦାପ୍ରଭୁ ସେହି ଯୁବା ଲୋକର ଚକ୍ଷୁ ମୁକ୍ତ କଲେ; ଆଉ ସେ ଦେଖିଲା; ପୁଣି ଦେଖ, ପର୍ବତ ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା। ଏଥିଉତ୍ତାରେ ସୈନ୍ୟମାନେ ଇଲୀଶାୟଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।” ଏଥିରେ ସଦାପ୍ରଭୁ ଇଲୀଶାୟଙ୍କର ବାକ୍ୟାନୁସାରେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ। ସେତେବେଳେ ଇଲୀଶାୟ ସେମାନଙ୍କୁ କହିଲେ, “ଏ ସେହି ପଥ ନୁହେଁ, କି ଏ ସେହି ନଗର ନୁହେଁ; ମୋ’ ପଛେ ପଛେ ଆସ, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଅଛ, ମୁଁ ତାହା ନିକଟକୁ ତୁମ୍ଭମାନଙ୍କୁ ନେଇଯିବି।” ତହୁଁ ଇଲୀଶାୟ ସେମାନଙ୍କୁ ଶମରୀୟାକୁ କଢ଼ାଇ ନେଲେ। ଏଥିରେ ସେମାନେ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏ ଲୋକମାନେ ଯେପରି ଦେଖି ପାରିବେ, ଏଥିପାଇଁ ସେମାନଙ୍କ ଚକ୍ଷୁ ମୁକ୍ତ କର।” ତହୁଁ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ମୁକ୍ତ କରନ୍ତେ, ସେମାନେ ଦେଖିଲେ, ଆଉ ଦେଖ, ସେମାନେ ଶମରୀୟାର ମଧ୍ୟରେ ଅଛନ୍ତି।

ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।

ତହିଁରେ ଯିଶାଇୟ କହିଲେ, “ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ; ଛାୟା କି ଆଗକୁ ଦଶ ପାହୁଣ୍ଡ ଯିବ, ଅବା ପଛକୁ ଦଶ ପାହୁଣ୍ଡ ଯିବ।” ତହିଁରେ ହିଜକୀୟ ଉତ୍ତର କଲେ, “ଛାୟା ଆଗକୁ ଦଶ ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ; ନା; ମାତ୍ର ଛାୟା ପଛକୁ ଦଶ ପାହୁଣ୍ଡ ଫେରିଯାଉ।” ତହୁଁ ଯିଶାଇୟ ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍‌ଙ୍କର ସୂର୍ଯ୍ୟଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ।

ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ।

ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ; ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ। ସେତେବେଳେ ଉଷୀୟ କୋପାନ୍ୱିତ ହେଲେ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା। ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ି ଦେଲେ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ।

ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।

ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି। ପରମେଶ୍ୱର ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି;

ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।

ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।

ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ; ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର। ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର; ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି।”

ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।

ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି; ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି; ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି; ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ।

ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।

ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।

ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।

କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ ସବୁ ସୁସ୍ଥ କରିବା; କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି, ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।’

ତୁମ୍ଭେ ମିସର ଦେଶରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ଦେଖାଇଲ, ଆଜି ପର୍ଯ୍ୟନ୍ତ ହିଁ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଦେଖାଉଅଛ, ପୁଣି ଆଜିର ନ୍ୟାୟ ଆପଣାର ନାମ ପ୍ରସିଦ୍ଧ କରୁଅଛ। ତୁମ୍ଭେ ଚିହ୍ନ, ଅଦ୍ଭୁତ ଲକ୍ଷଣ, ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ ମହତ ଭୟାନକତ୍ୱ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିସର ଦେଶରୁ ବାହାର କରି ଆଣିଲ;

ସଦାପ୍ରଭୁଙ୍କ ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା। ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇ ପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।” ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହିସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପ୍ରଭୁ, ସଦାପ୍ରଭୁ ଏହିସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ। ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।” ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା। ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହିସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା। ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।” ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍‍-ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।

ରାଜା ସେହି ଦାନିୟେଲ, ଯାହାଙ୍କ ନାମ ବେଲ୍‍ଟଶତ୍ସର ଥିଲା, ତାଙ୍କୁ ଉତ୍ତର କରି କହିଲା, ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର? ଦାନିୟେଲ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ୱାନ୍‍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ; ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍‍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଆପଣଙ୍କ ସ୍ୱପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି; ହେ ମହାରାଜ, ଶଯ୍ୟା ଉପରେ ଆପଣଙ୍କ ମନରେ ଭବିଷ୍ୟଦ୍‍ ଘଟଣା ବିଷୟକ ଚିନ୍ତା ଉପସ୍ଥିତ ହେଲା; ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେ ଯାହା ଘଟିବ, ତାହା ଆପଣଙ୍କ ପ୍ରତି ପ୍ରକାଶ କରିଅଛନ୍ତି। ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋ’ର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପ୍ରକାଶିତ ହୋଇଅଛି, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ ପ୍ରତି ପ୍ରକାଶିତ ହୋଇଅଛି।

ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା। ପୁଣି, ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା। ତହୁଁ ସେହି ପୁରୁଷମାନେ ଆପଣା ଆପଣା ପାୟଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ। ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା, ଏଥିପାଇଁ ଯେଉଁ ଲୋକମାନେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋକୁ ଟେକି ଧରିଥିଲେ, ସେମାନେ ଅଗ୍ନିଶିଖାରେ ହତ ହେଲେ। ପୁଣି ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ଏହି ତିନି ଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ। ଏଥିରେ ରାଜା ନବୂଖଦ୍‍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣା ମନ୍ତ୍ରୀମାନଙ୍କୁ କହିଲା, ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନ ଥିଲୁ? ସେମାନେ ରାଜାକୁ ଉତ୍ତର କରି କହିଲେ, ସତ୍ୟ ମହାରାଜ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ; ପୁଣି, ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ। ପୁଣି, କ୍ଷିତିପାଳ, ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ, ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରି ନାହିଁ, କିଅବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇ ନାହିଁ, ଅଥବା ସେମାନଙ୍କର ପାୟଜାମା ବିକୃତ ହୋଇ ନାହିଁ, କିଅବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ। ନବୂଖଦ୍‍ନିତ୍ସର କହିଲା, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ। ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ। ଏଥିରେ ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା।

ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍‍ନିତ୍ସର ରାଜାର (ବିଜ୍ଞାପନ); ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ। ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ୍ ବୋଧ ହେଲା। ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।

ସେହି ଦଣ୍ଡରେ ମନୁଷ୍ୟ ହସ୍ତର ଅଙ୍ଗୁଳି ଆସି ରାଜପ୍ରାସାଦର କାନ୍ଥର ଲେପନ ଉପରେ ଦୀପାଧାରର ନିକଟରେ ଲେଖିଲା, ଆଉ ହସ୍ତର ଯେଉଁ ଅଂଶ ଲେଖିଲା, ରାଜା ତାହା ଦେଖିଲା। ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍‍ବିଗ୍ନ କଲା; ପୁଣି, ତାହାର କଟୀଦେଶର ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା।

ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ। ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା। ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା। ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା। ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି? ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ। ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ। ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ। ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ।

ସେତେବେଳେ ଦାରୀୟାବସ ସମୁଦାୟ ପୃଥିବୀନିବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କ ନିକଟକୁ ପତ୍ର ଲେଖିଲା; “ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟ ରୂପରେ ଶାନ୍ତି ହେଉ। ମୁଁ ଏହି ଆଜ୍ଞା କରୁଅଛି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ; ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ। ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”

ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଆଉ, ସେହି ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା। ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।

ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।

ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା ।

ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ ।

ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।

ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ । ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ । ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା । ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି ।

ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରି ପାରୁ ନ ଥିଲେ । ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କ'ଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ? ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା । ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ । ଯୀଶୁ ସେମାନଙ୍କୁ କହିଲେ, ଯାଅ । ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହି ସବୁ ଜଣାଇଲେ । ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ ।

ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ୱର ନିନ୍ଦା କରୁଅଛି । ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ? କାରଣ କ'ଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା? କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ । ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା । ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ ।

ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା, କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି । ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା ।

ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା । ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା ।

ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେ ଏହା କରି ପାରେ, ତାହା କି ବିଶ୍ୱାସ କରୁଅଛ? ସେମାନେ କହିଲେ ହଁ, ପ୍ରଭୁ । ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ । ତହିଁରେ ସେମାନଙ୍କର ଆଖି ଫିଟିଗଲା । ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେପରି କେହି ନ ଜାଣେ । ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ ।

ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ । ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା । ସେଥିରେ ଲୋକ ସମୁହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ ।

ଏହାପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ ।

ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ ।

ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।

ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;

ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା କ'ଣ ବିଧିସଙ୍ଗତ? କିନ୍ତୁ ସେ ସେମାନଙ୍କୁ କହିଲେ, ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାରରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରିଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି? ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ । ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ । ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା ।

ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ

ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକ ତାହାଙ୍କ ପାଖକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା । ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କ'ଣ ଦାଉଦ ସନ୍ତାନ ନୁହଁନ୍ତି?

କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।

ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ ।

ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ ।

ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି । ସେ କହିଲେ, ସେଗୁଡ଼ିକ ଏଠାକୁ ମୋ' ପାଖକୁ ଆଣ । ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ । ପୁଣି, ସେମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ । ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ ।

କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ । କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ ସାହସ ଧର ଏ ତ ମୁଁ, ଭୟ କର ନାହିଁ ।

ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ । ସେ କହିଲେ, ଆସ । ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ । ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ । ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ? ପୁଣି, ସେମାନେ ନୌକାରେ ଚଢ଼ନ୍ତେ ପବନ ଵନ୍ଦ ହେଲା । ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ।

ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।

ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି । କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ । ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି । କିନ୍ତୁ ଯୀଶୁ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ । କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ । ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି । ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା ।

ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ । ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।

ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇ ପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ । ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜ୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା? ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ । ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ, ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ । ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ । ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ ।

ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା ।

ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି । ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରି ପାରିଲେ ନାହିଁ । ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ଏଠିକି ମୋ ପାଖକୁ ଆଣ । ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା ।

ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ । ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ 'ଏଠାରୁ ସେଠାକୁ ଘୁଞ୍ଚିଯା' ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ ।

କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍‍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହି ସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହି ସବୁ ମୁକ୍ତ ରହିବ । ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ । କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି ।

ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।

ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ ।

ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କଦାପି ତୋଠାରେ ଫଳ ନ ହେଉ । ସେଥିରେ ସେହିକ୍ଷଣି ସେହି ଡିମ୍ବିରି ଗଛ ଶୁଖିଗଲା । ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିଗଛଟି କିପରି ସେହିକ୍ଷଣି ଶୁଖିଗଲା? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ହେବ । ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ ।

ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ ।

ସେ ଏଠାରେ ନାହାଁନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି । ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ । ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି ।

ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି ।

ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା, ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି । ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା । ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କ'ଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି । ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।

ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଅାନ୍ଦ୍ରିୟଙ୍କ ଗୃହକୁ ଗଲେ । ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାଙ୍କ କଥା ଯୀଶୁଙ୍କୁ ଜଣାଇଲେ । ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ ।

ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତସମସ୍ତଙ୍କୁ ଆଣିବାକୁ ଲାଗିଲେ, ପୁଣି, ନଗରବାସୀସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ । ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ ।

ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।

ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, "ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।" ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା । ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ, ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହି ସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର । କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ।

ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ । ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।" କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ? ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ? କ'ଣ ସହଜ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା? କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ । ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।

ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ । ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି । ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ । ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ । ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ । ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା ।

କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ୱରଙ୍କ ପୁତ୍ର । ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ ।

ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ ।

ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ? ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା । ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କ'ଣ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି?

ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା । ସେ ସମାଧି ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ, କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା । ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା । ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା, ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋର କ'ଣ ଅଛି? ତୁମ୍ଭକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ । କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା । ଆଉ ଯୀଶୁ ତାହାକୁ ପଚାରିଲେ, ତୋର ନାଁ କ'ଣ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ । ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା । ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା । ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ । ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା । ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଛି ବୋଲି ଦେଖିବାକୁ ଆସିଲେ । ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍ ଯାହାକୁ ପୁର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ । ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ ।

ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା, ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା । ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ିି କହିଲେ, କିଏ ମୋହର ଲୁଗା ଛୁଇଁଲା? ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା? କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ । ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା । ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ ।

ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି? କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ପରି ସମାଜଗୃହର ଅଧ୍ୟକ୍ଷ୍ୟଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର । ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ । ସେମାନେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ, ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ, ଆଉ ପିଲାର ହାତ ଧରି ତାହାକୁ କହିଲେ, 'ଟଲିଥାକୁମ୍', ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍ । ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ ।

ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହି ସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ?

ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ ।

ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ସେ ଦ୍ୱାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,

ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ ।

ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି; ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ । କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ । ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ । ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ । ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ । ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, ଆଉ ସେମାନେ ଭଙ୍ଗା ରୁଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ । ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ ।

ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ । କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍‍ବିଗ୍ନ ହୋଇଥିଲେ । ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ । ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ,

ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି, ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ । ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।

ଏଥିଉତ୍ତାରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ, ଆଉ ଗୋଟିଏ ଗୃହରେ ପ୍ରବେଶ କରି, କେହି ଯେପରି ତାହା ନ ଜାଣେ, ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହି ପାରିଲେ ନାହିଁ । ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା । ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍ ସ୍ତ୍ରୀଲୋକ ଥିଲା । ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା । ସେଥିରେ ସେ ତାହାକୁ କହିଲେ, ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି । ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି । ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା ।

ଆଉ ଲୋକ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ । ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଆଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ, ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, 'ଇପ୍‌ପଥଃ', ଅର୍ଥାତ୍ ଫିଟିଯା । ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟରୂପେ କଥା କହିବାକୁ ଲାଗିଲା । ପୁଣି, ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ । ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।

ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ' ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ । ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି । ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରି ପାରିବ? ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ସେମାନେ କହିଲେ, ସାତୋଟି । ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହି ସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ । ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ । ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ବେତା ବଳକା ଭଙ୍ଗା ରୁଟି ଉଠାଇଲେ । ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ ।

ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ । ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ? ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି । ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା ।

ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ । ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରି ପାରେ ନାହିଁ ।

ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି; ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ । ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋ' ପାଖକୁ ଆଣ । ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ । ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା । ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ; ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ । ସେଥିରେ ଯୀଶୁ ତାହାକୁ କହିଲେ, କ'ଣ କହିଲ? ଯଦି କରି ପାରନ୍ତି! ଯିଏ ବିଶ୍ୱାସ କରେ, ତା' ପକ୍ଷରେ ସମସ୍ତ ସମ୍ଭବ । ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ । ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ । ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା । କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା ।

ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।

ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା । ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ । ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ । ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି । ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା । ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ । ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ତତ୍‌କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ । ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ ।

ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାଁନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖଥିଲେ ।

ଆଉ ଏହି ସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ ।

ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ ।

କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ ।

କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।

ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତଗ୍ରସ୍ତ ଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା, ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି । ଯୀଶୁ ତାହାକୁ ଧମକ ଦେଇ କହିଲେ ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା । ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି । ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା ।

ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ । ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ । ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ ।

ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ । ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ୱରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ । ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ ।

ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ । ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି । ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା । ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ । ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା । କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ । କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ;

ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା । ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର । କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;

ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା । ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ । କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ । ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି । ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ? କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଆପଣା ଆପଣା ମନରେ କ'ଣ ତର୍କବିତର୍କ କରୁଅଛ? କ'ଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା? କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ । ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ । ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ ।

ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା । ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି । କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କ'ଣ କରିବା ଉଚିତ? ଭଲ କରିବା ନା ମନ୍ଦ କରିବା? ଜୀବନ ରକ୍ଷା କରିବା ନା ବିନାଶ କରିବା? ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା ।

ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ; ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ; ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା ।

ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ । ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ପାଖକୁ ଯିହୂଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ । ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି; କାରଣ ସେ ଆମ୍ଭମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି । ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ । ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ । ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ ।

ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ । ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ । ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ । ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ । ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି । ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।

ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧଙ୍କୁ ଦେଖିବାର ଶକ୍ତି ଦେଲେ । ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;

ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍ ମଗ୍‌ଦଲୀନୀ ନାମକ ମରିୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ,

ସେହି ସମୟରେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେ ସେମାନଙ୍କୁ କହିଲେ, ଆସ, ହ୍ରଦର ଆରପାରିକୁ ଯିବା । ସେଥିରେ ସେମାନେ ନୌକା ଫିଟାଇଦେଲେ । କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଲେ । ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ । ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ । ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା । ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ? କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।

ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥାନରେ ରହୁଥିଲା । ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କ'ଣ ଅଛି? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ । କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ । ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଶିକୁଳି ଓ ହାତ କଡ଼ି ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା । ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ । ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ । ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ । ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ଼ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ । ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ । ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ । ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ । ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ ।

ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା, ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା । ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା? ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି । କିନ୍ତୁ ଯୀଶୁ କହିଲେ, କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ ଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି । ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା । ସେଥିରେ ଯୀଶୁ ତାହାଙ୍କୁ କହିଲେ, ଝିଅ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ।

ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତାଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ । କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ । ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ । ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି । କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ । ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ । ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ ।

ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ । ଆଉ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ ।

ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ ।

କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ ।

ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ସାଇଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କ'ଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା? କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ । ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ । ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ । ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ସେମାନେ ସେମାନଙ୍କ ନିକଟରେ ବଳିଥିବା ବାର ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଲେ ।

ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା ।

ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା; ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ । ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ । ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ । ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ । ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,

ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।

ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ । ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।

ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ ।

ଥରେ ସେ ବିଶ୍ରାମବାରରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ । ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା । ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ । ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା । କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ । କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କ'ଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ? ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇ ଅବ୍ରାହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କ'ଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା? ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ ।

ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି ।

ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ । ସେଥିରେ ଯୀଶୁ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, ବିଶ୍ରାମବାରରେ ସୁସ୍ଥ କରିବା ନିୟମସଙ୍ଗତ କି ନୁହେଁ? କିନ୍ତୁ ସେମାନେ ନୀରବ ରହିଲେ । ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ ।

ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ । ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳିଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ ।

ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ୍ କଲେ; ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ । ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ । ଆଉ ସେମାନେ ଯାଉ ଯାଉ ଶୁଚି ହେଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ । ସେଥିରେ ଯୀଶୁ ଉତ୍ତର ଦେଲେ, ଦଶ ଜଣ କ'ଣ ଶୁଚି ହେଲେ ନାହିଁ? ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୂଦୀ ଲୋକଟି ଛଡ଼ା କ'ଣ ଆଉ କେହି ଫେରିଆସି ନାହିଁ? ପୁଣି, ସେ ତାହାକୁ କହିଲେ, ଉଠି ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି ।

କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।

ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା । ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ'ଣ ବୋଲି ପଚାରିବାକୁ ଲାଗିଲା । ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି । ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି । ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ ।

ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ । କିନ୍ତୁ ଯୀଶୁ ଉତ୍ତର ଦେଲେ,ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ ।

ସେ ଏଠାରେ ନାହାଁନ୍ତି, ମାତ୍ର ଉଠିଅଛନ୍ତି । ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ,

ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ । ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ । ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର । ଆଉ, ସେଠାରେ ଯିହୂଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ ଛଅଗୋଟା ପଥର ଜାହାଲା ରଖାଯାଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କର । ସେଥିରେ ସେମାନେ ସେହି ସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ । ଆଉ, ସେ ସେମାନଙ୍କୁ କହିଲେ, ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ । ସେଥିରେ ସେମାନେ ଘେନିଗଲେ । ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ, ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ । ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ ।

ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ,

ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ ।

ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ । ଆଉ ଜଣେ ରାଜକର୍ମଚାରୀ ଥିଲେ, ତାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା । ଯୀଶୁ ଯିହୂଦା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା । ସେଥିରେ ଯୀଶୁ ତାଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ । ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ । ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ । ଯୀଶୁ ସେହି ବ୍ୟକ୍ତିଙ୍କି ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ । ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ । ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା । ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ‍୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ ।

ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ । ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।] ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା । ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ । ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ । ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।

ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହି ସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ ।

ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା? କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ । ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଶହେ ଟଙ୍କାର ରୁଟି ଯଥେଷ୍ଟ ନୁହେଁ । ଶିମୋନ ପିତରଙ୍କର ଭାଇ ଆନ୍ଦ୍ରୀୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କ'ଣ ହେବ? ଯୀଶୁ କହିଲେ, ଲୋକମାନଙ୍କୁ ବସାଅ । ସେ ସ୍ଥାନରେ ବହୁତ ଘାସ ଥିଲା । ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ । ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ । ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର । ସେଥିରେ ସେମାନେ ସେହି ସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ । ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି ।

ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ । କିନ୍ତୁ ସେ ସେମାନଙ୍କୁ କହିଲେ, ଏ ତ ମୁଁ, ଭୟ କର ନାହିଁ । ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା ।

ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ ।

ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି । ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି । ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ । ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା । ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ?

କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା । ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ ।

ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି । ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ । ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି । ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି । ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ । ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।

ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କ'ଣ କରୁଅଛୁ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି ।

କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ,

ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ।

ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି । ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।

ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ ।

ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ ।

ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ । ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ । ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର ।

ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ;

ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି । ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ । ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ । କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ । ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ । ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ । ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ । ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ । ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ । ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ । ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ ।

ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ । ପିତର ତାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କ'ଣ? ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ । ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ବୋଲି କହିଥିଲେ ।

ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ ।

ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ ।

କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।" ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା ।

ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଉହ୍ଲାଇ ଆସିଲା । ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ । ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୂଦୀମାନେ ଆସି ଯିରୂୂଶାଲମରେ ବାସ କରୁଥିଲେ । ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ ।

ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ । ହଁ, ସେହି କାଳରେ ଅାମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ । ଅାମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୂତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା । ପ୍ରଭୁଙ୍କର ମହତ ଓ ପ୍ରସିଦଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ ।

ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି,ଏହା ଅାପଣମାନେ ନିଜେ ଜାଣନ୍ତି;

ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା ।

ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା । ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ । ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, "ଆମ୍ଭମାନଙ୍କ ଆଡ଼଼କୁ ଚାହଁ ।" ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼଼କୁ ଚାହିଁ ରହିଲା । କିନ୍ତୁ ପିତର କହିଲେ, "ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଚାଲ ।" ପୁଣି, ସେ ତା'ର ଡାହାଣ ହାତ ଧରି ତାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତା'ର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା, ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ୱରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା । ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ, ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା,ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତା' ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ବିତ ହେଲେ । ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ ।

ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?

ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଛନ୍ତି ଓ ଜାଣିଅଛନ୍ତି,ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି ।

ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ,ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ । ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କ'ଣ କରିବା? କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂୂଶାଲମ ନିବାସୀସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ;

ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ, ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ସୁସ୍ଥ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର । ସେମାନେ ପ୍ରାର୍ଥନା କଲା ଉତ୍ତାରେ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ, ତାହା କମ୍ପି ଉଠିଲା, ପୁଣି, ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ ହୋଇ, ସାହସରେ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ ।

ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ । ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା । ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି? ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ । ଏହି ସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା । ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ । ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ । ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କ'ଣ ଘଟିଅଛି, ତାହା ସେ ଜାଣି ନ ଥିଲା । ଆଉ, ପିତର ତାହାକୁ ଉତ୍ତର ଦେଲେ, "କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ"? ସେ କହିଲା, ହଁ, ସେତିକିରେ । ସେଥିରେ ପିତର ତାହାକୁ କହିଲେ, "ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ"? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ । ସେହିକ୍ଷଣୀ ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ । ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହି ସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ ।

ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ, କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ, ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ, ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ,ଏଥି ନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ । ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ ।

କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, "ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ" । ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ । କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ, "ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ ।" ଏହି ସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କ'ଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ । ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି ।

ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ ।

ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ ।

ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ ।

ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ ।

ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ । କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ । ସେଥିରେ ସେ ନଗରରେ ମହା ଆନନ୍ଦ ହେଲା ।

ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା ।

ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ । କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ସ୍ଥାନରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ ।

ପରେ ସେ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକିଉଠିଲା । ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ । କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ, ତାହା କୁହାଯିବ । ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ରହିଲେ । ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ । ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ ।

ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି । ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କ'ଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,

ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା । ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼ । ସେଥିରେ ସେ ସେହିକ୍ଷଣି ଉଠିଲେ । ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ ।

ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ । ପୁଣି, ଲୂଦ ଯାଫୋର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ । ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ । ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହି ସବୁ ଦେଖାଇବାକୁ ଲାଗିଲେ । କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ । ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ । ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ । ଏହି କଥା ଯାଫୋର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ।

ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ ।

ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ । ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା । ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ । ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ । ସେଥିରେ ତାହାଙ୍କ ହାତରୁ ଶିକୁଳି ଖସିପଡ଼ିଲା । ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ । ସେ ସେପରି କଲେ । ଆଉ ସେ ତାହାଙ୍କୁ କହିଲେ, ଦେହରେ ଚାଦର ପକାଇ ମୋହର ପଛେ ପଛେ ଆସ । ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ । ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ । ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି ।

କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା । ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ, ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ? ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ । ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା । ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ ।

ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ୱାର ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ ।

ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା । ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା । ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ, ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ । ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା ।

ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ ।

କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ । ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା । ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ ।

ପୁଣି, ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ ।

ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆହୁରି ଦୀର୍ଘ ଉପଦେଶ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା । ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି । ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ । ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସ ପାଇଲେ ।

କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସାପ ବାହାରି ତାଙ୍କ ହାତରେ କାମୁଡ଼ି ଲାଗିରହିଲା । ବର୍ବରମାନେ ତାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ । କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ । ସେ ଯେ ଫୁଲିଯିବେ କିମ୍ବା ହଠାତ୍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା ।

ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ । ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଅମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ । ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ;

ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ ।

ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,

କାରଣ ଯିହୂଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୂଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୂଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, କିନ୍ତୁ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟନ୍ତି ।

ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ । କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି । ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି; ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।

କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ । କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ, ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି, ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ । କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି ।

ପୁଣି, ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି । ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ? ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର । ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି ।

ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟ କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି । ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ ।

ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥି ନିମନ୍ତେ ଏକାନ୍ତ ଚେଷ୍ଟା କର । କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ । କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ । ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ । ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ । ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କ'ଣ ଉପକାର କରିବି?

ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ । ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କ'ଣ ସେମାନେ କହିବେ ନାହିଁ? କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ, ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ ।

ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର ।

ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହି ସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି ।

ଯେଉଁ ଈଶ୍ୱର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି,

ସେ ସମ୍ବନ୍ଧରେ ଈଶ୍ୱର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି।

ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ।

ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ ।

କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ।

ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ । ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ । ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।

ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ; ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା ।

କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି । ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ; ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଲବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ, ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ । ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା ।

ପରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା । ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net