04 – ସୃଷ୍ଟି

ଏଗୁଡ଼ିକ ହେଉଛି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପବିତ୍ର ବାକ୍ୟ।
ମଣିଷର କଥାରେ ଆମର ଆଗ୍ରହ ନାହିଁ।
ଯିଏ ଭଗବାନଙ୍କୁ ଭଲ ପାଏ... ଭଗବାନ ଏହା ବିଷୟରେ କହନ୍ତି: ସୃଷ୍ଟି.

ଶ୍ରେଷ୍ଠ 3ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ୟ

ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ।

କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି । ସମସ୍ତ ଶରୀର ଏକ ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ- ପ୍ରକାର ଶରୀର ଓ ମାଛମାନଙ୍କର ଅନ୍ୟ ପ୍ରକାର ଶରୀର ।

ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ ।

କ୍ରମରେ ପ୍ରତ୍ୟେକ ପଦ - 104 ବାଇବଲ ପଦ

ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା। ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। ପୁଣି, ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।” ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା। ଆଉ ପରମେଶ୍ୱର ସେହି ଶୂନ୍ୟର ନାମ ଆକାଶମଣ୍ଡଳ ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା। ପୁଣି, ପରମେଶ୍ୱର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା। ଅର୍ଥାତ୍‍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ୍‍ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ,” ତହିଁରେ ସେପରି ହେଲା। ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ, ଆଉ ଦୀପ୍ତିକୁ ଅନ୍ଧକାରରୁ ପୃଥକ୍‍ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ।” ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ପୁଣି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।” ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା। ଏହି ରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ।

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ।” ଏଥିଉତ୍ତାରେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ୱର ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି, ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।” ପରମେଶ୍ୱର ଆହୁରି କହିଲେ, “ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ। ପୁଣି, ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ୍ ଶାକ ଦେଲୁ,” ତହିଁରେ ସେହିପରି ହେଲା। ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।

ଏହିରୂପେ ଆକାଶମଣ୍ଡଳ ଓ ପୃଥିବୀର, ପୁଣି, ସେହି ଦୁଇସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ପୁଣି, ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।

ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ସେହି ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ୱର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା। ପୁଣି, ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା। ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବଦିଗସ୍ଥ ଏଦନ ନାମକ ସ୍ଥାନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ।

ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ। ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ।

ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।

ତାହା ଆମ୍ଭ ଓ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”

ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,

ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଓ ଆକାଶମଣ୍ଡଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣା ଯାଇଅଛି?

ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ।

ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।

ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳସକଳ ଦେଖାଗଲା।

ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

ହେ ସଦାପ୍ରଭୁ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ।

କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।

ସେ ପୃଥିବୀକୁ ସ୍ୱସ୍ଥାନରୁ ହଲାଇ ଦିଅନ୍ତି ଓ ତହିଁର ସ୍ତମ୍ଭମାନ ଟଳଟଳ ହୁଏ। ସେ ବାରଣ କଲେ, ସୂର୍ଯ୍ୟ ଉଦିତ ହୁଏ ନାହିଁ ଓ ସେ ତାରାଗଣକୁ ବନ୍ଦ କରି ମୁଦ୍ରାଙ୍କିତ କରନ୍ତି। ସେ ଏକାକୀ ଆକାଶମଣ୍ଡଳ ପ୍ରସାରନ୍ତି ଓ ସମୁଦ୍ରର ତରଙ୍ଗ ଉପରେ ଗମନ କରନ୍ତି। ସେ ସପ୍ତର୍ଷି, ମୃଗଶୀର୍ଷ ଓ କୃତ୍ତିକା ଓ ଦକ୍ଷିଣସ୍ଥ ମଣ୍ଡଳ ସୃଷ୍ଟି କରନ୍ତି। ସେ ଅନୁଦ୍ଦେଶ୍ୟ ମହାକାର୍ଯ୍ୟ ଓ ଅସଂଖ୍ୟ ଆଶ୍ଚର୍ଯ୍ୟ କ୍ରିୟା କରନ୍ତି।

ମାତ୍ର ଏବେ ପଶୁମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଶିକ୍ଷା ଦେବେ ଓ ଆକାଶର ପକ୍ଷୀମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଜଣାଇବେ; ଅବା ପୃଥିବୀକୁ ବୋଲ, ସେ ତୁମ୍ଭକୁ ଶିକ୍ଷା ଦେବ ଓ ସମୁଦ୍ରର ମତ୍ସ୍ୟମାନେ ତୁମ୍ଭ ପ୍ରତି ପ୍ରକାଶ କରିବେ। ସଦାପ୍ରଭୁଙ୍କ ହସ୍ତ ଯେ ଏହା କରିଅଛି, ଏସକଳ ଦ୍ୱାରା କିଏ ନ ଜାଣେ? ତାହାଙ୍କ ହସ୍ତରେ ପ୍ରତ୍ୟେକ ଜୀବର ପ୍ରାଣ ଓ ସମୁଦାୟ ନରବଂଶର ଶ୍ୱାସବାୟୁ ଅଛି।

ସେ ଶୂନ୍ୟ ଉପରେ ଉତ୍ତର-କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି। ସେ ଆପଣା ନିବିଡ଼ ମେଘମାଳରେ ଜଳରାଶିକୁ ବାନ୍ଧନ୍ତି ଓ ତହିଁ ତଳେ ମେଘ ଚିରି ଯାଏ ନାହିଁ। ସେ ଆପଣା ସିଂହାସନର ମୁଖ ବନ୍ଦ କରନ୍ତି ଓ ତହିଁ ଉପରେ ଆପଣା ମେଘ ବିସ୍ତୀର୍ଣ୍ଣ କରନ୍ତି। ସେ ଦୀପ୍ତି ଓ ଅନ୍ଧକାରର ପ୍ରାନ୍ତ ପର୍ଯ୍ୟନ୍ତ ଜଳରାଶି ଉପରେ ସୀମା ନିର୍ଣ୍ଣୟ କରିଅଛନ୍ତି। ଆକାଶମଣ୍ଡଳର ସ୍ତମ୍ଭସକଳ ତାହାଙ୍କ ଅନୁଯୋଗରେ କମ୍ପିତ ଓ ଚମତ୍କୃତ ହୁଅନ୍ତି।

ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି।

ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, “ଏ କିଏ ଯେ, ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି? ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ। ତୁମ୍ଭେ କି ଜାଣ, କିଏ ତହିଁର ପରିମାଣ ନିରୂପଣ କଲା? ଅବା କିଏ ତହିଁ ଉପରେ ପରିମାପକ ରଜ୍ଜୁ ପ୍ରସାରିଲା? କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା? ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ ଓ ପରମେଶ୍ୱରଙ୍କ ଦୂତଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା? ଅବା ଯେତେବେଳେ ଗର୍ଭରୁ ନିର୍ଗତ ହେବା ତୁଲ୍ୟ ସମୁଦ୍ର ବାହାରିଲା, ଯେତେବେଳେ ଆମ୍ଭେ ମେଘକୁ ତହିଁର ବସ୍ତ୍ର ସ୍ୱରୂପ ଓ ନିବିଡ଼ ଅନ୍ଧକାରକୁ ତହିଁର ଗୁଡ଼ାଇବା ବସ୍ତ୍ର ସ୍ୱରୂପ କଲୁ, ପୁଣି ତହିଁ ନିମନ୍ତେ ଆମ୍ଭେ ଆପଣା ବିଧି ନିରୂପଣ କରି ଅର୍ଗଳ ଓ କବାଟ ସ୍ଥାପନ କଲୁ, ତୁମ୍ଭେ ଏପର୍ଯ୍ୟନ୍ତ ଆସିବ, ମାତ୍ର ଆଉ ବଢ଼ିବ ନାହିଁ ଓ ଏହିଠାରେ ତୁମ୍ଭର ଗର୍ବିତ ତରଙ୍ଗ ନିବାରିତ ହେବ ବୋଲି କହିଲୁ; ସେତେବେଳେ କିଏ କବାଟ ଦେଇ ସମୁଦ୍ରକୁ ରୁଦ୍ଧ କଲା?

ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ। ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ। ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ।

ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)

ସେତେବେଳେ, ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସ ବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।

ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,

ଦାଉଦଙ୍କର ଗୀତ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର। କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।

ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।

ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର; ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ। ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,

ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।

ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ; ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ। ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;

ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ। ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।

ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ। ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଷ୍ଠ ପକାଇଅଛ; ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ। ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅଗ୍ନିଶିଖାକୁ ଆପଣାର ପରିଚାରକ କର। ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, ତାହା କଦାପି ବିଚଳିତ ହେବ ନାହିଁ।

ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ। ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।

ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି।

ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ। ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ; ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି।

ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।

ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ।

ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।

ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ; ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ। ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ କଲେ ସେ;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା; ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ।

ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି;

ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।

ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ।

ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; ସେହି ସମୟରେ ଭୂମି, କିମ୍ବା ପ୍ରାନ୍ତର, କିମ୍ବା ଜଗତସ୍ଥ ଧୂଳିର ଅଗ୍ରିମାଂଶ ସଦାପ୍ରଭୁ ସୃଷ୍ଟି କରି ନ ଥିଲେ। ଯେଉଁ ସମୟରେ ସେ ଆକାଶମଣ୍ଡଳ ସ୍ଥାପନ କଲେ, ସେହି ସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, ପୁଣି ଉପରିସ୍ଥ ଆକାଶମଣ୍ଡଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; ଜଳସମୂହ ଯେପରି ତାହାଙ୍କ ଆଜ୍ଞା-ଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; ସେହି ସମୟରେ ମୁଁ ତାହାଙ୍କ ନିକଟରେ ରାଜମିସ୍ତ୍ରୀ ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି। ପୁଣି, ତାହାଙ୍କ ଭୂମଣ୍ଡଳରେ ଆନନ୍ଦ କଲି ଓ ମନୁଷ୍ୟ ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା।

ଶୁଣିବା କାନ ଓ ଦେଖିବା ଆଖି, ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଅଛନ୍ତି।

ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”

ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।

ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”

“ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

କିଏ ଆପଣା ହସ୍ତର ପୋଷରେ ଜଳରାଶି ମାପିଅଛନ୍ତି, ଚାଖଣ୍ଡ ଦ୍ୱାରା ଆକାଶମଣ୍ଡଳର ପରିମାଣ କରିଅଛନ୍ତି ଓ ଗୌଣୀରେ ପୃଥିବୀର ଧୂଳିସବୁ ଭରିଅଛନ୍ତି, ପର୍ବତଗଣକୁ ନିକ୍ତିରେ ଓ ଉପପର୍ବତଗଣକୁ ତରାଜୁରେ ତୌଲି ଅଛନ୍ତି?

ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ? ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି;

ଉର୍ଦ୍ଧ୍ୱ ଦୃଷ୍ଟି କରି ଦେଖ, ଏହି ସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ।

ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ।

ଯେ ଆକାଶମଣ୍ଡଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି;

ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।

ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି; “ଆମ୍ଭେ ସଦାପ୍ରଭୁ, ଆମ୍ଭେ ସବୁ କାର୍ଯ୍ୟ ସାଧନ କରୁ ଆମ୍ଭେ ଏକାକୀ ଆକାଶମଣ୍ଡଳ ବିସ୍ତାର କରୁ; ଆମ୍ଭେ ପୃଥିବୀକୁ ପ୍ରସାର କରୁ; ଆମ୍ଭର ସଙ୍ଗୀ କିଏ?

ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ୱରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ। ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ତହିଁ ମଧ୍ୟରେ ମନୁଷ୍ୟର ସୃଷ୍ଟି କରିଅଛୁ; ଆମ୍ଭେ, ଆମ୍ଭର ହସ୍ତ ହିଁ ଆକାଶମଣ୍ଡଳ ବିସ୍ତୀର୍ଣ୍ଣ କରିଅଛି ଓ ତହିଁର ସକଳ ବିଷୟକୁ ଆମ୍ଭେ ଆଜ୍ଞା ଦେଇଅଛୁ।

କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।

ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର; ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅନ୍ତ। ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଡାହାଣ ହସ୍ତ ଗଗନମଣ୍ଡଳ ବିସ୍ତାର କରିଅଛି; ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।

ପୁଣି ଆକାଶମଣ୍ଡଳ ବିସ୍ତାରକାରୀ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନକାରୀ ତୁମ୍ଭ ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କୁ ଭୁଲିଅଛ ଓ ଉପଦ୍ରବୀ ବିନାଶ କରିବାକୁ ଉଦ୍ୟତ ହେବା ବେଳେ ତାହାର କୋପ ସକାଶୁ ସାରାଦିନ ନିରନ୍ତର ଭୟ କରୁଅଛ ଯେ ତୁମ୍ଭେ, ତୁମ୍ଭେ ତ କିଏ? ଆଉ, ସେ ଉପଦ୍ରବୀର କୋପ କାହିଁ?

ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।

ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ? କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା,” ଏହା ସଦାପ୍ରଭୁ କହନ୍ତି; “ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।

ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ। ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ। ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;

‘ଆମ୍ଭେ ଆପଣାର ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ପୃଥିବୀ ଓ ପୃଥିବୀନିବାସୀ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ; ଆଉ, ଯାହାକୁ ତାହା ଦେବା ପାଇଁ ଆମ୍ଭଙ୍କୁ ଉଚିତ ଦେଖାଯାଏ, ତାହାକୁ ଆମ୍ଭେ ତାହା ଦେଉ।

“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ;

ସେ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରି ଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନମଣ୍ଡଳ ବିସ୍ତାର କରିଅଛନ୍ତି।

ଯେ କୃତ୍ତିକାର ଓ ମୃଗଶୀର୍ଷର ସୃଷ୍ଟି କରିଅଛନ୍ତି, ଯେ ମୃତ୍ୟୁୁରୂପ ଛାୟାକୁ ପ୍ରଭାତରେ ପରିଣତ କରନ୍ତି, ଯେ ଦିବସକୁ ରାତ୍ରି ତୁଲ୍ୟ ଅନ୍ଧକାରମୟ କରନ୍ତି; ଯେ ସମୁଦ୍ରର ଜଳସମୂହକୁ ଆହ୍ୱାନ କରି ପୃଥିବୀ ଉପରେ ଢାଳନ୍ତି; ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କର।” ସଦାପ୍ରଭୁ ତାହାଙ୍କର ନାମ।

ଯେ ଆକାଶରେ ଆପଣା କୋଠରି ଶ୍ରେଣୀ ନିର୍ମାଣ କରନ୍ତି ଓ ପୃଥିବୀ ଉପରେ ଆପଣା ଚନ୍ଦ୍ରାତପ ସ୍ଥାପନ କରିଅଛନ୍ତି; ଯେ ସମୁଦ୍ରର ଜଳସମୂହକୁ ଡାକି ପୃଥିବୀ ଉପରେ ଢାଳନ୍ତି; ତାହାଙ୍କର ନାମ ସଦାପ୍ରଭୁ।

ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।”

କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।

ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ। ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି।

କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।

କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର ।

ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ । ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ । ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ।

ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ ।

ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ, ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ ।

ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?

ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହି ସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଫେରନ୍ତି । ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;

ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ, କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି । ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାଁନ୍ତି । କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, "କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।"

ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ ।

ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ ।

ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।

ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି । କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ; ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ । କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ ।

ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।

ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ୱର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ ।

କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି । ସମସ୍ତ ଶରୀର ଏକ ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ- ପ୍ରକାର ଶରୀର ଓ ମାଛମାନଙ୍କର ଅନ୍ୟ ପ୍ରକାର ଶରୀର ।

ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ । ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ । ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ । ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ ।

ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି ।

ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ପ୍ରାଚୀନ କାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି,

ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି ।

ଏହି ଶେଷକାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରିଅଛନ୍ତି,

ଆହୁରି, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ''

ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ୱର ।

ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ ।

ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି । ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି । କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ ।

ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।

ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ;

ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର ।

Odia - ଓଡ଼ିଆ - OR

ORIRV'17 - Odia Indian Revised Version Oriya - 2021

This Bible text is from Oriya Indian Revised Version IRV Odia 2021
https://open.bible/bibles/oriya-bridge-text-bible/
provided by: Bridge Connectivity Solutions Pvt Ltd, available by Creative Commons CC-BY-SA-4.0,
and this new compilation is shared as www.creativecommons.org/licenses/by-sa/4.0.
Languages are made available to you by www.ipedge.net