01 – ପବିତ୍ର ବାଇବଲ

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ପବିତ୍ର ବାଇବଲ.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ,

କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।

ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ ।

କ୍ରମରେ ପ୍ରତ୍ୟେକ ପଦ - 343 ବାଇବଲ ପଦ

ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ।

ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?”

ଏଥିଉତ୍ତାରେ ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର।

ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ।

ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକ ସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁ ସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।” ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ।

ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?

ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ, ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର।

ଦେଖ, ସଦାପ୍ରଭୁ ମୋହର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ସେହିପରି ବ୍ୟବହାର କରିବାକୁ ହେବ। ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।

ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଠିଆ ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଜୀବନ ସାରା ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।”

କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।

ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।

ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର, କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।

ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।

ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।”

ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର, ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?

ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।

ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ। ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।

ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ। ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।

ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ।

ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା; ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।

ଆଉ ତାହା ତାହାର ନିକଟରେ ରହିବ ଓ ସେ ଯାବଜ୍ଜୀବନ ତାହା ପାଠ କରିବ; ତହିଁରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିଖିବ;

ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ମାନିବ ଓ କରିବ,

“ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’

ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।

ମାତ୍ର ମୁଁ ଆଜି ତୁମ୍ଭକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ।

ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।

ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିର ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ।

ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;

ପୁଣି, ସେମାନେ ଯେପରି ତାହା ଶୁଣି ଶିକ୍ଷା ପା’ନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ୱାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ।

“ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ୱରୂପ ହୋଇ ରହିବ।” ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋ’ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ?

ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ।

କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି, ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର; କାରଣ ଦେଖ, ସେ ତୁମ୍ଭମାନଙ୍କ ନିମନ୍ତେ କିପରି ମହତ କର୍ମମାନ କରିଅଛନ୍ତି।

ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ। ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି। ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।

କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ। ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ।

ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ।

ତୁମ୍ଭେମାନେ ଯାଇ ମୋ’ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।

ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍‍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।

ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।

ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି।

ତଥାପି ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ; କାରଣ ଆମ୍ଭେମାନେ ତୁମ୍ଭ ମାର୍ଗବିଷୟକ ଜ୍ଞାନ ବାଞ୍ଛା କରୁ ନାହୁଁ।

ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି।

ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, “ଏ କିଏ ଯେ, ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି? ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ।

ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ।

ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।

କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।

ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।

ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ। ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ। ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।

କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ’ ଦୃଷ୍ଟି-ଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି।

ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।

ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।

ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି। ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ; ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।

ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।

ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।

ହେ ବାଳକମାନେ, ଆସ, ମୋ’ କଥା ଶୁଣ; ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି।

ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋ’ ହୃଦୟରେ ଅଛି।” ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ। ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ; ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।

ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, ତୁମ୍ଭର କି ଅଧିକାର? କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ।

ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।

ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି; ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି।

ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;

ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ। ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ି ଦେଲୁ। ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା! ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ। ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ; ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।

ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର।

ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ କିଏ ଅଛି?

ସେ ଅନ୍ଧକାର ପଠାଇ ଦେଶକୁ ଅନ୍ଧକାରମୟ କଲେ; ଆଉ, ସେମାନେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।

ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁୁଛାୟାରେ ବସିଲେ; ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା।

ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।

ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ। ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।

ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ।

ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।

ଆଲେଫ୍‍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।

ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ।

ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।

ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।

ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।

ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।

ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।

ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ ମୋ’ ପ୍ରାଣ କ୍ଷୀଣ ହୁଏ।

ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ।

ମୋ’ଠାରୁ ମିଥ୍ୟାମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।

ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।

ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।

ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।

ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।

ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।

ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।

ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।

ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ। ଇୟୂଦ୍‍।

ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।

ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।

ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର! ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର!

ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ନୂନ୍‍।

ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।

ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ୍‍।

ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ।

ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।

ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।

ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋ’ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ।

ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରି ଅଛନ୍ତି।

ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।

ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।

ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।

ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ଶିନ୍‍।

ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।

କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।

ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।

ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।

ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ?

କାରଣ ସେମାନେ ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ; ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ। ଏଥିପାଇଁ ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୋଗିବେ ଓ ଆପଣା ଆପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ।

ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର; ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର; ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର; ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।

ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।

ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।

ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋ’ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।

ହେ ମୋହର ପୁତ୍ର, ମୋ’ କଥାରେ ମନୋଯୋଗ କର; ମୋ’ ବାକ୍ୟରେ କର୍ଣ୍ଣ ଡେର। ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।

ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ। ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।

ଯେହେତୁ ସେହି ଆଜ୍ଞା ପ୍ରଦୀପ; ଓ ସେହି ଆଦେଶ ଆଲୁଅ; ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ;

ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ।

ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ।

ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।

ମୃତ୍ୟୁୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର ଝର ସ୍ୱରୂପ।

ସୁନା ଅପେକ୍ଷା ଜ୍ଞାନ ଲାଭ କରିବା, ପୁଣି, ରୂପା ଅପେକ୍ଷା ବରଞ୍ଚ ସୁବିବେଚନା ଲାଭ ମନୋନୀତ କରିବାର କିପରି ଉତ୍ତମ!

ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ, ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।

ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।

ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ; ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ। ତାହାଙ୍କ ବାକ୍ୟରେ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଅନୁଯୋଗ କରିବେ, ପୁଣି, ତୁମ୍ଭେ ମିଥ୍ୟାବାଦୀ ଜଣା ପଡ଼ିବ।

ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।

ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।

ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ତୁମ୍ଭେମାନେ ଶୁଣୁଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।

ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।

ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନନ୍ତ କାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ନଳାକାର ପୁସ୍ତକରେ ତାହା ଲିପିବଦ୍ଧ କର। କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ; ସେମାନେ ଦର୍ଶକଗଣକୁ କହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ” ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହନ୍ତି, “ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର; ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।” ଏହେତୁ ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି, ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର ରଖୁଅଛ; ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍‍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ।”

ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ; ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”

ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?

ଯେହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।” “କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।

ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ତୁମ୍ଭେ କାନ୍ଦିବା ବେଳେ ସେମାନେ ଉଦ୍ଧାର କରନ୍ତୁ; ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ, ଏକ ନିଶ୍ୱାସ ସେସମସ୍ତଙ୍କୁ ନେଇ ଯିବ; କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତର ଅଧିକାରୀ ହେବ।

ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।

କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା,” ଏହା ସଦାପ୍ରଭୁ କହନ୍ତି; “ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।

ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।” ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ “ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ; ମାତ୍ର ସେମାନେ ଲଜ୍ଜିତ ହେବେ।

ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ’ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି। ତହିଁରେ ମୁଁ କହିଲି, “ନିଶ୍ଚୟ ଏମାନେ ଦରିଦ୍ର; ଏମାନେ ଅଜ୍ଞାନ; କାରଣ ଏମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କର ଶାସନ ଜାଣନ୍ତି ନାହିଁ;”

ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା, କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।

ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ‘ତୁମ୍ଭେମାନେ ଆମ୍ଭ ରବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ, ସେସବୁ ପଥରେ ତୁମ୍ଭେମାନେ ଚାଲ, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ।’ ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍‍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ।

ଜ୍ଞାନୀମାନେ ଲଜ୍ଜିତ ହୋଇଅଛନ୍ତି, ସେମାନେ ଘାବରା ଓ ଧରା ହୋଇଅଛନ୍ତି; ଦେଖ, ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି; ଆଉ, ସେମାନଙ୍କର ଜ୍ଞାନ କିପ୍ରକାର?

ମାତ୍ର ଯଦି ତୁମ୍ଭେମାନେ ଏକଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।

ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି; ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା; କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।

ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।

ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।’

“ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।’”

ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।

ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ?”

ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।

ପୁଣି, ତୁମ୍ଭେ ସେମାନଙ୍କୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଯଦି ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯଦି ତୁମ୍ଭେମାନେ ମନୋଯୋଗ ନ କରିବ; ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’”

ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ।

ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହିସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ। କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି;” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।”

ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି; ମିସର ଦେଶରୁ ସେମାନଙ୍କର ପୂର୍ବପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।” ମାତ୍ର ସଦାପ୍ରଭୁ କହନ୍ତି, “ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ; ପୁଣି, ‘ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ’ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ;” କାରଣ ସଦାପ୍ରଭୁ କହନ୍ତି, “ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”

ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?

ପୁଣି, ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର, ଆଉ, ଅଶୁଚି ଓ ଶୁଚିର ପ୍ରଭେଦ ଶିଖାଇବେ।

ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।

ସେମାନେ ସନ୍ତାପର ପାତ୍ର! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।

ପ୍ରଭୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ।

ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ଶକ୍ତଗ୍ରୀବ ହେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ। ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ୱାରା ପୂର୍ବକାଳର ଭବିଷ୍ୟଦ୍‍ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ, ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥିସକାଶୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରୁ ମହାକୋପ ଉପସ୍ଥିତ ହେଲା। ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ମୁଁ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ଆମ୍ଭେ ଶୁଣିବା ନାହିଁ,

କିନ୍ତୁ ଯୀଶୁ ଉତ୍ତର ଦେଲେ, "ଲେଖା ଅଛି, 'ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।'"

ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ । ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ ।

କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।

ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁର୍ଖ ଲୋକ ଭଳି ହେବ । ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା ।

ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ ।

ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି । ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି ।

ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ । ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ । ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।

ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।

ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି । ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ । ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ । ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

କିନ୍ତୁ ଯୀଶୁ ଉତ୍ତର ଦେଲେ, ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାଁନ୍ତି, ସେ ସବୁ ଉତ୍ପାଟିତ ହେବ ।

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ ।

ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ ।

ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି ।

ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ, କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ; ମନପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର ।

ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି, ଯେପରି ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି । ଯୀଶୁ ପୁଣି, ସେମାନଙ୍କୁ କହିଲେ, ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ? ବୁଣାଳୀ ବାକ୍ୟ ବୁଣେ । ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ପରି ସମାଜଗୃହର ଅଧ୍ୟକ୍ଷ୍ୟଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର ।

ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ ।

ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ? ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।

ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?

ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର । ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ ।

କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ ।

ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍ଗ ବିଦ୍ଧ କରିବ ।

ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ।

ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା ।

ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି କହୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ? ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହି ସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି । ସେ ଏପରି ଜଣେ ଘର ନିର୍ମାଣକାରୀ ଲୋକ ପରି, ଯେ ଗଭୀର ଗାତ ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ, ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳଭାବରେ ଧକ୍କା ମାରିଲା, କିନ୍ତୁ ତାହା ହଲାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ନିର୍ମାଣ କରାଯାଇଥିଲା । କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା ।

ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ । ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ, ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ । ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି । ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବସବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ । ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।

କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ ।

ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ? ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ ।

ପୁଣି, ସେ ଆଉ ଜଣକୁ କହିଲେ, ମୋହର ଅନୁସରଣ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର । ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ ।

ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ ।

ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ' ଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ ।

କେହି ଯେବେ ମୋ’ ପାଖକୁ ଆସି ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ଅଧିକ ପ୍ରେମ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ । ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି । କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।

କିନ୍ତୁ ଅବ୍ରାହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ । ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,

ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।

ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି । ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ;

ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ ।

କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା ।

ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ ।

ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ?

କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ । ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ ।

କାରଣ ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ ।

ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।

ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ।

ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ । ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।

ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ ।

ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ ।

ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ, ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।

ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ । ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା । କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ । ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ? ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।

ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ ।

କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ । ମୋ' ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,

ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇ ପାରେ ନାହିଁ),

ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।

କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । ଯିଶାଇୟ ଏହି ସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ । ତଥାପି ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, କାରଣ ସେମାନେ ଈଶ୍ୱରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ ।

ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ ।

କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କ'ଣ କହିବି ଓ କ'ଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ । ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ ।

ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।

ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ ।

ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି ।

ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା । ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର ।

ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ ।

କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହି ସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ ।

ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି ।

ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ ।

ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କ'ଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା । ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି । ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ ।

କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।

ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ,

ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।

କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ ।

ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ, ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ । ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ ।

ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ,କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ, ସେ ରୋମରେ ଥିବା ଈଶ୍ୱରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି ।

କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ। ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ'' । କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି । ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ । କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା; ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,

ତେବେ ଯିହୂଦୀ ଲୋକର ବିଶେଷ କ'ଣ? ସୁନ୍ନତର ବା ଉପକାର କ'ଣ? ସବୁ ପ୍ରକାରେ ବହୁତ । ସର୍ବପ୍ରଥମେ, ଈଶ୍ୱରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା । ତେବେ କ'ଣ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ୱସ୍ତତା କ'ଣ ଈଶ୍ୱରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ? ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖା ଅଛି, "ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ ।''

ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ, ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ;

ତେବେ, ଆମ୍ଭେମାନେ କି ବିଶ୍ୱାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ ।

କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ ।

ଅତଏବ, ମୋଶାଙ୍କ ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ । ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ମୋଶାଙ୍କ ବ୍ୟବସ୍ଥାର ଦାସ ଅଟେ ।

ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;

ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ । କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ । କାରଣ ଯିଶାଇୟ କହନ୍ତି, "ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?' ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ ।

ଯେପରି ଲେଖା ଅଛି, "ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ ।

ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥି ନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହି ସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି ।

ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି; କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି ।

କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ ।

ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ ।

ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ । କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହି ସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତା'ର ବିଚାର କରେ ନାହିଁ ।

ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର ।

ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି; ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ ।

ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ ।

କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,. ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ?

ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାଁନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ,ମାତ୍ର ଆତ୍ମା ଜୀବନଦାୟକ; ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ? କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ,ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ ।

ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୁର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାରକରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ । କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି ।

କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି ।

କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି । ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ ।

କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରି ପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରି ପାରୁ ।

ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି । କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ ।

କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ ।

କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, "ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ ।''

ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ, ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ ।

ଅବ୍ରାହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା । ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ ।

ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକସ୍ୱରୂପ ହୋଇଥିଲା ।

ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟକହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?

ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କ'ଣ,

ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,

ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି,

ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାବ କର ଓ ଆତ୍ମାଙ୍କ ଖ‌ଡ୍ଗ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର;

ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର, ପୁଣି, ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,

ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି ।

ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହି ସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି ।

ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;

ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,

ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,

ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ ।

ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି ।

ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ; ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ),

ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ । ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି, ବିନାଶ-ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ, କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି । ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି, ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି ।

କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ; ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ୱରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ ।

ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ; ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି ।

ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ, ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି ।

ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ

ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ;

ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।

ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ,ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।

ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;

ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;

ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର ।

ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ,

ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ ।

ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ । ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।

ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ।

ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ ।

ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୂଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,

କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ ।

ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା, ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;

ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, "ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ'' ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କରନ୍ତି ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ । ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାଁନ୍ତି । ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । ହେ ଭାଇମାନେ, ସାବଧାନ,ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ ।

କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ । ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;

କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ । ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।

କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି ।

କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହି ସବୁ ଲେଖିବା,

କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହି ସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି,

କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ । କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; ତେବେ ଭାବି ଦେଖ, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!

ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ ।

ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ!

କାରଣ ଆମ୍ଭମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ।

କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।

ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର । କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ । କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ ।

ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ । ନା ତୁମ୍ଭେମାନେ କ'ଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି? କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' । ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ । ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର । ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ । ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ ।

ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର; ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ । କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ । ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି ।

ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି

ଏଣୁ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ ।

କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କ'ଣ ନ ହେବ!

ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ । ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ । ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ ।

କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ । ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ । ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।

ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି । ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ,

ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ । ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ; କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି । ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ । ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ ।

ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି ।

କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।

ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ ।

ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ ।

ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା ।

ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ ।

ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା ।

ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରିକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ,

ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ ।

ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ;

ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା ।

ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର ।

ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।

ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ । ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ ।

ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ ।

ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ ।

ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ; ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net